ଓଡ଼ିଶାର ୩ ଆସନ ସମେତ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ ଜୁନ ୧୦ରେ


ପ୍ରସାଦ ରାଓ
ଭୁବନେଶ୍ୱର
ମେ’ ୧୨
ଓଡ଼ିଶାର ତିନି ସାଂସଦଙ୍କ ସମେତ ୧୫ଟି ରାଜ୍ୟର ୫୭ ଜଣ ରାଜ୍ୟସଭା ସାଂସଦ ଆସନ୍ତା ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଅବସର ଗ୍ରହଣ କରୁଥିବାରୁ ସେସବୁ ସ୍ଥାନ ପୂରଣ ପାଇଁ ଜୁନ ୧୦ରେ ନିର୍ବାଚନ ହେବ ବୋଲି ଆଜି ଭାରତୀୟ ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି । ଏଥିସକାଶେ ମେ’ ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଥିବା ବେଳେ ଜୁନ ୧ରେ ପ୍ରାର୍ଥୀପତ୍ର ଯାଂଚ ଓ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ଏହି ୫୭ ଆସନ ପାଇଁ ଜୁନ ୧୦ରେ ଭୋଟ ଗ୍ରହଣ ହେବ । ଜୁନରୁ ଅଗଷ୍ଟ ମଧ୍ୟରେ ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ମଧ୍ୟରୁ ସର୍ବାଧିକ ୧୧ଟି ଆସନ ୟୁପିର ଥିବା ବେଳେ ମହାରାଷ୍ଟ୍ର ଓ ତାମିଲନାଡୁର ୬ଟି ଲେଖାଏଁ ଆସନ, ବିହାରର ୫ଟି ଏବଂ ରାଜସ୍ଥାନ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ରହିଛି । ଏହାଛଡା, ଆନ୍ଧ୍ର ପ୍ରଦେଶ, ତେଲେଂଗାନା, ଓଡ଼ିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ପଂଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଓ ହରିଆନାରେ ରାଜ୍ୟସଭା ଭୋଟ ହେବ । ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ନାକିଟି ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ଶେଷ ହେଉ ଥିବାରୁ ଏହି ତିନିଟି ଆସନରେ ଭୋଟ ହେବାକୁ ଥିବା ପ୍ରାଥମିକ ସୂଚନା ମିଳିଛି । ଆସନ୍ତ ଜୁନରୁ ଅଗଷ୍ଟ ମଧ୍ୟରେ ଅବସର ନେଉଥିବା ରଜ୍ୟସଭା ସାଂସଦଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀଥାରମଣ, ପିୟୂଷ ଗୋୟେଲ, ମୁଖତାର ଆବାସ ନକଭି, କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ, ଜେଡ଼ିୟୁ ନେତା କେ.ସି.ତ୍ୟାଗୀ ପ୍ରମୁଖ । କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ସୁବାସ ସିଂହ ଗତ ଏପ୍ରିଲ ୨୧ ତାରିଖରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ତେବେ, ଜୁନ ୧୦ ତାରିଖ ରାଜ୍ୟର ତିିନିଟି ଆସନ ପାଇଁ ଭୋଟ ହେବାକୁ ଥିବା ସୂଚନା ମିଳିଛି । ଜୁନ ୧୦ରେ ହେବାକୁ ଥିବା ନିର୍ବାଚନ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ରାଜ୍ୟସଭାରେ ତାହାର ଆସନ ସଂଖ୍ୟା ବୃଦ୍ଧି ଦିଗରେ ଆଉ ଏକ ସୁଯୋଗ ଦେଇଛି । ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ଆସାମ, ତ୍ରିପୁରା, ନାଗାଲାଣ୍ଡରୁ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ରାଜ୍ୟସଭାରେ ତାହାର ସାଂସଦ ସଂଖ୍ୟା ୧୦୧କୁ ବୃଦ୍ଧି କରି ଥିଲା । ତେବେ, ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତାର ବେଂଚ ମାର୍କ ୧୨୩ ଥିବା ବେଳେ ବିଜେପିର ସେତିକି ସଂଖ୍ୟା ନଥିବାରୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ଯୋଗୁଁ ଗୃହୀତ କରାଇ ନେଉଥିବା ବିଧେୟକଗୁଡିକୁ ରାଜ୍ୟସଭାରେ ପାରିତ କରାଇବା ପାଇଁ କରାଇବା ପାଇଁ ଦଳକୁ ଓଡ଼ିଶାର ବିଜୁ ଜନତା ଦଳ ଏବଂ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପି ଉପରେ ନିର୍ଭର କରିବାକୁ ପଡୁଛି । ଜୁନ ୧୦ ତାରିଖ ରାଜ୍ୟସଭା ଭୋଟ ହେବାକୁ ଥିବା ୧୫ ରାଜ୍ୟ ମଧ୍ୟରୁ ୟୁପି, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାନାରେ ବିଜେପିର ସରକାର ଥିବା ବେଳେ ବିହାରରେ ଜେଡ଼ୁୟୁ-ବିଜେପିର ମିଳିତ ସରକାର ରହିଛି । ଓଡ଼ିଶାରେ ବିଜୁ ଜନତା ଦଳ, ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମେଂଟ, ତାମିଲନାଡ଼ୁରେ ଡ଼ିଏମକେ, ତେଲେଂଗାନାରେ ଟିଆରଏସ୍, ଆନ୍ଧ୍ର ପ୍ରଦେଶରେ ୱାଇଏସଆରସିପି, ପଂଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ଓ ଝାଡଖଣ୍ଡରେ ଜେଏମଏମ୍ ସରକାର ରହିଛି । କେବଳ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ଶାସନ ରହିଛି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେଡ଼ି ବିଧାୟକ ସଂଖ୍ୟା ୧୧୪ ଥିବା ବେଳେ ବିଜେପିର ମାତ୍ର ୨୨ ଜଣ ଓ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଏକାକୀ ଗୋଟିଏ ହେଲେ ରାଜ୍ୟସଭା ଆସନ ଜିଣିବା ସ୍ଥିତିରେ ନାହିଁ । ରାଜ୍ୟରେ ଜୁଲାଇ ଶେଷରେ ଖାଲି ହେବାକୁ ଥିବା ତିନିଟି ରାଜ୍ୟସଭା ଆସନରେ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ସମାନ ପ୍ରତିନିଧିତ୍ୱ ଥିବା ବେଳେ କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂହ ଏପ୍ରିଲ ୨୧ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବାରୁ ଉପକୂଳ ଓଡ଼ିଶା ଖାତାକୁ ଗୋଟିଏ ଅଧିକ ଆସନ ଆସିଛି । ତେବେ, ୨୦୨୨ ଜୁନ ୧୦ରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି । ଖାଲି ପଡୁଥିବା ତିନି ରାଜ୍ୟସଭା ଆସନରୁ ପ୍ରାର୍ଥୀ ହେବାକୁ ବିଜେଡ଼ିରେ ବହୁ ଆଶାୟୀ ଅଛନ୍ତି । ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପଅଦର୍ଶନ ପ୍ରଶଂସନୀୟ ଥିବାରୁ ବିଜେଡ଼ି ସଭାପତି ତାଙ୍କୁ ପୁନର୍ବାର ରାଜ୍ୟସଭା ପଠାଇବାକୁ ଚାହିଁ ପାରନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟ ଦୁଇଟି ଆସନରୁ ବିଜେଡ଼ି ପ୍ରାର୍ଥୀ କିଏ ହେବ, ସେ ନେଇ କୌଣସି ସଠିକ୍ ଚିତ୍ର ସାମ୍ନାକୁ ଆସି ନାହିଁ । ୨୦୧୯ ଜୁନରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମଧ୍ୟ ବିଜେଡ଼ିରେ ବହୁ ଆଶାୟୀ ଥାଇ ଦଳର ସଭାପତି ବିଜେପି ହାତରେ ଗୋଟିଏ ଆସନ ଟେକି ଦେଇଥିଲେ । ଅଶ୍ୱିନୀ ବୈଷ୍ଣବ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ସମର୍ଥନ ଦେବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ବୈଷ୍ଣବ ୨୦୨୧ରୁ କେନ୍ଦ୍ର ସରକାରରେ ଆଇଟି ଓ ରେଳବାଇ ମନ୍ତ୍ରୀ ଅଛନ୍ତି । ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଚୟନ କ୍ଷେତ୍ରରେ ସେଭଳି କିଛି ଚମତ୍କାର ନହେଲେ ବିଜେଡ଼ି ସମସ୍ତ ତିନିଟି ଆସନରେ ବିଜୟୀ ହେବା ସୁନିଶ୍ଚିତ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS