ଅନୁମତି ନଥାଇ ଶ୍ରୀମନ୍ଦିର ନିଷିଦ୍ଧାଂଚଳରେ ନିର୍ମାଣ କାର୍ଯ୍ୟ ଚାଲିଛି-ଏଏସଆଇ
ପ୍ରସାଦ ରାଓ
ମଇ ୦୯
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ଓଡ଼ିଶା ହାଇକୋର୍ଟରେ ଶୁଣାଣୀ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ପରିଧି ଅଂଚଳ ଆମସାର୍ ଆଇନ ଅନୁଯାୟୀ ‘ନିଷିଦ୍ଧାଂଚଳ’ ହୋଇଥିବାରୁ ସଂପୃକ୍ତ ଅଂଚଳରେ ଯେକୌଣସି ଖନନ ବା ନିର୍ମାଣ କାର୍ଯ୍ୟ ପାଇଁ ଏଏସଆଇର ପୂର୍ବାନୁମତି ଆବଶ୍ୟକ । ତେବେ, ଓଡ଼ିଶା ସରକାର ଏଏସଆଇର (ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ) ଅନୁମୋଦନ ନନେଇ ଶହେ ମିଟର ନିଷିଦ୍ଧାଂଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ଆଜି ଏଏସଆଇ ପକ୍ଷରୁ ମାମଲାର ଶୁଣାଣୀ କରୁଥିବା ହାଇକୋର୍ଟ ବେଂଚ ନିକଟରେ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି । ଆମସାର୍ (ଆନସିଏଂଟ୍ ମନୁମେଂଟସ୍ ଏଣ୍ଡ ଆର୍କୋଲୋଜିକାଲ୍ ସାଇଟସ୍ ଏଣ୍ଡ ରିମେନ୍ସ) ଆଇନ, ୧୯୫୮ ଅନୁଯାୟୀ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଶହେ ମିଟର ପରିଧି ଭିତରେ ଯେକୌଣସି ଖନନ ଓ ନିର୍ମାଣ କାର୍ଯ୍ୟ ପାଇଁ ଏଏସଆଇର ପର୍ବାନୁମତି ଥିବା ଆବଶ୍ୟକ ଥିବା ବେଳେ ଓଡ଼ିଶା ସରକାର ଏଏସଆଇର ଅନୁମତି ନଥାଇ ଖନନ ଓ ନିର୍ମାଣ କାର୍ଯ୍ୟ ଚଳାଇ ଥିବା ଅଭିଯୋଗ ହୋଇଥିଲା । ଆଇନର ଉଲଂଘନ କରାଯାଇ ଚାଲି ଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରାଯିବାକୁ ଓଡ଼ିଶା ହାଇକୋର୍ଟରେ ଆବେଦନ କରାଯାଇଥିଲା । ହାଇକୋର୍ଟ ବେଂଚ ଶ୍ରୀମନ୍ଦିର ନିକଟରେ ହୋଇଥବା ଖନନ ଓ ଚାଲିଥିବା ନିର୍ମାଣ କାର୍ଯ୍ୟର ବିସ୍ତୃତ ଅନୁଧ୍ୟାନ କରି ଏହାର ସମ୍ଭାବ୍ୟ ପ୍ରଭାବ କଣ ରହିବ ତାହା ଉପରେ ବିସ୍ତୃତ ଭାବେ ଏକ ସତ୍ୟପାଠ ଦାଖଲ କରିବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ୯ ତାରିଖ ଦିନ ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିବାରୁ ଏଏସଆଇ ବିଶେଷଜ୍ଞ ଦଳ ନିକଟରେ ପୁରୀ ଯାଇ ଶ୍ରୀମନ୍ଦିର ଚାରି ପାଖ ଶହେ ମିଟର ପରିଧିରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟର ସବିଶେଷ ଅନୁଧ୍ୟାନ କରିବା ସହ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଏସଆଇର ଅନୁମୋଦନ ନଥାଇ ରାଜ୍ୟ ସରକାର ଖନନ ଓ ନିର୍ମାଣ କାର୍ଯ୍ୟ କରୁଥିବା ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ୍ ଜେନେରାଲ ଆଜିର ଶୁଣାଣୀ ସମୟରେ ହାଇକୋର୍ଟ ବେଂଚ୍ ନିକଟରେ ହାଜର ହୋଇ ଶୌଚାଳୟ ଭଳି କିଛି ଛୋଟ ଧରଣର ନିର୍ମାଣ କାର୍ଯ୍ୟ ପାଇଁ ଏଏସଆଇ ବା ଏନଏମଏଠାରୁ ବିଧିବଦ୍ଧ ଭାବେ ଅନୁମତିର ନେବାର ଆବଶ୍ୟକତା ନାହିଁ ବୋଲି ଯୁକ୍ତି ରଖିଥିଲେ । ହାଇକୋର୍ଟ ବେଂଚ ମାମଲାର ପରବର୍ତ୍ତୀ ଶୁଣାଣୀ ଜୁନ ୨୦ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଓଡ଼ିଶା ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଏନଏମଏର ଅନୁମତି ଥାଇ ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଦାବି କରୁଥିଲେ । ଆଜି ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଜିଲ୍ଲା ପ୍ରଶାସନର ଦାବିକୁ ମିଥ୍ୟା ପ୍ରମାଣିତ କରିଛି । ପ୍ରଥମେ ଭୁବନେଶ୍ୱର ସାଂସଦ (ବିଜେପି) ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏଏସଆଇର ବିନା ଅନୁମୋଦନରେ ଓ ଆମସାର୍ ଆଇନର ଉଲଂଘନ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଥିଲେ ଏବଂ ଏହା ତୁରନ୍ତ ବନ୍ଦ କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । ନିକଟରେ ସେ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କା ବନ୍ଦ କରାଯିବାକୁ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ତେବେ, ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ କିଛି ଛୋଟ ମୋଟ ନିର୍ମାଣ କାର୍ଯ୍ୟ ଚାଲି ଥିବା କହି କଥାକୁ ହାଲକା କରିବାକୁ ଉଦ୍ୟମ କରିଥିଲେ, ଯାହାକି ରାଜ୍ୟରେ ଏକ ରାଜନୈତିକ ଝଡ ସୃଷ୍ଟି କରିଥିଲା । ସାଂସଦ ଅପରାଜିତା ଗତ ମାସ ୨୭ ତାରିଖ ଦିନ ଜିଲ୍ଲା ପ୍ରଶାସନର ନିଷେଧାଦେଶ ସତ୍ତ୍ୱେ ପୁରୀରେ ପଦଯାତ୍ରା କରି ଶ୍ରୀମନ୍ଦିରକୁ ଯିବା ସହ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜାତୀୟସ୍ତରରେ ଏକ ବିବାଦୀୟ ପ୍ରକଳ୍ପରେ ପରିଣତ କରିଛନ୍ତି । ଅପରାଜିତା ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ସହ୍ୟ କରିପାରୁ ନାହାନ୍ତି । ତେଣୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦର ସୂତ୍ରପାତ କରି ନିଜର ଅସ୍ତିତ୍ୱ ଜାହିର କରୁଛନ୍ତି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ଏଏସଆଇ ସତ୍ୟପାଠ ଦାଖଲ କରି ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ହୋଇଥିବା ଖନନ ଓ ଚାଲି ଥିବା ନିର୍ମାଣ କାର୍ଯ୍ୟ ପାଇଁ ସଂସ୍ଥାର ପୂର୍ବାନୁମୋଦନ ନିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଥିବାରୁ ଓଡିଶା ହାଇକୋର୍ଟରେ ଜୁନ ୨୦ ତାରିଖ ହେବାକୁ ଥିବା ଶୁଣାଣୀ ଉପରେ ସମସ୍ତଙ୍କ ନଜର ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS