କିଏ ପ୍ରଭାବଶାଳୀ ? ନେତା ନା ପ୍ରଶାସକ ??


ପ୍ରସାଦ ରାଓ
ମଇ ୦୮
ଗଣତନ୍ତ୍ରର ତିନିଟି ସ୍ତମ୍ବ ହେଉଛନ୍ତି ବ୍ୟବସ୍ଥାପକ, ନ୍ୟାୟପାଳିକା ଓ ପ୍ରଶାସନ । ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ବ କୁହାଯାଉଛି । ଗଣମାଧ୍ୟମ କଥା ଛାଡନ୍ତୁ, ଅନ୍ୟ ତନିଟି ସ୍ତମ୍ବ ଭାରତୀୟ ସମ୍ବିଧାନ ଦ୍ୱାରା ସ୍ୱୀକୃତ । ସୁଶାସନ ପାଇଁ ଏହି ତିନିଟି ସ୍ତମ୍ବ ମଧ୍ୟରେ ଯେ ସମନ୍ୱୟ ରହିବା ଆବଶ୍ୟକ, ଏହା ଯେକେହି ସ୍ୱୀକାର କରିବ । ଆଜି ଦିନରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । କେହି କାହାର ଅସ୍ତିତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି । ସଂସଦ ଓ ବିଧାନସଭାରେ ସଂଖ୍ୟା ଅଧିକ ଥିଲେ ଶାସକ ଦଳ ବିରୋଧୀଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିବା ବେଳେ ପ୍ରଶାସନ ତାହାର ମୂଳ ଦାୟିତ୍ୱ ବା କର୍ତ୍ତବ୍ୟକୁ ପଛରେ ପକାଇ ସରକାରଙ୍କ ଗୋଡାଣିଆ ହୋଇ ରହିବା ଅଧିକ ନିରାପଦ ମଣୁଛି । ଆଉ, ନ୍ୟାୟପାଳିକା… ନିର୍ଭର କରୁଛି ବିଚାର ବିଭାଗୀ ଅଧିକାରୀଙ୍କ ନିଷ୍ପକ୍ଷତା ଉପରେ । ଏଭଳି ସ୍ଥିତିରେ ଚତୁର୍ଥ ସ୍ତମ୍ବ ନିରପେକ୍ଷ ନରହି ପକ୍ଷଭୁକ୍ତ ହୋଇଯାଇଛି । ଏଭଳି ବିଚିତ୍ର ସ୍ଥିତିରେ ସମସ୍ତେ ନିଜ ନିଜ ପ୍ରଭାବ ଜାହିର କରିବାରେ ବ୍ୟସ୍ତ । ଫଳରେ, ଯେଉଁ ଦ୍ୱନ୍ଦ୍ୱଯୁଦ୍ଧ ଦେଖା ଦେଇଛି ତାହା କେବଳ ଗଣତନ୍ତ୍ରକୁ ନୁହେଁ, ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରିଛି ।
ପୂର୍ବରୁ କେନ୍ଦ୍ର ହେଉ ବା ରାଜ୍ୟରେ, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ପ୍ରତି ଜନସାଧାରଣରେ ସମ୍ମାନବୋଧ ଥିଲା । ନିର୍ବାଚିତ ପ୍ରତିନିଧିମାନେ ନିଜକୁ ଜନତାର ସେବକ ବୋଲି ଭାବୁଥିଲେ । ତାହାଦ୍ୱାରା କେବଳ ସାଧାରଣ ଜନତା ନୁହନ୍ତି, ପ୍ରଶାସକମାନେ ମଧ୍ୟ ସଂଭ୍ରମତା ରକ୍ଷା କରିବାକୁ ବାଧ୍ୟ େହେଉଥିଲେ । ନିର୍ବାଚିତ ପ୍ରତିନିଧି ମଧ୍ୟ ଭୋଟରଙ୍କ ପ୍ରତି ସଂବେଦନଶୀଳ ରହିବା ସହ ଆବଶ୍ୟକ ସ୍ଥଳେ ପ୍ରଶାସକଙ୍କୁ ତାଗିବ କଲେ ତାହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ବିଚାର କରାଯାଉ ନଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ପ୍ରଶାସକଙ୍କ ମନରେ ସମ୍ମାନ ଓ ଭୟ ରହୁଥିଲା । ସରକାରଙ୍କ ଦ୍ୱାରା ଘୋଷିତ ନୀତି ନିୟମର ଗଗର୍ଡି ଭିତରେ ପ୍ରଶାସନ କାର୍ଯ୍ୟ କରିବାକୁ ବାଧ୍ୟ ଥିଲା । ଏବେ କିନ୍ତୁ ଉଭୟ ବ୍ୟବସ୍ଥାପକ ଓ ପ୍ରଶାସକ ବଳ କଷାକଷି ହୋଇ ନିଜ ନିଜ କ୍ଷମତା ଜାହିର କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି । ଶାସନ ଡୋର ପ୍ରଶାସନ ହାତକୁ ଚାଲି ଯାଇଛି ।
ନିର୍ବାଚିତ ପ୍ରତିନିଧିମାନେ ସେବକ ବଦଳରେ ବାହୁବଳୀ ଭଳି ବ୍ୟବହାର କରୁଥିବା ବେଳେ ସ୍ଥଳ ବିଶେଷରେ ପ୍ରଶାସକମାନେ ମଧ୍ୟ ବହୁବଳୀର ଆଚରଣ ଦେଖାଉଛନ୍ତି । ସାଧାରଣ ଜନତା ନ୍ୟାୟ ପାଇବାକୁ ନ୍ୟାୟପାଳିକା ଉପରେ ଅଧିକ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଛନ୍ତି । ନ୍ୟାୟପାଳିକା ତ ମୂଳରୁ ଅନ୍ଧ । ଆଖିରେ ଅନ୍ଧପୁଟୁଳି ବାନ୍ଧି ଥିବା ବିଚାର ବ୍ୟବସ୍ଥା ତଥ୍ୟ, ପ୍ରମାଣ ଆଧାରରେ ନିର୍ଣ୍ଣୟ ନେବାର ଅଧିକାରୀ ଥିବା ବେଳେ ବାହୁବଳୀଙ୍କ ଶାସନ ବିଚାର ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିବାର ସୁଯୋଗ ହାତଛଡା କରୁ ନାହିଁ । ସରକାରୀ କଳ ଦ୍ୱାରା ଉପସ୍ଥାପିତ ତଥ୍ୟ, ପ୍ରମାଣ ଅନେକ କ୍ଷେତ୍ରରେ ନ୍ୟାୟପାଳିକାକୁ ବାଟବଣା କରି ପାରୁଛି । ଅତିକ୍ରମଣ ହଟାଇବା ବା ଗୁଣ୍ଡାଙ୍କୁ ଦମନ କରିବା ନାମରେ ନ୍ୟାୟପାଳିକାକୁ ଏଡାଇ ବୁଲଡୋଜର ବ୍ୟବହାର ସଂସ୍କୃତି ଆଜି ଦିନରେ ଏକପ୍ରକାର ଗ୍ରହଣୀୟ ହେଲାଣି । ବୁଲଡୋଜର ଚଳାଇବା ପାଇଁ କିଏ ମନ୍ଦିର ଭିତରେ ମସଜିଦ ଖୋଜୁଛି ତ ଆଉ କିଏ ମସଜିଦ ଭିତରେ ମନ୍ଦିର । ‘ଯାହା ହାତରେ ଛୁରୀ, ତା’ ହାତରେ କାକୁଡ଼ି’ ନ୍ୟାୟରେ ଶାସନ ବ୍ୟବସ୍ଥା ଚାଲି ଥିବାରୁ ସମ୍ବିଧାନ ଓ ଭାଇଚାରା ପଣ ବିଳୁପ୍ତ ହେବାକୁ ବସିଲାଣି ।
ଆଜି ଦିନରେ ଦେଶରେ ବ୍ୟବସ୍ଥାପକ ଓ ପ୍ରଶାସକଙ୍କ ମଧ୍ୟରେ ସଂପର୍କରେ କିଭଳି ଅଧୋଗତି ଘଟିଛି ତାହାର ବହୁ ଉଦାହରଣ ଥିଲେ ମଧ୍ୟ ଆମେ ନିକଟରେ ଓଡ଼ିଶାର ଦେବଗଡ଼ ଓ ନବରଂଗପୁର ଜିଲ୍ଲାରେ ଘଟି ଥିବା ଦୁଇଟି ଘଟଣାକୁ ଆଲୋଚନାକୁ ନେଇ ପାରିବା । ଦେବଗଡ଼ ଜିଲ୍ଲାରେ ଜଣେ ବିରୋଧୀ ବିଧାୟକ (ସୁବାସ ପାଣିଗ୍ରାହୀ) କୌଣସି କାର୍ଯ୍ୟ ବଶତଃ ସେଠାକାର ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ)ଙ୍କୁ ଭେଟିବାକୁ ଚାହିଁଲେ । ବିଡ଼ିଓଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇବା ବଦଳରେ ଭେଟିବା ପାଇଁ ସମୟ ମାଗିଲେ । ବିଡ଼ିଓ ମହୋଦୟ ବିଧାୟକଙ୍କୁ ସମ୍ମାନ ଜଣାଇ ଭେଟିବେ କଣ, କାର୍ଯ୍ୟବ୍ୟସ୍ତ ଥିବା ଦର୍ଶାଇ ବିଧାୟକଙ୍କୁ ସମୟ ନଦେଇ ବାରଦାଣ୍ଡ ବୁଲାଇଲେ । ଏହା ପର ଘଟଣା କାହାରିକୁ ଅଛପା ନାହିଁ । ସରକାରୀ କାର୍ଯ୍ୟରେ ବ୍ୟସ୍ତ ବିଡ଼ିଓଙ୍କୁ ବିଧାୟକ ଓ ତାଙ୍କ ସମର୍ଥକମାନେ ଗାଳିଗୁଲଜ କରିଥିବା ଓ ମାଡ ମାରିଥିବା ପୁଲିସରେ ଏତଲା ହେଲା । ବିଧାୟକ ମଧ୍ୟ ବିଡ଼ିଓଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କଲେ । ଏଠି ପ୍ରଶାସନର ଦାୟିତ୍ୱ ଥିଲା ଘଟଣାର ତଦନ୍ତ କରାଇ ଯିଏ ଦୋଷୀ ତାହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।
କିନ୍ତୁ ହେଲା କଣ ? ବିଧାୟକଙ୍କ ଏତଲାକୁ ପୁଲିସ ଗୁରୁତ୍ୱ ନ ଦେଇ ବିଡ଼ିଓଙ୍କ ଏତଲା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ବିଧାୟକ ମହୋଦୟଙ୍କୁ ରାଜଧାନୀସ୍ଥିତ ବାସଭବନରୁ ଉଠାଇ ନିଆ ଗଲା । ବିଧାୟକ ହଠାତ ଅସୁସ୍ଥ ହେବା ଦେଖି ତାଙ୍କ ଚିକିତ୍ସା କରାଯିବା ପରେ ଅଦାଲତରେ ହାଜର କରି ଜେଲ୍ ପଠାଇ ଦିଆଗଲା । ବିଧାୟକ ଜଣକ ଏବେ ଜାମିନରେ ଆସିଛନ୍ତି । ଅପରପକ୍ଷରେ, ତିଲେଇବାଣି ବିଡ଼ିଓଙ୍କ ବିରୋଧରେ ବିଧାୟକ ପ୍ରଥମେ ଥାନାରେ ଏତଲା ଦେଇଥିବା ଦାବି କରୁଥିବା ବେଳେ ପୁଲିସ ବିଡ଼ିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହିଁ । ବିଧାୟକ ଜଣକ ରାଜ୍ୟର ମୁଖ୍ୟ ବିରୋଧୀ ଦଳ (ବିଜେପି)ର ହୋଇଥିବାରୁ ଦଳ ପୁଲିସ ବିରୋଧରେ ଦୋଗଲା ଆଚରଣ ଅଭିଯୋଗ ଆଣି ଥାନା ଓ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।
ତିଲେଇବାଣି ବିଡ଼ିଓ ଗିରଫ ନହେବା ଯାଏଁ ଅନ୍ଦୋଳନ ଜାରି ରହିବ ବୋଲି ବିଜେପି ଘୋଷଣା କରିଥିବା ବେଳେ ଶାସକ ଦଳ ଉପରେ ତାହାର କୌଣସି ପ୍ରଭାବ ନାହିଁ । ଓଲଟା, ବିଧାୟକଙ୍କୁ ଗିରଫ କରାଯିବା ଆଇନ ଅନୁସାରେ ଠିକ୍ ଥିଲା ବୋଲି ବିଜେଡ଼ି ନେତୃବର୍ଗ ଯୁକ୍ତି ରଖିଛନ୍ତି । ବିଧାୟକଙ୍କ ଗିରଫ ଘଟଣାକୁ ନେଇ ରାଜ୍ୟ ବିଧାନସଭା ବାଚସ୍ପତି ମଧ୍ୟ ନିରବ । ପୁଲିସ ତାଙ୍କ ଅନୁମତି ନେଇ ଦେବଗଡ଼ ବିଧାୟକଙ୍କୁ ରାଜଧାନୀରୁ ଉଠାଇ ଥିଲେ କି ଅନ୍ୟ ସାଧାରଣ ଲୋକଙ୍କୁ ଉଠାି ନେଲା ଭଳି ବିଦାୟକଙ୍କୁ ମଧ୍ୟ ନେଇ ଯାଇଥିଲେ ସେ ନେଇ କୌଣସି ଗଣମାଧ୍ୟମ ବାଚସ୍ପତିଙ୍କୁ ପ୍ରଶ୍ନ କରି ନାହାନ୍ତି । ବିଧାୟକ ଓ ବିଡ଼ିଓଙ୍କ ମଧ୍ୟରୁ କିଏ କାହାକୁ ପ୍ରଥମେ ଦୁର୍ବ୍ୟବହାର କଲା, ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶାସକ ଦଳର ବିଡ଼ିଓଙ୍କ ପ୍ରତି ଦରଦ ଆଗାମୀ ଦିନରେ ପ୍ରଶାସନକୁ ଅଧିକ ସ୍ୱେଚ୍ଛାଚାରୀ କରିବା ନିଶ୍ଚିତ ହୋଇଯାଇଛି । ଗୋଟିଏ ପଟେ ଶାସକ ଦଳ ଏବଂ ଅନ୍ୟପଟେ ଓଏଏସ ସଂଘର ସମର୍ଥନ ସଂପୃକ୍ତ ବିଡ଼ିଓଙ୍କୁ ଏତେ ଶକ୍ତିଶାଳୀ କରିଛି ଯେ ଆଗାମୀ ଦିନରେ କେହି ମୁହଁ ଉଠାଇ ବିଡ଼ିଓଙ୍କୁ ପ୍ରଶ୍ନ କହିବାକୁ ସାହାସ କରିବେ ନାହିଁ ।
ଦ୍ୱିତୀୟ ଘଟଣାଟି ହେଉଛି ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର । ସେଠି ମଧ୍ୟ ରାଜ୍ୟର ଜଣେ ବରିଷ୍ଠ ବିଧାୟକ (କଂଗ୍ରେସ)ଙ୍କୁ ବିଡ଼ିଓ ଆଙ୍ଗୁଠି ଦେଖାଇ ଯୁକ୍ତିତର୍କ କରିବାକୁ ସାହାସ କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ବିଧାନସଭାରେ ହାଂଗାମା କରିବା ଏବଂ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢି ମାଇକ୍ ଘୋଷାଡି ନେବାରେ ଦକ୍ଷତା ରଖି ଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲ୍ଲିକ ଦ୍ୱାରା ଅପମାନିତ ହୋଇଥିବା ଅଭିଯୋଗ ଚର୍ଚ୍ଚାକୁ ଆସିଥିଲ ମଧ୍ୟ ମାମଲା ଥାନାକୁ ଯାଇ ନାହିଁ । ଘଟଣା ସଂପର୍କରେ ଯାହା ଆଲୋଚନା ହେଉଛି, ଜୟପୁର ବିଧାୟକ ବାହିନୀପତି ଗତ ଗୁରୁବାର ଦିନ ବ୍ଲକ ପ୍ରଶାସନ ବିରୋଧରେ ବିଭିନ୍ନ ଅଭିଯୋଗ ଉଠାଇ ନିଜ ସମର୍ଥକଙ୍କ ସହ ପାପଡାହାଣ୍ଡି ବ୍ଲକରେ ଧାରଣାରେ ଦେଇଥିବା ବେଳେ ବିଡ଼ିଓ ରଂଜିତା ମଲ୍ଲିକ ସେମାନଙ୍କ ସହ ଆଲୋଚନା ନକରି ମଧ୍ୟାହ୍ନ ଭୋଜନ ପାଇଁ ବାହାରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଡ଼ିଓଙ୍କ ଆଚରଣ ତାଙ୍କୁ ଅପମାନିତ କରିଛି ବୋଲି ବିଧାୟକ ବାହିନୀପତି ଦାବି କରିବା ସହ ବିଡ଼ିଓଙ୍କୁ ରେକିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ସୂଚନା ମିଳିଛି । ବିଡ଼ିଓଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଜୟପୁର ବିଧାୟକ ଆକ୍ଷେପ କରିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା କୁହାଯାଉଛି ।
ପୁଲିସ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡି ଥିଲେ ସୁଦ୍ଧା ହନୁମାନଙ୍କ ଲାଂଗୁଡରେ ନିଆଁ ଲଗାଇଲା ଭଳି ଡ଼ାବୁଗାଁର ବିଧାୟକ ମନୋହର ରଂଧାରୀ ବିବାଦ ଭିତରକୁ କୁଦିଛନ୍ତି । ରଂଧାରୀ ହେଉଛନ୍ତି ବିଜେଡ଼ି ବିଧାୟକ । ତାହା କୋରାପୁଟ ଜିଲ୍ଲାର ବିଧାୟକ ହୋଇ ନବରଂଗପୁର ଜିଲ୍ଲା ରାଜନୀତିରେ ପ୍ରବେଶ କରିବା ଓ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇ ବିଡ଼ିଓଙ୍କ ସହ ଉଚ୍ଚବାଚ ହେବା ରଂଧାରୀ ସମ୍ଭାଳନ୍ତେ ବା କେମିତି ? ଜୟପୁର ବିଧାୟକ ବାହିନୀପତି ‘ଭାଲୁ ବାହିନୀପତି’ ନାମରେ ଓଡ଼ିଶାର ଗଣମାଧ୍ୟମରେ ବେଶ୍ ପରିଚିତ । ତେଣୁ ରଂଧାରୀ ତାରାଙ୍କୁ ଆକ୍ଷେପ କରି ସେ ‘ଭାଲୁ’ ହେଲେ ମୁଁ (ରଂଧାରୀ) ‘ବାଘ’ ବୋଲି ହୁଂକାର ଛାଡିଛନ୍ତି । ବାଘ ରହୁଥିବା ସ୍ଥାନରେ ଭାଲୁ କିଛି କରି ପାରିବ ନାହିଁ ବୋଲି ସେ ତାରାଙ୍କୁ ତାତ୍ସଲ୍ୟ କରି କହିଛନ୍ତି । ବିଡ଼ିଓଙ୍କ ଦୁର୍ନୀତି ସଂପର୍କରେ ତାରାଙ୍କ ନିକଟରେ କି ପ୍ରମାଣ ଅଛି (?) ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
ଜୟପୁର ବିଧାୟକ ପାପଡାହାଣ୍ଡି ବିଡ଼ିଓଙ୍କୁ ଦଳିତ ବୋଲି ଆକ୍ଷେପ କରିଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବାରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ଭିଡ଼ିଓ ଆଧାରରେ ବାହିନୀପତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଡ଼ାବୁଗାଁ ବିଧାୟକ ରଂଧାରୀଙ୍କ ଦାବି ରାଜନୈତିକ ଦୃଷ୍ଟିକୋଣରୁ ଠିକ୍ ହୋଇ ପାରେ, କିନ୍ତୁ ଜଣେ ବ୍ୟବସ୍ଥାପକ ଭାବେ ଅନ୍ୟ ଜଣେ ବ୍ୟବସ୍ଥାପକଙ୍କୁ ଆକ୍ଷେପ କରି ଜଣେ କନିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମର୍ଥନରେ ମଇଦାନକୁ କୁଦିବା କେତେଦୂର ଯଥାର୍ଥ (?) ବୋଲି ପ୍ରଶ୍ନ ହେଉଛି । ରଂଧାରୀଙ୍କ ରାଜନୈତିକ ସମର୍ଥନ ପାଇବା ପରେ ସଂପୃକ୍ତ ବିଡ଼ିଓ ଅଧିକ ସ୍ୱେଚ୍ଛାଚାରୀ ହେବାର ବାଟ ଖୋଲିଛି । ଗତ ଜାନୁୟାରୀ ମାସରେ ମୟୁରଭଂଜ ଜିଲ୍ଲାରେ ମଧ୍ୟ ସାଂସଦ-ଅଫିସର ମାରପିଟ ଘଟଣା ଘଟି ଥିଲା । ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ସମୀକ୍ଷା ବୈଠକ ନାମରେ ନିଜ ଦପ୍ତରକୁ ଡାକି ମାଡ଼ ମାରି ଥିବା ଏତଲା ହେବାରୁ ବାରିପଦା ଟାଉନ ଥାନା ପୁଲିସ ଆଇପିସିର ବିଭିନ୍ନ ଦଫାରେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଗିରଫ ଭୟରେ ମନ୍ତ୍ରୀ କିଛି ଦିନ ଦିଲ୍ଲୀ ପଳାଇବା ପରେ ଓଡ଼ିଶା ହାଇକୋର୍ଟରୁ ଆଗୁଆ ଜାମିନରେ ଅଛନ୍ତି ।
କେବଳ ବିଜେପି ନୁହେଁ, ବିଜେଡ଼ିରେ ମଧ୍ୟ ବାହୁବଳୀ ବିଧାୟକଙ୍କ ଅଭାବ ନାହିଁ । ଗତ ମାର୍ଚ୍ଚ ମାସରେ ଚିଲିକା ବିଧାୟକ (ବିଜେଡ଼ି) ପ୍ରଶାନ୍ତ ଜଗଦେ୍ଦବ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲି ଥିବା ବେଳେ ନିଜେ ଚଳାଉ ଥିବା ଗାଡି ବିଜେପି ସମର୍ଥକଙ୍କ ଉପରେ ମଡାଇ ଦେବାରୁ ଅନ୍ୟୁନ ୧୦ ଜଣ ଗୁରୁତର ବିଜେପି ସମର୍ଥକ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ବିଧାୟକଙ୍କ ନିସ୍ତୁକ ମାଡ଼ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ପୁଲିସ ବିଧାୟକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଗିରଫ କରି ଜେଲ ପଠାଇ ଥିଲେ । ବିଧାୟକ ଏବେ ଜାମିନରେ ଆସିଛନ୍ତି । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏକ୍ଷେତ୍ରରେ ମଧ୍ୟ ଆଇନ ତା’ ବାଟରେ କାମ କରୁଥିବା ବିଜେଡ଼ି କହିଛି । ସବୁ ଘଟଣାକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆଜି ଦିନରେ ପ୍ରଶାସନ ଓ ବ୍ୟବସ୍ଥାପକ ଆଉ ଲଗାମ ଭିତରେ ରହିବାକୁ ଚାହୁଁ ନାହାନ୍ତି । ଦଳଙ୍କୁ ନେଇ ଚାଲି ଥିବା ରାଜନୀତିରେ ଆଉ ସଂଭ୍ରମତା ଓ ପରସ୍ପର ପ୍ରତି ସମ୍ମାନବୋଧ ନାହିଁ । ‘ଜୋର୍ ଯାହାର ମୁଲକ ତାହାର’ ନ୍ୟାୟରେ ଶାସନ ବ୍ୟବସ୍ଥା ଚାଲିଛି । ଅରାଜକତା ଯେଭଳି ବ୍ୟାପୁଛି ଆଗାମୀ ଦିନରେ ତାହା ଗଣତନ୍ତ୍ରର ଏହି ଦୁଇ ସ୍ତମ୍ବକୁ ଅଧିକ ସ୍ୱେଚ୍ଛାଚାରୀ କରିବା ନିଶ୍ଚିତ । ଏହାଦ୍ୱାରା ସାଧାରଣ ଜନତା ହିଁ କ୍ଷତିଗ୍ରସ୍ତ ହେବେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS