କୁଳପତି ନିଯୁକ୍ତି ରାଜ୍ୟ ସରକାର କରିବେ, ବିଲ୍ ଆଣିଲା ତାମିଲନାଡୁ
ପ୍ରସାଦ ରାଓ
ଏପ୍ରିଲ ୨୫
ତାମିଲନାଡୁ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଆଜି ଏକ ବିଲ୍ ଆଣିଛନ୍ତି । ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କ୍ଷମତା ରାଜ୍ୟ ସରକାରଙ୍କ ହାତକୁ ଚାଲି ଯିବ । ବିଧି ମୁତାବକ ରାଜ୍ୟର ରାଜ୍ୟପାଳମାନେ ବିଶ୍ୱବିଦ୍ୟାଳୟର କୁଳାଧିପତି ରୁହନ୍ତି ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ବିଚାରକୁ ନେଇ ଯୋଗ୍ୟତମ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟଳୟ କୁଳପତି ଭାବେ ନିଯୁକ୍ତି ଦେଇଥା’ନ୍ତି । ଆଜି ତାମିଲନାଡୁ ସରକାର ଆଣି ଥିବା ବିଲ୍ ରାଜ୍ୟପାଳଙ୍କ କ୍ଷମତା ଛଡାଇ ନେବା ଭଳି ହୋଇଛି । ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବି ଉଟିଠାରେ ଆୟୋଜିତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଏକ ଦୁଇ ଦିନିଆ ସମ୍ମିଳନୀରେ ବ୍ୟସ୍ତ ଥିବା ବେଳେ ରାଜ୍ୟ ସରକାର ଏହି ବିଶ୍ୱିବଦ୍ୟାଳୟ ଆଇନ ସଂଶୋଧନ ବିଲ୍ ଆଣିଛନ୍ତି, ଯାହାକୁ ଏଆଇଏଡ଼ିଏମକେ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ତେବେ, ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ବିଶ୍ୱବିଦ୍ୟାଳୟରେ ସଂଶୋଧନ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି ।
ସେ କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡିକରେ କୁଳପତି ନିଯୁକ୍ତି କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନଥିବାରୁ ଉଚ୍ଚଶିକ୍ଷା ବିଶେଷ ପ୍ରଭାବିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରେ ମଧ୍ୟ ରାଜ୍ୟ ସରକାରଙ୍କ ସର୍ଚ୍ଚ କମିଟି ସୁପାରିଶକୁ ଭିତ୍ତି କରି ତିନ ଜଣଙ୍କ ମଧ୍ୟରୁ ଜଣକୁ ସରକାର କୁଳପତି ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୁପାରିଶ ଭିତ୍ତିରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ନିଯୁକ୍ତି ଦିଆଯିବା ପ୍ରଥା ରହି ଆସି ଥିଲେ ମଧ୍ୟ କିଛି ବର୍ଷ ହେଲା ରାଜ୍ୟପାଳମାନେ ଏହାକୁ ନିଜର ଏକଚାଟିଆ ଅଧିକାର ଭାବେ ସାବ୍ୟସ୍ତ କରୁଛନ୍ତି, ଯାହାକି ନିର୍ବାଚିତ ସରକାରଙ୍କ ପ୍ରତି ଅସମ୍ମାନ ଏବଂ ଗଣଶାସନର ପରିପନ୍ଥୀ । ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କ୍ଷେତ୍ରରେ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ଷ୍ଟାଲିନ ଅଭିଯୋଗ କରିଛନ୍ତି ।
କେନ୍ଦ୍ର-ରାଜ୍ୟ ସଂପର୍କକୁ ନେଇ ପୂର୍ବତନ ମୁଖ୍ୟ ବିଚାରପତି ମଦନ ମୋହନ ପୁଂଚିଙ୍କ ନେତୃତ୍ୱରେ ଗଠିତ କମିଶନ ୨୦୧୦ରେ ଉପସ୍ଥାପନ କରିଥିବା ରପୋର୍ଟ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ରାଜ୍ୟପାଳମାନଙ୍କୁ ବିଶ୍ୱବିଦ୍ୟାଳୟ କୁଳାଧିପତି ପଦରୁ ହଟାଇ ଦିଆଯିବା ଆବଶ୍ୟକ ବୋଲି କମିଶନଙ୍କ ରିପୋର୍ଟରେ ସୁପରାଶି ରହିଛି । ସେ ଯେଉଁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ତାହା ତେଲେଂଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ପ୍ରଚଳିତ ଅଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଗତବର୍ଷ ଡ଼ିସେମ୍ବରରେ ଏଦିଗରେ ପଦକ୍ଷେପ ନେଇଛନ୍ତି । ଅପରପକ୍ଷରେ, ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସର୍ଚ୍ଚ କମିଟି କରିଥିବା ସୁପାରିଶ ଗଲା କିଛି ବର୍ଷ ମଧ୍ୟରେ ବହୁ ଥର ରାଜ୍ୟପାଳଙ୍କ ଦ୍ୱାରା ନାକଚ ହୋଇଥିବା ଦୃଷ୍ଟାନ୍ତ ରହିଛି । ତେଣୁ, ଡ଼ିଏମକେ ସରକାର ଏଭଳି ଏକ ବିଲ୍ ଆଣି ଥିବା ଚର୍ଚ୍ଚା ହେଉଛି ।
ଗୋଟିଏ ପଟେ ବିଶ୍ୱବିଦ୍ୟଳୟ କୁଳପତି ନିଯୁକ୍ତିରେ ରାଜନୈତିକ ବିଚାରଧାରାକୁ ପ୍ରାଧାନ୍ୟ ଦିଆଯାଉଥିବା ଓ ପ୍ରିୟାପ୍ରୀତି ହେଉଥିବା ଅଭିଯୋଗ କରାଯାଉଥିବା ବେଳେ ଅନ୍ୟପଟେ ତାମିଲନାଡୁ ସରକାର ଆଣି ଥିବା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ୍ ଉଚ୍ଚଶିକ୍ଷାର ମାନକୁ ଗମ୍ଭୀର ଭାବେ ପ୍ରଭାବିତ କରିବ ବୋଲି ଶିକ୍ଷାବିତ ମହଲରେ ଆଲୋଚନା ହେଲାଣି । ଡିଏମକେ ସରକାର ରାଜ୍ୟକୁ ଅଧିକ ସ୍ୱୟଂଶାସନ କ୍ଷମତା ଦିଆଯିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ଏହି ବିଲ୍ ତାହାର ଏକ ଅଂଶ ବୋଲି ଆଲୋଚନା ହେଉଛି । ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ୍ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଯିବ ଏବଂ ରାଷ୍ଟ୍ରପତି ତାହାକୁ ଅନୁମୋଦନ ଦେଲେ ଆଇନରେ ପରିଣତ ହେବ । ତେବେ, ରାଜ୍ୟ ସରକାର ଇତିମଧ୍ୟରେ ବିଧାନସଭାରେ ଗୃହୀତ କରାଇଥିବା ଅନ୍ୟୁନ ୧୦ଟି ବିଲ୍ ରାଜ୍ୟପାଳଙ୍କ ଦପ୍ତର ଡେଉଁ ନଥବାରୁ ଏହି ବିଲ୍ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ପହଂଚିବା ସମ୍ଭାବନା କ୍ଷୀଣ । ରାଜ୍ୟପାଳଙ୍କ ହାବଭାବ ନିର୍ବାଚିତ ସରକାରଙ୍କ ପ୍ରତି ଅସମ୍ମାନ ଦର୍ଶାଇ ନିକଟରେ ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ଚା’ ଭୋଜିକୁ ରାଜ୍ୟ ସରକାର ବର୍ଜନ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS