ଓଡ଼ିଶାରେ ପଶିଲା ମନ୍ଦିର ରାଜନୀତି..!
ପ୍ରସାଦ ରାଓ
ଏପ୍ରିଲ ୩୦
ଓଡ଼ିଶାରେ ଆଗରୁ ଯାହା ଦେଖିବାକୁ ମିଳି ନଥିଲା, ଏବେ ଦେଖିବାକୁ ମିଳୁଛି । ଧର୍ମକୁ ନେଇ ନହେଲେ ମଧ୍ୟ ଧାର୍ମିକ ସ୍ଥଳକୁ ନେଇ ରାଜନୀତି । ଉଭୟ ଶାସକ ଓ ବିରୋଧୀ ସେହି ରାଜନୀତିରେ ମାତିଛନ୍ତି । ଅନ୍ୟ ସବୁ ପ୍ରସଙ୍ଗ ଗୌଣ ହୋଇଯାଇଛି । ଶ୍ରୀମନ୍ଦିର ଓ ପୁରୀ ଗଜପତିଙ୍କୁ ମଧ୍ୟ ଏହି ସଂକୀର୍ଣ୍ଣ ରାଜନୀତିକୁ ଟଣା ଯାଇଛି । ୨୦୧୯ ପୂର୍ବରୁ ରାଜ୍ୟରେ ବିକାଶ, ଦୁର୍ନୀତି, ଆଇନଶୃଙ୍ଖଳା ପରିସ୍ଥିତି ପ୍ରଭୃତି ରାଜନୈତିକ ପ୍ରସଙ୍ଗ ଥିଲା । ଓଡ଼ିଶାବାସୀ କେବେ ପୁରୀ ଶ୍ରୀମନ୍ଦିର ଓ ଗଜପତି ମହାରାଜାଙ୍କୁ ରାଜନୀତିକୁ ଟାଣି ନଥିଲେ । ଗଜପତି ମହାରାଜା ମଧ୍ୟ ନିଜକୁ ରାଜନୀତିରୁ ଉର୍ଦ୍ଧରେ ରହି ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକର ମର୍ଯ୍ୟାଦା ପାଉଥିଲେ । ଆଜି ମଧ୍ୟ ସେହି ବିଶ୍ୱାସ ଓ ସମ୍ମାନ ରହିଛି । ତେବେ, ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗଲା କିଛି ମାସ ହେଲା ଯେଭଳି ରାଜନୀତି ଚାଲିଛି ତାହା ଗଜପତିଙ୍କୁ ମଧ୍ୟ ଆଲୋଚନା ଓ ସମାଲୋଚନା ଘେରକୁ ଟାଣି ଆଣିଛି । କେତେକ ମହଲରେ ପୁରୀ ଗଜପତିଙ୍କୁ ସରକାରଙ୍କ ସହ ଯୋଡି ଦିଆଯାଉଥିବା ପ୍ରତିକୂଳ ମନ୍ତବ୍ୟ ଦୁଃଖଦାୟକ ମନେ ହେଉଛି ।
ପୁରୀ ଗଜପତିଙ୍କୁ ନେଇ ସମାଲୋଚନାତ୍ମକ ମନ୍ତବ୍ୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ଯୁକ୍ତି ହେଉଛି, ପୁରୀରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଯେଭଳି ତରବରିଆ ଭାବେ କାର୍ଯ୍ୟକାରୀ କରୁଛନ୍ତି ତାହା ଏହି ପୂରାତନ ଐତିହ୍ୟସଂପନ୍ନ ମନ୍ଦିରର ସ୍ଥିତାବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିବାଦ ନକରି ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି ବିବୃତି ରଖି ଆପେ ରାଜନୀତି ଭିତରକୁ ଟାଣି ହୋଇଛନ୍ତି । ପୂରାତନ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣର ଦାୟିତ୍ୱ ହେଉଛି ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସଆଇର । ସଂସ୍ଥାର ଅନୁମୋଦନ ନଥାଇ ଶ୍ରୀମନ୍ଦିର ପ୍ରାଚୀରକୁ ଲାଗି ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲି ଥିବା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ‘ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ’ ବୋଲି ଗଜପତି ମହାରାଜା ନିକଟରେ ବିବୃତି ଦେଇ ରାଜ୍ୟ ସରକାରଙ୍କୁ କ୍ଲିନ୍ ଚିଟ୍ ଦେବା ପଛରେ ଗଜପତି ମହାରାଜାଙ୍କ କି ସ୍ୱାର୍ଥ ରହିଛି ? ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଗଜପତି ମହାରାଜା ବାଧ୍ୟ ନୁହନ୍ତି । ତେବେ, ଗଜପତି ମହାରାଜା ଦେଇଥିବା ବିବୃତି ଓ ସେଥିପ୍ରତି ସେବାୟତଙ୍କ ସମର୍ଥନ ସରକାରଙ୍କୁ ସୁହାଇଲା ଭଳି ହୋଇଥିବାରୁ ବିରୋଧୀ ସରକାର ଓ ଗଜପତିଙ୍କୁ ଯୋଡି ବିଭ୍ରାନ୍ତି ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ଲଗାତର ପଂଚମ ଥର ପାଇଁ ରାଜ୍ୟର କ୍ଷମତା ଭାର ହାତକୁ ନେବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର ସବୁର ସୌନ୍ଧର୍ଯ୍ୟକରଣକୁ ଗୁରୁତ୍ୱ ଦେଇଛନ୍ତି । ଦକ୍ଷିଣ ଭାରତର ବିଭିନ୍ନ ଦେବସ୍ଥଳର ଯେଭଳି ବିକାଶ ହୋଇଛି ଓଡ଼ିଶାରେ ମଧ୍ୟ ତାହା ହେବା ସେ ଚାହିଁଛନ୍ତି । ଆନ୍ଧ୍ର, ତେଲେଂଗାନା, ତାମିଲନାଡୁରେ ଥିବା ଦେବସ୍ଥାନମାନଙ୍କରେ ଯେଭଳି ଶୃଙ୍ଖଳା, ପରିଛନ୍ନତା ଏବଂ ବିକାଶକୁ ଗୁରୁତ୍ୱ ଦିଆଯାଇଛି ଓଡ଼ିଶାରେ ମଧ୍ୟ ଅନୁରୂପ ବିକାଶ ଦିଗରେ କାର୍ଯ୍ୟ ଚାଲିଛି । ପ୍ରାଥମିକତା ଭିତ୍ତିରେ ସରକାର ପୁରୀ ଶ୍ରୀମନ୍ଦିର ସହ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଏକାମ୍ର କ୍ଷେତ୍ରକୁ ସୌନ୍ଧର୍ଯ୍ୟକରଣ କାର୍ଯ୍ୟରେ ସାମିଲ କରିଛନ୍ତି । ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ଦିରର ନବୀକରଣ ଓ ବିକାଶକୁ ୫-ଟି ସହ ଯୋଡା ଯାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିସକାଶେ ବିପୁଳ ଅର୍ଥ ବରାଦ ମଧ୍ୟ ହୋଇଛି । ତେବେ, ବିଭିନ୍ନ କାରଣରୁ ଏହି କାର୍ଯ୍ୟରେ ରାଜନୀତି ମଧ୍ୟ ପଶି ଯାଇଛି ।
ରାଜ୍ୟ ସରକାର ପ୍ରଥମେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିବା ସମୟରେ ମନ୍ଦିର ଚାରି ପାଖରେ ସୌନ୍ଧର୍ଯ୍ୟକରଣକୁ ସହ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଶ୍ରଦ୍ଧାଳୁଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତାର ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶ୍ରୀମନ୍ଦିର ଚାରିପାଖରେ ସୌଦ୍ଧର୍ଯ୍ୟକରଣ କାର୍ଯ୍ୟ ପାଇଁ ୭୫ ମିଟର ପରିଧି ଅଂଚଳରୁ ସମସ୍ତ ମଠ, ମନ୍ଦିର, ଦୋକନ ବଜାର, କଂକ୍ରିଟ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା । ସେହି ଅଂଚଳ ଭିତରେ ବର୍ଷ ବର୍ଷ ଧରି ରହି ଆସିଥିବା ବିଭିନ୍ନ ବର୍ଗର ଲୋକାମାନେ ସ୍ୱତଃ ସରକାରଙ୍କୁ ସମର୍ଥନ ଦେଇ ଉଚ୍ଛେଦ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସରାଜ୍ୟ ସରକାର ମଧ୍ୟ ଉଚ୍ଚେଧ ହେଉଥିବା ପ୍ରତ୍ୟେକଙ୍କ ପାଇଁ କ୍ଷତିପୂରଣ ସହ ଥଇଥାନ ପ୍ୟାକେଜ ମଧ୍ୟ ପ୍ରସ୍ତୁତ କରିଥିଲେ । ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ସରିବା ପରେ ଶହେ ମିଟର ପରିଧି ଅଂଚଳରେ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ, ‘ଆମସାର୍’ ଆଇନ ଅନୁଯାୟୀ ତାହା ନିଷିଦ୍ଧାଂଚଳ ହୋଇଥିବାରୁ ସରକାର ଏଏସଆଇର ଅନୁମୋଦନ ନଥାଇ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଆଇନର ଉଲଂଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ଏବଂ ନିର୍ମାଣ କାର୍ଯ୍ୟ ତୁରନ୍ତ ରୋକାଯିବା ଦାବିରେ ଚାପ ସୃଷ୍ଟି କରୁଛନ୍ତି ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (ବିଜେପି) ଏହି ବାବାଦର ସୂତ୍ରପାତ କରି ପ୍ରସଙ୍ଗକୁ ସଂସଦ ପର୍ଯ୍ୟନ୍ତ ପହଂଚାଇ ଥିବା ବେଳେ ଏଏସଆଇ ଓ କେନ୍ଦ୍ର ସରକାରଙ୍କ ନୀରବତା ବିରୋଧୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଅପରାଜିତା ଦଳ ଭିତରେ କୋଣଠେସା ହୋଇ ରହି ଥିବାରୁ ଏକାକୀ ଏହି ଲଢେଇ ଲଢୁଥିବା ଦେଖିବାକୁ ମିଳୁଛି । ବୁଧବାର (୨୭ ତାରିଖ) ଦିନ ସେ ଏହି ପ୍ରସଙ୍ଗକୁ ନେଇ ପୁରୀରେ ପଦଯାତ୍ରା କରିଥିବା ବେଳେ ତାଙ୍କ ସହ ରାଜ୍ୟସ୍ତରର କୌଣସି ବିଜେପି ନେତାଙ୍କୁ ଦେଖିବାକୁ ମିଳି ନଥିଲା । ତେବେ, ପରଦିନ ପୁରୀ ବିଧାୟକ (ବିଜେପି) ଜୟନ୍ତ ଷଡଙ୍ଗୀ ଅପରାଜିତାଙ୍କୁ ସମର୍ଥନ କଲା ଭଳି ବିବୃତି ଦେଇ ସମ୍ମାନ ରକ୍ଷା କରିଛନ୍ତି । ଯେଉଁ ବିଜେପି ନେତାମାନେ ପ୍ରଥମେ ପ୍ରଥମେ ଅପରାଜିତାଙ୍କ ଅଭିଯୋଗକୁ ସମର୍ଥନ କରି ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ପରବର୍ତ୍ତୀ ସମୟରେ ସେମାନେ ନୀରବୀ ଯିବା ରାଜ୍ୟ ବିଜେପିରେ ଚାଲି ଥିବା ଗୋଷ୍ଠୀ କନ୍ଦଳର ପ୍ରଭାବ କୁହାଯିବ କି କେନ୍ଦ୍ରୀୟ ନେତାଙ୍କ ନିର୍ଦେଶ କୁହାଯିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ, କେନ୍ଦ୍ର ସରକାରଙ୍କ ସଂସ୍ଥା ଏଏସଆଇ ମଧ୍ୟ ନୀରବଦ୍ରଷ୍ଟା ରହିବା ଦଳର କେନ୍ଦ୍ରୀୟ ନେତୃତ୍ୱ ଆଡକୁ ଇଂଗିତ କରୁଛି ।
ଏଏସଆଇର ଅନୁମୋଦନ ନଥାଇ ପୁରୀ ଶ୍ରୀମନ୍ଦିର ନିକଟରେ ବଡ଼ ବଡ଼ ଖାତ ଖୋଳା ଯାଇ ନିର୍ମାଣ କାର୍ଯ୍ୟ ଚାଲିବା ମନ୍ଦିରରେ ଫାଟ ସୃଷ୍ଟି କଲାଣି ଏବଂ ଭବିଷ୍ୟତରେ ମନ୍ଦିର ଧରାଶାୟୀ ହେବା ଆଶଙ୍କା ରହିଛି ଦର୍ଶାଇ ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ରୋକ୍ ଲଗାଯିବାକୁ ପୁରୀର ବିଭିନ୍ନ ଅନୁଷ୍ଠାନ ମଧ୍ୟ ଦାବି କରୁଛନ୍ତି । ଏସଂପର୍କରେ ଏକ ମାମଲା ଓଡ଼ିଶା ହାଇକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଏପ୍ରିଲ ୨୭ ତାରିଖ ଦିନ ‘ଶ୍ରୀମନ୍ଦିର ବଂଚାଅ ଅଭିଯାନ’ ନାମକ ଅନୁଷ୍ଠାନ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ରଖା ଯାଇଥିଲା । ତେବେ, ପରିକ୍ରମା ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବା ଦାବିରେ ଅଚାନକ ଅନ୍ୟ ଏକ ସଂଗଠନ ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅନୁମତି ମଗାଯିବା ରାଜନୀତିକୁ ସ୍ପଷ୍ଟ କରିଥିଲା । ପରସ୍ପର ବିରୋଧୀ ପଦଯାତ୍ରା ଓ ଧାରଣା କାର୍ଯ୍ୟକ୍ରମ କଲେ ସଂଘର୍ଷର ସମ୍ଭାବନା ଥିବା ଦର୍ଶାଇ ପୁରୀ ଜିଲ୍ଲା ପ୍ରଶାସନ ଉଭୟ ପକ୍ଷଙ୍କୁ ଅନୁମତି ନ ଦେବାରୁ ‘ଶ୍ରୀମନ୍ଦିର ବଂଚାଅ ଅଭିଯାନ’ର ୨୭ ତାରିଖ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା ।
ତେବେ, ଭୁବନେଶ୍ୱର ସାଂସଦ ଅପରାଜିତା ଏଥିରେ ହାର ନମାନି ୨୭ ତାରିଖ ପଦଯାତ୍ରା ପାଇଁ ପୁରୀ ଯାଇଥିଲେ ଏବଂ ପ୍ରଶାସନ ତାଙ୍କୁ ଚନ୍ଦନପୁର ପଟାପୋଲ ନିକଟରେ ରୋକିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାରି ଅନୁମତି ଆବଶ୍ୟକ ନାହିଁ କହି ପଦଯାତ୍ରାରେ ଶ୍ରୀମନ୍ଦିର ଯାଇଥିଲେ । ତାଙ୍କ ସହ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ନଥବା ଦେଖି ଗଣମାଧ୍ୟମ ପ୍ରଶ୍ନ କରିବାରୁ, ଏହା ଦଳୀୟ କାର୍ଯ୍ୟକ୍ରମ ନଥିବାରୁ ଦଳର କର୍ମୀମାନେ ଏକତ୍ରୀତ ହୋଇ ନାହାନ୍ତି, ଦଳମତ ନିର୍ବିଶେଷରେ ସବୁ ଦଳ ଏଥିରେ ସାମିଲ ହୋଇଛନ୍ତି ବୋଲି ସେ ସଫେଇ ଦେଇଥିଲେ । ତେବେ, ଶାସକ ବିଜେଡ଼ି ଏହାକୁ ଅପରାଜିତାଙ୍କ ରାଜନୈତିକ ଷ୍ଟଂଟ୍ ବୋଲି କହି ତାଙ୍କ ପଛରେ ଦଳ ନଥିବା ଦାବି କରିଛି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ସେବାୟତମାନେ ଚାଲି ଥିବା ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁ ନାହିଁ ବୋଲି କହୁଥିବା ବେଳେ ଅପରାଜିତା ଏହାକୁ ବିରୋଧ କରିବାର ମାନସିକତାକୁ ନେଇ ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ ଉଠାଇଛନ୍ତି ।
ବିଜେପି କେବଳ ନୁହେଁ, କଂଗ୍ରେସର ରାଜ୍ୟ ନେତୃବର୍ଗ ମଧ୍ୟ ଏଏସଆଇର ଅନୁମୋଦନ ନଥାଇ ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ଚାଲି ଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଛନ୍ତି । ତେବେ, ରାଜ୍ୟରେ କଂଗ୍ରେସ ଦଳ ପିସିସି ସଭାପତି ପଦକୁ ନେଇ କନ୍ଦଳରେ ବ୍ୟସ୍ତ ଥିବାରୁ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ପାରୁ ନାହିଁ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ୨୭ ତାରିଖ ଦିନ ଏକାକୀ ପୁରୀରେ ପଦଯାତ୍ରା କରିବା ପରେ କଂଗ୍ରେସର ସ୍ଥିତି ବଂଚାଇବାକୁ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ନରସିଂହ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଏଏସଆଇର ଅନୁମୋଦନ ନଥାଇ ଏତେ ବଡ଼ ବଡ଼ ଖାତ କେମିତି ଖୋଳା ଯାଇଛି ଓ ନିର୍ମାଣ କାର୍ଯ୍ୟ ହେଉଛି ବୋଲି ସେ ନିଜକୁ ନିଜେ ପ୍ରଶ୍ନ କରିଛନ୍ତି । ତେବେ, ସରକାର ଶ୍ରୀମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ଓ ସେବାୟତମାନେ ଦେଇଥିବା ‘କ୍ଲିନ ଚିଟ୍’କୁ ଆଧାର କରି ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏଏସଆଇର ଅନୁମୋଦନ ନଥାଇ ନିର୍ମାଣ କାର୍ଯ୍ୟ ଚାଲି ଥିବାରୁ ଓଡ଼ିଶା ହାଇକୋର୍ଟରେ ଯେଉଁ ମାମଲା ହୋଇଛି ମେ’ ୯ ତାରିଖରେ ତାହା ଉପରେ ଶୁଣାଣୀ ହେବାକୁ ଅଛି । ତେଣୁ, ଶାସକ-ବିରୋଧୀ ଯେତେ ରାଜନୀତିରେ ମାତନ୍ତୁ ନା କାହିଁକି ହାଇକୋର୍ଟଙ୍କ ଆଦେଶ ଆସିବା ପରେ ସବୁ କିଛି ଥଣ୍ଡା ହୋଇଯିବ ବୋଲି ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS