ସୁନିଲ ଝାକର କଂଗ୍ରେସ ଛାଡିଲେ


ପ୍ରସାଦ ରାଓ
ମେ’ ୧୪
ଦେଶରେ କଂଗ୍ରେସକୁ ପନରୁଜ୍ଜୀବିତ କରିବାକୁ ରାଜସ୍ଥାନର ଉଦୟପୁରରେ ତିନି ଦିନିଆ ‘ଚିନ୍ତନ ଶିବିର’ ଚାଲିଥିବା ବେଳେ ଆଜି ପଂଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଝାକର କଂଗ୍ରେସ ଛାଡିଥିବା ଘୋଷଣା କରିଛନ୍ତି । ବିଶୃଙ୍ଖଳ ଆଚରଣ ଅଭିଯୋଗରେ ଦଳ ତାଙ୍କୁ ନିକଟରେ ଦୁଇ ବର୍ଷ ପାଇଁ ନିଲମ୍ବିତ କରିଥିଲା । ଫେସବୁକ୍ ର ଏକ ଲାଇଭ ସେସନରେ କଂଗ୍ରେସକୁ ଶୁଭାକାଂକ୍ଷା ଓ ଶୁଭ ବିଦାୟ ଜଣାଇବା ସହ ସେ କହିଛନ୍ତି, କଂଗ୍ରେସ ଉଦୟପୁରରେ ‘ଚିନ୍ତନ ଶିବର’ କରିବା ପରିବର୍ତ୍ତେ ‘ଚିନ୍ତା ଶିବିର’ କରିବା ଉଚିତ ଥିଲା । ‘ଚିନ୍ତନ ଶିବର’ କେବଳ ଏକ ‘ଆନୁଷ୍ଠନିକ’ କାର୍ଯ୍ୟକ୍ରମ, କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ଦଳକୁ କେମିତି ରକ୍ଷା କରିହେବ ଜାଣନ୍ତି ନାହିଁ ବା ଜାଣିବାକୁ ଚାହାନ୍ତି ନାହିଁ । ଅତ୍ୟନ୍ତ ଦୁଃଖର ସହ ସେ ଏହା କହିବାକୁ ଚାହୁଁଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଉଁ ବିପର୍ଯ୍ୟୟ ଘଟିଲା ତାହାର କାରଣ ଜାଣିବା ପାଇଁ ଦଳ ଏକ ଅତିରିକ୍ତ କମିଟି ଗଠନ କରିବା ଆବଶ୍ୟକତା ଥିଲା ବୋଲି ଉଲ୍ଲେଖ କରି ସେ ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେହି ସମୟରେ ରାଜ୍ୟ ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ ଦାୟି କରିଛନ୍ତି । କଂଗ୍ରସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଝାକର ସମାଲୋଚନା କରିଛନ୍ତି । ପଂଜାବ ଇତିମଧ୍ୟରେ ଅନେକ ‘କଳା ଦିବସ’ ଦେଖି ସାରିଛି । ସୋନିଆ ପଂଜାବରେ ଆଉ ରାଜନୈତିକ ଖେଳ ଖେଳନ୍ତୁ ନାହିଁ ବୋଲି ସେ କହିଛନ୍ତି । ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ ଅଭିଯୋଗରେ ଝାକରଙ୍କୁ କଂଗ୍ରେସରୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରାଯିବାକୁ ବରିଷ୍ଠ କଂଗ୍ରେସ ନେତା ଏ.କେ.ଆଂଟୋନିଙ୍କ ନେତୃତ୍ୱରେ ଥିବା ଡ଼ିସିପ୍ଲିନାରୀ ଆକ୍ସନ କମିଟି (ଡ଼ିଏସି) ଗତ ଏପ୍ରିଲ ମାସରେ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ସୁପାରିଶ କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଝାକର ସକ୍ରିୟ ରାଜନୀତିରୁ ବିଦାୟ ନେଉଥିବା ଘୋଷଣା କରିଥିଲେ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ଦଳର ନେତୃତ୍ୱକୁ ଜଣାଇ ଦେଇଥିଲେ । ପଂଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଦଳର ପୂର୍ବତନ ରାଜ୍ୟ ସଭାପତି ଝାକର ପୂର୍ବତନ ମୁଖ୍ୟମନ୍ତ୍ରୀ ଚିନଜିତ୍ ସିଂହ ଚନ୍ନି ଓ କଂଗ୍ରେସର ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀଙ୍କୁ ସମାଲୋଚନା କରିବାରୁ ତାହା ଦଳ ବିରୋଧୀ ଦର୍ଶାଯାଇ ଏପ୍ରିଲ ୧୧ ତାରିଖ ଦିନ ତାଙ୍କୁ କାରଣଦର୍ଶା ନୋଟିସ ଜାରି ହୋଇଥିଲା । ତେବେ, ଝାକର ମୁଣ୍ଡ ନ ନୁଆଁଇ ଦଳର ନେତୃତ୍ୱକୁ ସମାଲୋଚନା କରିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS