ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ମେ’ ୧୧
ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶରେ କାର୍ଯ୍ୟକ୍ଷମ ଥିବା ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଉପରେ ଆଜି ରୋକ୍ ଲାଗାଇଛନ୍ତି ସୁପ୍ରିମ କୋର୍ଟ । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସେନାନୀଙ୍କୁ ଦମନ କରିବା ଉଦ୍ଦେଶରେ ବ୍ରିଟିଶ ସରକାର ଏହି ଆଇନ ପ୍ରଣୟନ କରିଥିଲେ, ଯାହାକି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଳବତ୍ତର ରହିଛି । ବ୍ରିଟିଶ ସରକାର ଅମଳରେ ପ୍ରଣିତ ହୋଇଥିବା ଏହି ଆଇନ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ରହିବା କେତେଦୂର ଯଥାର୍ଥ ବୋଲି ସୁପ୍ରିମ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଏବଂ ଆଇନର ପୁନବିଚାର କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ତେବେ, ଦେଶରେ ଆଜି ମଧ୍ୟ ଏହି ଆଇନର ଆବଶ୍ୟକତା ରହିଛି ଦର୍ଶାଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଟାଳିବାର ପ୍ରୟାସ କରୁଥିଲେ । ଦେଶଦ୍ରୋହ ଆଇନର ପୁନର୍ବିଚାର କରାଯିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ପ୍ରଥମେ ସୁପ୍ରିମ କୋର୍ଟଙ୍କୁ ଜଣାଇ ଥିଲେ ମଧ୍ୟ କୋର୍ଟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାରୁ ଆଇନର ପୁନର୍ବିଚାର କରିବାକୁ ସରକାର ରାଜି ଥିବା ସୋମବାର କୋର୍ଟଙ୍କୁ ଜଣାଇ ଥିଲେ । ତେବେ, ଏହା ସମୟ ସାପେକ୍ଷ ବୋଲି କହିବାରୁ କୋର୍ଟ ନିଜ ଆଡୁ ଆଜି ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇବା ସହ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନର ପୁନର୍ବିଚାର କରିବା ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ଆଇନରେ ନୂଆ ମାମଲା ପଂଜୀକୃତ ନକରିବାକୁ ଏବଂ ପୂର୍ବରୁ ଥିବା ମାମଲା ସବୁର ବିଚାରଣା ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ସେମାନେ ଜାମିନ ପାଇଁ ସଂପୃକ୍ତ ଅଦାଲତଗୁଡିକରେ ଆବେଦନ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି ।
ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ଦେଶଦ୍ରୋହ ମାମଲା ହେବା ଭଳି ଦେଶବ୍ୟାପୀ ଏହି ଆଇନର ବ୍ୟାପକ ଦୁରୁପଯୋଗ କରାଯାଉଛି ଏବଂ ବିରୋଧୀ ମତକୁ ଦମନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଇନର ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରି ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗା ଯିବାକୁ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ସୁପ୍ରିମ କୋର୍ଟ ତାହାର ବିଚାର କରି କେନ୍ଦ୍ର ସରକାର ଏହି ଆଇନର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲେ । ପୁନର୍ବିଚାର ହେବା ପର୍ଯ୍ୟନ୍ତ ଆଇନ ଉପରେ ରୋକ୍ ଲଗାଗଲା ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଆଜି କହିଛନ୍ତି । କେନ୍ଦ୍ର ସରକାର ଆଇପିସିର ‘୧୨୪ ଏ’ ଧାରା (ଦେଶଦ୍ରୋହ ଆଇନ)କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କେନ୍ଦ୍ର ବା ରାଜ୍ୟ ସରକାରମାନେ ଏହି ଆଇନ ବଳରେ ନୂଆ ମାମଲା ରୁଜୁ ନକରିବାକୁ ଏବଂ ଥିବା ମାମଲାର ବିଚାରଣା ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି । ଦେଶଦ୍ରୋହ ଆଇନରେ ଯଦି କେଉଁଠି ନୂଆ ମାମଲା ରୁଜୁ ହେଉଛି ଅଭିଯୁକ୍ତମାନେ କୋର୍ଟର ଆଶ୍ରୟ ନେଇ ପାରିବେ ବୋଲି ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କହିଛନ୍ତି । ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ରୋକିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦେଶନାମା ଜାରି କରି ପାରିବେ । ଅପରପକ୍ଷରେ, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ସୁପ୍ରିମ କୋର୍ଟଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସରକାର ଓ ବିଚାର ବିଭାଗ ପରସ୍ପରକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରି ରିଜ୍ଜୁ କହିଛନ୍ତି, ଅଦାଲତ ସରକାରଙ୍କ ଭାବନାକୁ ସମ୍ମାନ ଦେବା ଏବଂ ସଂସଦ ଓ ସରକାର ଅଦାଲତର ଭାବନା ପ୍ରତି ସମ୍ମାନ ଦେଖାଇବା ନିତାନ୍ତ ଆବଶ୍ୟକ । ସରକାର ଓ ବିଚାର ବିଭାଗ ମଧ୍ୟରେ ଯେଉଁ ‘ଲକ୍ଷ୍ମଣ ରେଖା’ ଟଣା ଯାଇଛି କେହି ତାହାର ଉଲଂଘନ କରିବା ଉଚିତ ନୁହେଁ ।
ବ୍ରିଟିଶ ଶାସନରେ ଜାତିର ପିତା ମହାତ୍ମା ଗାନ୍ଧୀ, ଲୋକମାନ୍ୟ ବାଲ୍ ଗଂଗାଧର ତିଳକ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ଭଗତ ସିଂହଙ୍କ ଭଳି ସ୍ୱାଧୀନତା ସେନାନୀ ଦେଶଦ୍ରୋହ ଆଇନରେ ଛନ୍ଦି ହୋଇଥିଲେ । ସେମାନଙ୍କ ମୁକ୍ତ ସ୍ୱରକୁ ଚପାଇବା ପାଇଁ ବ୍ରିଟିଶ ସରକାର ଏଭଳି ଏକ କଳା ଆଇନ ପ୍ରଣୟନ କରିଥିଲେ । ଦେଶଦ୍ରୋହ ଆଇନରେ ମାମଲା ହେଲେ ପୁଲିସ ଯେକୌଣସି ବ୍ୟକ୍ତିଙ୍କୁ ବିନା ୱରେଂଟରେ, ଯେକୌଣସି ସମୟରେ ଗିରଫ କରିବା କ୍ଷମତା ରଖିଛି । ସ୍ୱାଧୀନୋତ୍ତର ଭାରତରେ ଏହି ଆଇନ ବିରୋଧୀ ମତକୁ ଦମନ କରିବାକୁ ଅବାଧରେ ବ୍ୟବହାର ହୋଇ ଆସୁଛି । କେନ୍ଦ୍ର ସରକାର ଦେଶଦ୍ରୋହ ଆଇନର ପୁନର୍ବିଚାର କରିବା ପର୍ଯ୍ୟନ୍ତ ଆଇନ ସ୍ଥଗିତ ରଖାଯିବା ଉଚିତ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ଅଦାଲତରେ ଯୁକ୍ତି ରଖି ଥିଲେ । ଦେଶଦ୍ରୋହ ଆଇନରେ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ଠିକ୍ କି ନୁହେଁ, ତାହା ପୁଲିସ ବିଭାଗର ଜଣେ ଏସପି ବା ତଦୁଦ୍ଧ୍ୱ ଅଧିକାରୀ ନିର୍ଣ୍ଣୟ ନେଇ ପାରିବେ ବୋଲି ସେ କହିଥିଲେ । ଆଇନକୁ ଚ୍ୟାଲେଂଜ କରି ହୋଇଥିବା ଜନସ୍ୱାର୍ଥ ମାମଲା ଆଧାରରେ କୌଣସି ଆଇନ ଉପରେ ରୋକ୍ ଲାଗି ପାରିବ ନାହିଁ ବୋଲି ବୋଲି ସେ ଜୋର୍ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା, ଆଇପିସିର ୧୨୪-ଏ ଧାରା (ଦେଶଦ୍ରୋହ ଆଇନ)ରେ ଦେଶବ୍ୟାପୀ ଯେତେସବୁ ମାମଲା ହୋଇଛି ସେଥିରେ ଆତଙ୍କବାଦ ସଂପର୍କିତ ମାମଲା ମଧ୍ୟ ଥାଇ ପାରେ । ସବୁ ମାମଲା ଅଦାଲତର ବିଚାରାଧୀନ ରହିଛି । ସେସବୁ ଉପରେ ଅଦାଲତ ହିଁ ନିର୍ଣ୍ଣୟ ନେଇ ପାରିବେ । ପୁଲିସ ବା ସରକାର ସେଥିରେ କିଛି କରିବାର ନାହିଁ । ଦେଶରେ ଦେଶଦ୍ରୋହ ଆଇନ ବଳରେ ଯେତେସବୁ ମାମଲା ରୁଜୁ ହୋଇଛି ସେସବୁ କେତେଦୂର ଗମ୍ଭୀର, ତାହା କେନ୍ଦ୍ର ସରକାର ଆକଳନ କରିବା ସମ୍ଭବ ନୁହେଁ । ବିଚାର ବ୍ୟବସ୍ଥା ହିଁ ତାହାର ନିର୍ଣ୍ଣୟ ନେଇ ପାରିବ । ତେଣୁ, ବିଚାରାଧୀନ ଥିବା ମାମଲା ଉପରେ ରୋକ୍ ଲାଗିବା ଠିକ୍ ହେବ ନାହିଁ ।
ଅପରପକ୍ଷରେ, ଦେଶଦ୍ରୋହ ଆଇନକୁ ଚ୍ୟାଲେଂଜ କରି ପିଆଇଏଲ କରିଥିବା ଆବେଦନକାରୀଙ୍କ ଯୁକ୍ତି ଥିଲା, ସରକାର ଏହି ବ୍ରିଟିଶ ଅମଳର ଆଇନର ପୁନର୍ବିଚାର କରିବା ପର୍ଯ୍ୟନ୍ତ ଆଇନ ଉପରେ ଅଦାଲତ ରୋକ୍ ଲଗାନ୍ତୁ । ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆବେଦନକାରୀଙ୍କ ପକ୍ଷରୁ ଅଦାଲତକୁ ଜଣାଇ ଥିଲେ, ଦେଶରେ ୮୦୦ରୁ ଅଧିକ ଦେଶଦ୍ରୋହ ମାମଲା ଥିବା ବେଳେ ୧୩,୦୦୦ ଲୋକ ଜେଲରେ ଷଢୁଛନ୍ତି । ତେଣୁ, ସୁପ୍ରିମ କୋର୍ଟ ଆଇନ ଉପରେ ସ୍ଥଗିତାଦେଶ ଜାରି କରୁ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଉଭୟ ପକ୍ଷଙ୍କୁ ଶୁଣିବା ପରେ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନର ପୁନର୍ବିଚାର କରିବା ପର୍ଯ୍ୟନ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS