କଂଗ୍ରେସ ଚିନ୍ତନ ଶିବିର ସରିଲା, ପାର୍ଲାମେଂଟାରୀ ବୋର୍ଡ ପୁନଃ ପ୍ରତିଷ୍ଠା ପ୍ରସ୍ତାବ ଖାରଜ !


ପ୍ରସାଦ ରାଓ
ମେ’ ୧୫
ରାଜସ୍ଥାନରେ ଉଦୟପୁରଠାରେ ମେ’ ୧୩ରୁ ଚାଲି ଥିବା କଂଗ୍ରେସର ତିନି ଦିନିଆ ‘ନବ ସଂକଳ୍ପ ଚିନ୍ତନ ଶିବିର’ ଆଜି ଶେଷ ହୋଇଛି । ଶିବିରରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇ ତାହା ଗୃହୀତ କରାଯାଇଥିବା ବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସକାଶେ ‘କଂଗ୍ରେସ ନିର୍ବାଚନ କମିଟି’ ସ୍ଥାନରେ ‘କଂଗ୍ରେସ ପାର୍ଲମେଂଟାରୀ ବୋର୍ଡ’କୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପ୍ରସ୍ତାବ କଂଗ୍ରେସ କାର୍ଯ୍ୟକାରୀ କମିଟି ଦ୍ୱାରା ଖାରଜ ହୋଇଥିବା ସୂଚନା ମିଳିଛି । କଂଗ୍ରେସରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀର ଏହା ଏକ ପ୍ରମୁଖ ଦାବି ଥିଲା । ଶନିବାର ଦିନ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହୋଇ ଚୂଡାନ୍ତ ନିଷ୍ପତ୍ତି ନେବା ଦାୟିତ୍ୱ କଂଗ୍ରେସ କାର୍ଯ୍ୟକାରୀ କମିଟି ବା ସିଡବ୍ଲୁସି ଉପରେ ନ୍ୟସ୍ତ କରାଯାଇଥିଲା । ପରେ, ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧରକ ଭାବେ ପରିଚିତ ସିଡବ୍ଲୁସି ନିର୍ବାଚନ କମିଟି ସ୍ଥାନରେ ପର୍ଲାମେଂଟାରୀ ବୋର୍ଡ ପୁନଃ ସଂସ୍ଥାପନ ପ୍ରସ୍ତାବକୁ ଖାରଜ କରିଛି । ଏହା ବଦଳରେ, ଦଳର କେନ୍ଦ୍ରୀୟ ଓ ରାଜ୍ୟସ୍ତରରେ ରାଜନୈତିକ ବ୍ୟପାର କମିଟି ରହିବ ବୋଲି କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେଇଥିବା ଜଣାପଡିଛି । କଂଗ୍ରେସ ନିର୍ବାଚନ କମିଟି ସ୍ଥାନରେ ପାର୍ଲାମେଂଟାରୀ ବୋର୍ଡ ବ୍ୟବସ୍ଥା ପୁନରୁଜ୍ଜୀବିତ ହେଲେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଗାନ୍ଧୀ ପରିବାରର ଯେଉଁ ଏକକ କ୍ଷମତା ରହି ଆସିଛି ତାହା ସଂକୁଚିତ ହୋଇଯିବା ଆଶଙ୍କା ବ୍ୟକ୍ତ କରି ଦଳର ବହୁ ପୁରୁଖା ନେତା (ଗାନ୍ଧୀ ପରିବାରର ଅନୁଗତ) ପ୍ରସ୍ତାବକୁ ବିରୋଧ କରିଥିଲେ । ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ପାର୍ଲାମେଂଟାରୀ ବୋର୍ଡର ପୁନଃ ସଂସ୍ଥାପନା ପ୍ରସ୍ତାବକୁ ଖାରଜ କରିଦେଲା । କଂଗ୍ରେସରେ ‘ଗୋଟିଏ ପରିବାର, ଗୋଟିଏ ପଦବୀ’ ଏବଂ ‘ଗୋଟିଏ ପରିବାର, ଗୋଟିଏ ଟିକଟ’ ପ୍ରସ୍ତାବ କିନ୍ତୁ ନିର୍ବିରୋଧରେ ଗୃହୀତ ହୋଇଛି । କିନ୍ତୁ, ଗାନ୍ଧୀ ପରିବାର ପାଇଁ ଏଥିରେ ଏକ ଗଳାବାଟ ରହିଛି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିର୍ବାଚନ ଲଢିବାରେ ଯେଭଳି ଅସୁବିଧା ନହେବ ସେଥିପାଇଁ ଗୋଟିଏ ପରିବାରର ଏକାଧିକ ସଦସ୍ୟ ନିର୍ବାଚନ ଲଢିବାକୁ ଚାହୁଁ ଥିଲେ ଦଳ ପାଇଁ ସେମାନେ ଲଗାତର ପାଂଚ ବର୍ଷ କାର୍ଯ୍ୟ କରିଥିବା ଆବଶ୍ୟକ । ତାହା ହୋଇଥିଲେ ହିଁ ସେମାନେ ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଗୃହୀତ ପ୍ରସ୍ତାବରେ ଦର୍ଶାଯାଇଛି । ପୂର୍ବରୁ କଂଗ୍ରେସରେ ପାର୍ଲାମେଂଟାରୀ ବୋର୍ଡ ବ୍ୟବସ୍ଥା ଥିଲା । କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) କଂଗ୍ରେସ ସଭାପତି ଓ ଅନ୍ୟ ୯ ଜଣ ବରିଷ୍ଠ ସଦସ୍ୟଙ୍କୁ (ସେଥିରୁ ଜଣେ କଂଗ୍ରେସର ସଂସଦୀୟ ଦଳ ନେତା ହୋଇଥିବା ଆବଶ୍ୟକ) ନେଇ ପାର୍ଲାମେଂଟାରୀ ବୋର୍ଡ ଗଠନ କରୁଥିଲେ, ଯାହାର କି ଅଧ୍ୟକ୍ଷ ରହୁଥିଲେ ଦଳର ସଭାପତି । ପାର୍ଲାମେଂଟାରୀ ବୋର୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ନୀତିନିର୍ଦ୍ଧାରକ ଅନୁଷ୍ଠାନ ଭାବେ ବିଚାର କରାଯାଉଥିଲା । ତେବେ, ପି.ଭି.ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ପରେ ଦଳର ପାର୍ଲାମେଂଟାରୀ ବୋର୍ଡକୁ କୋଣଠେସା କରି ଦେଇଥିଲେ, ଯାହାକି ଆଉ କାର୍ଯ୍ୟକ୍ଷମ ହୋଇ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଦେଶରେ କଂଗ୍ରେସର ବିପର୍ଯ୍ୟୟ ପାଇଁ କଂଗ୍ରେସ ଅସନ୍ତୁଷ୍ଟ (ଜି-୨୩) ଗୋଷ୍ଠୀ କଂଗ୍ରେସ ନେତୃତ୍ୱକୁ ଦାୟି କରି ୨୦୨୦ରେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଥିଲେ । କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ, ଗାନ୍ଧୀ ପରିବାର ବାହାରୁ କାହାରିକୁ ପୂର୍ଣ୍ଣ ସମୟ ସଭାପତି ଚୟନ, କଂଗ୍ରେସରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମ୍ମିଳିତ ନିଷ୍ପତ୍ତି ପାଇଁ କଂଗ୍ରେସ ପାର୍ଲାମେଂଟାରୀ ବୋର୍ଡକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ସେମାନେ ଦାବି କରି ଆସୁଛନ୍ତି । ଉଦୟପୁର ଚିନ୍ତନ ଶିବରରେ ଅସନ୍ତୁଷ୍ଟ ଗୋଷ୍ଠୀର ଅନ୍ୟତମ ନେତା କପିଲ ସିବଲଙ୍କ ବ୍ୟତୀତ ଅନ୍ୟମାନେ ଯୋଗ ଦେଇଥିଲେ । ଆଜିର ସିଡବ୍ଲୁସି ବୈଠକରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ, ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଗୁଲାମ ନବୀ ଆଜାଦ, ପି.ଚିଦାମ୍ବାରମ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନରେ ବିଜେପିର ‘ହିନ୍ଦୁତ୍ୱ’ ନୀତିର କିଭଳି ମୁକାବିଲା କରାଯିବ ତାହା ଉପରେ ଗମ୍ଭୀର ଭାବେ ଚର୍ଚ୍ଚା ହୋଇଥିବା ଜଣାପଡିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କଂଗ୍ରେସ ଦଳ ଏକ ଅଭବନୀୟ ଓ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଥିବାରୁ ତାହାର ମୁକାବିଲା ପାଇଁ ବିଶେଷ ପଦକ୍ଷେପ ନେବାକୁ ପଡିବ ବୋଲି କଂଗ୍ରସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଆଜି ଚିନ୍ତନ ଶିବରର ଶେଷ ଦିବସରେ ଦଳର ନେତୃବର୍ଗଙ୍କୁ ଆହ୍ୱାନ ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS