ଆଇପିଏସି ସହ ଚୁକ୍ତିବଦ୍ଧ ହେଲେ କେସିଆର !


ପ୍ରସାଦ ରାଓ
ନୂଆଦିଲ୍ଲୀ
ଏପ୍ରିଲ ୨୪
ଟିଆଏସ୍ ମୁଖ୍ୟ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଆଜି ଆଇପିଏସି (ଇଣ୍ଡିଆନ୍ ପଲିଟିକାଲ ଆକ୍ସନ କମିଟି)କୁ ଦଳର ରାଜନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିବା ସୂଚନା ମିଳିଛି । ଏକଦା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏହାର ମୁଖ୍ୟ ଥିଲେ । ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେବାକୁ ଉଦ୍ୟମ ଜାରି ରଖି ଥିବାରୁ ଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ପୁନରୁଥାନ କରି ବିଜେପିର ବିକଳ୍ପ ଭାବେ ପ୍ରସ୍ତୁତ କରିବାକୁ ସେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିବାରୁ ତେଲେଂଗାନରେ କେସିଆରଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସମ୍ଭବ ନଥିଲା । କାରଣ, ତେଲେଂଗାନାରେ କଂଗ୍ରେସ କେସିଆରଙ୍କ ଟିଆରଏସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛି । ରାଜ୍ୟ କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ତାଙ୍କ ପୁତ୍ର କେ.ଟି.ରାମାରାଓଙ୍କ ଜଣେ କଟୁ ସମାଲୋଚକ । ୨୦୨୩ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀ ଆୟୋଜନ କରୁଥିବା ସାଧାରଣ ସଭାମାନଙ୍କରେ ଭଲ ଜନସମାଗମ ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ’ ୬ ତାରିଖ ଦିନ ତେଲେଂଗାନା ଗସ୍ତରେ ଯାଇ ଏକ ବଡ ଧରଣର ସାଧାରଣ ସଭାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଭଳି ସ୍ଥିତିରେ ପ୍ରଶାନ୍ତ କିଶୋର ଉଭୟ କଂଗ୍ରେସ ଓ ଟିଆରଏସର ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସମ୍ଭବ ନଥିବାରୁ ଟିଆରଏସ ମୁଖ୍ୟ କେସିଆର ଆଜି ପି.କେ.ଙ୍କ ଦ୍ୱାରା ଗଠିତ ଆଇପିଏସିକୁ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି । ଆଜି ଆଇପିଏସି ସହ ଏନେଇ ଚୁକ୍ତି ସ୍ୱାକ୍ଷର ହୋଇଥିବା ଖବର ମିଳିଛି ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁନଃ ସଂଗଠିତ କରି ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବ ଠିଆ କରାଇବାକୁ ପ୍ରଶାନ୍ତ କିଶୋର କଂଗ୍ରେସ ନେତୃତ୍ୱ ନିକଟରେ ଗତ ୧୬ ତାରିଖ ଦିନ ଯେଉ ରୋଡ଼ ମ୍ୟାପ୍ ଉପସ୍ଥାପନ କରିଛନ୍ତି ତାହା ଉପରେ ଆସନ୍ତା କାଲି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବା ବେଳେ ପ୍ରଶାନ୍ତ କିଶୋର ଗତ ଶନିବାର ସକାଳୁ ହାଇଦ୍ରାବାଦ ଯାଇ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନରେ ଡ଼େରା ପକାଇ ଥିଲେ । ହାଇଦ୍ରାବାଦସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ପ୍ରଗତି ଭବନ’ରେ କେସିଆର ଓ ପିକେଙ୍କ ମଧ୍ୟରେ ଦୁଇ ଦିନ ଧରି ଆଲୋଚନା ଚାଲି ଥିଲା । ଏହି ଆଲୋଚନା ପରେ କେସିଆର ପ୍ରଶାନ୍ତ କିଶୋରଙ୍କ ବଦଳରେ ଆଇପିଏସିକୁ ଦଳର ରାଜନୈତିକ ପରାମର୍ଶଦାତା ନିଯୁକ୍ତି ଦେଇଥିବା ଓ ଆଜି ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡିଛି । ପ୍ରଶାନ୍ତ କିଶୋର ଶନିବାର ସକାଳୁ ହାଇଦ୍ରାବାଦରେ ପହଂଚି ମୁଖ୍ୟମନ୍ତ୍ରୀ ରାଓ (କେସିଆର)ଙ୍କ ସରକାରୀ ବାସଭବନରେ ଅବସ୍ଥାନ କରିଥିଲେ । ସେଠାରେ ସେ ରାତ୍ରୀଯାପନ ମଧ୍ୟ କରିଥିଲେ । ପିକେଙ୍କ ଏହି ହାଇଦ୍ରାବାଦ ଗସ୍ତ ଅବସରରେ ରାଜନୈତିକ ପରାମର୍ଶଦାତା ନିଯୁକ୍ତିକୁ ନେଇ ଏକ ଚୁକ୍ତି ସ୍ୱାକ୍ଷର ହେବା ନିଶ୍ଚିତ ଥିଲା । ପ୍ରଶାନ୍ତ କିଶୋର ଟିଆରଏସ୍ (ତେଲେଂଗାନା ରାଷ୍ଟ୍ରୀୟ ସମିତି)ର ନିର୍ବାଚନ ରଣନୀତିକାର ଥିବାରୁ ମୁଖ୍ୟମନ୍ତ୍ରୀ ରାଓଙ୍କ ସହ ତାଙ୍କର ସାକ୍ଷାତ, ଆଲୋଚନା କିଛି ଅସ୍ୱାଭାବିକ ନଥିଲା । ତେବେ, ତେଲେଂଗାନାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିବାରୁ ଏବଂ ପିକେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତ କରୁ ଥିବାରୁ ଟିଆରଏସର ନିଷ୍ପତ୍ତି କଣ ହେବ, ତାହା ଉପରେ ସମସ୍ତଙ୍କ ଆଖି ରହି ଥିଲା ।
ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ ଟିଆରଏସ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଆଲୋଚନା ହୋଇଛି । ହାଇଦ୍ରାବାଦରୁ ପ୍ରାୟ ୬୨ କିମି ଦୂର ଏରାଭେଲ୍ଲୀସ୍ଥିତ କେସିଆରଙ୍କ ଫାର୍ମ ହାଉସରେ ସେସବୁ ଆଲୋଚନା ହୋଇଥିଲା । ପ୍ରଶାନ୍ତ କିଶୋର ତେଲେଂଗାନାର କିଛି ଗ୍ରାମାଂଚଳ ଗସ୍ତ କରି କେସିଆର ସରକାରଙ୍କୁ ନେଇ ଗ୍ରାମାଂଚଳ ଜନସାଧାରଣଙ୍କ ମତାମତ ସଂଗ୍ରହ କରିଥିଲେ । ମୁଖ୍ୟମନ୍ତ୍ରୀ ରାଓ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ପିକେ କେବେଳ ୨୦୨୩ ତେଲେଂଗାନା ବିଧାନସଭା ନିର୍ବାଚନ ପାଇଁ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଟିଆରଏସର ପରାମର୍ଶଦାତା ରହିବେ ବୋଲି ଘୋଷଣା କରିଥିଲେ । ତେବେ, ପିକେ ଜାତୀୟସ୍ତରରେ କଂଗ୍ରେସରେ ଯୋଗ ଦେବା ସହ ଦଳ ପାଇଁ ୨୦୨୪ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ତେଲେଂଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍) ପାଇଁ ସମସ୍ୟା ଥିଲା । ଏକାସମୟରେ ସେ କଂଗ୍ରେସ ଓ ଟିଆରଏସ୍ ପାଇଁ ରଣନୀତିକାର ହେବା ଉଭୟ କଂଗ୍ରେସ ଓ ଟିଆରଏସ ପାଇଁ ଅଡୁଆ ହୋଇଥିଲା । ଏପ୍ରିଲ ୧୬ ତାରିଖ ଦିନ ପିକେ ୨୦୨୪ର ଯେଉଁ ରୋଡ଼ ମ୍ୟାପ୍ କଂଗ୍ରେସ ନେତୃତ୍ୱ ନିକଟରେ ଉପସ୍ଥାପନା କରିଛନ୍ତି ସେଥିରେ କଂଗ୍ରେସ ଓ ଟିଆରଏସ ମଧ୍ୟରେ ମେଂଟ ସମ୍ଭାବନାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ କଂଗ୍ରେସ ବା ଟିଆରଏସ ନେତୃତ୍ୱ ପାଇଁ ତାହା ଗ୍ରହଣୀୟ ହୋଇନଥିବା ଜଣାପଡିଛି ।
କେସିଆର ଗୋଟିଏ ପଟେ ରାଜ୍ୟରେ ଟିଆରଏସକୁ ସୁଦୃଢ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଜାତୀୟ ରାଜନୀତିକୁ ଯିବାକୁ ମନ ବଳାଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଗଲା କିଛି ମାସ ହେଲା ସେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ବିଜେପିକୁ ଚେତାବନୀ ଦେଇ ‘ସମୁଦ୍ରରେ ଫିଙ୍ଗି ଦିଆଯିବ’ ବୋଲି କେସିଆରଙ୍କ ମନ୍ତବ୍ୟ ଜାତୀୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଥିଲା । ଦେଶରେ ବିଜେପି ବିରୋଧରେ ଏକ ମିଳିତ ବିରୋଧୀ ମେଂଟ ଗଠନ କରିବା ଦିଗରେ ସେ ବିଭିନ୍ନ ରାଜ୍ୟର ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ରିତିମତ ସଂପର୍କରେ ଅଛନ୍ତି । ଡ଼ିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରମୁଖଙ୍କୁ ସେ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିଛନ୍ତି । ବିଜେପି ବିରୋଧୀ ଜାତୀୟ ରାଜନୈତିକ ମେଂଟରେ କଂଗ୍ରେସକୁ ସାମିଲ କରିବାରେ କିଛି ସମସ୍ୟା ନଥିଲେ ମଧ୍ୟ ତେଲେଂଗାନାରେ କଂଗ୍ରେସ ସହ ଟିଆରଏସର ବୁଝାମଣା କଥା ଚିନ୍ତା ମଧ୍ୟ କରାଯାଇ ନପାରେ । ଏଭଳି ସ୍ଥିତିରେ ପିକେଙ୍କୁ ନେଇ କେସିଆରଙ୍କ ଆଭିମୁଖ୍ୟ କଣ ରହିବ, ତାହା ଉପରେ କଂଗ୍ରେସର ସତର୍କ ଦୃଷ୍ଟି ଥିଲା । ଆଜି ତାହା ସ୍ପଷ୍ଟ ହୋଇଛି ।
ଇତିମଧ୍ୟରେ, କଂଗ୍ରେସର ପୁନରୁଦ୍ଧାର ପାଇଁ ପିକେ ଦାଖଲ କରିଥିବା ‘ରୋଡ଼ ମ୍ୟାପ୍’କୁ ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମ, ମୁକୁଲ ୱାସନିକ, ଅମ୍ବିକା ସୋନୀ, କେ.ସି.ବେଣୁଗୋପାଳ, ଜୟରାମ ରମେଶ, ଦିଗବିଜୟ ସିଂହ ଓ ରଣଦୀପ ସିଂହ ସୂର୍ଯେ୍ୟୱାଲଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଅନୁଧ୍ୟାନ କରିବା ପରେ ଏଆଇସିସି ମୁଖ୍ୟଙ୍କ ନିକଟରେ ସେମାନଙ୍କ ରିପୋର୍ଟ ଦାଖଲ କରିସାରିଛନ୍ତି । ଆସନ୍ତା କାଲି ତାହା ଉପରେ ପିକେଙ୍କ ସହ କଂଗ୍ରେସ ନେତୃବର୍ଗଙ୍କ ମୁହାଁମୁହିଁ ଆଲୋଚନା ହେବାକୁ ଅଛି । ଏହି ଆଲୋଚନା ପରେ ଜଣାପଡି. କଂଗ୍ରେସର ପୁନରୁଦ୍ଧାର ଯୋଜନାରେ ପିକେଙ୍କ ଭୂମିକା କଣ ରହିବ । ତାଙ୍କୁ ଦଳରେ ନିଆଯିବ ନା ରାଜନୈତିକ ପରାମର୍ଶଦାତା ନିଯୁକ୍ତିରେ ସୀମିତ ରଖାଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS