ସୀନା ବୋରା ହତ୍ୟାକାଣ୍ଡ, ସାଢେ ୬ ବର୍ଷ ପରେ ଇନ୍ଦ୍ରାଣୀଙ୍କ ଜାମିନ ମଂଜୁର


ପ୍ରସାଦ ରାଓ
ମେ’ ୧୮
୨୦୧୨ରେ ସାବାଳିକା ଝିଅ ସୀନା ବୋରାଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ସାଢେ ୬ ବର୍ଷ ହେଲା ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମ କୋର୍ଟ ଜାମିନ ମଂଜୁର କରିଛନ୍ତି । ତେବେ, ଅଭିଯୁକ୍ତ ଇନ୍ଦ୍ରାଣୀ ଟ୍ରାଏଲ କୋର୍ଟରେ ଜାମିନ ପାଇଁ ଆବେଦନ କରିବେ ଏବଂ ତାହାର ସର୍ତ୍ତ ତଳ କୋର୍ଟ ଧାର୍ଯ୍ୟ କରି ତାଙ୍କୁ ଜାମିନରେ ମୁକ୍ତ କରିବେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଝିଅ ସୀନାଙ୍କୁ ହତ୍ୟା କରିବା ଅଭିଯୋଗରେ ମା’ ଇନ୍ଦ୍ରାଣୀ ୨୦୧୫ରେ ମୁମ୍ବାଇ ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି । ଗତ ବର୍ଷ ନଭେମ୍ବର ମାସରେ ଇନ୍ଦ୍ରାଣୀ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଜଣିକିଆ ବେଂଚ୍ ତାଙ୍କ ଆବେଦନକୁ ଖାରଜ କରିଥିଲେ । ତାହାକୁ ଚ୍ୟାଲେଂଜ କରି ଇନ୍ଦ୍ରାଣୀ ସୁପ୍ରିମ କୋର୍ଟରେ ଏକ ଏସଏଲପି (ସ୍ପେଶାଲ ଲିଭ ପିଟିସନ୍) ଦାଖଲ କରିଥିଲେ । ମାମଲାରେ ୨୩୭ ସାକ୍ଷୀ ଥିବା ବେଳେ ୬୮ ଜଣଙ୍କ ଜେରା ସରିଛି । ଆହୁରି ୧୮୫ ଜଣ ସାକ୍ଷୀଙ୍କ ଜେରା ବାକି ରହିଛି । ତେଣୁ, ମାମଲାର ଶୁଣାଣୀ ଏତେ ଶୀଘ୍ର ସରିବାର ନାହିଁ । ଇନ୍ଦ୍ରାଣୀ ସାଢେ ୬ ବର୍ଷ ହେଲା ଜେଲରେ ଦିନ କାଟି ଥିବାରୁ ଜାମିନ ପାଇବାକୁ ଯୋଗ୍ୟ ବୋଲି ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି ।
୨୦୧୨ରେ ୨୫ ବର୍ଷ ବୟସ୍କା ଥିବା ସୀନା ବୋରା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରଥମ ସ୍ୱାମୀଙ୍କ କନ୍ୟା । ଇନ୍ଦ୍ରାଣୀଙ୍କ ପରବର୍ତ୍ତୀ ସ୍ୱାମୀ ପିଟର ମୁଖାର୍ଜୀଙ୍କ ପ୍ରଥମ ପତ୍ନୀ ପୁଅ ରାହୁଲ ମୁଖାଜୀଙ୍କ ସହ ସୀନାଙ୍କ ପ୍ରେମ ସଂପର୍କ ଥିବା ଏବଂ ସେମାନେ ଲିଭ-ଇନ୍ ରିଲେସନସିପରେ ରହୁଥିବା ଜାଣିବା ପରେ ଇନ୍ଦ୍ରାଣୀ ତାଙ୍କ ପୂର୍ବତନ ସ୍ୱାମୀ ସଂଜୀବ ଖାନା ଓ ଡ୍ରାଇଭର ଶ୍ୟାମବର ରାୟଙ୍କ ସହାୟତାରେ ନିଜ ଗାଡି ଭିତରେ ସୀନାଙ୍କୁ ଗଳା ଚିପି ହତ୍ୟା କରିଥିଲେ ବୋଲି ଅଭିଯୋଗ ରହିଛି । ରାହୁଲଙ୍କ ସହ ସଂପର୍କ ନ ରଖିବାକୁ ଇନ୍ଦ୍ରାଣୀ ସୀନାଙ୍କୁ ବିଝାଇବାରେ ବିଫଳ ହେବା ପରେ କ୍ଷୁବ୍ଧ ହୋଇ ଏହି ହତ୍ୟାକାଣ୍ଡ ଘଟାଇ ଥିବା ତଦନ୍ତ ଅଧିକାରୀମାନେ କହିଛନ୍ତି । ସୀନା ୨୦୧୨ରୁ ନିଖୋଜ ଥିବା ବେଳେ ସେ ପାଠ ପଢିବାକୁ ୟୁଏସ ଯାଇଛନ୍ତି ବୋଲି ଇନ୍ଦ୍ରାଣୀ ତାଙ୍କ ସାଂଗମାନଙ୍କୁ କହୁଥିଲେ । ସୀନାଙ୍କୁ ତାଙ୍କ ସାନ ଭଉଣୀ ବୋଲି ମଧ୍ୟ ଇନ୍ଦ୍ରାଣୀ ସାଂଗଙ୍କ ନାକଟରେ ପରିଚିତ କରାଉ ଥିଲେ । ଇନ୍ଦ୍ରାଣୀଙ୍କ ଗାଡ଼ି ଚାଳକ ଶ୍ୟାମବର ରାଏ ଅନ୍ୟଏକ ମାମଲାରେ ଗିରଫ ହୋଇ ପୁଲିସ ଦ୍ୱାରା ଜେରା ବେଳେ ସୀନା ବୋରା ହତ୍ୟାର ରହସ୍ୟ ଖୋଲିଥିଲେ ଏବଂ ମୁମ୍ବାଇ ନିକଟରୁ ସୀନାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଥିଲା ।
ଗାଡ଼ି ଚାଳକ ଶ୍ୟାମବର ରାଏ ବୟାନ ଭିତ୍ତିରେ ମୁମ୍ବାଇ ପୁଲିସ ୨୦୧୫ ଅଗଷ୍ଟ ୨୫ ତାରିଖରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି ଜେଲ ପଠାଇଛନ୍ତି । ସେହି ଦିନଠାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲା ଜେଲରେ ବିଚାରାଧୀନ ବନ୍ଦୀ ରହିଛନ୍ତି । ଆଜି ଇନ୍ଦ୍ରାଣୀଙ୍କ ପାଇଁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଓ ଇନ୍ଦ୍ରାଣୀଙ୍କ ଓକିଲ ସାନା ରଇସ ଖାନ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିକଟରେ ହାଜର ହୋଇ ମାମଲା ପରିଚାଳନା କରିଥିଲେ । କେବଳ ଜଣେ ବ୍ୟକ୍ତିଙ୍କ ଜମାନବନ୍ଦୀ ଓ ପାରିପାଶ୍ୱିର୍କ ତଥ୍ୟ ଭିତ୍ତିରେ ଇନ୍ଦ୍ରାଣୀଙ୍କୁ ସାଢେ ୬ ବର୍ଷ ହେଲା ଜେଲରେ ରଖା ଯାଇଥିବା ଏବଂ ବାରମ୍ବାର ତାଙ୍କ ଜାମିନ ଆବେଦନକୁ ରଦ୍ଦ କରାଯାଉଥିବା ସେମାନେ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିବା ଇନ୍ଦ୍ରାଣୀଙ୍କୁ ଜାମିନ ଦିଆଯିବା ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିବାରୁ ସୁପ୍ରିମ କୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ମଂଜୁର କରିଛନ୍ତି । ଇନ୍ଦ୍ରାଣୀ ପୂର୍ବରୁ ମଧ୍ୟ ବହୁବାର ମୁମ୍ବାଇ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଜାମି ପାଇଁ ଆବେଦନ କରି ଥିଲେ ସୁଦ୍ଧା ତାହା ଖାରଜ ହୋଇଥିଲା । ଗତ ନଭେମ୍ବର ୧୬ ତାରିଖରେ ଇନ୍ଦ୍ରାଣୀ ବମ୍ବେ ହାଇକୋର୍ଟ ଜାମିନ ପାଇଁ ଆଦେନ କରିଥିଲେ । ତେବେ, ହାଇକୋର୍ଟ ବିଚାରପତି ଜଷ୍ଟିସ ନୀତିନ ସାମ୍ବ୍ରେଙ୍କ ଜଣିକିଆ ବେଂଚ ଇନ୍ଦ୍ରାଣୀଙ୍କ ବିରୋଧୀରେ ଯଥେଷ୍ଟ ତଥ୍ୟ, ପ୍ରମାଣ ଥିବା ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିବାରୁ ଇନ୍ଦ୍ରାଣୀ ତାହାକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ଏସଏଲପି (ସ୍ପେଶାଲ ଲିଭ ପିଟିସନ) ଦାଏର କରିଥିଲେ ।
ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି, ସୀନା ବୋରା ଓ ରାହୁଲ ମୁଖାର୍ଜୀଙ୍କ ଲିଭ-ଇନ ରିଲେସନସିପରେ କ୍ଷୁବ୍ଧ ହୋଇ ଇନ୍ଦ୍ରାଣୀ ମୁଖାର୍ଜୀ ସୀନାଙ୍କୁ ତଂଟି ଚିପି ହତ୍ୟା କରିଥିବା ତଦନ୍ତକାରୀ ଏଜେନ୍ସ ଅଭିଯୋଗ କରିଥିବା ବେଳେ ମାମଲାର ମେରିଟ୍ ସଂପର୍କରେ କୋର୍ଟ କିଛି ମନ୍ତବ୍ୟ ଦେବାକୁ ଚାହୁଁ ନାହାନ୍ତି । ତେବେ, ଇନ୍ଦ୍ରାଣୀ ଏହି ହତ୍ୟା ଅଭିଯୋଗରେ ଦୀର୍ଘ ସାଢେ ବର୍ଷ ହେଲା ଜେଲରେ ଥିବାରୁ ଏବଂ ଏତେଶୀଘ୍ର ମାମଲା ଫଇସଲା ହେବାକୁ ନଥିବାରୁ ସେ ଜାମିନ ପାଇବାକୁ ଯୋଗ୍ୟ । ତେବେ, ଟ୍ରାଏଲ କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିବେ ଓ ଟ୍ରାଏଲ କୋର୍ଟ ନିଜ ସର୍ତ୍ତ ତାଙ୍କୁ ଜାମିନ ଦେଇ ପାରିବେ । ଇନ୍ଦ୍ରାଣୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ୨୦୨୦ରେ ବମ୍ବେ ହାଇକୋର୍ଟ ଯେଉଁ ସର୍ତ୍ତରେ ଜାମିନ ମଂଜୁର କରିଛନ୍ତି ସେହି ସର୍ତ୍ତ ଇନ୍ଦ୍ରାଣୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୀନା ବୋରା ହତ୍ୟାକାଣ୍ଡରେ ଇନ୍ଦ୍ରାଣୀଙ୍କଚ ସହାୟତା କରିଥିବା ଅଭିଯୋଗରେ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ । ୨୦୨୦ରେ ବମ୍ବେ ହାଇକୋର୍ଟ ପିଟରଙ୍କୁ ୨ ଲକ୍ଷ ଟଙ୍କା ସ୍ୟୁରିଟି ଓ ଅନ୍ୟ କିଛି ସର୍ତ୍ତ ରଖି ଜାମିନ ଦେଇଛନ୍ତି । ସୀନା ବୋରାଙ୍କ ହତ୍ୟା କରାଯିବାର ତିନି ବର୍ଷ ପର୍ଯ୍ୟନ୍ତ ଏହା ଏକ ନିଖୋଜ ମାମଲା ହୋଇ ରହିଥିଲା । ଡ୍ରାଇଭର ଶ୍ୟାମବର ରାୟଙ୍କ ପୁଲିସରେ ସ୍ୱୀକାରୋକ୍ତି ଭିତ୍ତିରେ ସୀନାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ୨୦୧୫ରେ ମୁମ୍ବାଇ ନିକଟରୁ ଉଦ୍ଧାର କରାଯିବା ସହ ଇନ୍ଦ୍ରାଣୀ, ପିଟର ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ୨୦୧୭ରୁ ମାମଲାର ବିଚାରଣା ଚାଲିଛି । ୨୦୧୭ରୁ ଏପର୍ଯ୍ୟନ୍ତ ମାତ୍ର ୬୮ ଜଣ ସାକ୍ଷୀଙ୍କ ଜେରା ସରି ଥିବା ୧୮୫ ଜଣଙ୍କ ଜେରା ବାକି ରହିଛି । ଇତିମଧ୍ୟରେ ଜେଲରେ ଥିବା ଅବସ୍ଥାରେ ଇନ୍ଦ୍ରାଣୀ ଓ ପିଟରଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି । ୧୭ ବର୍ଷର ସଂପର୍କକୁ ଛିନ୍ନ କରି ସେମାନେ ୨୦୧୯ରେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି ।
କିଛି ମାସ ତଳେ ଇନ୍ଦ୍ରାଣୀ ତାଙ୍କ ଝିଅ ସୀନା ଜୀବିତ ଥିବା ଏବଂ ଜଣେ ସାର୍ଥୀ କଏଦୀ ସୀନାଙ୍କୁ ଶ୍ରୀନଗରରେ ଦେଖି ଥିବା ଦାବି କରିଥିଲେ ମଧ୍ୟ ତାହା ଅସମ୍ଭବ ଓ ଇନ୍ଦ୍ରାଣୀଙ୍କ ଅବାସ୍ତବ ଭାବନା କହି ସିବିଆଇ ଏହି ଦାବିକୁ ନକାରି ଦେଇଛି । ୨୦୧୨ରେ ଘଟିଥିବା ଏହି ହତ୍ୟାକାଣ୍ଡର ତଦନ୍ତ ସରିଛି ବୋଲି ସିବିଆଇ ମୁମ୍ବାଇର ଏକ ଅଦାଲତକୁ ଜଣାଇ ସାରିଛି । ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଆଜିର ରାୟ ମୁତାବକ ଇନ୍ଦ୍ରାଣୀ ଜାମିନ ପାଇଁ ଟ୍ରାଏଲ କୋଟରେ ଆବେଦନ କରିବେ । ଯଥାସମ୍ଭବ ଶୁକ୍ରବାର ଦିନ ଏହି ଆବେଦନ କରାଯିବ ବୋଲି ଇନ୍ଦ୍ରାଣୀଙ୍କ ଓକିଲ ସାନା ରଇସ ଖାନ ଆଜି କହିଛନ୍ତି । ସୀନା ବୋରା ହତ୍ୟା ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କୁ ବମ୍ବେ ହାଇକୋର୍ଟ ୨ ଲକ୍ଷ ଟଙ୍କା ସ୍ୟୁରିଟିରେ ଜାମିନ ମଂଜୁର କରି ଥିବାରୁ ଇନ୍ଦ୍ରାଣୀଙ୍କୁ ମଧ୍ୟ ସେହି ସର୍ତ୍ତ ଜାମିନ ମିଳିବ ବୋଲି ଓକିଲ ସାନା ରଇସ ଖାନ ଆଶାବ୍ୟକ୍ତ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS