ରାହୁଲଙ୍କ ପାଇଁ ଓଡ଼ିଶା ହେବ ବଡ଼ ଚ୍ୟାଲେଂଜ ?
ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୧
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଓଡ଼ିଶା ହେବାକୁ ଯାଉଛି ବଡ଼ ଚ୍ୟାଲେଂଜ । ୨୨ ବର୍ଷ ହେଲା ଦଳ ଓଡ଼ିଶାରେ କ୍ଷମତାରେ ନାହିଁ । ପୂର୍ବରୁ କଂଗ୍ରେସ ରାଜ୍ୟରେ ଥିଲା ମୁଖ୍ୟ ବିରୋଧୀ ଦଳ । ଉଣେଇଶି ପରେ କଂଗ୍ରେସ ସ୍ଥାନକୁ ପଦୋନ୍ନତି ପାଇ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେପି । ରାଜ୍ୟରେ କଂଗ୍ରେସ ତୃତୀୟ ସ୍ଥାନରେ । ନିକଟରେ ସରିଥିବା ତ୍ରୀସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ କଂଗ୍ରେସ ତୃତୀୟରେ । ବିଜେଡ଼ି ବିଜେପି ଓ କଂଗ୍ରେସଠାରୁ ବହୁ ଆଗରେ । ଗଲା କିଛି ବର୍ଷ ମଧ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନ ଗୁଡିକରେ ମଧ୍ୟ କଂଗ୍ରେସର ସ୍ଥିତି ଦୟନୀୟ ରହିଛି । ଏହା କଂଗ୍ରେସ କର୍ମୀଙ୍କ ମନୋବଳକୁ ଭାଂଗି ଦେଇଥିବା ବେଳେ ବହୁ ରାଜ୍ୟସ୍ତରୀୟ କଂଗ୍ରେସ ନେତା କଂଗ୍ରେସରେ ରହିବା ନିରାପଦ ନ ଭାବି ଦଳତ୍ୟାଗ କରିବା ସହ ଶାସକ ବିଜେଡ଼ିକୁ ଯାଇଛନ୍ତି । ସେଥିରୁ କିଛି ନେତା ବିଜେଡ଼ିରେ ଯୋଗ ଦେଉ ଦେଉ ଦଳୀୟ ଟିକଟ ନେଇ ନିର୍ବାଚନ ଲଢି ସାଂସଦ, ବିଧାୟକ ଥିବା ବେଳେ ଆଉ କିଛି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗ୍ରହ ଅପେକ୍ଷାରେ ।
୨୦୨୪ ନିର୍ବାଚନ ପାଇଁ ଯଥେଷ୍ଟ ସମୟ ରହିଛି । ତେବେ, ରାଜ୍ୟରେ କଂଗ୍ରେସର ଯେଉଁ ପତନର ଧାରା ଚାଲିଛି ତାହା ୨୦୨୪ରେ ମଧ୍ୟ ରାଜ୍ୟରେ କଂଗ୍ରେସର ଭାଗ୍ୟ ଖୋଲିବା ଆଶା କ୍ଷୀଣ । ବିଭିନ୍ନ ନିର୍ବାଚନ, ଉପ ନିର୍ବାଚନରେ ଦଳ ପରାଜୟର ସାମ୍ନା କରିବା ପରେ ଦଳରେ ଆଂଗୁଠି ଆଗରେ ଗଣି ହେଲା ଭଳି କିଛି ନେତା ରହିଛନ୍ତି । ସେମାନେ ସଂଗଠନ ଅପେକ୍ଷା କ୍ଷମତାକୁ ଅଧିକ ପ୍ରାଧାନ୍ୟ ଦେଉ ଥିବାରୁ ଜନସାଧାରଣରେ ସେମାନଙ୍କ ସ୍ଥିତି ନିଷ୍ପ୍ରଭ ରହିଛି । ଜନତାର ଆସ୍ଥାଭାଜନ ହେବା ଦୂରର କଥା, ସେମାନେ ପରସ୍ପରର ଗୋହି ଖୋଳାଖୋଳି ହୋଇ ବାରମ୍ବାର ଦିଲ୍ଲୀ ଧାଇଁବା ଏବଂ ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିବା କଂଗ୍ରେସ ସ୍ଥିତିକୁ ଅଧିକ ଦୟନୀୟ କରିଛି ।
ଓଡ଼ିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଦାବି କିଛି ନୂଆ ନୁହେଁ । ଅଶି ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ଦାବି ଚରମରେ ଥିଲା । ନେତାମାନେ ଦିଲ୍ଲୀ ଦୌଡୁ ଥିଲେ । ଉଭୟ ପକ୍ଷ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀଙ୍କ ସନ୍ତୁଷ୍ଟ କରି କ୍ଷମତା ଜାବୁଡ଼ି ଧରିବା ଉଦ୍ୟମ କରୁଥିଲେ । ସେମାନଙ୍କୁ ମାସ ମାସ ଧରି ଦିଲ୍ଲୀରେ ପଡି ରହିବାକୁ ପଡୁଥିଲା । ଏବେ ମଧ୍ୟ ସେହି ଏକା ଅବସ୍ଥା । ଅଶି ଓ ନବେ ଦଶକରେ ଓଡ଼ିଶାରେ କଂଗ୍ରେସର ଯେଉଁ ସାଂଗଠନିକ ସ୍ଥିତି ଓ ପ୍ରଭାବ ରହି ଥିଲା ଆଜି ତାହା ନାହିଁ । ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ କଂଗ୍ରେସର ପକେଟ ଭୋଟ ଥିଲେ ମଧ୍ୟ ବିଜେଡ଼ି ଓ ବିଜେପି ତାହାକୁ ହାତେଇ କଂଗ୍ରେସକୁ ପଛକୁ ଠେଲି ଦେଲେଣି ।
ଜାନକୀ ବାବୁଙ୍କ ଅବର୍ତ୍ତମାନରେ ରାଜ୍ୟର କଂଗ୍ରେସ ଏକପ୍ରକାର ନେତୃତ୍ୱହୀନ ଥିବା ଦେଖିବାକୁ ମିଳୁଛି । ରାଜ୍ୟର ସବୁ ଅଂଚଳର କର୍ମୀଙ୍କ ଦ୍ୱାରା ଗ୍ରହଣୀୟ ହେଲା ଭଳି ଦଳରେ ନେତାଙ୍କ ଅଭାବ କଂଗ୍ରେସର ମୁଖ୍ୟ ସମସ୍ୟା ହୋଇଛି । ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ସଭାପତି ପଦ ପାଇଁ ବିବାଦ ଓ ବିଭେଦ କଂଗ୍ରେସ ପ୍ରତି ରାଜ୍ୟବାସୀଙ୍କ ମନରେ ବିତୃଷ୍ଣା ଭାବ ସୃଷ୍ଟି କରିଛି । ୨୦୧୬-୧୭ରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ରାଜ୍ୟର ପୂର୍ବତନ ପ୍ରଭାବାଶାଳୀ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କୁ (୨୦୧୮ରେ) ଯେଉଁମାନେ ସଭାପତି ଆସନରେ ବସାଇ ଥିଲେ ସେମାନେ ଏବେ ‘ନିରଂଜନ ହଟାଓ’ ଅଭିଯାନର ମୁଖ୍ୟ ସୂତ୍ରଧର । ସେଥିରୁ କିଛି ନେତା ପିସିସି ସଭାପତି ପଦ ପାଇଁ ଲାଳାୟିତ । ତେବେ, ନିରଂଜନ କହୁଛନ୍ତି, ୨୦୧୯ ନିର୍ବାଚନରେ ବିପର୍ଯ୍ୟୟ ପରେ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଦଳ ଯାହାକୁ ନେତା କରି ବସାଉଛି ବସାଉ, ତାଙ୍କ କିଛି ଆପତ୍ତି ନାହିଁ ।
ଓଡ଼ିଶାରେ ପିସିସି ସଭାପତିଙ୍କୁ କେବଳ ନୁହେଁ, କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ମଧ୍ୟ ହଟାଇବା ଦାବି ଜୋର ଧରିଛି । ଏହାର କାରଣ ହେଉଛି, ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ଥିବା ବର୍ଷିୟାନ ନେତା ନରସିଂହ ମିଶ୍ର କଳାହାଣ୍ଡି ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ନାଁରେ କଳା କୋଟ୍ ପିନ୍ଧି ଥିବା ବେଳେ ତାଙ୍କ ପୁଅ ସରକାରୀ ସରକାରଙ୍କ ପକ୍ଷରୁ ମାମଲା ଲଢୁଛନ୍ତି । ତେବେ, ନରସିଂହ କହୁଛନ୍ତି, ‘ଆମେ ଦୁହେଁ ମମିତାଙ୍କୁ ନ୍ୟାୟ ଦେବାକୁ ଲଢୁଛୁ’ । ଯାହାକି, ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜାଙ୍କ ଭଳି ବରିଷ୍ଠ କଂଗ୍ରେସ ବିଧାୟକଙ୍କ ଦ୍ୱାରା ଗ୍ରହଣୀୟ ହେଉ ନାହିଁ । ସେମାନେ ନରସିଂହଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ହଟାଇବାକୁ କେନ୍ଦ୍ରୀୟ ନେତୃତ୍ୱ ନିକଟରେ ଅଡି ବସିଛନ୍ତି । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସର ସଂଖ୍ୟା ମାତ୍ର ୯ ଥିବା ବେଳେ ସଂଖ୍ୟା ବଢାଇବାକୁ କାହାରି ଉଦ୍ୟମ ବା ଭାଗିଦାରୀ ନାହିଁ । ସମସ୍ତେ ନିଜକୁ ନେତା ଭାବୁଛନ୍ତି, କିନ୍ତୁ କର୍ମୀ ଦଳ ଛାଡି ପଳାଉଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଘୋର ବିପର୍ଯ୍ୟୟ ପରେ ନିରଂଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ସୁଦ୍ଧା ଏଆଇସିସି ତାହାକୁ ଗ୍ରହଣ କରି ନାହିଁ । ତାହା ପରଠାରୁ ରାଜ୍ୟରେ ଯେତେ ସବୁ ନିର୍ବାଚନ ଓ ଉପ ନିର୍ବାଚନ ହେଲାଣି କଂଗ୍ରେସ ପଂରପରା ରକ୍ଷା ପାଇଁ ପ୍ରାର୍ଥୀ ଦେଉଛି ସିନା ନେତାଙ୍କ ଭିତରେ ଛକାପଂଝା ଯୋଗୁଁ ପ୍ରାର୍ଥୀଙ୍କ ଅମାନତ ରହୁ ନାହିଁ । ରାଜ୍ୟରେ ୨୩ ବର୍ଷ ହେଲା କ୍ଷମତାରେ ଥିବା ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଛି ବିଜେପି (ବିଧାନସଭାରେ ସଂଖ୍ୟା ମାତ୍ର ୨୨) । କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏବଂ ସେଥିରେ ଓଡ଼ିଶାର ତିନି ଜଣ (ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ) ମନ୍ତ୍ରୀ ଥିବାରୁ ବିଜେପି ସେହି ନାଁରେ ରାଜନୀତି କରୁଛି । କଂଗ୍ରେସକୁ ତୃତୀୟକୁ ଠେଲି ଦେବା ପରେ ଦଳ ପ୍ରଥମ ସ୍ଥାନରେ ପହଂଚିବାକୁ ଆକ୍ରମଣାତ୍ମକ ରାଜନୀତିର ଆଶ୍ରୟ ନେଇଛି । ୨୦୨୪ରେ ବିଜେପି ରାଜ୍ୟର ୨୧ରୁ ୧୪ ଲୋକସଭା ଆସନ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଥିବା ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅପରପକ୍ଷରେ, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଜଣେ ମାତ୍ର କଂଗ୍ରେସ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି । କେବଳ ଓଡ଼ିଶା ନୁହେଁ, ଆଂଚଳିକ ଦଳର ଶାସନ ଥିବା ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥିତି ଏକାଭଳି ଦୟନୀୟ । ୨୦୨୪ରେ ଦଳ ଏକାକୀ ବିଜେପିର ଜାତୀୟ ବିକଳ୍ପ ହେବା ସ୍ଥିତିରେ ନାହିଁ । ଅଧିକାଂଶ ରାଜ୍ୟରେ ଆଂଚଳିକ ଦଳମାନେ କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ ହୋଇ ରହିଛନ୍ତି । ଏହାର ସଦ୍ୟ ଉଦାହରଣ ହେଉଛି ପଂଜାବ । ଦିଲ୍ଲୀରେ ଶାସନ କରୁଥିବା ‘ଆମ୍ ଆଦମୀ ପାର୍ଟି’ ୨୦୨୨ ନିର୍ବାଚନରେ କଂଗ୍ରେସ ହାତରୁ ପଂଜାବ ଛଡାଇ ନେଇଛି । ନିକଟରେ ସରିଥିବା ୟୁପି, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଦଳକୁ ଜାତୀୟ ରାଜନୀତିରେ ଗୁରୁତ୍ୱହୀନ କରି ଦେଇଛି ।
ଆଗକୁ ଗୁଜରାଟ ଓ ହିମାଂଚଳ ପ୍ରଦେଶ (୨୦୨୨) ଏବଂ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଂଗାନା (୨୦୨୩) ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଜାତୀୟ ସ୍ତରରେ ମଧ୍ୟ ଦଳ ନେତୃତ୍ୱ ସଂକଟର ସାମ୍ନା କରୁଛି । କଂଗ୍ରେସରେ ଥିବା ବିଦ୍ରୋହୀ ଗୋଷ୍ଠୀ ଗାନ୍ଧୀ ପରିବାର ବାହାରୁ ନେତା ଖୋଜୁ ଥିବା ବେଳେ ଗାନ୍ଧୀ ପରିବାରର ବିଶ୍ୱସ୍ତ ଗୋଷ୍ଠୀ ନେତାମାନେ ନିଜର ରାଜନୈତିକ ଅସ୍ତିତ୍ୱକୁ କାଏମ ରଖିବା ପାଇଁ ଗାନ୍ଧୀ ପରିବାର ହାତ ଚାଡିବାକୁ ପ୍ରସ୍ତୁତ ନୁହନ୍ତି । ଫଳରେ, ୨୦୨୦ରୁ କଂଗ୍ରେସ ନେୃତ୍ୱକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ୨୦୧୪ରୁ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ଚଳାଇ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହୋଇଛି । ନିର୍ବାଚନରେ ପରାଜିତ କରିବା ମାଧ୍ୟମରେ ନୁହେଁ, ଅନ୍ୟ ବାଟରେ ମଧ୍ୟ କଂଗ୍ରେସକୁ ମୂଳପୋଛ କରିବାକୁ ବିଜେପି କଳ, ବଳ ଓ କୌଶଳର ପ୍ରୟୋଗ କରୁଛି । ୨୦୨୪ ସାଧାରଣ ନିର୍ବାଚ ପୂର୍ବରୁ ହେବାକୁ ଥିବା ନିର୍ବାଚନ ସବୁ କଂଗ୍ରେସ ପାଇଁ ଜୀବନ, ମରଣ ପ୍ରସଙ୍ଗ ହୋଇଥିବାରୁ ବିଳମ୍ବରେ ହେଲେ ମଧ୍ୟ ଏବେ ଏଆଇସିସି ଜାତୀୟସ୍ତରରେ ଏକ ପରିବର୍ତ୍ତନର ମାର୍ଗ ଖୋଜୁଛି ।
ସୋମବାର (ମେ’ ୯ତାରିଖ) ଦିନ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡ଼ବ୍ଲୁସି) ବୈଠକରେ ଏସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ଦଳରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ମାଧ୍ୟମରେ କଂଗ୍ରେସକୁ ଜନତାର ବିଶ୍ୱାସଭାଜନ କରିବାକୁ ଦଳ ନୂତନ ପ୍ରୟାସ ଆରମ୍ଭ କରୁଥିବା କହୁଛି । ମେ’ ୧୩ରୁ ୧୫ ପର୍ଯ୍ୟନ୍ତ ରାଜସ୍ଥାନର ଉଦୟପୁରରେ ହେବାକୁ ଥିବା ଦଳର ତିନି ଦିନିଆ ‘ଚିନ୍ତନ ଶିବିର’ରେ ସେସଂପର୍କରେ ଅଧିକ ତର୍ଜମା ହେବାର ରହିଛି । କଂଗ୍ରେସକୁ ପୁଣି ଥରେ ଜନତାର ଭରସାଯୋଗ୍ୟ କରିବା ପାଇଁ ତାଙ୍କ ନିକଟରେ କୌଣସି ‘ଯାଦୁକାରୀ ଛଡି’ ନାହିଁ, ଦଳର ନେତାମାନେ ନିଜ ନିଜ ଭିତରେ କାଦୁଆ ଫିଙ୍ଗା ଫିଙ୍ଗି ନହୋଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କଲେ ଓ ମିଳିତ ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଆଗଲେ ଦଳ ମୁଖ୍ୟସ୍ରୋତକୁ ଫେରିବା ସମ୍ଭବ ହେବ ବୋଲି ଦଳର ସଭାପତି ସୋନିଆ ଗାନ୍ଧୀ ନିଜେ ସିଡ଼ବ୍ଲୁସି ବୈଠକରେ କହିଛନ୍ତି ।
ଉଦୟପୁର ‘ଚିନ୍ତନ ଶିବିର’କୁ ଏକ ପାରଂପରିକ ପ୍ରକ୍ରିୟା ନଭାବି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଭାବିବାକୁ ସୋନିଆ ଆହ୍ୱାନ ଦେଇଥିବା ବେଳେ ଚିନ୍ତନ ଶିବିରକୁ ଅଧିକ ଫଳପ୍ରଦ କରିବା ପାଇଁ ନୀତିଗତ, ଅର୍ଥନୈତିକ, ରାଜନୈତିକ, ସାଂଗଠନିକ ସମସ୍ୟା ଉପରେ ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି । ଦଳ ରାଜନୈତିକ, ଅର୍ଥନୈତିକ, ସାମାଜିକ ନ୍ୟାୟ, ଚାଷୀ, ଯୁବକ ଏବଂ ବିଭିନ୍ନ ସାଂଗଠନିକ ବିଷୟକୁ ନେଇ ଆଲୋଚନା ପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ବିଭିନ୍ନ କମିଟି ଗଠନ କରିଛି । ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ମିଳିତ ନିଷ୍ପତ୍ତି ନେବା ଏବଂ ପୂର୍ବତନ ପ୍ରଧାନମତ୍ରୀ ନରସିଂହ ରାଓଙ୍କ ସମୟରୁ ଅକାମୀ ରହିଥିବା ଦଳର ପାର୍ଲିଆମେଂଟାରୀ ବୋର୍ଡକୁ ପୁନଃ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେଲାଣି । ନିର୍ବାଚନରେ ‘ଗୋଟିଏ ପରିବାର, ଗୋଟିଏ ଟିକେଟ୍’ ନିୟମକୁ ମଧ୍ୟ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହେବାକୁ ଅଛି । ତେବେ, ଗାନ୍ଧୀ ପରିବାରକୁ ବନ୍ଧନ ମୁକ୍ତ ରଖା ଯାଇଛି ।
ଜାତୀୟସ୍ତରରେ କଂଗ୍ରେସ ଦଳରେ ଏପ୍ରକାର ମାନସ ମଂଥନ ଚାଲି ଥିବା ବେଳେ ଓଡ଼ିଶାର କଂଗ୍ରେସ ନେତାମାନେ ରହୁଲ ଗାନ୍ଧୀଙ୍କୁ ଭେଟି ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ପରିବର୍ତ୍ତନ କରାଯିବାକୁ ଦାବି ରଖିବା ନିଶ୍ଚିତ ଭାବେ ହାସ୍ୟାସ୍ପଦ କଥା । ରାହୁଲ ଓଡ଼ିଶାରୁ ଯାଇ ଥିବା ସବୁ ନେତାଙ୍କୁ ଭେଟିଛନ୍ତି ଓ ଅଲଗା ଅଲଗା ଆଲୋଚନା କରିଛନ୍ତି । ସେମାନଙ୍କୁ ଶୃଙ୍ଖଳା ଭିତରେ ରହିବାକୁ ପାଠ ମଧ୍ୟ ପଢାଇଛନ୍ତି । ପିସିସି ସଭାପତି ନିରଂଜନ ଓ କଂଗ୍ରେସ ବିଦାୟକ ଦଳ ନେତା ନରସିଂହଙ୍କ ସହ ମଧ୍ୟ ସେ ଅଲଗା ଆଲୋଚନା କରିଥିଲେ । ପିସିସିରେ ପରିବର୍ତ୍ତନ ହେବ ବୋଲି ନେତାମାନେ ଓଡ଼ିଶା ଫେରିବା ପରେ କହିଛନ୍ତି । ତେବେ, କିଏ ସେହି ଯୋଗ୍ୟ ନେତା, ଯିଏକି ରାଜ୍ୟ କଂଗ୍ରେସର ମଂଗ ଧରି ଦଳରେ ରହି ଯାଇ ଥିବା ନେତାଙ୍କୁ ଏକାଠି କରି ସଂଗଠନକୁ ଆଗକୁ ବଢାଇ ପାରିବ ଏବଂ ଓଡ଼ିଶାରେ ଦଳକୁ ବିଜେଡ଼ି, ବିଜେପିର ବିକଳ୍ପ ଭାବେ ଉପସ୍ଥାପିତ କରି ପାରିବ, ସେଭଳି ଜଣେ ନେତା ହେଲେ ନେତା ଦିଶୁ ନାହାନ୍ତି । ସଂଗଠନ ପାଇଁ ନେତୃତ୍ୱ ସହ ଧନ ବଳ ମଧ୍ୟ ଆବଶ୍ୟକ, ଯାହାକି ନିରଂଜନଙ୍କ ପାଖରେ ରହିଛି । ତେଣୁ, ଉଦୟପୁର ‘ଚିନ୍ତନ ଶିବିର’ ପରେ ରାହୁଲ ଓଡ଼ିଶାକୁ ନେଇ କି ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS