‘ହ୍ୱାଟସ୍ ଆପ୍’ରେ ପୋଷ୍ଟକୁ ନେଇ ହୁବଲିରେ ହିଂସା


ପ୍ରସାଦ ରାଓ
ଏପ୍ରିଲ ୧୭
‘ହ୍ୱାଟସ୍ ଆପ୍’ରେ ଏକ ଆପତ୍ତିଜନକ ଫଟୋ ପ୍ରସାରଣ କରାଯିବା ଘଟଣାକୁ ନେଇ କର୍ଣ୍ଣାଟକର ପୁରୁଣା ହୁବୁଲି ଥାନା ଅଂଚଳରେ ଶନିବାର ରାତିରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସଂଖ୍ୟାଲଘୁ ସଂପ୍ରଦାୟର ଭବନାକୁ ଆଘାତ ଦେଲା ଭଳି ଏକ ଆପତ୍ତିଜନକ ଫଟୋ ସେୟାର ହୋଇଥିବାରୁ ଏହାକୁ ସେୟାର କରିଥିବା ଆନନ୍ଦ ନଗର ଅଂଚଳର ଅଭିଷେକ ହିରେମାଥଙ୍କୁ ପୁଲିସ ଗିରଫ କରିବାକୁ ଦାବି କରି ବହୁ ସଂଖ୍ୟକ ଲୋକ ରାତିରେ ପୁରୁଣା ହୁବଲି ଥାନା ଘେରାଉ କରିଥିଲେ । ପୁଲିସ ଏତଲା ପାଇବା ପରେ ଅଭିଷେକକୁ ଗିରଫ କରିଛି । ତଥାପି, ଥାନାରେ ଧାରଣା ଦେଇଥିବା ଲୋକମାନେ ତାନା ଉପରେ ଆକ୍ରମଣ କରି ପୁଲିସ ଗାଡ଼ିଗୁଡିକୁ ଭଂଗାରୁଜା କରିବା ସହ ପୁଲିସ କର୍ମଚାରୀଙ୍କ ଉପରେ ଢେଲାମାଡ଼ କରିଥିଲେ । ଢେଲାମାଡରେ ଜଣେ ଇନିସପେକ୍ଟରଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଫାଙ୍କା ଗୁଳି ଚଳାଇ ଥିଲେ । ପରେ ଅନ୍ୟୁନ ୪୦ ଜଣଙ୍କୁ ଗିରଫ କରାଯାଇଛି । ହୁବଲିରେ ରବିବାର ସକାଳୁ ୨୦ ତାରିଖ ସକାଳ ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି ବୋଲି ହୁବଲି-ଧରୱାଡ ସଟି ପୁଲିସ କମିସନର ଲଭୁ ରାମ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଆପତ୍ତିଜନକ ପୋଷ୍ଟକୁ ନେଇ ଥାନାରେ ଏତଲା ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହାସତ୍ତ୍ୱେ ଥାନାରେ ହିଂସାକାଣ୍ଡ ଘଟିଛି । କେହି ଆଇନ ହାତକୁ ନ ନେବାକୁ ସେ ପରାମର୍ଶ ଦେବା ସହ ଆଇନ ହାତକୁ ନେଲେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି । ପୁଲିସ ଘଟଣାକୁ ରାଜନୈତିକ ଦୃଷ୍ଟିରେ ନଦେଖି ଆଇନ ଶୃଙ୍ଖଳା ପରିସ୍ଥିତି ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS