ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ତିନି ଦିନ ବର୍ଷା !
ପ୍ରସାଦ ରାଓ
ମଇ ୦୯
ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରୁ ଆକାଶ ମେଘାଚ୍ଛନ ରହିବା ସହ ସାମାନ୍ୟ ବର୍ଷା ହୋଇଥିବା ବେଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୧୦ରୁ ୧୩ ତାରିଖ ତିନି ଦିନ ଧରି ବର୍ଷା ଓ ପବନ ଲାଗି ରହିବ ବୋଲି ଆଇଏମଡ଼ି ଦ୍ୱାରା ଜାରି ପାଣିପାଗ ବୁଲେଟିନରୁ ଜଣାପଡିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ହେଉଛି ଚଳିତ ବର୍ଷ ପ୍ରଥମ ବାତ୍ୟା । ସିଂହଳି ଭାଷାରେ ଏହାର ନାମକରଣ ହୋଇଛି । ଶ୍ରୀଲଙ୍କା ବାତ୍ୟାର ନାମକରଣ କରିଥିବା ବେଳେ ସିଂହଳି ଭାଷାରେ ‘ଅସାନି’ର ଅର୍ଥ ହେଉଛି ‘ପ୍ରଚଣ୍ଡ କ୍ରୋଧ’ । ଗତକାଲି ‘ଅସାନି’ ଭୀଷଣ ବାତ୍ୟାର ରୂପ ନେବା ପରେ ଘଂଟାକୁ ୨୫ କିମି ବେଗରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଭୋର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । କାର ନିକୋବର (ନିକୋବର ଦ୍ୱୀପପୁଂଜ)ର ପଶ୍ଚିମ-ଉତ୍ତର ପଶ୍ଚିମରେ ଏହା ପ୍ରାୟ ୮୭୦ କିମି, ପୋର୍ଟବ୍ଲେଆର (ଆଣ୍ଡାମାନ ଦ୍ୱୀପପୁଂଜ)ର ପଶ୍ଚିମ-ଉତ୍ତର ପଶ୍ଚିମରେ ୭୩୦ କିମି, ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ)ର ଦକ୍ଷିଣ-ପୂର୍ବରେ ୫୫୦ କିମି ଓ ପୁରୀ (ଓଡ଼ିଶା)ର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୮୦ କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ହୋଇଛି । ମଂଗଳବାର ପର୍ଯ୍ୟନ୍ତ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳର ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଂଚିବା ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତିପଥ ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ଦେଇ ସମୁଦ୍ର ଭିତରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି । ବାତ୍ୟା ଭୀଷଣ ରୂପ ଧରି ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡକୁ ମୁହାଁଇ ଥିଲେ ମଧ୍ୟ ଆନ୍ଧ୍ର ବା ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ ବୋଲି ଆଇଏମଡ଼ିର ପୂର୍ବାନୁମାନ ଓଡ଼ିଶା ଉପକୂଳ ଅଧିବାସୀଙ୍କୁ ଆଶ୍ୱସ୍ତ କରିଛି । ତେବେ, ‘ଅସାନି’ ଓଡ଼ିଶା ଉପକୂଳ ସହ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବାକୁ ଥିବାରୁ ଓଡ଼ିଶାରେ ତାହାର ପ୍ରଭାବ ରହିବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ବାତ୍ୟା ସମୁଦ୍ର ମଧ୍ୟରେ ପାଶ୍ୱର୍ବର୍ତ୍ତୀ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଂଚିବା ଅନୁମାନ କରାଯାଉଛି । ଆସନ୍ତା ୪୮ ଘଂଟା ମଧ୍ୟରେ ‘ଭୀଷଣ ବାତ୍ୟା’ ଦୁର୍ବଳ ହୋଇ ‘ବାତ୍ୟା’ରେ ପରିଣତ ହେବ ଏବଂ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦିଗରେ ଯିବା ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ । ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଓଡ଼ିଶା ଉପକୂଳ ସହସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତ କରିବାକୁ ଥିବାରୁ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ୧୦ରୁ ୧୩ ତାରିଖ ଯାଏଁ ପବନ ଓ ବର୍ଷା ଲାଗି ରହିବ । ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଧିକ ପ୍ରଭ୍ରାବ ରହିବା ଆଶଙ୍କା କରି ରାଜ୍ୟ ସରକାର ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ବାତ୍ୟା ପୁରୀ ଉପକୂଳଠାରୁ ସମୁଦ୍ର ଭିତରେ ୯୦ରୁ ୧୦୦ କିମି ଦୂରରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାକୁ ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘଂଟାକୁ ୫୦ କିମି ବେଗରେ ପବନ ବହିବା ଏବଂ ସ୍ୱଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ଭୀଷଣ ବର୍ଷା ହେବାର ଆଶଙ୍କା କରାଯାଉଛି । ଅଇଏମଡ଼ିର ପୂର୍ବାନୁମାନ ଅନୁଯାୟୀ ଗଜପତି, ଗଂଜାମ ଓ ପୁରୀ ଜିଲ୍ଲାରେ ମେ’ ୧୦ ତାରିଖ, ଗଂଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ମେ’ ୧୧ ତାରିଖ ଏବଂ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମେ’ ୧୨ ତାରିଖରେ ପବନ, ବର୍ଷାର ଲାଗି ରହିବ । କେତେକ ସ୍ଥାନରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଇଛି । ତେବେ, ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS