ମୁଣ୍ଡକା ଅଗ୍ନିକାଣ୍ଡ ହୃଦୟ ବିଦାରକ, ୨୭ ଶବ ଉଦ୍ଧାର ହେଲାଣି, ଦୁଇ ଗିରଫ, ଘର ମାଲିକ ଫେରାର


ପ୍ରସାଦ ରାଓ
ମେ’ ୧୪
ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟରେ ଥିବା ଏକ ଚାରି ମହଲା ବିଶିଷ୍ଟ ବ୍ୟବସାୟିକ କଂପ୍ଲେକ୍ସରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଅତ୍ୟନ୍ତ ହୃଦୟ ବିଦାରକ । ଆବଶ୍ୟକ ନିରାପତ୍ ତା ବ୍ୟବସ୍ଥା ଅଭାବରୁ ଏହି ଅଗ୍ନିକାଣ୍ଡ ଘଟି ବ୍ୟାପକ ଜୀବନହାନୀ ହୋଇଥିବା ଜଣାପଡିଛି । ପୁଲିସ ଏସଂକ୍ରାନ୍ତରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଘର ମାଲିକ ଫେରାର ଥିବା ଜଣାପଡିଛି । ଆଜି ସକାଳ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ପଶ୍ଚିମ ଦିଲ୍ଲୀ ପୁଲିସ ପୁଲିସ ଓ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଧ୍ୱସ୍ତ କୋଠାରୁ ୨୭ଟି ଜଳି ଯାଇଥିବା ଶବ ଉଦ୍ଧାର କରିଛନ୍ତି । ଅଗ୍ନିକାଣ୍ଡରେ ଅନ୍ୟୁନ ୪୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅଗ୍ନକାଣ୍ଡ ଏତେଦୂର ଭୟଙ୍କର ଥିଲା ଯେ ପ୍ରାୟ ୪୦ଟି ଦମକଳ ଶୁକ୍ରବାର ଅପରାହ୍ନରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅଗ୍ନି ନିର୍ବାଚନ କାର୍ଯ୍ୟରେ ନିୟେଜିତ ଥିଲେ ।
ମୁଣ୍ଡକା ଶିଳ୍ପାଂଚଳରେ ଥିବା ଏହି ବ୍ୟବସାୟିକ କଂପ୍ଲେକ୍ସରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ଥିଲା ଏବଂ ଶତାଧିକ ପୁରୁଷ ଓ ମହିଳା କର୍ମଚାରୀ କାମ କରୁଥିଲେ । କଂପ୍ଲେକ୍ସର ପ୍ରଥମ ମହଲାରେ ଏକ ସିସିଟିଭି ଗୋଦାମ, ବିକ୍ରୟ ଓ ମରାମତି କାର୍ଯ୍ୟାଳୟ ଥିଲା, ଯେଉଁଠି କି ସିସିଟିଭି କ୍ୟାମେରା ବିକ୍ରୀ ଓ ମରାମତି ପାଇଁ ବ୍ୟହୃତ ବହୁ ପରିମାଣର ପ୍ଲାଷ୍ଟିକ ସରଂଜାମ ଗଚ୍ଛିତ ଥିଲା । କୋଠାରେ ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା । ଫଳରେ, ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟି ତ୍ୱରିତ ବେଗରେ ସଂପୂର୍ଣ୍ଣ କୋଠାକୁ ଗ୍ରାସ କରିଥିଲା । ଅଗ୍ନିକାଣ୍ଡ ଘଟିବା ସମୟରେ ଶତାଧିକ ପୁରୁଷ ଓ ମହିଳା ସେଠାରେ କାମ କରୁଥିଲେ । ଅଗ୍ନିକାଣ୍ଡ ଘଟିବା ଜାଣିବା ପରେ ସେମାନେ କୌଣସି ପ୍ରକାର ନିଜ ଜୀବନ ବଂଚାଇବାକୁ ପାଇଁ ଉଦ୍ୟମ କଲା ବେଳେ କଳା ଧୂଆଁରେ ଭତ୍ତି କୋଠାର ସିଡ଼ି ଘର ଦୃଶ୍ୟମାନ ନ ହେବାରୁ ଅଧିକାଂଶ ପ୍ରାଣ ବିକଳରେ ଦ୍ୱିତୀୟ ଓ ତୃତୀୟ ମହଲା ଝରକା କାଚ ଭାଂଗି ତଳକୁ ଡେଇଁ ପଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମୃତାହତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମଚାରୀ ଅଛନ୍ତି । ମୃତଦେହଗୁଡିକ ସଂପୂର୍ଣ୍ଣ ଭାବେ ଜଳି ଯାଇ ଥିବାରୁ ଶବ ଚିହ୍ନଟ ବଡ ସମସ୍ୟା ହୋଇଛି । ଡ଼ିଏନଏ ଟେଷ୍ଟ ମାଧ୍ୟମରେ ଶବ ଚିହ୍ନଟ ଉଦ୍ୟମ ହେବ ବୋଲି ସୂଚନା ମିଳିଛି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅଗ୍ନି ନିର୍ବାପନ ଏବଂ କୁଲିଂ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପରେ କୋଠା ଭିତରେ ପ୍ରବେଶ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ସକାଳ ସୁଦ୍ଧା ୨୭ଟି ଜଳି ଯାଇଥିବା ଶବ ଉଦ୍ଧାର ହୋଇଥିବା ବେଳେ ଗୁରୁତର ଭାବେ ପୋଡି ଯାଇଥିବା ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । କୋଠା ଭିତରୁ ଆହୁରି ଅଧିକ ସଂଖ୍ୟାରେ ମୃତଦେହ ମିଳି ପାରେ ବୋଲି ସର୍ଚ୍ଚ ଅପରେସନରେ ସଂପୃକ୍ତ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି । ଗତକାଲି ଧୁ ଧୁ ହୋଇ ଜଳୁ ଥିବା କୋଠା ମଧ୍ୟରୁ ୬୦ରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ କହିଛି ।
ଦିଲ୍ଲୀର ଡେପୁଟି ଚିଫ୍ ଫାୟାର ଅଫିସର ସୁନିଲ ଚୌଧୁରୀଙ୍କ କହିବା ଅନୁସାରେ ଚାରି ମହଲା କୋଠାର ପ୍ରଥମ ମହଲାରେ ଗୋଟିଏ ସିସିଟିଭି କ୍ୟାମେରା ଓ ରାଉଟର୍ ତିଆରି କରୁଥିବା କଂପାନୀର କାର୍ଯ୍ୟାଳୟ ଓ ଗୋଦାମ ଥିଲା । ପ୍ରଥମ ମହଲାରୁ ହିଁ ଅଗ୍ନିକାଣ୍ଡର ସୂତ୍ରପାତ ହୋଇଛି । ଅପରାହ୍ନ ୪ଟା ୪୦ ମିନିଟରେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନି ନିର୍ବାଚନ ପାଇଁ ଘଟଣାସ୍ଥଳକୁ ୨୪ଟି ଦମକଳ ପଠା ଯାଇଥିଲା । ଦିଲ୍ଲୀ ପୁଲିସର ଡେପୁଟି କମିସନର (ଆଉଟର) ସମିର ଶର୍ମା ମଧ୍ୟ ଏକାଭଳି ସୂଚନା ଦେଇଛନ୍ତି । ସଂପୃକ୍ତ ବ୍ୟବସାୟିକ କଂପ୍ଲେକ୍ସରେ ସିସିଟିଭି କ୍ୟାମେରା ଓ ରାଉଟର ତିଆରି କରୁଥିବା ଓ ଗୋଦାମ କରିଥିବା କଂପାନୀର ମାଲିକ ହରିଶ ଗୋୟେଲ ଓ ବରୁଣ ଗୋୟେଲଙ୍କୁ ଗତକାଲି ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ପିତା ଅମରନାଥ ଗୋୟେଲଙ୍କ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟି ଥିବା ଜଣାପଡିଛି । ଅଗ୍ନିକାଣ୍ଡ ଘଟି ଥିବା ବ୍ୟବସାୟିକ କଂପ୍ଲେକ୍ସର ମାଲିକ ମନିଷ ଲାକ୍ରା ଫେରାର ଥିବା ପୁଲିସ କହିଛି । ଏତେ ବଡ଼ ବ୍ୟବସାୟିକ କଂପ୍ଲେକ୍ସରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିଲା ବା କୋଠା ମାଲିକ ସୁରକ୍ଷା କ୍ଲିୟରାନ୍ସ ମଧ୍ୟ ନେଇ ନଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
ଗତକାଲିର ଘଟଣା ଅତ୍ୟନ୍ତ ଦୁଃଦାୟକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଗତକାଲି ରାତିରେ ଟ୍ୱିଟ୍ କରିଥିବା ବେଳେ ଆଜି ମୁଣ୍ଡକା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ସେ ନିର୍ଦେଶ ଦେଇଥିବା ଜଣାପଡିଛି । ମାଜିଷ୍ଟ୍ରେଟ୍ ତଦନ୍ତରୁ ଯେଉଁମାନେ ଦୋଷୀ ବୋଲି ଜଣାପଡିବ ସେମାନଙ୍କୁ ଛଡା ଯିବ ନାହିଁ ସେ ଦୃଢ ଭାବେ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ ମାଧ୍ୟମରେ ମୁଣ୍ଡାକ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ମଧ୍ୟ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ ମାଧ୍ୟମରେ ମୁଣ୍ଡାକ ଘଟଣାରେ ମୃତାହାତ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଓ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି ।
ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ‘ଚିନ୍ତନ ଶିବିର’ରେ ବ୍ୟସ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଗତାକାଲିର ଅଗ୍ନିକାଣ୍ଡ ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାରେ ଅନ୍ୟୁନ ୨୯ ଜଣ ନିଖୋଜ ଥିବା ଆଜି ସୂଚନା ମିଳିଛି । ଆଗାମୀ କିଛି ଘଂଟା ମଧ୍ୟରେ ସର୍ଚ୍ଚ ଅପରେସନ ସରିବ । ଆହତଙ୍କ ମଧ୍ୟରୁ ୧୧ ଜଣଙ୍କୁ ଚିହ୍ନଟ କରାଗଲାଣି ବୋଲି ସରକାରୀ ଭାବେ କୁହାଯାଇଥିବା ବେଳେ ଦିଲ୍ଲୀ ଫାୟାର ସର୍ଭିସ ପକ୍ଷରୁ କୁହାଯାଇଛି, ଚାରି ମହଲ କୋଠାରେ ଉପରୁ ତଳକୁ ଯିବା, ଆସିବା କରିବା ମାତ୍ର ଗୋଟିଏ ସିଡ଼ି ଥିଲା । ଧୁ ଧୁ ହୋଇ ଜଳୁଥିବା କେଠାରୁ ଜୀବନ ବଂଚାଇବା ପଳାଇବା ପାଇଁ କିଛି ଲୋକ ଦୁଇ ଓ ତିନି ମହଲା ଝରକା କାଚ ଭାଂଗି ତଳକୁ ଡେଇଁ ଥିବା ବେଳେ ଆଉ କିଛି ଦଉଡିର ସାହାୟତା ନେଇଥିଲେ ।
କେବଳ ଦିଲ୍ଲୀ ସହର ନୁହେଁ, ଦେଶର ଅନ୍ୟ ଅଂଚଳରେ ମଧ୍ୟ ମୁଣ୍ଡାକ ଭଳି ଘଟଣା ଘଟୁଛି । ବହୁତଳ ପ୍ରାସାଦ ଏବଂ ବ୍ୟବସାୟିକ କଂପ୍ଲେକ୍ସରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଅଛି କି ନାହିଁ ତାହା ଯାଂଚ କରି ଏନଓସି ଦେବା ପୁଲିସ ଓ ଅନ୍ୟ ସରକାର ବିଭାଗର ଦାୟିତ୍ୱ ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଅତ୍ୟନ୍ତ ଖାମଖିଆଲି ଭାବେ ଫାୟାର ସେଫ୍ଟି ଯାଂଚ ଓ ଏନଓସି ପ୍ରଦାନ ହେଉଛି । ଯେଉଁମାନେ ଏନଓସି ନଥାଇ ବ୍ୟବସାୟ ଚଳାଇଛନ୍ତି ସେମାନେ ମଧ୍ୟ ବିଭିନ୍ନ ଉପାୟରେ ସୁରଡକ୍ଷା ବ୍ୟବସ୍ଥାର ଖିଲାପ କରୁଛନ୍ତି । ଫଳରେ, ଆକସ୍ମିକ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନ, ଜୀବନହାନୀ ଘଟୁଛି । ସରକାରୀ କଳ ଖାମଖିଆଲି ନହୋଇ କଡାକଡ଼ି ଭାବେ ସୁରକ୍ଷା ଯାଂଚ ବ୍ୟବସ୍ଥା କାର୍ଯ୍ୟକାରୀ କଲେ ହିଁ ଆଗାମୀ ଦିନରେ ମୁଣ୍ଡାକ ଭଳି ଦୁଃଖଦ ଘଟଣାକୁ ଏଡାଇ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS