ବିହାରୀ ବାବୁ ଏବେ ବିହାର ମୁହାଁ !


ପ୍ରସାଦ ରାଓ
ମଇ ୦୬
ଜାତୀୟ ରାଜନୀତିରେ ଘଡିକେ ଘୋଡା ଛୁଟିଥାଏ । ସେହିଭଳି କିଛି ଘଟିଛି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କ୍ଷେତ୍ରରେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଜେପିର ବିକଳ୍ପ ଭାବେ ଏକ ବିରୋଧୀ ରାଜନୈତିକ ମେଂଟ ଗଠନ ଦିଗରେ ସେ କାମ କରି ଆସୁଥିଲେ । ତେବେ, କଂଗ୍ରେସର ପୁନରୁଦ୍ଧାର ମାଧ୍ୟମରେ ଏହା ସମ୍ଭବ କହି ସେ ନିଜେ କଂଗ୍ରେସରେ ଯୋଗ ଦେବାକୁ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ପୁନରୁଦ୍ଧାର ଯୋଜନା କାର୍ଯ୍ୟଭାର ସମ୍ଭାଳିବାକୁ ଯେଉଁ ପ୍ରୟାସ କରୁଥିଲେ ସେଥିରେ ବିଫଳ ହେବା ପରେ ଏବେ ଏବେ ବିହାର ମୁହାଁ ହୋଇଛନ୍ତି । ନିଜ ରାଜନୀତି ବିହାରରେ ସୀମିତ ରଖିବାକୁ ଘୋଷଣା କରି ବିରୋଧୀ ମେଂଟ ଗଠନ ସମ୍ଭାବନାକୁ ବଡ଼ ଝଟ୍କା ଦେଇଛନ୍ତି । ୨୦୨୧ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପିକେଙ୍କୁ ନିର୍ବାଚନ ରଣନୀତିକାର ନିଯୁକ୍ତି ଦେଇ ନିର୍ବାଚନ ଲଢିଥିଲେ । ବିଜେପିର ସମସ୍ତ କୁଟୀଳ ଚାଲ୍ ସତ୍ତ୍ୱେ ନିର୍ବାଚନରେ ଟିଏମସିର ବିପୁଳ ବିଜୟ ହେଲା ଏବଂ ମମତା ଲଗାତର ତୃତୀୟ ଥର ପାଇଁ ବିପୁଳ ସଂଖ୍ୟା ହାସଲ କରି ମୁଖ୍ୟମନ୍ତ୍ରୀ ରହିଲେ ।ଅପରପକ୍ଷରେ, ବିଜେପି ବିଧାନସଭାରେ ତାହାର ସଂଖ୍ୟା ୩ରୁ ୭୭କୁ ବୃଦ୍ଧି କରିଥିଲେ ମଧ୍ୟ ବଂଗଳା ଦଖଲ ସ୍ୱପ୍ନ ସାକାର କରି ପାରିଲା ନାହିଁ । ବଂଗଳାରେ ଟିଏମସିର ଏହି ବିଜୟର ଶ୍ରେୟ ଯାଇଛି ପିକେଙ୍କୁ । ଫଳରେ ଜାତୀୟ ଗଣମାଧ୍ୟମରେ ସେ ଏକ ଚଚ୍ଚିତ ଚେହେରାରେ ପରିଣତ ହୋଇଛନ୍ତି ।
ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତୃବର୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯେଭଳି ଅପମାନିତ କରିଛନ୍ତି ତାହା ମମତା ଭୁଲି ନାହାନ୍ତି । ତେଣୁ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ରଖି ସେ ଜାତୀୟସ୍ତରରେ ଏକ ବିରୋଧୀ ମେଂଟ ଗଠନ କରିବାକୁ ଓ ତାହାର ନେତୃତ୍ୱ ନେବାକୁ ରଣନୀତି ପ୍ରସ୍ତୁତ ହବା ଚାହୁଁଛନ୍ତି । ଏଥିସକାଶେ ସେ ପିକେଙ୍କୁ ବ୍ୟବହାର କରୁଥିଲେ । ତେବେ, ପିକେ ବିରୋଧୀ ମେଂଟର ସର୍ଜନା କରୁ କରୁ କଂଗ୍ରେସ ମୁହାଁ ହୋଇ ଦଳରେ ଯୋଗ ଦେବାକୁ ଓ ଏକ ଦାୟିତ୍ୱପୂର୍ଣ୍ଣ ପଦବୀରେ ରହି କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ।
ଇତିମଧ୍ୟରେ ପିକେଙ୍କ କଂଗ୍ରେସରେ ଯୋଗଦେବା ସ୍ୱପ୍ନ ଅଧିପନ୍ତୁରିଆ ରହି ଯାଇଛି । ୨୦୨୪ ପାଇଁ ଏକ ବିରୋଧୀ ରାଜନୈତିକ ମେଂଟ ଗଠନ ପ୍ରୟାସ ମଧ୍ୟ ଲଟକି ଯାଇଛି । ପିକେ ଏବେ ନିଜ ରାଜ୍ୟ ବିହାରରୁ ରାଜନୀତିର ମୂଳଦୁଆ ପକାଇବା ଯୋଜନାରେ ଅଛନ୍ତି । ହଠାତ୍ ନୂଆ ଦଳ ନ ଗଢିଲେ ବି ଆସନ୍ତା ତିନିରୁ ଚାରି ବର୍ଷ ସେ ଦିଗରେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି । ନିଜ ସପକ୍ଷରେ ଅନୁକୂଳ ଜନମତ ସୃଷ୍ଟି କରିବାକୁ ସେ ବିହାରରେ ପଦଯାତ୍ରା କରିବା ଯୋଜନାରେ ଥିବା ପିକେ ଗୁରୁବାର ଦିନ ପାଟନାରେ ଘୋଷଣା କରି ଜାତୀୟସ୍ତରରେ ବିଜେପି ବିରୋଧରେ ଏକ ଜାତୀୟ ମେଂଟ ଗଠନ ପ୍ରକଳ୍ପରୁ ସାମୟିକ ଭାବେ ଦୂରେଇ ଯାଇଥିବାର ସ୍ପଷ୍ଟ ସୂଚନା ଦେଇଛନ୍ତି ।
ପିକେଙ୍କ ଯୋଜନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ ବିହାରରେ ତାଙ୍କ ପଦଯାତ୍ରା ଆରମ୍ଭ ହେବ । ସେ ରାଜ୍ୟରେ ତିନି ହଜାର କିଲୋମିଟର ପଦଯାତ୍ରା କରି ରାଜ୍ୟରେ ରାଜନୈତିକ ପରିବର୍ତ୍ତନର ଆବଶ୍ୟକତାକୁ ନେଇ ଜନମତ ସଂଗ୍ରହ କରିବେ । ପରେ ନିଜର ରାଜନୈତିକ ଦଳ ଗଠନ କରିବା କଥା ବିଚାର କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ (ରାଷ୍ଟ୍ରୀୟ ଜନତା ଦଳ) ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡ଼ିୟୁ) ସରକାର ତିନି ଦଶକ ଧରି ବିହାରକୁ ଶାସନ କରୁଥିଲେ ମଧ୍ୟ ବିହାର ସବୁ କ୍ଷେତ୍ରରେ ଦେଶରେ ସବୁଠାରୁ ପଛୁଆ ରାଜ୍ୟ ହୋଇ ରହିଛି । ତେଣୁ, ରାଜ୍ୟରେ ଏକ ଲୋକାଭିମୁଖୀ ସରକାର ପ୍ରତିଷ୍ଠାର ଆବଶ୍ୟକତାକୁ ନେଇ ସେ ପଦଯାତ୍ରା ଅବସରରେ ଜନମତ ସଂଗ୍ରହ କରିବେ ବୋଲି ପିକେ ଗୁରୁବାର ଦିନ ପାଟନାରେ ଗଣମାଧ୍ୟମକୁ କହିଛନ୍ତି । ଏଥିରୁ ତାଙ୍କ ରାଜନୈତିକ ମଇଦାନ ଜାତୀୟ ରାଜନୀତିରୁ ବିହାରକୁ ବଦଳି ଯାଇଥିବା ସ୍ପଷ୍ଟ ହେଉଛି । ଏହାସତ୍ତ୍ୱେ, ପିକେଙ୍କୁ ନିଜ ନିର୍ବାଚନ ରଣନୀତିକାର ରଖିବାକୁ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ (ପିକେଙ୍କ କଂଗ୍ରେସରେ ଯୋଗଦାନ ଉଦ୍ୟମ ବିଫଳ ହେବା ପରେ) ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ପିକେ କଂଗ୍ରେସ ନେତୃତ୍ୱ ସହ ଏପ୍ରିଲ ୨୭ରେ ଚୂଡାନ୍ତ ଆଲୋଚନାର ପୂର୍ବରୁ ହାଇଦ୍ରାବାଦରେ ଯାଇ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇପିଏସି (ଇଣ୍ଡିଆନ୍ ପଲିଟିକାଲ ଆକ୍ସନ କମିଟି) ତେଲେଂଗାନାରେ ଶାସକ ଟିଆରଏସ (ତେଲେଂଗାନା ରାଷ୍ଟ୍ରୀୟ ସମିତି) ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର କରାଇ ନେଇଛନ୍ତି । ପିକେ ଆଇପିଏସିର ପ୍ରତିଷ୍ଠାତା ହୋଇଥିଲେ ମଧ୍ୟ କଂଗ୍ରେସରେ ଯୋଗଦେବାକୁ ଥିବାରୁ ନିଜକୁ ଆଇପିଏସିଠାରୁ ନିଜକୁ ଅଲଗା କରି ନେଇଥିଲେ । ଯାହାକି କଂଗ୍ରେସ ନେତୃତ୍ୱ ଆଖିରେ ଛପି ପାରି ନାହିଁ ।
ପିକେଙ୍କ ଏହି ବହୁରୂପ ଚରିତ୍ର ହିଁ ତାଙ୍କୁ କଂଗ୍ରେସରେ ଯୋଗଦେବାରୁ ବଂଚିତ କରିଛି । କଂଗ୍ରେସ ନେତୃତ୍ୱ ତାଙ୍କୁ ଦଳରେ ନନେଇ ଗଠନ ହେବାକୁ ଥିବା ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି (ଏମ୍ପାୱାରଡ୍ ଆକ୍ସନ ଗୃପ-୨୦୨୪)ରେ ସଦସ୍ୟ ଭାବେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପିକେ ତାହାକୁ ଗ୍ରହଣ ନ କରି ସେ କଂଗ୍ରେସରେ ଯୋଗ ଦେଉନଥିବା ସେହି ଦିନ ‘ଟ୍ୱିଟ୍’ ମାଧ୍ୟମରେ ଜଣାଇ ଦେଇଥିଲେ । କଂଗ୍ରେସ ପକ୍ଷରୁ ଦଳର ଜନସଂପର୍କ ବିଭାଗ ମୁଖ୍ୟ ରଣଦୀପ ସିଂହ ସୂର୍ଯେ୍ୟୱାଲ ମଧ୍ୟ ପାଲଟା ‘ଟ୍ୱିଟ’ରେ ତାହାକୁ ସ୍ପଷ୍ଟ କରିଥିଲେ । ଦେଶର ବିଭିନ୍ନ ରାଜନୈତିକ ଦଳଙ୍କ ସହ ପିକେଙ୍କ ସହ ସଂପର୍କ ଥିବାରୁ ନିର୍ଦ୍ଧିଷ୍ଟ ଭାବେ ସେ କୌଣସି ଦଳର ଅନୁଗତ ରହିବେ ନାହିଁ ବୋଲି କଂଗ୍ରେସ ନେତୃତ୍ୱ ଅନୁଭବ କରିବା ପରେ ତାଙ୍କ କଂଗ୍ରେସରେ ଯୋଗଦାନ ଉଦ୍ୟମରେ ପୂର୍ଣ୍ଣଛେଦ ପକାଇ ଥିବା ବେଳେ ପିକେ କହୁଛନ୍ତି, ଶତାଧିକ ବର୍ଷ ପୂରାତନ କଂଗ୍ରେସ ହିଁ ଏକମାତ୍ର ଜାତୀୟ ଦଳ ଯିଏକି ବିଜେପିର ବିଜୟ ଯାତ୍ରାକୁ ରୋକିବାକୁ ସକ୍ଷମ । ଦଳର ସଂଗଠନରେ ଆମୂଳଚୂଳ ପରିବର୍ତ୍ତନ ଦ୍ୱାରା ଏହା ସମ୍ଭବ ହୋଇ ପାରିବ ।
ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳମାନେ ଏକାଠି ହେଲେ ସୁଦ୍ଧା କଂଗ୍ରେସର ସହାୟତା ବିନା ସେମାନେ ଫଳପ୍ରଦ ଭାବେ ବିଜେପିର ଜାତୀୟ ବିକଳ୍ପ ହେବା ସମ୍ଭବ ନୁହେଁ । ତେଣୁ, ସେ କଂଗ୍ରେସକୁ ପୁନଃ ସଂଗଠିତ କରି ଜାତୀୟ ସ୍ତରରେ ବିଜେପିର ଏକ ଫଳଦାୟୀ ବିକଳ୍ପ ଭାବେ ଠିଆ କରିବାକୁ ଗତିପଥ (ରୋଡମ୍ୟାପ୍) ପ୍ରସ୍ତୁତ କରିଛନ୍ତି । ଏଥିରେ ଗାନ୍ଧୀ ପରିବାରକୁ ନେଇ ବିଭିନ୍ନ ବିକଳ୍ପ ମଧ୍ୟ ରହିଛି । ଏଆଇସିସି ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ଜାତୀୟ ସାଧାରଣ ସଂପାଦିକା ପ୍ରିଙ୍କା ଗାନ୍ଧୀ ଭଦ୍ରାଙ୍କୁ କିଭଳି ଦଳର ସଂଗଠନରେ ସୁରକ୍ଷିତ ରଖାଯାଇ ସାଂଗଠନିକ ପୁନର୍ବିନ୍ୟାସ କରାଯିବ, ତାହା ପ୍ରଥମ ବିକଳ୍ପ ଥିବା ବେଳେ ଦ୍ୱିତୀୟ ବିକଳ୍ପ ରହିଛି – ଗାନ୍ଧୀ ପରିବାର ବାହାରୁ ଜଣକୁ କଂଗ୍ରେସ ସଭାପତି କରାଯାଇ ଗାନ୍ଧୀ ପରିବାର ହାତରେ କେବଳ ଦଳର ଡୋର ଧରାଇ ଦିଆଯିବା ।
ପିକେଙ୍କ ଏହି ଦୁଇ ବିକଳ୍ପକୁ ନେଇ ଦଳ ଭିତରେ ଲମ୍ବା ଚର୍ଚ୍ଚା ହେଲା ସିନା କଂଗ୍ରେସରେ ଥିବା ଗାନ୍ଧୀ ପରିବାରର ଏକାନ୍ତ ଅନୁଗତ ଗୋଷ୍ଠୀ ଅସୁରକ୍ଷା ଭାବ ଯୋଗୁଁ ପିକେଙ୍କ ଦୁଇ ବିକଳ୍ପ ସହ ସହମତ ହୋଇ ନଥିଲେ । ପିକେଙ୍କ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ମତବାଦ ନଥିବାରୁ ସେ କଂଗ୍ରେସରେ ପ୍ରବେଶ କରିବା ଦଳ ପାଇଁ କ୍ଷତିକାରକ ହୋଇପାରେ କହି ସେମାନେ ପିକେଙ୍କ ବାଟ ଓଗାଳି ଥିଲେ । ଅପରପକ୍ଷରେ, ପିକେ କଂଗ୍ରେସରେ ସାମିଲ ହୋଇ ଦଳକୁ ପୁନଃ ସଂଗଠିତ କରିବାକୁ ଯେଉଁ ୬୦୦ ପୃଷ୍ଠାର ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ତାହା ଏବେ କାର୍ଯ୍ୟକାରୀ ହେବା ସମ୍ଭାବନା କ୍ଷୀଣ । ଏପ୍ରିଲ ୨୭ ତାରିଖ ଦିନ ପିକେ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଉପସ୍ଥିତ ରହି ଘଂଟା ଘଂଟା ଧରି ଆଲୋଚନାରେ ଭାଗ ନେଇଥିଲେ, କଂଗ୍ରେସ ସଭାପତିଙ୍କୁ ରୋଡମ୍ୟାପ୍ ନେଇ ବିସ୍ତୃତ ଭାବେ ବୁଝାଇ ଥିଲେ । ତେବେ, କଂଗ୍ରେସ ମୁଖ୍ୟ ପିକେଙ୍କୁ କଂଗ୍ରେସରେ ସାିଲ କରି ଦଳର ପୁନର୍ଗଠନ ଦାୟିତ୍ୱ ଦେବା ବଦଳରେ ଅଧିକ ବିଚାର ବିମର୍ଷ ପାଇଁ ମେ’ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଉଦୟପୁରଠାରେ ‘ନବସଂକଳ୍ପ ଚେତନା ଶିବିର’ କରିବାକୁ ଘୋଷଣା କଲେ ।
ଏଥିସକାଶେ ଯେଉଁ ଉଚ୍ଚ କ୍ଷମତାସଂପନ୍ନ ଗୋଷ୍ଠୀ ବା ‘ଏମ୍ପାୱାରଡ୍ ଆକ୍ସନ ଗୃପ-୨୦୨୪’ ଗଠନ କରାଯିବ ବୋଲି କୁହାଗଲା ସେଥିରେ ଜଣେ ସଦସ୍ୟ ରହିବାକୁ ପିକେଙ୍କୁ ପ୍ରସ୍ତାବ ଦିଆଗଲା । ଯାହାକି ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା । ତେଣୁ, ପିକେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି । କଂଗ୍ରେସରୁ ଦୂରେଇବା ପରେ ପିକେଙ୍କ ପରବର୍ତ୍ତୀ ରଣନୀତି କଣ (!) ସେ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲି ଥିଲା ଗତକାଲି (ମେ’ ୫) ତାହାର ଅବସାନ ଘଟିଛି । କଂଗ୍ରସର ଦ୍ୱାର ସବୁ ଦିନ ପାଇଁ ବନ୍ଦ ହୋଇ ନାହିଁ ବୋଲି ପିକେ ଗଣମାଧ୍ୟମକୁ କାଲି କହିଥିଲେ । ତେବେ, ବିହାରରେ ପରିବର୍ତ୍ତନର ଆବଶ୍ୟକତା ଥିବାରୁ ଅକ୍ଟୋବରରୁ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଥିଲେ । ସେ ‘ନୟି ସୋଚ୍, ନୟି ପ୍ରୟାସ’ ନାମରେ ଯେଉଁ ମିଶନ ଆରମ୍ଭ କରିଛନ୍ତି ପଦଯାତ୍ରା ତାହାର ଏକ ଅଂଶ । ‘ଶୂନ’ରୁ ରାଜନୀତି ଆରମ୍ଭ କରି ଆସନ୍ତା ତିନିରୁ ଚାରି ବର୍ଷ ବିହାରରେ ଜନସଂପର୍କ ପଦଯାତ୍ରା କରିବେ ଏବଂ ‘ଜନ-ସୁରଜ’ (ଲୋକାଭିମୁଖୀ ଶାସନ)କୁ ନେଇ ଜନମତ ସଂଗ୍ରହ କରିବା ପରେ ଦଳ ଗଢିବେ । ଏଥିରୁ ପିକେ ନିଜକୁ ବିହାରରେ ସୀମିତ କରିବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି । ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତାଙ୍କ ହାତରେ ଲମ୍ବା ସମୟ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS