ଠାକରେ ବନାମ ଠାକରେ…!


ପ୍ରସାଦ ରାଓ
ମଇ ୦୪
ମହାରାଷ୍ଟ୍ରରେ ଚାଲିଛି ଠାକରେ ବନାମ ଠାକରେ ଦ୍ୱନ୍ଦ୍ୱଯୁଦ୍ଧ । ଜଣେ ଠାକରେ ହିନ୍ଦତ୍ୱବାଦୀଙ୍କ ହୃଦୟ ସମ୍ରାଟ ଭାବେ ପରିଚିତ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ ହୋଇଥିବା ବେଳେ ଅନ୍ୟଜଣକ ହେଉଛନ୍ତି ବାଲାସହେବଙ୍କ ପୁତୁରା ରାଜ୍ ଠାକରେ । ସ୍ୱର୍ଗତ ବାଲାସାହେବ ଠକରେ ହେଉଛନ୍ତି ଶିବସେନାର ପ୍ରତିଷ୍ଠିତା । ସଂଗଠନର ମୁଖ୍ୟ ପଦକୁ ନେଇ ବାଲାସାହେବଙ୍କ ଜୀବିତାବସ୍ଥାରୁ ଉଦ୍ଧବ ଓ ରାଜଙ୍କ ମଧ୍ୟରେ ବିବାଦ ରହି ଆସିଛି । ଦିନ ଥିଲା ରାଜ୍ ଠାକରେ ନିଜକୁ ବାଲାସାହେବଙ୍କ ଉତ୍ତରାଧିକାରୀ ଭାବେ ଦାବି କରି ଆସୁଥିଲେ । ତାଙ୍କ ପଦାଙ୍କ ଅନୁସରଣ କରି ହିନ୍ଦୁତ୍ୱ ରାଜନୀତିକୁ ଆଗକୁ ନେଉଥିଲେ । ତେବେ, ବାଲାସାହେବ ଶିବସେନା ମୁଖ୍ୟ ପଦରେ ରାଜ୍ ଠାକରେଙ୍କୁ ନିଯୁକ୍ତ ନକରି ପୁଅ ଉଦ୍ଧବଙ୍କୁ ନିଯୁକ୍ତ କରିବାରୁ ପୁଅ ଉଦ୍ଧବ ଓ ପୁତୁରା ରାଜ୍ ଠାକରେଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ରାଜ୍ ଠାକରେ ଶିବସେନା ଛାଡି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ନାମକ ଏକ ହିନ୍ଦୁତ୍ୱବାଦୀ ସଂଗଠନ ଗଢି ତାହାର ମୁଖ୍ୟ ଅଛନ୍ତି ।
ବାଲାସାହେବଙ୍କ ମୃତ୍ୟୁ ପରେ ଉଦ୍ଧବ ଓ ରାଜ୍ ଠକରେଙ୍କ ସଂପର୍କ ଅଧିକ ତୀକ୍ତ ରହିଛି । ଉଭୟେ ନିଜକୁ କଥିତ ହିନ୍ଦୁତ୍ୱବାଦର ପ୍ରବକ୍ତା ଦାବି କରିବା ସହ ପରସ୍ପର ବିରୋଧୀ ରାସ୍ତାରେ ଚାଲିଛନ୍ତି । ଉଦ୍ଧବ ଶିବସେନା ଭଳି ଏକ ଉଗ୍ର ହିନ୍ଦୁତ୍ୱବାଦୀ ସଂଗଠନର ନେତୃତ୍ୱରେ ଥାଇ ମଧ୍ୟ ନରମପନ୍ଥୀ ରହି ଥିବା ବେଳେ ଭାଇ ରାଜ୍ ଠାକରେ ଉଗ୍ର ହିନ୍ଦୁତ୍ୱବାଦର ପ୍ରତୀକ ଭାବେ ସର୍ବଦା ବିବାଦୀୟ ରହି ଆସିଛନ୍ତି । ଫଳରେ, ହିନ୍ଦୁତ୍ୱକୁ ନେଇ ମହାରାଷ୍ଟ୍ରରେ ଏକ ବିରୋଧାତ୍ମକ ପରିସ୍ଥିତି ରହିଛି । ବାଲାସାହେବଙ୍କ ସମୟରୁ ଶିବସେନା ବିଜେପି ସହ ଯୋଡି ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ଉଦ୍ଧବ ଠାକରେ ମଧ୍ୟ ବିଜେପି ସହ ରହିଥିଲେ । ତେବେ, ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ ବଦଳି ଯାଇଛି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଭିନ୍ନ କାରଣରୁ ବିଜେପି ସହ ଭିନ୍ନମତ ରଖୁଥିଲେ ମଧ୍ୟ ୨୦୧୯ ବିଧାନସଭା ନିର୍ବାଚନରେ ମେଂଟରେ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ମେଂଟର ବିଜୟ ପରେ ବିଜେପି ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁବାରୁ ଶିବସେନା ତାହାର ବିରୋଧ କରି ନିର୍ବାଚନ-ପୂର୍ବ ପ୍ରତିଶ୍ରୁତି (ବିଜେପି ଚାଣକ୍ୟ ଅମିତ ଶାହା ଏହି ପ୍ରତିଶ୍ରୁତି ଦେଇଥିବା ଶିବସେନା ଦାବି କରି ଆସୁଛି) ଅନୁଯାୟୀ ଶିବସେନାରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡି ବସି ଥିଲା । କିନ୍ତୁ, ବିଜେପି ଦେବେନ୍ଦ୍ର ଫଡନାଭିସଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଜିଦରେ ଅଟଳ ରହି ଶିବସେନାରେ ବିଭାଜନ ଉଦ୍ୟମ କରିବା ସହ ଉଦ୍ଧବଙ୍କ ଦାବିକୁ ଏଡାଇ ଯିବାରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପିର ହାତ ଛାଡି ଶରଦ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଓ କଂଗ୍ରେସ ସହ ମହା ଭିକାଶ ଅଘାଡି (ଏମଭିଏ) ଗଠନ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୨୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଛି ।
ଉଦ୍ଧବଙ୍କ ଏହି ରଣନୀତି ବିଜେପିର ପାଚନ ପ୍ରକ୍ରିୟାକୁ ବିଗାଡି ଦେଇଛି । ଉଦ୍ଧବଙ୍କୁ କୌଣସି ପ୍ରକାର ଏନସିପି, କଂଗ୍ରେସରୁ ଦୂରେଇ ରାଜ୍ୟର କ୍ଷମତା ନିଜ ନିୟନ୍ତ୍ରଣକୁ ନେବାକୁ ବିଜେପି ସବୁ ପ୍ରକାର ଖେଳ ଖେଳୁଛି । ଏବେ, ଉଦ୍ଧବଙ୍କୁ ନିଜର ପରମ ଶତୃ ବିବେଚନା କରୁଥିବା ଏମଏନଏସ ମୁଖ୍ୟ ରାଜ୍ ଠାକରେଙ୍କୁ ହିନ୍ଦୁତ୍ୱ ନାମରେ ନିଜ ପକ୍ଷକୁ ନେଇ ଉଦ୍ଧବ-ବିରୋଧୀ ଗୋଟି ଚାଳନା କରୁଛି । ଦୀର୍ଘ ବର୍ଷ ହେଲା ମହାରାଷ୍ଟ୍ର ରାଜନୀତିରେ କୋଣଠେସା ହୋଇ ଥିବା ରାଜ୍ ଠାକରେ ମଧ୍ୟ ନିଜ କଠୋର ହିନ୍ଦତ୍ୱବାଦ ଚେହେରାକୁ ବଂଚାଇ ରଖି ରାଜନୀତିର ମୁଖ୍ୟସ୍ରୋତକୁ ଫେରିବା ପାଇଁ ବିଜେପିର ପାସଙ୍ଗରେ ପଡି ମହାରାଷ୍ଟ୍ରରୁ ‘ଲାଉଡ ସ୍ପିକର’ ହଟାଅ ଅଭିଯାନକୁ ଜୋରଦାର କରିବାକୁ ଲାଗିଛନ୍ତି । ଫଳରେ, ବିଜେପି ମହାରାଷ୍ଟ୍ରରେ ଧାର୍ମିତ ସଂତୁଳନ ବିଗାଡି ନିଜର ଗୋପନ ଆଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଏମଏନଏସ ପଛରେ ଠିଆ ହୋଇଛି ।
୨୦୨୨ ଫେବୃୟାରୀ-ମାର୍ଚ୍ଚରେ ଅନୁଷ୍ଠିତ ପାଂଚଟି ରାଜ୍ୟ – ୟୁପି, ପଂଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ପଂଜାବ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟକୁ ଦଖଲ କରି ଦଳର ସରକାରକୁ ପୁନଃ ପ୍ରତିଷ୍ଠା କରିଛି । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ଓ ହିମାଂଚଳ ପ୍ରଦେଶରେ ଏବଂ ୨୦୨୩ରେ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଂଗାନାରେ ବିଧାନସଭା ନିର୍ବାଚନ ହେବାକୁ ରହିଛି । ତେଣୁ, ବିଜେପିର ନିର୍ବାଚନୀ ମେସିନାରୀ କଟ୍ଟର ହିନ୍ଦୁତ୍ୱବାଦ ରାଜନୀତିକୁ ଶାଣିତ କରି ହିଜବ, ଆଜାନ୍, ବାଇବେଲ, ଲାଉଡ୍ ସ୍ପିକର ଭଳି ବିଶେଷ ଗୁରୁତ୍ୱ ରଖୁନଥିବା ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛି । ମହାରାଷ୍ଟ୍ରରେ ଉଦ୍ଧବଙ୍କୁ ଲାଇନଚ୍ୟୁତ କରିବା ପାଇଁ ରାଜ୍ ଠାକରେଙ୍କୁ ବ୍ୟବହାର କରିବା ଆରମ୍ଭ କରିଛି । ସଂପ୍ରତ୍ତି ମହାରାଷ୍ଟ୍ରରେ ଠାକରେ ବନାମ ଠାକରେ ବିବାଦର ସଦ୍ୟତମ କାରଣ ହେଉଛି ରାଜ୍ୟରେ ମୁସଲିମ୍ ସଂପ୍ରଦାୟର ଥିବା ଉପାସନା ସ୍ଥଳ (ମସଜିଦ)ଗୁଡିକରୁ ‘ଲାଉଡ ସ୍ପିକର୍’ ହଟାଇବା ଦାବି ।
ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ନିର୍ବିରୋଧରେ ଏହି ଅଭିଯାନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ ମେଂଟରେ ଉଦ୍ଧବ ଠାକରେ ସରକାର ଚଳାଇ ଥିବାରୁ ଏହା ସମ୍ଭବ ହେଉ ନାହିଁ । ବିଜେପି ଓ ଏମଏନଏସର ଆଭିମୁଖ୍ୟ ପ୍ରାୟ ଏକା – ମୁସଲମାନ ସଂପ୍ରଦାୟ ବିରୋଧୀ । ତେଣୁ, ମେ’ ୩ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଏମଏନଏସ ମୁଖ୍ୟ ରାଜ୍ ଠାକରେ ମହାରାଷ୍ଟ୍ର ସରକାର୍ରୁ ଏପ୍ରିଲ ୧୨ ତାରିଖ ଚେତାବନୀ ଦେଇଥିଲେ । ମେ’ ୩ ତାରିଖ ସୁଦ୍ଧା ତାହା କାର୍ଯ୍ୟକାରୀ ନହେଲେ ମେ’ ୪ ତାରିଖରୁ ଏମଏନଏସ ରାଜ୍ୟର ସବୁ ପ୍ରମୁଖ ସହରର ମସଜିଦ ସାମ୍ନାରେ ଲାଉଡ ସ୍ପିକରରେ ‘ହନୁମାନ ଚାଳିଶା’ ପାଠ କରିବ ବୋଲି ସେ ସତର୍କ କରାଇ ଥିଲେ । ମହାରାଷ୍ଟ୍ରର ଜଣେ ସ୍ୱାଧୀନ ମହିଳା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଏକା ଭଳି ଦାବି ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେବାରୁ ଦେଶଦ୍ରୋହ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ରାଜ୍ ଠାକରେଙ୍କ ମଧ୍ୟ ସମଦଶା ହେବାର ସମ୍ଭାବନା ସୃଷ୍ଟି ହେଲାଣି ।
ରାଜ୍ କିଛି ଦିନ ତଳେ ମୁମ୍ବାଇରେ ଏକ ଜନସମାବେଶ କରି ହନୁମାନ ଚାଳିଶା ପାଠ କରିବା ସହ ଉଦ୍ଧବ ସରକାର ୩ ତାରିଖ ସୁଦ୍ଧା ମସଜିଦଗୁଡିକରୁ ଲାଉଡ ସ୍ପିକର ନ ହଟାଇଲେ ମରାଠାୱାଡା, ବିଦର୍ଭ ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ସମାନ ଧରଣର ସମାବେଶ କରିବେ ବୋଲି ଧମକ ଦେଇଛନ୍ତି । ଅପରପକ୍ଷରେ, ଲାଉଡ ସ୍ପିକର ବ୍ୟବହାର ନେଇ ସୁପ୍ରିମ କୋର୍ଟର ଯେଉଁ ନିର୍ଦେଶବାଳୀକୁ ସରକାର ମାନୁଛନ୍ତି ଓ ତାହାକୁ କାର୍ଯ୍ୟକାରୀ କରୁଛନ୍ତି ବୋଲି ଶିବସେନା ସରକାରଙ୍କ ପକ୍ଷରୁ କୁହାଯାଇଛି । ଶିସେନାର ପାଲଟା ଅଭିଯୋଗ ହେଉଛି, ବିଜେପି ଓ ଏମଏନଏସ ହିନ୍ଦୁତ୍ୱବାଦ ନାମରେ ବିଶୃଙ୍ଖଳା ସୃଷ୍ଟି କରୁଛି । ରାଜ୍ ଙ୍କ ଧମକକୁ ମହାରାଷ୍ଟ୍ର ସରକାର ଗୁରୁତ୍ୱର ସହନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ଆଜି ମୁମ୍ବାଇର ସହ୍ୟାଦ୍ରୀ ରାଜ୍ୟ ଅତିଥି ଭବନରେ ଏନସିିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ‘ମହା ଭିକାଶ ଅଘାଡି’ର ବୈଠକ ହୋଇଛି । ଏମଏନଏସ ମୁଖ୍ୟ ରାଜ୍ ଠାକରେଙ୍କ ଧମକ ଦୃଷ୍ଟିରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ିବା ଆଶଙ୍କା ଥିବାରୁ ରାଜ୍ୟ ସରକାର ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଆଜି ତାଙ୍କୁ ସିଆରପିସିର ୧୪୯ ଧାରାରେ ଏକ ନୋଟିସ ଜାରି କରିଥିବା ମୁମ୍ବାଇ ପୁଲିସ ସୂତ୍ରରୁ ଜଣାପଡିଛି ।
ମୁମ୍ବାଇର ବିଭିନ୍ନ ସ୍ପର୍ଶକାତର ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଛୁତା ରଖିବା ପାଇଁ ବ୍ୟାପକ ସୁରକ୍ଷା ବଳର ବନେ୍ଦାବସ୍ତ ହୋଇଥିବା, ରାଜ୍ୟର ବିଭିନ୍ନ ସ୍ଥାନରେ ଲାଉଡ ସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରିଥିବା ଅଭିଯୋଗରେ ୨୫୦ରୁ ୨୬୦ ଏମଏନଏସ କର୍ମୀଙ୍କୁ ପୁଲିସ ଅଟକ ରଖିିଥିବା, ମଂଗଳବାର ଦିନ ମୁମ୍ବାଇ ପୁଲିସ ଏମଏନଏସ କାର୍ଯ୍ୟାଳୟରେ ଚଢାଇ କରି ସେଠାରେ ଥିବା ଲାଉଡ ସ୍ପିକର ସବୁ ଜବତ କରିବା ସହ ଦଳର ଚାନ୍ଦିଭାଲି ଶାଖାର ମୁଖ୍ୟ ମହେନ୍ଦ୍ର ଭାନୁଶାଳୀ ଓ ଅନ୍ୟ କେତେକଙ୍କୁ ଅଟକ ରଖିଥିବା ପୁଲିସ କହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଗତକାଲି ମହାରାଷ୍ଟ୍ର ପୁଲିସର ଡ଼ିଜି ରଜନୀଶ ସେଠଙ୍କ ସହ ଟେଲିଫୋନରେ କଥା ହୋଇ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କାହାରି ନିର୍ଦେଶକୁ ଅପେକ୍ଷା ନକରି ଯାହା ପଦକ୍ଷେପ ନେବା ଆବଶ୍ୟକ ନିଆଯିବାକୁ ନିର୍ଦେଶ ଦେଇଛନ୍ତି । ଅପରପକ୍ଷରେ, ଏମଏନଏସ ମୁଖ୍ୟ ରାଜ୍ ଠାକରେ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଏକ ପୁରୁଣା ଭିଡ଼ିଓ ଜାରି କରି ମସଜିଦରେ ଲାଉଡ ସ୍ପିକର ବ୍ୟବହାର ଓ ମୁସଲିମ୍ ସଂପ୍ରଦାୟ ରାସ୍ତାକୁ ଆସି ନମାଜ ପାଠ କରିବା କଥାକୁ ବାଳାସାହେବ ନାପସନ୍ଦ କରୁଥିଲେ ବୋଲି ଦର୍ଶାଇବାକୁ ଚାହିଁଛନ୍ତି ।
ଏହି ବାଦ ବିବାଦ ଭିତରେ ଉଦ୍ଧବଙ୍କ ଅଡିଅଳ ପଣକୁ ନେଇ ବିଜେପି ଏମଏନଏସ ନେତା ଠାକରେଙ୍କୁ ଖୋଲା ସମର୍ଥନ ଦେବା ଆରମ୍ଭ କରିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ନିକଟରେ ଏକ ଜନସଭାରେ ଉଦ୍ଧବ ସରକାରଙ୍କୁ କଡା ସମାଲୋଚନା କରିବା ସହ ରାଜ୍ ଠାକରେଙ୍କୁ ସମର୍ଥନ କରିବାରୁ ରାଜ୍ୟରେ ଆଗାମୀ ଦିନରେ ଏକ ନୂତନ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ଏମଭିଏ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଏମଏନଏସ ମୁଖ୍ୟ ଠାକରେଙ୍କୁ ଉପଯୋଗ କରୁଛି ବୋଲିି ଶିବସେନା ପକ୍ଷରୁ ଅଭିଯୋଗ ହେଲାଣି । ଆଜି ମହାରାଷ୍ଟ୍ରରେ ବିଜେପି ଓ ଏମଏନଏସ ଯେଉ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ଗତ ଏପ୍ରିଲ ମାସରେ ମହା ବିଷୁବ ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ଅବସରରେ କିଛି ବିଜେପି ଓ ଅଣ-ବିଜେପି ଶାସିତ ରାଜ୍ୟରେ ଏକାଭଳି ପରିସ୍ଥିତି ଦେଖିବାକୁ ମିଳି ଥିଲା । ସାଂପ୍ରଦାୟିକ ରାଜନୀତି ମାଧ୍ୟମରେ ହିଂସାର ବାତାବରଣ ସୃଷ୍ଟି କରାଯାଇଥିଲା ।
ଦିଲ୍ଲୀ ଜାହାଂଗିରପୁରୀ ହଂସା ଏହାର ଉଦାହରଣ । ବିଜେପି ଶାସିତ ରାଜ୍ୟରେ ନିର୍ବିର୍ରୋଧରେ ଯାହା ସବୁ ହେଉଛି ସେସବୁ ମହାରାଷ୍ଟ୍ରରେ ହିନ୍ଦୁତ୍ୱବାଦୀ ସଂଗଠନ ଶିବସେନାର ସରକାର ଥାଇ ସୁଦ୍ଧା ହୋଇପାରୁନି । ତାହା ହିଁ ବିଜେପିର ଗାତ୍ରଦାହର କାରଣ ହୋଇଛି । ତେଣୁ, ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଂଟ ମହା ଭିକାଶ ଅଘାଡିକୁ କ୍ଷମତାଚ୍ୟୁତ କରି କ୍ଷମତା ଦଖଲ କରିବା ବିଜେପିର ମୂଳ ଆଭିମୁଖ୍ୟ ହୋଇଛି । ତେଣୁ, ହିନ୍ଦତ୍ୱବାଦକୁ ମୁଖ୍ୟ ପ୍ରସଙ୍ଗ କରି ଦୁଇ ଠାକରେ ଭାଇ (ଉଦ୍ଧବ ଓ ରାଜ୍)ଙ୍କୁ ମୁହାଁମୁହିଁ କରିବା ଓ ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହେଲେ ସେଥିରୁ ରାଜନୈତିକ ଫାଇଦା ନେବା ଦିଗରେ ଭରପୁର ରାଜନୀତି ଚାଲିଛି । ‘ଆଜାନ୍’, ‘ଲାଉଡ ସ୍ପିକର’ ଓ ରାସ୍ତାରେ ନମାଜ ପାଠ ଭଳି ଅପ୍ରସଙ୍ଗଗୁଡିକୁ ପ୍ରସଙ୍ଗ କରି ଏମଏନଏସ ବିଜେପି ଆଢୁଆଳରେ ରହି ଛାୟାଯୁଦ୍ଧ ଚଳାଇଛି, ଯାହାକି ଉଦ୍ଧବ ବା ରାଜ୍ ଠାକରେଙ୍କ ପାଇଁ ଳାଭଦାୟକ ନୁହେଁ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS