ଉଦୟପୁରରେ କଂଗ୍ରେସର ତିନି ଦିନିଆ ‘ଚିନ୍ତନ ଶିବିର’ ଆରମ୍ଭ


ପ୍ରସାଦ ରାଓ
ମେ’ ୧୩
କଂଗ୍ରେସର ତିନି ଦିନିଆ ‘ଚିନ୍ତନ ଶିବିର’ ରାଜସ୍ଥାନର ଉଦୟପୁରରେ ଶୁକ୍ରବାରରୁ ଆରମ୍ଭ ହୋଇଛି । ଏଆଇସିସି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ପ୍ରାରମ୍ଭ ଦିବସରେ ଆଜି ସମସ୍ତ ଶିବିରାର୍ଥୀଙ୍କୁ ଉଦ୍ବୋଧନ ଦେଇ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ଜରୁରୀ ହୋଇପଡିଛି ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ନିକଟରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଭଳି ପରାଜୟ ଘଟିଲା ତାହା ଉପରେ ଗଭୀର ଚିନ୍ତନ ସହ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିରୋଧୀଙ୍କୁ କଡା ଜବାବ ଦେବା ପାଇଁ ସୁଚିନ୍ତିତ ଯୋଜନା (ରୋଡମ୍ୟାପ୍) ପ୍ରସ୍ତୁତି ନିମନ୍ତେ ଏହି ଚିନ୍ତନ ଶିବିର ଆୟୋଜନ ହୋଇଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପ୍ରାରମ୍ଭିକ ଭାଷଣରେ କଂଗ୍ରେସର ସାଂଗଠନିକ କ୍ଷେତ୍ରରେ ଓ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ‘ଦଳ ଆମକୁ ବହୁତ କିଛି ଦେଇଛି, ବର୍ତ୍ତମାନ ଦଳକୁ ପରିଶୋଧ କରିବା ସମୟ ଆସିଛି’ ବୋଲି ମନ୍ତବ୍ୟ ରଖି ସୋନିଆ କହିଛନ୍ତି, ସମସ୍ତେ ଦଳର ସଂଗଠନକୁ ନିଜ ବ୍ୟକ୍ତିଗତ ଉଚ୍ଚାକାଂକ୍ଷାଠାରୁ ଉଦ୍ଧ୍ୱର୍ରେ ରଖି ସଂଗଠନରେ ବ୍ୟାପକ ପରିବର୍ତ୍ତନ ପାଇଁ ଚିନ୍ତନ କରିବାର ଆବଶ୍ୟକତା ରହିଛି । ଦଳର ସମସ୍ତ ସହଯୋଗୀ ଶିବିରରେ ବିନା ଦ୍ୱିଧାରେ ସେମାନଙ୍କ ବିଚାର ଉପସ୍ଥାପନ କରିବାକୁ ଏବଂ ଦଳ ଏବେ ମଧ୍ୟ ସୁଦୃଢ ଥିବା ଓ ଏକାଠି ଥିବା ବାର୍ତ୍ତା ଦେଶବାସୀଙ୍କ ନିକଟରେ ପହଂଚାଇବାକୁ ସେ ଆହ୍ୱାନ ଦେଇଛନ୍ତି । ଦେଶବ୍ୟାପୀ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସାକୁ ନେଇ ବିଜେପି ସରକାରଙ୍କୁ କଡା ସମାଲୋଚନା କରି ଶ୍ରୀମତୀ ଗାନ୍ଧୀ କହିଛନ୍ତି, ଏହା ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରର ‘ମ୍ୟାକ୍ସିମମ୍ ଗଭର୍ଣ୍ଣାନ୍ସ, ମ୍ୟାକ୍ସିମମ୍ ଗଭର୍ଣ୍ଣମେଂଟ’ ସ୍ଲୋଗାନର ବାସ୍ତବ ରୂପ ! ଦେଶକୁ ବିଭିନ୍ନ ଧର୍ମ, ସଂପ୍ରଦାୟ ମଧ୍ୟରେ ସମାନ୍ତରାଳ ଭାବେ ବିଭାଜନ କରାଯାଇ ଦେଶବାସୀଙ୍କୁ ଭୟର ବାତାବରଣ ଭିତରେ ରଖାଯିବା ଏବଂ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରାଯାଇ ସେମାନଙ୍କ ପ୍ରତି ଅତ୍ୟାଚାର କରାଯିବା ଦୁଃଖଦାୟକ । ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟ ସମାଜର ଅବିଚ୍ଛେଦ୍ୟ ଅଂଗ ବୋଲି ସେ କହିଛନ୍ତି । କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ ଆଣି ଦେଶବାସୀଙ୍କ ସମ୍ମୁଖରେ ନୂଆ ରୂପରେ ଉପସ୍ଥାପନ କରିବା ସକାଶେ ଦଳ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାକୁ ବିଚାର କରୁଥିବା ସୂଚନା ମିଳିଛି । ବିଭିନ୍ନ ସାଂଗଠନିକସ୍ତରର ନେତୃତ୍ୱ ନୂଆ ମୁହଁଙ୍କହତରେ ନ୍ୟସ୍ତ କରାଯାଇ ନେତୃତ୍ୱ ନେବା ଓ ନିର୍ବାଚନ ଲଢିବା ପାଇଁ ବୟସ ସୀମା ଧାର୍ଯ୍ୟ କରାଯିବାକୁ ବିଚାର କରାଯାଉଥିବା ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ଦଳ ତାହାର ରାଜ୍ୟସଭା ସଦସ୍ୟଙ୍କ ପାଇଁ ମଧ୍ୟ ଟର୍ମ-ଲିମିଟ୍ ନିର୍ଦ୍ଧାରଣ କରିବାକୁ ବିଚାର କରୁଥିବା ଜଣାପଡିଛି । ଏହି ତିନି ଦିନିଆ ଶିବିରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଦଳର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଇଥିବା ସୂଚନା ମିଳିଛି । ଏହି ଚିନ୍ତନ ଶିବିର ମାଧ୍ୟମରେ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବା ଆଶା କରାଯାଉଛି ବୋଲି କଂଗ୍ରେସ ନେତା ଅଜୟ ମାକାନ ଆଜି ଗଣମାଧ୍ୟମକୁ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS