ହିନ୍ଦୀକୁ ନେଇ ବିବାଦ: ଅଜୟ, ସୁଦୀପଙ୍କ ପରେ ଚିରଂଜୀବୀ
ପ୍ରସାଦ ରାଓ
ମଇ ୦୨
ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା ଦେଇ ଆଂଚଳିକ ଭାଷା ଉପରେ ତାହା ଥୋପିବାକୁ ଚାଲିଥିବା ଉଦ୍ୟମ ବିରୋଧରେ ଦକ୍ଷିଣ ଭାରତରୁ ସ୍ୱର ଉଠିଛି । କନ୍ନଡ଼ ଫିଲ୍ମ ତାରକା କେ.ସୁଦୀପ ସଂଜୀବ ପ୍ରଥମେ ଏକ ଟ୍ୱିଟ୍ ମାଧ୍ୟମରେ ଏଭଳି ଅଭିପ୍ରାୟର ବିରୋଧ କରିଥିଲେ । ‘ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ’ ବୋଲି ସେ ମନ୍ତବ୍ୟ ରଖିବା ପରେ ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ସୁଦୀପଙ୍କୁ ଜବାବ ଦେବାକୁ ଯାଇ ‘ହିନ୍ଦୀ ଯଦି ଜାତୀୟ ଭାଷା ନୁହେଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡିକ କାହିଁକି ହିନ୍ଦୀରେ ଡବିଂ କରାଯାଉଛି’ ବୋଲି ପ୍ରଶ୍ନ କରିଥିଲେ । ଅଜୟ ଦେବଗନ୍ ଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା ଦର୍ଶାଇ ସୁଦୀପ ନରମି ଗଲେ ସିନା ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା, ସମାଲୋଚନା ଥମି ନାହିଁ ।
ଇତିମଧ୍ୟରେ, କର୍ଣ୍ଣାଟକର କିଛି ରାଜନେତା ବିବାଦ ଭିତରକୁ ଧସେଇ ପଶି କନ୍ନଡ଼ ଭାଷା ହେଉଛି ସେମାନଙ୍କ ମାତୃଭାଷା, ତାହା ଉପରେ ହିନ୍ଦୀ ଭାଷା ଥୋପିିବା ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ହିନ୍ଦୀ ଫିଲ୍ମ ଅଭିନେତା ଦେବଗନ୍ ଙ୍କୁ ବିଜେପିର ମୁଖପାତ୍ର କହି ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଦେଶରେ ଦୀର୍ଘ ବର୍ଷ ଧରି ଆଂଚଳିକ ଭାଷାର ବ୍ୟବହାର ହୋଇ ଆସୁଛି । ହିନ୍ଦୀକୁ ଜାତୀୟ ଭାଷା କହି ତାହା ଉପରେ ଥୋପିବାର ଯେଉଁ ଭିତିରି ଉଦ୍ୟମ ଚାଲିଛି ତାହାକୁ ନେଇ ଆଲୋଚନା, ସମାଲୋଚନା ଜାରି ରହିଛି । ଏତିକି ବେଳେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ତାରକା ଚିରଂଜୀବୀ ସେଥିରେ ଯୋଡି ହୋଇଛନ୍ତି ।
ଚିରଂଜୀବୀ ତାଙ୍କ ନୂଆ ଫିଲ୍ମ ‘ଆଚାର୍ଯ୍ୟ’ର ପ୍ରି-ରିଲିଜ୍ ଇଭେଂଟରେ ରଖିଥବା ଅଭିବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛି । ଏସ.ଏସ.ଚନ୍ଦମୌଳୀଙ୍କ ଦ୍ୱାରା ନିର୍ମିତ ‘ବାହୁବଳୀ-୧’, ‘ବାହୁବଳୀ-୨’ ଓ ‘ଆରଆରଆର’ ଆଶାତୀତ ସଫଳତା ପାଇବା ପରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଅନ୍ୟ ଭାଷାଭାଷି ଚଳଚ୍ଚିତ୍ରକୁ ଯେଭଳି ଗୌଣ ଦୃଷ୍ଟିରେ ଦେଖିବା ମନୋଭାବ ଥିଲା ସେଥିରେ ଲଗାମ ଲାଗିଛି ବୋଲି ଚିରଂଜୀବୀ କହିଛନ୍ତି । ସେ କହିଛନ୍ତି, ଏହି ତିନିଟି ଚଳଚ୍ଚିତ୍ରକୁ ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଜି ଗର୍ବିତ । ପୂର୍ବରୁ ହିନ୍ଦୀ ଭାଷାରେ ନିର୍ମିତ ଫିଲ୍ମ ହିଁ ‘ଭାରତୀୟ ଚଳଚ୍ଚିତ୍ର’ ବୋଲି କୁହାଯାଉଥିଲା ଏବଂ ଅନ୍ୟ ଆଂଚଳିକ ଭାଷାରେ ନିର୍ମିତ ଚଳଚ୍ଚିତ୍ରକୁ ହିନମନ୍ୟତାର ଶିକାର ହେବାକୁ ପଡୁଥିଲା । ଏବେ ରାଜମୌଳିଙ୍କ ଦ୍ୱାର ନିର୍ମିତ ‘ବାହୁବଳୀ’ ଓ ଆରଆରଆର ସେହି ହିନମନ୍ୟତା ଦୂର କରିଛି ।
‘ବ୍ରୁଟ୍ ଇଣ୍ଡିଆ’ ଦ୍ୱାରା ପ୍ରସାରିତ ଏକ ଭିଡ଼ିଓରେ ଚିରଂଜୀବୀ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି । ୧୯୮୮ରେ ନାଗା ବାବୁଙ୍କୁ ନେଇ ତାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ରୁଦ୍ରବୀଣା’ ଜାତୀୟ ସଂହତି ଉପରେ ଆଧାରିତ ଥିଲା ଏବଂ ସେହି କାଟାଗୋରୀରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇ ‘ନର୍ଗିର୍ସ ଦତ୍ତ ପୁରୁସ୍କାର’ ପାଇବାକୁ ମନୋନୀତ ହୋଇଥିଲା । ସେ ଓ ନାଗା ବାବା ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯାଇଥିଲେ । ଆୱାର୍ଡ ଉତ୍ସବ ସନ୍ଧ୍ୟାରେ ଥିବାରୁ ତାହା ପୂର୍ବରୁ ଆୟୋଜନ କକ୍ଷରେ ଏକ ଚା’ ଭୋଜିର ବ୍ୟବସ୍ଥା ଥିଲା । ଚା’ ଭୋଜି ଚାଲି ଥିବା ହଲ୍ ର ଚାରି କାନ୍ଥରେ ଭାରତୀୟ ସିନେମାର ଗୌରବମୟ ଇତିହାଶର ବର୍ଣ୍ଣନା କରାଯାଇ ପୃଥ୍ୱୀରାଜ କପୁର, ରାଜ କପୁର, ଦିଲ୍ଲୀପ କୁମାର, ଦେବାନନ୍ଦ, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ଧର୍ମେନ୍ଦ୍ର ପ୍ରମୁଖ ନାମି ଅଭିନେତା, ନିର୍ମତା, ନିର୍ଦେଶକଙ୍କ ଫଟୋରେ ସଜା ଯାଇଥିଲା । ତାହା ସହ ସେମାନଙ୍କର ସମ୍ୟକ ବିବରଣୀ ମଧ୍ୟ ରହିଥିଲା । ସେମାନେ ନିଜ ଫଟୋ ଦେଖି ଖୁସି ହୋଇଥିଲେ, ସୁନ୍ଦର ହୋଇଛି ବୋଲି ମନ୍ତବ୍ୟ ରଖି ଥିଲେ ଏବଂ ବିଭିନ୍ନ ଚଳଚ୍ଚିତ୍ର ନିର୍ଦେଶକ ଓ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ ।
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ନେଇ ମଧ୍ୟ ହଲ୍ ରେ ସେଭଳି ସୁନ୍ଦର ଉପସ୍ଥପନା ଥିବ ବୋଲି ଚିରଂଜୀବୀ ଆଶା କରିଥିଲେ ମଧ୍ୟ ତାମିଲ ତାରକା ଏମ.ଜି.ରାମଚନ୍ଦ୍ରନ ଓ ଜୟଲଳିତା ନାଚୁ ଥିବାର ଏକ ଷ୍ଟିଲ୍ ଫଟୋ ହିଁ କାନ୍ଥରେ ଦେଖିବାକୁ ମିଳି ଥିଲା । ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଅନେକ ଫିଲ୍ମରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରେମ୍ ନାଜିରଙ୍କ ଫଟୋ ଲଗାଇ ତାହା ହିଁ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ବୋଲି କୁହାଯାଇଥିଲା । ଦକ୍ଷିଣ ଭାରତୀୟ ତାରକାଙ୍କ ମଧ୍ୟରୁ ଡକ୍ଟର ରାଜକୁମାର, ବିଷ୍ଣୁବର୍ଦ୍ଧନ, ଏନ.ଟି.ରାମାରାଓ, ଏ.ନାଗେଶ୍ୱର ରାଓ, ଶିବାଜୀ ଗଣେଷନଙ୍କ ନାମ ଅଦୃଶ୍ୟ ଥିଲା । ଏହା ଅତ୍ୟନ୍ତ ଅପମାନସୂଚକ ଥିଲା । ହିନ୍ଦୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ହିଁ ‘ଭାରତୀୟ ସିନେମା’ ବୋଲି ପ୍ରେଜେକ୍ଟ୍ କରାଯାଇ ଆଂଚଳିକ ଭାଷାଭାଷି ଚଳଚ୍ଚିତ୍ରଗୁଡିକୁ ଗୌଣ କରି ଦିଆଯିବା ଦୁଃଖଦାୟକ ଥିଲା ବୋଲି ବୋଲି ଚିରଂଜୀବୀ କହିଛନ୍ତି ।
ରାଜମୌଳିଙ୍କ ବାହୁବଳୀ-୧, ବାହୁବଳୀ-୨ ଓ ଆରଆରଆର ଚଳଚ୍ଚିତ୍ରର ଅବିଶ୍ୱସନୀୟ ସଫଳତା ଏହି ଧାରା ବଦଳାଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ହୀନମନ୍ୟତା ଦୂର କରିଛି ଏବଂ ଗର୍ବରେ ଆମ ଛାତି ଫୁଲି ଉଠୁଛି ବୋଲି ଚିରଂଜୀବୀ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ଆବେଗ କୁହାଯାଇପାରେ । ତେବେ, ହିନ୍ଦୀ ଭାଷାକୁ ଆଂଚଳିକ ଭାଷାଭାଷି ଅଂଚଳରେ ଥୋପି ଦିଆଯିବା ଆରମ୍ଭ ହୋଇଥିବା ପ୍ରୟାସ ବିରୋଧରେ ରାଜନୀତି ସରଗରମ ଥିବା ବେଳେ ଏହି ଅଭିଭାଷଣ ବିଶେଷ ଗୁରୁତ୍ୱ ରଖୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗତ ମାସରେ ହିନ୍ଦୀକୁ ଜାତୀୟ ଭାଷା କରାଯିବା ସପକ୍ଷରେ ମନ୍ତବ୍ୟ ରଖିବା ପରେ ଏଭଳି ହେଲେ ତାହାର ପରିଣତି ଅୟଙ୍କର ହେବ ବୋଲି କନ୍ନଡ଼ ନେତାମାନେ ଚେତାଇ ଦେଇଥିଲେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଓ ତେଲେଂଗାନା ମନ୍ତ୍ରୀ କେ.ଟି.ରାମାରାଓଙ୍କ ସମେତ ବହୁ ଦକ୍ଷିଣ ଭାରତୀୟ ରାଜନେତା ଶାହାଙ୍କ ମତାମତର ବିରୋଧ କରି ଦେଶରେ ବିବିଧତା ଭିତରେ ଏକତାକୁ ସୁଦୃଢ କରାଯିବା ସପକ୍ଷରେ ମତ ରଖିଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରମ୍ଭରୁ ଶାହାଙ୍କ ମନ୍ତବ୍ୟକୁ ଦୃଢ ବିରୋଧ କରୁଛନ୍ତି । ଆସମାରେ ବିଜେପି ସରକାର ରହିଛି । ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ସରକାର ହିନ୍ଦୀକୁ ଜାତୀୟ ଭାଷା ଭାବେ ଗ୍ରହଣ କରିବା ପ୍ରଶ୍ନ ଉଠୁ ନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଆଂଚଳିକ ଦଳ ସରକାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ବିବାଦକୁ ନେଇ ଦୁଇ ସରକାର ନିରବ ଅଛନ୍ତି । ତେବେ, ତେଲୁଗୁ ଫିଲ୍ମ ଶିଳ୍ପର ବରିଷ୍ଠ ଅଭିନେତା ଚିରଂଜୀବୀଙ୍କ ଅଭିବ୍ୟକ୍ତି ପରେ ଆନ୍ଧ୍ର ସରକାର ମୁହଁ ଖୋଲିବେ କି ନାହିଁ – ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS