ଜାହାଂଗିରପୁରୀ, ଧ୍ରୁବୀକରଣ ରାଜନୀତିର ସଦ୍ୟ ଉଦାହରଣ !


ପ୍ରସାଦ ରାଓ
ନୂଆଦିଲ୍ଲୀ
ଏପ୍ରିଲ ୨୧
୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାସୀନ ହେବା ପରେ ‘କଟ୍ଟରବାଦୀ’ ରାଜନୀତି ଦୃତ ଗତିରେ ବଢୁ ଥିବା ଲକ୍ଷ୍ୟ କରାଯାଉଛି । ‘ହିନ୍ଦୁତ୍ୱ’ ନାମରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ୍ କରିବା ନିତିଦିନିଆ ଘଟଣା ହୋଇଛି । ବୁଧବାର (ଏପ୍ରିଲ ୨୦ତାରିଖ) ଦିନ ଦିଲ୍ଲୀ ଜାହାଂଗିରପୁରୀରେ ଘଟି ଥିବା ଘଟଣା ଏହାର ଏକ ସଦ୍ୟ ଉଦାହରଣ । ଏପ୍ରିଲ ୧୬ ତାରିଖ ହନୁମାନ ଜୟନ୍ତୀ ଦିନ ଜାହାଂଗିରପୁରୀରେ ଯେଭଳି ହିଂସା ଘଟିଲା ସେଭଳି ହିଂସା ଅଂଚଳବାସୀ ପୂର୍ବରୁ କେବେ ଦେଖି ନଥିଲେ ବୋଲି କହିଛନ୍ତି । ହିଂସା ପାଇଁ ଉଭୟ ହିନ୍ଦୁ ସଂଗଠନ ଓ ମୁସଲିମ୍ ସଂପ୍ରଦାୟ ପରସ୍ପରକୁ ଦାୟି କରୁଥିଲେ ମଧ୍ୟ ପୁଲିସର ପ୍ରାଥମିକ ତଦନ୍ତ ଯାହା କହୁଛି ଅନଧିକାର ଭାବେ ଏକ ହିନ୍ଦୁ ସଂଗଠନ ମହାବୀର ଜୟନ୍ତୀ ଶୋଭାଯାତ୍ରା କରିବାରୁ ୧୬ ତାରିଖ ଦିନ ଏଭଳି ଏକ ଘଟଣା ଘଟିଛି । ଦିଲ୍ଲୀ ପୁଲିସ କହିବା ଅନୁଯାୟୀ, ସେଦିନ ସଂପୃକ୍ତ ଅଂଚଳରେ ଅନୁଷ୍ଠିତ ପ୍ରଥମ ଦୁଇଟି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଥିଲା । ତୃତୀୟ ବା ଶେଷ ଶୋଭାଯାତ୍ରା ପୁଲିସ ବା ପ୍ରଶାସନର ବିଧିବଦ୍ଧ ଅନୁମତି ନଥାଇ ବାହାରି ଥିଲା ଏବଂ ଜାହାଂଗିରପୁରୀର ଏକ ମସଜିଦ ସାମ୍ନା ଦେଇ ଶୋଭାଯାତ୍ରା ଅତିକ୍ରମ କରିବା ସମୟରେ ଦୁଇ ସଂପ୍ରଦାୟ ମଧ୍ୟରେ କଥା କଟାକଟି ହେବା ସହ ପଥର ଫିଙ୍ଗାଫିଙ୍ଗିରୁ ସଂଘର୍ଷର ସୂତ୍ରପାତ ହୋଇଥିଲା ।
ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ଫିଙ୍ଗା ଓ ଗୁଳି ମାଡ଼ ହେବାରୁ ୮ ଜଣ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୯ ଜଣ ଆହତ ହୋଇଥିଲେ । ଜଣେ ପୁଲିସ ଅଧିକାରୀଙ୍କ ହାତରେ ଗୁଳି ବାଜିବା ଓ ଅନ୍ୟ କିଛି ପୁଲିସ କର୍ମଚାରୀ ଆହତ ହେବା ଦିଲ୍ଲୀ ପୁଲିସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ବିଶେଷକରି, ଏକ ହିନ୍ଦୁବାଦୀ ସଂଗଠନ ପୁଲିସ ପ୍ରଶାସନର ଆଗୁଆ ଅନୁମତି ନଥାଇ ଜାହାଂଗିରପୁରୀର ଏକ ମସଜିଦ୍ ସାମ୍ନା ଦେଇ କିପରି ଶୋଭାଯାତ୍ରା କଲେ ଏବଂ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଥିଲେ, ତାହା ବଡ଼ ପ୍ରଶ୍ନ ହୋଇଛି । ତେବେ, ଏହି ପ୍ରଶ୍ନକୁ ଏଡାଇବା ପାଇଁ ସରକାର ତୁରନ୍ତ ମାମଲାର କ୍ରାଇମ ବ୍ରାଂଚ ତଦନ୍ତ ଘୋଷଣା କରିଛନ୍ତି । ତେବେ, ପୁଲିସ କାର୍ଯ୍ୟାନୁଷ୍ଠାନ ଏକପାଖିଆ ଚାଲି ଥିବା ଅଂଚଳବାସୀଙ୍କ ଆଡୁ ଅଭିଯୋଗ ହୋଇଛି । ଯେଉଁ ହିନ୍ଦୁତ୍ୱବାଦୀ ସଂଗଠନ ପୁଲିସର ପୂର୍ବାନୁମତି ନଥାଇ ଜାହାଂଗିରପୁରୀ ଅଂଚଳରେ ଶୋଭାଯାତ୍ରା କରିଥିଲେ ସେମାନଙ୍କ ହାତରେ ଠେଙ୍ଗା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ଭିଡ଼ିଓ ଭାଇରାଲ ହେବା ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇ ନାହିଁ ।
ଅପରପକ୍ଷରେ, ସଂଖ୍ୟାଲଘୁ ସଂପ୍ରଦାୟକୁ ପୁଲିସ ଟାର୍ଗେଟ୍ କରି ବ୍ୟାପକ ଗିରଫଦାରୀ ଚଳାଇ ଥିବା ଅଭିଯୋଗ କରି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିବାରୁ ରାଜନୀତି ସରଗରମ ହେବାରେ ଲାଗିଛି । ୧୬ ତାରିଖ ରାତି ଘଟଣା ପରେ ୧୭ ତାରିଖରୁ ସଂପୂର୍ଣ୍ଣ ଜାହାଂଗିରପୁରୀ ଅଂଚଳ ପୁଲିସ ଛାଉଣୀ ହୋଇ ରହିଛି । ପ୍ରଶାସନ ସେଠାକାର ଶାନ୍ତି କମିଟି ସହ ଆଲୋଚନା କରି ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଘଟଣାର ତଦନ୍ତ ଭାର କ୍ରାଇମ ବ୍ରାଂଚ ହାତରେ ନ୍ୟସ୍ତ କରିବା ପରେ ତଦନ୍ତ ପରେ ତାହାର ଏକ ନକଲ ଗୃହ ମନ୍ତ୍ରଣାଳୟକୁ ଦେବାକୁ ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନାଙ୍କୁ ନିଦ୍ଦେଶ ଦେଇଛନ୍ତି । ତେବେ, ଏପର୍ଯ୍ୟନ୍ତ ତଦନ୍ତରେ ଅଗ୍ରଗତି କଣ ହେଲା ତାହା ଲୋକଲୋଚନକୁ ଆସି ନାହିଁ । ୧୬ ତାରିଖ ଘଟଣାକୁ ନେଇ ଗିରଫଦାରୀ ଏକପାଖିଆ ଚାଲି ଥିବା ବେଳେ ମାମଲା କ୍ରାଇମ ବ୍ରାଂଚ ତଦନ୍ତ କରୁଛି କହି ଦିଲ୍ଲୀ ପୋଲିସ ତଦନ୍ତ ନେଇ ମୁହଁ ବନ୍ଦ ରଖିବା ସରକାରଙ୍କ ମତିଗତିକୁ ନେଇ ସନ୍ଦେହର ବାତାବରଣ ସୃଷ୍ଟି କରିଛି ।
ହିନ୍ଦତ୍ୱବାଦୀ ସଂଗଠନର ସଦସ୍ୟମାନେ ପୁଲିସର ପୂର୍ବ ଅନୁମତି ନଥାଇ ଜାହାଂଗିରପୁରୀରେ ଶୋଭାଯାତ୍ରା କରିଥିବା ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରିଥିବା ବେଳେ ସେମାନେ ଠେଙ୍ଗାବାଡ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଶୋଭାଯାତ୍ରା କରୁଥିବାର ଦୃଶ୍ୟ ଭିଡ଼ିଓରେ କଏଦ୍ ରହିଛି । ମସଜିଦ୍ ସମ୍ମୁଖରେ ସେମାନେ ବିଭିନ୍ନ ଆପତ୍ତିଜନକ ସ୍ଲୋଗାନ ଦେଇ ହିଂସାର ବାତାବରଣ ସୃଷ୍ଟି କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ, ପୁଲିସ ସଂପୃକ୍ତ ହିନ୍ଦୁତ୍ୱବାଦୀ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୁଲିସ ମମାଲା କରିବାରେ ସୀମିତ ରହି ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିଥିବା ଓ ଗିରଫ ଲୋକଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ସଂପ୍ରଦାୟର ଥିବା ଅଭିଯୋଗ ହୋଇଛି । ଦଙ୍ଗାର ସୂତ୍ରପାତ କରିଥିବା ଓ ପୁଲିସ ଉପରେ ଗୁଳିମାଡ କରିଥିବା ଅଭିଯୋଗରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ହାତରେ ଠେଙ୍ଗା, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରି ଶୋଭାଯାତ୍ରା କରିଥିବା ଏବଂ ମସଜିଦ ସାମ୍ନାରେ ଆପତ୍ତିଜନଜକ ସ୍ଲୋଗାନ ଦେଇଥିବା ଲୋକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା କହିବାକୁ କେହି ପ୍ରସ୍ତୁତ ନାହାନ୍ତି ।
୧୬ ତାରିଖ ଘଟଣାକୁ ନେଇ ଜାହାଂଗିରପୁରୀ ଅଂଚଳରେ ଚାପା ଉତ୍ତେଜନା ରହିଥିବା ବେଳେ ବୁଧବାର (୨୦ତାରିଖ) ଦିନ ସେହି ଅଂଚଳରେ ବୁଲଡୋଜର ଚାଲିବା ସରକାର-ବିରୋଧୀ ସମାଲୋଚନାକୁ ତୀବ୍ର କରିଛି । ଜାହାଂଗିରପୁରୀ ଓ ସଂଲଗ୍ନ ଅଂଚଳରୁ ଅବୈଧ ନିର୍ମାଣ ହଟାଇବା ନାଁରେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏମସିଡ଼ି) ପକ୍ଷରୁ ବୁଧବାର ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ପୀଡ଼ିତଙ୍କ କହିବା ଅନୁଯାୟୀ, ଗଲା ୧୫ ବର୍ଷରୁ ଅଧିକ ସମୟ ହେଲା ସେମାନେ ଅସ୍ଥାୟୀ ନିର୍ମାଣ କରି ବସବାସ କରୁଛନ୍ତି ଏବଂ ଛୋଟ ବଡ଼ ବ୍ୟବସାୟ କରି ଗୁଜୁରାଣ ମେଂଟାଉଛନ୍ତି । ୧୬ ତାରିଖ ଘଟଣା ପରେ ଏମସିଡ଼ି ଆଗୁଆ ସୂଚିତ ନକରି ସେମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନକୁ ମାଟିରେ ମିଶାଇ ଦେଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାହାଂଗିରପୁରୀ ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଗତକାଲି ପୂର୍ବାହ୍ନରେ ସୁପ୍ରମି କୋର୍ଟର ଏକ ଖଣ୍ଡପୀଠ ନିଦ୍ଦେଶ ଦେବା ସତ୍ତ୍ୱେ ତାହା ଅଣଦେଖା କରାଯାଇ ଉଚ୍ଛେଦ କାର୍ଯ୍ୟ ଚାଲି ଥିଲା । ତାହାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କୁ ଦୁଇ ଦୁଇ ଥର ହସ୍ତକ୍ଷେପ କରିବାକୁ ପଡିଥିଲା ।
୨୦ ତାରିଖ ସକାଳେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏମସିଡ଼ି) ଅଧିକାରୀମାନେ ବ୍ୟାପକ ପୁଲିସ ବନେ୍ଦାବସ୍ତ ମଧ୍ୟରେ ନଅଟି ବୁଲଡୋଜର ସହ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରୁଥିବା ପ୍ରସ୍ତୁତ ହେଉଥିବା ବେଳେ ଜାମିଆତ ଉଲ୍ଲେମା-ଇ-ହିନ୍ଦ୍ ନାମକ ଏକ ସଂଗଠନ ତାହା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏଲ.ଏନ.ରାଓ ଓ ଜଷ୍ଟିସ ବି.ଆର.ଗାଭାଇଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ ଖଣ୍ଡପୀଠ ସକାଳେ ଏହାର ଶୁଣାଣୀ କରି ପରବର୍ତ୍ତିୀ ଆଦେଶ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖିବାକୁ ଓ ସେଠାକାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ । ପୂର୍ବାହ୍ନ ୧୦ଟା ୪୫ ମିନିଟରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ଆଦେଶ ଜାରି କରି ଏମସିଡ଼ି ମେୟରଙ୍କୁ ଜଣାଇ ଦେବାକୁ କହିଥିଲେ ମଧ୍ୟ କୋର୍ଟ ଆଦେଶର ଦେଢ ଘଂଟା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା । ପିଟିସନକାରୀଙ୍କ ଓକିଲ ଦୁଷ୍ମନ୍ତ ଡାଭେ ପୁନର୍ବାର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କୋର୍ଟ ଦ୍ୱିତୀୟ ଥର ପାଇଁ ହସ୍ତକ୍ଷେପ କରିଥିଲେ ଓ ଉଚ୍ଛେଦ କାର୍ଯ୍ୟ ଅଟକି ଥିଲା ।
ଆଜି ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରି ଏମସିଡ଼ିର ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଜାହାଂଗିରପୁରୀରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ଓ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମ କୋର୍ଟ ଗତକାଲି ପୂର୍ବାହ୍ନ ୧୦.୪୫ ସମୟରେ ଆଦେଶ ଦେଇଥିବା ବେଳେ ଉତ୍ତର ଦିଲ୍ଲୀ ଏମସିଡ଼ି ମେୟରଙ୍କୁ ତାହା କେତେବେଳେ ଅବଗତ କରାଗଲା ବୋଲି ଖଣ୍ଡପୀଠ ଜାଣିବାକୁ ଚାହିଁବାରୁ ଏମସିଡ଼ି କର୍ତ୍ତୃପକ୍ଷ ପୂର୍ବାହ୍ନ ୧୧ଟା ସୁଦ୍ଧା କୋର୍ଟ ଆଦେଶ ଜାଣିସାରି ଥିଲେ ଓ ୧୧ଟା ବେଳେ ମିଡ଼ିଆକୁ ତାହ ସୂଚିତ କରିଥିଲେ ବୋଲି ପିଟିସନାରୀଙ୍କ ଓକିଲ ଦୁଷ୍ମନ୍ତ ଡାଭେ ଜଣାଇ ଥିଲେ । ଉଚ୍ଛେଦ ହୋଇଥିବା ପରିବାରଙ୍କ ଓକିଲ ସନ୍ତୋଷ ହେଗଡେ ମଧ୍ୟ ଖଣ୍ଡପୀଠଙ୍କୁ ଜଣାଇ ଥିଲେ ଯେ, କୋର୍ଟ ଆଦେଶ ସଂପର୍କରେ ଏମସିଡ଼ି ଅଧିକାରୀ ଓ ପୁଲିସଙ୍କୁ ଅବଗତ କରାଯିବା ସତ୍ତ୍ୱେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା । ସିପିଆଇ (ଏମ) ନେତ୍ରୀ ବୃନ୍ଦା କରାତ ନିଜେ ଘଟଣାସ୍ଥଳକୁ ଯାଇ କୋର୍ଟ ଆଦେଶ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ଉଚ୍ଛେଦ କାର୍ଯ୍ୟ ବନ୍ଦ ହୋଇନଥିଲା ।
ଆବେଦନକାରୀଙ୍କ ଓକିଲ କପିଲ ସିବଲ୍ ମଧ୍ୟ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ସରକାର ଗୋଟିଏ ସଂପ୍ରଦାୟକୁ ଟାର୍ଗେଟ୍ କରୁଥିବା ଅଭିଯୋଗ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ସରକାରୀ ଓକିଲ ଓ ପିଟିସନକାରୀଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟଙ୍କ ଆଦେଶ ମେୟରଙ୍କୁ ସୂଚିତ କରାଯିବା ପରେ ଯେଉଁ ଉଚ୍ଛେଦ କାର୍ଯ୍ୟ ହୋଇଛି ତାହାକୁ ଗୁରୁତର ପ୍ରସଙ୍ଗ ଭାବେ ବିଚାର କରାଯିବ ବୋଲି କହିଛନ୍ତି । ଏହି ମାମଲା ସହ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିବାକୁ ଖଣ୍ଡପୀଠ ନିର୍ଦେଶ ଦେବା ସହ ଦୁଇ ସପ୍ତାହର ପରେ ମାମଲାର ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ଜାହାଂଗିରପୁରୀ କୌଣସି ଉଚ୍ଛେଦ କାର୍ଯ୍ୟ ହେବ ନାହିଁ, ସ୍ଥିତାବସ୍ଥା ବଜାୟ ରହିବ ବୋଲି ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମ କୋର୍ଟ ଜାହାଂଗିରପୁରୀ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲିର ଘଟଣା ଦେଶର ସମ୍ବିଧାନ ଉପରେ ବୁଲଡୋଜର ଆକ୍ରମଣ କହି ଟ୍ୱିଟ୍ କରିଥିବା ବେଳେ ଆଜି କଂଗ୍ରେସ ଓ ‘ଆପ୍’ର ଭିନ୍ନ ଭିନ୍ନ ପ୍ରତିନିଧି ଦଳ ପରିସ୍ଥିତି ଅନୁଧ୍ୟାନ ପାଇଁ ସେଠାକୁ ଯାଇଛନ୍ତି । ଆସନ୍ତା କାଲି ଟିଏମସିର ଏକ ୫ ଜଣିଆ ସାଂସଦ ପ୍ରତନିଧି ଦଳ ଜାହାଂଗିପୁରୀ ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି । ଅପରପକ୍ଷରେ, ବିଜେପି ଏହାକୁ ଏକ ସାଧାରଣ ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ କହି ୧୬ ତାରିଖ ଘଟଣା ସହ ଏହାର କିଛି ସଂପର୍କ ନଥିବା ଯୁକ୍ତି କରୁଛି । ବିଭିନ୍ନ ବିରୋଧୀ ଦଳ ପ୍ରତିନିଧିଙ୍କ ଜାହାଂଗିରପୁରୀ ଗସ୍ତକୁ ବିଜେପି ‘ରାଜନୈତିକ ପର୍ଯ୍ୟଟନ’ କହି ହାଲକାରେ ଉଡାଇ ଦେଉଥିଲେ ମଧ୍ୟ ବାସ୍ତବିକତା କାହାରିକୁ ଅଛପା ନାହିଁ । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ଜାହାଂଗିରପୁରୀ ଘଟଣାକୁ ନେଇ ସଂପ୍ରଦାୟିକ ଧ୍ରୁବୀକରଣ ଉଦ୍ୟମ କରୁଛି ବୋଲି ରାଜନୀତିକ ବିଶ୍ଲେଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS