ପୁରୀରେ ଅପରାଜିତାଙ୍କ ପଦଯାତ୍ରା, ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ତେଜିଲା
ପ୍ରସାଦ ରାଓ
ଭୁବନେଶ୍ୱର
ଏପ୍ରିଲ ୨୭
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ ମିଟର ପରିଧି ଭିତରେ ୮୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’କୁ ନେଇ ରାଜନୀତି ତେଜିବାରେ ଲାଗିଛି । ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ଯେକୌଣସି ଖନନ ଓ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସଆଇର ପୂର୍ବାନୁମୋଦନ ନେବା ଆବଶ୍ୟକ ଥିବା ବେଳେ ଓଡ଼ିଶା ସରକାର ଅନୁମତି ନଥାଇ ଖନନ ଓ ନିର୍ମାଣ କାର୍ଯ୍ୟ ଚଳାଇ ଥିବାରୁ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ହୋଇଛି ଦର୍ଶାଇ ବିରୋଧୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛନ୍ତି । ସରକାରଙ୍କ ପକ୍ଷରୁ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟ ତୁରନ୍ତ ରୋକା ଯିବାକୁ ବିରୋଧୀଙ୍କ ଆଡୁ ଦାବି ହେଉଥିବା ବେଳେ ବିକାଶ କାର୍ଯ୍ୟକୁ ବିରୋଧୀ ସହ୍ୟ କରିପାରୁ ନଥିବାରୁ ବିରୋଧ କରୁଛନ୍ତି ବୋଲି ରାଜ୍ୟ ସରକାର ପାଲଟା ଅଭିଯୋଗ କରିବା ସହ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି । ଏହି ରାଜନୈତିକ ବିବାଦକୁ ନେଇ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦୀୟ ରହିଥିବା ବେଳେ ମନ୍ଦିର ଚାରି ପାଖ ୧୦୦ ମିଟର ପରିଧିରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ରୋକ୍ ଲଗା ଯିବାକୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଛି, ଯାହାକି ଅଦାଲତଙ୍କ ବିଚାରାଧୀନ ରହିଛି ।
ଅପରପକ୍ଷରେ, ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସୋମବାର ଦିନ ଏକ ବିବୃତି ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲି ଥିବା ନିର୍ମାଣ କାର୍ଯ୍ୟ ଦ୍ୱାରା ପୁରୀ ଶ୍ରୀମନ୍ଦିର ପ୍ରତି କୌଣସି ପ୍ରକାର ବିପଦ ସୃଷ୍ଟି ହୋଇ ନାହିଁ ବୋଲି ମନ୍ତବ୍ୟ ରଖିବା କେତେକେ ମହଲରେ ସମାଲୋଚନାର ବିଷୟ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ସମର୍ଥନ କରିବାକୁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ମିଳିତ ଉଦ୍ୟମ କରିବାକୁ ଗଜପତି ମହାରାଜା ଆହ୍ୱାନ ଦେଇଛନ୍ତି । ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପୁରୀ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପୀଠ ହୋଇ ପାରିବ ଏବଂ ପୁରୀ ଆସୁଥିବା ଭକ୍ତମାନେ ମଧ୍ୟ ମୌଳିକ ସୁବିଧା, ସୁଯୋଗ ପାଇ ପାରିବେ । ତେଣୁ, କେହି ଏହାକୁ ବିରୋଧ ନ କରି ସହଯୋଗ କରିବାକୁ ଗଜପତି ମହାରାଜା ନିବେଦନ କରିଥିବା ବେଳେ ମୂଳରୁ ପ୍ରକଳ୍ପକୁ ବିରୋଧ କରୁଥିବା ଭୁବନେଶ୍ୱର ସାଂସଦ ତଥା ବିଜେପିର ଜାତୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆଜି ପୁରୀରେ ପଦଯାତ୍ରା କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧୀ କରୁ ନାହାନ୍ତି । ‘ଆମସାର୍’ ଆଇନ ଅନୁସାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖ ୧୦୦ ମିଟର ପରିଧିରେ ଯେକୌଣସି ଖନନ ଓ ନିର୍ମାଣ କାର୍ଯ୍ୟ କଲେ ଏଏସଆଇର ପୂର୍ବାନୁମତି ଥିବା ଆବଶ୍ୟକ । ତେବେ, ଏଏସଆଇର ଅନୁମତି ନଥାଇ ପ୍ରକଳ୍ପ କାର୍ଯ୍ୟ ଚାଲି ଥିବାରୁ ଏବଂ ଶ୍ରୀମନ୍ଦିର ଚାରି ପାଖରେ ୩୦ ଫୁଟ ଗଭୀରର ଖାତ ଖୋଳା ଯାଇ ନିର୍ମାଣ ହେଉଥିବାରୁ ତାହାର ବିରୋଧ କରାଯାଉଛି । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିରର ସ୍ଥିତାବସ୍ଥା ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । ସେ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି । ନିର୍ମାଣ କାର୍ଯ୍ୟ ତୁରନ୍ତ ରୋକାଯିବାକୁ ମଧ୍ୟ ଦାବି କରିଛନ୍ତି । ଓଡିଶା ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ବିଚାର ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି । ନିର୍ମାଣ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଯେତିକି ପାରଦର୍ଶୀ ହେବା କଥା ନହୋଇ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବା ଦୁର୍ଭାଗ୍ୟଜନକ । ପୁରୀ ସାଂସଦ ପିନାକୀ ମିଶ୍ର ନିଜେ ଯେତେବେଳେ ପ୍ରକଳ୍ପ ବିଷୟରେ ଠିକ୍ ଭାବେ କିଛି ଜାଣି ନାହାନ୍ତି ଓ ସଂସଦରେ ଭୁଲ ତଥ୍ୟ ରଖୁଛନ୍ତି ସାଧାରଣ ଜନତା କେମିତି କଣ ଜାଣିବେ (?) ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ଆଜି ଏହି ପ୍ରକଳ୍ପ ବିରୋଧରେ ‘ଶ୍ରୀମନ୍ଦିର ବଂଚାଅ ଅଭିଯାନ’ ପକ୍ଷରୁ ପୁରୀରେ ପଦଯାତ୍ରା କାର୍ଯ୍ୟକ୍ରମ ରଖା ଯାଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଆବେଦନ ହୋଇଥିଲା । ଅଚାନକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଦାବିରେ ଆଉ ଏକ ସଂଗଠନ ଓ କିଛି ସେବାୟତ ଦାବି ଉଠାଇ ଧାରଣା କାର୍ଯ୍ୟକ୍ରମ ରଖିବାରୁ ଓ ଜିଲ୍ଲା ପ୍ରଶାସନର ଅନୁମତି ମାଗିବାରୁ ଗୋଷ୍ଠୀ ସଂଘର୍ଷ ଆଶଙ୍କା କରି ପ୍ରଶାସନ କାହାରିକୁ ଅନୁମତି ଦେଇ ନାହାନ୍ତି । ‘ଶ୍ରୀମନ୍ଦିର ବଂଚାଅ ଅଭିଯାନ’ ଜିଲ୍ଲା ପ୍ରଶାସନର ଅନୁମତି ନ ପାଇ ପଦଯାତ୍ରା କାର୍ଯ୍ୟକ୍ରମ ବାତିଲ କରିଥିଲେ ମଧ୍ୟ ଏଥିରେ ଯୋଗଦେବାକୁ ପୂର୍ବରୁ ଘୋଷଣା କରିଥିବା ସାଂସଦ ଅପରାଜିତା ପୁରୀ ଆସିଥିଲେ । ଚନ୍ଦନପୁର ପଟାପୋଲ ନିକଟରେ ପ୍ରଶାସନ ତାଙ୍କୁ ରୋକି ଥିଲେ ମଧ୍ୟ ସେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ କାହାରି ଅନୁମତି ନେବାର ଆବଶ୍ୟକତା ନାହିଁ କହି ପଟାପୋଲରୁ ପାଦରେ ଚାଲି ଚାଲି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ତାଙ୍କ ଉପରେ ଟମାଟୋ ଫିଙ୍ଗା ଯାଇଛି । ଟମାଟୋ ଫିଙ୍ଗି ଥିବା ଯୁବକ କଂଗ୍ରେସ ସମର୍ଥକ ବୋଲି ଜଣାପଡିଛି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାରି ଅନୁମତିର ଆବଶ୍ୟକତା ନାହିଁ । ସରକାର ଯଦି କିଛି ଭୁଲ କରି ନାହାନ୍ତି ଡରୁଛନ୍ତି କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିବା ସହ ଏହା ଦଳୀୟ କାର୍ଯ୍ୟକ୍ରମ ନଥିବାରୁ ଦଳୀୟ କର୍ମୀ ଏକାଠି ହୋଇ ନାହାନ୍ତି, ଦଳମତ ନିର୍ବିଶେଷରେ ସବୁ ଦଳର କର୍ମୀ ତାଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ । ଅତୀତରେ ସେ ପ୍ରଶାସିକା ଥିଲେ, ପ୍ରଶାସନ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, ତେଣୁ ପୁରୀ ପ୍ରଶାସନ ଆତଙ୍କିତ ନହୋଇ ତାଙ୍କୁ ଠାକୁର ଦର୍ଶନ ସୁଯୋଗ ଦିଅନ୍ତୁ ବୋଲି ସେ କହିଥିଲେ । ଅପରାଜିତାଙ୍କ ଆଜିର ପୁରୀ ଗସ୍ତ ଏବଂ ପଦଯାତ୍ରା ଆଗାମୀ ଦିନରେ ରାଜନୀତିକୁ ଅଧିକ ତେଜିଆନ କରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS