କୋଭିଡ଼ ସଂକ୍ରମଣ ବଢୁଛି, ୟୁପିରେ ‘ମାସ୍କ’ ପରିଧାନ ବାଧ୍ୟତାମୂଳକ ହେଲା


ପ୍ରସାଦ ରାଓ
ନୂଆଦିଲ୍ଲୀ
ଏପ୍ରିଲ ୧୮
ଦେଶରେ ପୁନର୍ବାର କୋଭିଡ଼ ସଂକ୍ରମଣ ବଢୁଥିବା ଚିନ୍ତାର କାରଣ ହୋଇଛି । ଦିଲ୍ଲୀ ଓ ସଂଲଗ୍ନ ଏନସିଆର ଅଂଚଳରେ ସଂକ୍ରମଣ ବଢୁ ଥିବା ଦେଖି ୟୁପି ସରକାର ଆଜି ସର୍ବସାଧାରଣ ସ୍ଥଳରେ ‘ମାସ୍କ’ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଲକ୍ଷ୍ନୌ ସହର ନ୍ୟାସନାଲ କ୍ୟାପିଟାଲ ରିଜନ୍ (ଏନସିଆର) ଅନ୍ତର୍ଭୁକ୍ତ ମୋଟ ଛଅଟି ଅଂଚଳରେ ତାହା ଲାଗୁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୧୮୩ ନୂଆ କୋଭିଡ଼ ପଜେଟିଭ କେସ୍ ଚିହ୍ନଟ ହୋଇଛି, ଯାହାକି ପୂର୍ବ ୨୪ ଘଂଟା ତୁଳନାରେ ପ୍ରାୟ ୯୦ ପ୍ରତିଶତ ଅଧିକ । ରବିବାର ୧,୧୫୦ ନୂଆ ପଜେଟିଭ କେସ୍ ଚିହ୍ନଟ ହୋଇଥିଲେ । ସେହିଭଳି, ଗତ ୨୪ ଘଂଟା ମଧ୍ୟରେ ୨୧୪ଟି କୋଭିଡ଼ ମୃତ୍ୟୁ ଘଟଣା ରେକର୍ଡ ହୋଇଛି । ଅବଶ୍ୟ ସେଥିରୁ ୧୫୦ଟି ମୃତ୍ୟୁ ଏପ୍ରିଲ ୧୩ରୁ ୧୬ ତାରିଖ ମଧ୍ୟରେ ଘଟିଥିବା ବେଳେ କେରଳର ୬୨ଟି ପୁରୁଣା କୋଭିଡ଼ ମୃତ୍ୟୁ କେସ୍ କୋର୍ଟଙ୍କ ଆଦେଶ ପ୍ରକାରେ ମୃତକଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସରକାରୀ ରିପୋର୍ଟ ଅନୁଯାୟୀ, କୋଭିଡ଼ ସଂକ୍ରମଣ ବୃଦ୍ଧିର ମାପକ ଦୈନିକ ପଜେଟିଭ ହାର ଗତକାଲି ୦.୩୧ ପ୍ରତିଶତ ଥିବା ବେଳେ ତାହା ଆଜି ୦.୮୩ ପ୍ରତିଶତ ରହିଛି । ତେବେ, ସକ୍ରିୟ କୋଭିଡ଼ କେସ୍ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୧୧,୫୫୮ରୁ ୧୧,୫୪୨ ହୋଇଥିବା ଜଣାପଡ଼ିଛି । ଦେଶରେ କୋଭିଡ଼ ମହାମାରୀ ଆରମ୍ଭ ଦିନରୁ ଆଜି ସୁଦ୍ଧା ମୋଟ ୪.୩୦ କୋଟି ଲୋକ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । କୋଭିଡ଼ ସଂକ୍ରମଣ ବଢୁଥିବା ଦେଶର ସହରମାନଙ୍କ ମଧ୍ୟରେ ରହିଛି ରାଜଧାନୀ ଦିଲ୍ଲୀ ଓ ସଂଲଗ୍ନ ଏନସିଆର ଅଂଚଳ । ଦିଲ୍ଲୀରୁ ୫୧୭ଟି ନୂଆ କେଶ୍ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତ ସଂଖ୍ୟା ୧,୫୧୮ ରହିଛି, ଯାହାକି ଚଳିତ ବର୍ଷ ମାର୍ଚ୍ଚ ୩ ପରେ ସର୍ବାଧିକ । ଦିଲ୍ଲୀ ସମେତ ୟୁପିର ଗାଜିଆବାଦ ଓ ନୋଇଡାରେ ଗତ କିଛି ସପ୍ତାହ ମଧ୍ୟରେ ବହୁ ଛାତ୍ର କୋଭିଡ଼ ଆକ୍ରାନ୍ତ ହେବା ପରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସ୍କୁଲ ସବୁ ବନ୍ଦ କରାଯାଇଛି ।
ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ ଏନସିଆର ଅଂଚଳରେ କୋଭିଡ଼ ସଂକ୍ରମଣ ୫୦୦ ପ୍ରତିଶତ ବୃଦ୍ଧି ପାଇଥିବା ସର୍ଭେରୁ ଜଣାପଡିଛି । ଦେଶର କୋଭିଡ଼ ସଂକ୍ରମଣ କମିଯିବା ଦେଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗତ ମାର୍ଚ୍ଚ ୩୧ ତାରିଖରୁ ମହାମାରୀ ଆଇନ ପ୍ରତ୍ୟାହାର କରି ନେବା ସହ କୋଭିଡ଼ କଟକଣା ହଟାଇ ଦେଇଥିଲେ । ଫଳରେ, ଜନସାଧାରଣ ସର୍ବସାଧାରଣ ଅବାଧରେ ବିଚରଣ କରୁଛନ୍ତି । କୋଭିଡ଼ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଚତୁର୍ଥ ଲହରକୁ ଏହାଇବା ପାଇଁ ସତର୍କତା ସ୍ୱଦୂପ ‘ମାସ୍କ’ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ସର୍ବସାଧାରଣ ସ୍ଥାନରେ ‘ମାସ୍କ’ ନ ପିନ୍ଧିଲେ ଯେଉଁ ଜରିମାନା ଆଦାୟ ହେଉଥିଲା ତାହା ମଧ୍ୟ ହଟାଇ ଦିଆଯାଇଛି । ଏଭଳି ପରିସ୍ଥିତିରେ ଦେଶରେ ପୁଣି ଥରେ କୋଭିଡ଼ ସଂକ୍ରମଣ ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜନସାଧାରଣ ‘ମାସ୍କ’ ନ ପିନ୍ଧି ସର୍ବସାଧାରଣରେ ଅବାଧରେ ବିଚରଣ କରୁଥିବାରୁ କୋଭିଡ଼ ସଂକ୍ରମଣ କଡ଼ ଲେଉଟାଉଥିବା ଓ ଚତୁର୍ଥ ଲହରର ସମ୍ଭାବନା ଦେଖାଦେଇ ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ଦିଲ୍ଲୀ ଓ ଏନସିଆର ଅଂଚଳରେ ଏବେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଉଭୟ ଦିଲ୍ଲୀ ଓ ଯୁପି ସରକାରଙ୍କୁ କଟକଣା ଫେରାଇ ଆଣିବାକୁ ବାଧ୍ୟ କରିଛି । ୟୁପି ସରକାର ମାର୍ଚ୍ଚ ୩୧ ପରେ ‘ମାସ୍କ’ ପରିଧାନକୁ ନେଇ ଥିବା ବାଧ୍ୟବାଧକତାକୁ ହଟାଇ ଦେଇଥିଲେ । ପୁଣି, ଆଜିଠାରୁ ରାଜଧାନୀ ଲକ୍ଷ୍ନୌ ସମେତ ୬ଟି ଏନସିଆର ଅଂଚଳରେ ‘ମାସ୍କ’ ପରିଧାନ ବାଧ୍ୟତାମୂଳକ କରାଯାଇଛି । କଟକଣା ଲାଗୁ ହୋଇଥିବା ଏନସିଆର ଅଂଚଳ ହେଉଛି ଗୌତମ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମିରଟ, ବୁଲନ୍ଦସର ଓ ବାଘପାତ । ଗତ ୨୪ ଘଂଟା ମଧ୍ୟରେ ଗୌତମ ବୁଦ୍ଧ ନଗରରୁ ୬୫, ଗାଜିଆବାଦରୁ ୨୦ ଓ ଲକ୍ଷ୍ନୌରୁ ୧୦ଟି ନୂଆ କୋଭିଡ଼ ପଜେଟିଭ କେସ୍ ଚିହ୍ନଟ ହୋଇଥିବା ୟୁପି ସରକାର କହିଛନ୍ତି । ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS