ପିକେ ଫର୍ମୂଲ୍ଲା କଂଗ୍ରେସ ପାଇଁ ସଂଜୀବନୀ ହେବ !


ପ୍ରସାଦ ରାଓ
ନୂଆଦିଲ୍ଲୀ
ଏପ୍ରିଲ ୨୩
ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରାମର୍ଶକୁ ଆଧାର କରି ଦେଶର ଅନ୍ୟତମ ପ୍ରମୁଖ ଜାତୀୟ ରାଜନୈତିକ ଦଳ ‘ଭାରତୀୟ ଜାତୀୟ କଂଗ୍ରେସ’ ପୁନରୁଦ୍ଧାରର ସ୍ୱପ୍ନ ଦେଖୁଛି । ୨୦୧୪ ସାଧାରଣ ନିର୍ବାଚନ ପରରୁ ଦଳ କ୍ରମାଗତ ଭାବେ ପରାଜୟ ମୁହଁ ଦେଖୁଥିବା ବେଳେ ୨୦୨୪କୁ ନେଇ ଆଶାବାଦୀ ଥିବା ଜଣାପଡୁଛି । କେବଳ ବିଜେପି ନୁହେଁ, ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳମାନେ ମଧ୍ୟ ଆଜିର ଦିନର କଂଗ୍ରେସର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି । ତେବେ, ଦୀର୍ଘ ଆଠ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ବିଜେପିକୁ ହିଁ ତାହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାରକୁ ନେଇ ରଣନୀତି ପ୍ରସ୍ତୁତ କରୁଛି । ଦୁର୍ନୀତି, ହିନ୍ଦୁତ୍ୱବାଦ ଓ ଜାତୀୟତାବାଦକୁ ମୁଖ ପ୍ରସଙ୍ଗ କରି ବିଜେପି ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସକୁ ଧରାଶାୟୀ କରିବା ସହ କେନ୍ଦ୍ରରେ ରାଜୁତି କରୁଛି । ଅପରପକ୍ଷରେ, କଂଗ୍ରେସ ମାତ୍ର ଦୁଇଟି ରାଜ୍ୟ (ରାଜସ୍ଥାନ ଓ ଛତିଶଗଡ଼)ରେ ସୀମିତ ରହିଛି । ମହାରାଷ୍ଟ୍ରରେ ଶିବସେନା-ଏନସିପି ମେଂଟ ଓ ତାମିଲନାଡ଼ରୁ ଡ଼ିଏମକେ ସହ ମେଂଟ ଥିବାରୁ କଂଗ୍ରେସର ଯାହାକିଛି ଅସ୍ତିତ୍ୱ ରହିଛି । ଦେଶବ୍ୟାପୀ ଦଳର ସଂଗଠନ ଏବଂ ପକେଟ ଭୋଟ ଥିବା ସତ୍ତ୍ୱେ କଂଗ୍ରେସ ବିଜେପିର ପ୍ରଚଣ୍ଡ ଆକ୍ରମଣରେ ନିଜର ଅସ୍ତିତ୍ୱ ହରାଇ ଥିବାରୁ ସେଥିରୁ ମୁକୁଳିବା ପାଇଁ ଏବେ ସଂଜୀବନୀ ଖୋଜୁଛି ।
ଏଭଳି ପରିସ୍ଥିତିରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ କଂଗ୍ରେସ ପାଇଁ ସଂଜୀବନୀ ହେବାର ଆଶା ଦେଖାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳ ଯେପରି ଏକ ନୂଆ ରଣନୀତି ନେଇ ବିଜେପିର ସାମ୍ନା କରିବ ସେଦିଗରେ ପିକେ ଯେଉଁ ‘ରୋଡ୍ ମ୍ୟାପ୍’ ପ୍ରସ୍ତୁତ କରିଛନ୍ତି, କଂଗ୍ରେସର ବରିଷ୍ଠ ନେତାମାନେ ତାହାକୁ ଟିକିନିଖି କରି ତର୍ଜମା କରୁଛନ୍ତି । କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ସହ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନତା ସହ ଯୋଡି ହୋଇ ପୁନଃ ଆସ୍ଥାଭାନ ହେବା ଉପରେ ପିକେଙ୍କ ପ୍ରସ୍ତାବରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ତେବେ, ପ୍ରସ୍ତାବଗୁଡିକରେ କିଛି ନୂତନତ୍ୱ ନାହିଁ, ତଥାପି ଆଜିର ଡ଼ିଜିଟାଲ ଯୁଗରେ ରଣନୀତିକାରଙ୍କ ଆବଶ୍ୟକତା ରହୁଛି ବୋଲି ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି । ଦିଗବିଜୟଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାଙ୍କୁ ନେଇ ଗଠିତ ଏକ କମିଟି ପିକେଙ୍କ ୨୦୨୪ ‘ରୋଡ୍ ମ୍ୟାପ୍’ର ତର୍ଜମା କରି ଅନୁଧ୍ୟାନ ରିପୋର୍ଟ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଥିବା ବେଳେ ପିକେଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇ ସେ ଦେଇଥିବା ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରାଯିବ କି ପିକେଙ୍କ କେବେଳ ‘ପରାମର୍ଶଦାତା’ ଭୂମିକାରେ ସୀମିତ ରଖା ଯିବ, ତାହା କେବଳ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ ତି ଉପରେ ନିର୍ଭର କରୁଥିବା ସୂଚନା ମିଳିଛି ।
ଆଜି ମିଳି ଥିବା ସୂଚନା ଅନୁଯାୟୀ, ରାଜନୈତିକ ରାଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳରେ ସାମିଲ କରି ଜାତୀୟସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇପାରେ । ସୋନିଆ ସକାରାତ୍ମକ ଥିଲେ ମଧ୍ୟ ରାହୁଲଙ୍କ ସବୁଜ ସଂକେତର ଅପେକ୍ଷା ରହିଛି । ବରିଷ୍ଠ କଂଗ୍ରେସ ନେତାମାନେ କହୁଛନ୍ତି, ଦଳର ସଭାପତିଙ୍କ ନିଷ୍ପତ୍ତିରେ କାହାରି ଦ୍ୱିମତ ହେବାର ପ୍ରଶ୍ନ ନାହିଁ । ଦିଗବିଜୟ ସିଂହ ଗତକାଲି ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହି ସଂକେତ ଦେଇଛନ୍ତି । ପିକେଙ୍କ ପ୍ରସ୍ତାବଗୁଡିକରେ ନୂତନତା ନଥିଲେ ମଧ୍ୟ ଆଜିର ଦିନରେ ଦଳକୁ ପୁନଃରୁଥାନ କରିବା ପାଇଁ ନୂଆ ରଣନୀତିର ଆବଶ୍ୟକତା ରହିଛି ବୋଲି ସେ ସ୍ୱୀକାର କରିଛନ୍ତି । କଂଗ୍ରେସର ଅନ୍ୟ ନେତାମାନେ ମୁହଁ ଖୋଲି ନଥିଲେ ମଧ୍ୟ ସୋନିଆଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ହେବା ସଂକେତ ଦେଇ ମିଳିଲାଣି ।
ପିକେ ଚାହୁଁଥିଲେ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇ ଦଳର ପୁନଃରୁଦ୍ଧାର ଯୋଜନାକୁ ସ୍ୱୟଂ କାର୍ଯ୍ୟକାରୀ କରିବେ । ୨୦୨୧ରୁ ସେ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସଂପର୍କରେ ଅଛନ୍ତି । ୨୦୨୧ରେ ପିକେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁର ଡ଼ିଏମକେ ମୁଖ୍ୟ ଏମ.କେ.ଷ୍ଟାଲିନର ରାଜନୈତିକ ରଣନୀତିକାର ଥିଲେ । ସେହି ବର୍ଷ ପ୍ରାରମ୍ଭରେ ଦୁଇଟି ଯାକ ରାଜ୍ୟରେ ବିଧାନସଭା ନିର୍ବାଚନ ହେଲା ଏବଂ ପଶ୍ଚିମ ବଂଗରେ ବିଜୟ ନେଇ ବିଜେପି ବଡ଼ ଦାବିଦାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୦ରୁ ଅଧିକ ଆସନ ଜିତି ଲଗାତର ତୃତୀୟ ଥର ପାଇଁ ଟିଏମସି (ତୃଣମୂଳ କଂଗ୍ରେସ)କୁ କ୍ଷମତାକୁ ଆଣିବା ସହ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଲେ । ତାମିଲନାଡୁରେ ମଧ୍ୟ ଡ଼ିଏମକେ କ୍ଷମତାରେ ଥିବା ଏଆଇଏଡ଼ିଏମକେ ଓ ତାହାର ସହଯୋଗୀ ବିଜେପିକୁ ପରାଜିତ କଲା । ଡ଼ିଏମକେ ମୁଖ୍ୟ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ମମତା ଓ ଷ୍ଟାଲିନଙ୍କ ବିଜୟର ବାସ୍ତବତା ଯାହା ହୋଇଥାଉ ନା କାହିଁକି ଶ୍ରେୟ ଯାଇଛି ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ । ପୂର୍ବରୁ ସେ ୨୦୧୧ରେ ଗୁଜରାଓ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ନିଯୁକ୍ତ ଥିଲେ ଓ ୨୦୧୨ ନିର୍ବାଚନରେ ମୋଦୀ କ୍ରମାଗତ ଭାବେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାର ଶ୍ରେୟ ନେଇଥିଲେ । ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ପିକେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଜେଡ଼ିୟୁକୁ ବିଜୟୀ କରାଇବାର ଶ୍ରେୟ ନେଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ପିକେ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ୨୦୦୪ରୁ ୨୦୧୪ ୧୦ ବର୍ଷ ଧରି କେନ୍ଦ୍ରରେ ଶାସନରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲେ । କଂଗ୍ରେସ ସରକାରଙ୍କ ଦୁର୍ନୀତି ଓ କୁଶାସନକୁ ପ୍ରମୁଖ୍ୟ ପ୍ରସଙ୍ଗ କରି ରଣନୀତି ପ୍ରସ୍ତୁତି ହୋଇଥିଲା । ବିଜେପିର ବିପୁଳ ବିଜୟ ସହ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ । ୨୦୧୪ ବିଜୟର ଶ୍ରେୟ ପ୍ରଶାନ୍ତ କିଶୋରଙ୍କୁ ଯାଇଛି । ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରଣନୀତିକାର ଥାଇ ବିଜୟୀ କରାଇବା ପରେ ପିକେ ଜେଡ଼ିୟୁରେ ଯୋଗ ଦେଇ ରାଜନୀତିରେ ସାମିଲ ହୋଇଥିଲେ ମଧ୍ୟ ସଂପର୍କ ଅଧିକ ଦିନ ତିଷ୍ଠି ନଥିଲା । ନୀତୀଶଙ୍କ ସହ ମନାନ୍ତର ପିକେ ଜେଡ଼ିୟୁ ଛାଡି ପୂର୍ବ ପେଶାକୁ ଫେରି ଥିଲେ ।
ପିକେଙ୍କ ସଫଳତା ମଧ୍ୟରେ ରହିଛି ୨୦୧୭ରେ ହୋଇଥିବା ପଂଜାବ ବିଧାନସଭା ନିର୍ବାଚନ । ସେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ ଏବଂ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହୋଇଥିଲା । ତେବେ, ସେହି ବର୍ଷ ୟୁପିରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପିକେ କଂଗ୍ରେସ ପାଇଁ କାମ କରିଥିଲେ ମଧ୍ୟ ତାଙ୍କ ରଣନୀତି ବିଫଳ ହୋଇଥିଲା । ଅପରପକ୍ଷରେ, ୨୦୧୯ରେ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇ.ଏସ.ଜଗନମୋହନ ରେଡ୍ଡିଙ୍କ ୱାଇଏସଆରସିପି ଏବଂ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ପିକେଙ୍କୁ ନିର୍ବାଚନ ରଣନୀତିକାର ନିଯୁକ୍ତ କରି ସଫଳ ହୋଇଛନ୍ତି । ‘ଆପ୍’ ଦିଲ୍ଲୀରେ ୭୦ ବିଧାନସଭା ଆସନରୁ ୬୨ଟି ପାଇ ଇତିହାସ ରଚିଛି । ପିକେ ବର୍ତ୍ତମାନ ତେଳେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ପାଇଁ ରଣନୀତିକାର ନିଯୁକ୍ତ ଅଛନ୍ତି ।
୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମ ବଂଗ ଟିଏମସି ଓ ତାମିଲନାଡୁରେ ଡ଼ିଏମକେର ବିପୁଳ ବିଜୟ ପରେ ପ୍ରଶାନ୍ତ କିଶୋର ଷ୍ଟାର୍ ରଣନୀତିକାର ଭାବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଲଗାତର ତୃତୀୟ ବିଜୟ ପରେ ଜାତୀୟ ରାଜନୀତି ଆଡକୁ ମନ ବଳାଇ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ଅଣ-ବିଜେପି, ଅଣ-କଂଗ୍ରେସ ମେଂଟ ଗଠନ ଉଦ୍ୟମ ଆରମ୍ଭ କରିବା ସହ ପ୍ରଶାନ୍ତ କିଶୋରଙ୍କୁ ତାହାର ଦାୟିତ୍ୱ ଦେଇଥିବା ବେଳେ ପିକେ କିନ୍ତୁ କଂଗ୍ରେସ ମୁହାଁ ହୋଇଛନ୍ତି । କଂଗ୍ରେସ ନେତୃତ୍ୱ ବା ଗାନ୍ଧୀ ପରିବାର ସହ ୨୦୨୧ରୁ ତାଙ୍କ ଆଲୋଚନା ଚାଲିଛି । ତେବେ, ଗାନ୍ଧୀ ପରିବାର ବାହାରୁ ଜଣକୁ କଂଗ୍ରେସର ସଭାପତି କରାଯିବା ପ୍ରସ୍ତାବ କଂଗ୍ରେସ ନେତୃତ୍ୱ ଦ୍ୱାରା ଗ୍ରହଣୀୟ ନ ହେବାରୁ ଆଲୋଚନା ବିଫଳ ହେଲା । ପିକେ କ୍ଷୁବ୍ଧ ହୋଇ ଗାନ୍ଧୀ ପରିବାର, ବିଶେଷକରି ରାହୁଲ ଗାନ୍ଧୀଙ୍କ ସଂପର୍କରେ ଯେଭଳି କଟୁ ମନ୍ତବ୍ୟମାନ ଦେଲେ ତାହା କଂଗ୍ରେସ ଭୁଲି ନଥିବ । ତଥାପି, ୨୦୨୨ ୟୁପି ସମେତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଲଜ୍ୟାଜନକ ପରାଜୟ ପରେ କଂଗ୍ରେସ ପୁନର୍ବାର ପିକେଙ୍କ ଶରଣକୁ ଯାଇଛି । ବିଶେଷକରି, ପଂଜାବରେ ସରକାର ଥାଇ ଦଳର ବିଫଳତା କଂଗ୍ରେସକୁ ନୂଆ ରଣନୀତି ପାଇଁ ପ୍ରେରିତ କରିଛି ।
ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଅସନ୍ତୁଷ୍ଟଙ୍କ ଚାପ ବଢୁ ଥିବା ବେଳେ ବିଜେପି, ‘ଆପ୍’ ଭଳି ରାଜନୈତିକ ଦଳମାନେ ଦେଶରୁ କଂଗ୍ରେସକୁ ନିଶ୍ଚିହ୍ନ କରିବାକୁ ଉଦ୍ୟମ ଜାରି ରଖି ଥିବାରୁ ଏବଂ ଦଳ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷରେ ଗୁଜରାଟ ଓ ହିମାଂଚଳ ପ୍ରଦେଶ ଏବଂ ୨୦୨୩ରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନର ସାମ୍ନା କରିବାକୁ ଥିବାରୁ ଚାପଗ୍ରସ୍ତ ଗାନ୍ଧୀ ପରିବାର ପିକେଙ୍କ ପରାମର୍ଶକୁ ‘ମହୌଷଧୀ’ ବିଚାର କରୁଛନ୍ତି । କଂଗ୍ରେସ ନେତୃତ୍ୱର ବ୍ୟଗ୍ରତାକୁ ଦେଖି ପିକେ କଂଗ୍ରେସ ସଂଗଠନରେ ଆମୂଳଚୂଳ ପରିବର୍ତ୍ତନ ସହ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଗାନ୍ଧୀ ପରିବାରରୁ ଜଣେ କଂଗ୍ରେସର ମୁଖ୍ୟ ରହୁ, ତେବେ ପରିବାର ବାହାରୁ ଜଣକୁ ଉପ ସଭାପତି ନିଯୁକ୍ତି ଦିଆଯାଇ ଦେଶବ୍ୟାପୀ ବୁଲି ସଂଗଠନ ସୁଦୃଢ କରିବା ଓ ନିର୍ବାଚନ ପ୍ରସ୍ତୁତି ଦାୟିତ୍ୱ ଦିଆଯାଉ ବୋଲି ପିକେଙ୍କ ପ୍ରସ୍ତାବ ରହିଛି । ଏଆଇସିସି ସାଧାରଣ ସଂପାଦକମାନଙ୍କୁ ସଂଗଠନ ଓ ଜନସଂପର୍କ ଦାୟିତ୍ୱ ଦିଆଯିବା ସହ ଜଣେ ସାଧାରଣ ସଂପାଦକଙ୍କୁ ଇଲୋକ୍ସନ ଟାସ୍କଫୋର୍ସ ମୁଖ୍ୟ ଭାବେ ନିଯୁକ୍ତି ଦିଆଯିବାକୁ ମଧ୍ୟ କୁହାଯାଇଛି । ‘ନଟରାଜ ମଡେଲ’ରେ ଦଳର ପୁନର୍ଗଠନ ପାଇଁ ପିକେ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।
୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱ ୧୭ଟି ରାଜ୍ୟର ୩୫୮ ଲୋକସଭା ଆସନରେ ଏକାକୀ ଲଢିବାକୁ ପ୍ରସ୍ତୁତ ହେବାକୁ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଶ୍ଚିମ ବଂଗ (ଟିଏମସି), ତାମିଲନାଡୁ (ଡ଼ିଏମକେ), ଆନ୍ଧ୍ର ପ୍ରଦେଶରେ ୱାଇଏସଆରସିପି ବ୍ୟତୀତ ପାଂଚଟି ରାଜ୍ୟର ୧୬୮ଟି ଲୋକସଭା ଆସନରେ ଅନ୍ୟ ଦଳଙ୍କ ସହ ଗଠନମୂଳକ ଭାଗିଦାରୀ କରାଯିବାକୁ ଏବଂ ଉତ୍ତର ପୂର୍ବାଚଳ ରାଜ୍ୟ ଓ ଜମ୍ମୁ-କଶ୍ମରୀର ମଧ୍ୟ ସମଭାବାପନ୍ନ ଦଳଙ୍କ ସହ ବୁଝାମଣା କରାଯିବାକୁ ପିକେ ପରମର୍ଶ ଦେଇଥିବା କୁହାଯାଉଛି । କଂଗ୍ରେସ ୩୦ କୋଟି ଭୋଟରଙ୍କୁ ଟାର୍ଗେଟ୍ କରୁ । ବିଶେଷକରି, ସଂଖ୍ୟାଲଘୁ ଜାତି, ଜନଜାତି, ଭୂମିହୀନ, ସହରାଂଚଳ ଗରୀବ, ମଧ୍ୟବିତ୍ତ ଶ୍ରେଣୀ, ମହିଳା, ଚାଷୀ ଓ ଯୁବ ଭୋଟରଙ୍କୁ ବାର୍ତ୍ତା ପ୍ରେରଣ ଓ ବିଭିନ୍ନ ପ୍ରତିଶ୍ରୁତି ମାଧ୍ୟମରେ ନିଜ ପକ୍ଷରେ ପ୍ରଭାବିତ କରିବାକୁ ଉଦ୍ୟମ କରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ବିଫଳତାକୁ ଦେଶବାସୀଙ୍କ ନିକଟରେ ପହଂଚାଇବା ସହ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏକି ଏହାର ସମାଧାନ କରିପାରିବ ବୋଲି ଧାରଣା ସୃଷ୍ଟି କରାଯାଉ । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ବୋର୍ଡ ମୁଖ୍ୟ ନିଯୁକ୍ତ କରାଯାଇ ଏକ ଛାୟା କ୍ୟାବିନେଟ୍ ଗଠନ ମାଧ୍ୟମରେ ମୋଦୀ ସରକାରଙ୍କୁ ଉତ୍ତରଦାୟୀ କରିଯାଉ ବୋଲି କଂଗ୍ରେସ ନେତୃତ୍ୱକୁ ପିକେ ପ୍ରସ୍ତାବ ଦେଇଥିବା ଚର୍ଚ୍ଚାକୁ ଆସିଛି ।
ବୁଥସ୍ତରରେ ‘ହ୍ୱାଟସ୍ ଆପ୍’ ଗୃପ୍ ଏବଂ କମ୍ୟୁନିକେଶନ ଟିମ୍ ଗଠନ କରାଯାଇ ଜନସଂପର୍କକୁ ସୁଦୃଢ କରାଯିବା, ନିର୍ବାଚନ ମଣ୍ଡଳୀସ୍ତରରେ ଦଳର ଶକ୍ତି ଓ ଦୁର୍ବଳତାର ପରଖା ଯାଇ ଦୁର୍ବଳତା ଦୂର ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବା, ସମ୍ଭାବ୍ୟ ପ୍ରାର୍ଥୀ ଓ ପ୍ରସଙ୍ଗକୁ ଏବେଠାରୁ ଗୁରୁତ୍ୱ ଦିଆଯାଇ ଦଳର ନ୍ୟାରେଟଭ୍ ସାଂପ୍ରଦାୟିକ ଧ୍ରୁବୀକରଣକୁ ଦୂରେଇ ଦରଦାମ ବୃଦ୍ଧି ଭଳି ଦୈନନ୍ଦିନ ପେଟପାଟଣା ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯିବା ଉପରେ ପିକେ ଗୁରୁତ୍ୱ ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ପ୍ରସ୍ତାବଗୁଡିକର ତର୍ଜମା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । କଂଗ୍ରେସ ନେତୃବର୍ଗ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରସ୍ତାବଗୁଡିକର ତର୍ଜମା କରିବା ପରେ ହାଇକମାଣ୍ଡଙ୍କ ନିକଟରେ ରିପୋର୍ଟ ଦାଖଲ କଲେଣି । ତେବେ, ସୋନିଆଙ୍କ ପରବର୍ତ୍ତୀ ନିର୍ଦେଶ ଓ ନିଷ୍ପତ୍ତି ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ପିକେ ଦେଇଥିବା ପ୍ରସ୍ତାବ ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଉପଯୋଗୀ । ତେବେ, ତାହା କାର୍ଯ୍ୟକାରୀ ହେବା ଉପରେ ହିଁ ଦଳର ଭବିଷ୍ୟତ ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS