‘ରୋଡରୋଜ୍’ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ୍
ପ୍ରସାଦ ରାଓ
ମେ’ ୧୯
୩୪ ବର୍ଷ ତଳେ ଘଟି ଥିବା ଏକ ‘ରୋଡରେଜ୍’ ମାମଲାରେ ଆଜି ସୁପ୍ରିମ କୋର୍ଟ ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନବଜୋତ୍ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୯୮୮ ମସିହା ଡ଼ିସେମ୍ବର ୨୭ରେ ପଂଜାବର ପାଟିଆଲାରେ ଏହି ଘଟଣା ଘଟି ଥିଲା । ଗାଡି ପାର୍କିଂକୁ ନେଇ ବିବାଦ ହେବାରୁ ପାଟିଆଲାର ଗୁରୁନାମ ସିଂହଙ୍କ ସହ ସିଦ୍ଧୁଙ୍କ ପାଟିତୁଣ୍ଡ ହୋଇଥିଲା ଏବଂ ସିଦ୍ଧୁ ଓ ତାଙ୍କ ବନ୍ଧୁ ରୂପିନ୍ଦର ସିଂହ ସାନ୍ଧୁ ଗୁରୁନାମଙ୍କୁ ଗାଡି ଭିତରୁ ଟାଣି ଆଣି ମାଡ଼ ମାରିଥିବା ଅଭିଯୋଗ ଥିଲା । ପରେ, ଚିକିତ୍ସାଧୀନ ଅବସ୍ଥାରେ ଗୁରୁନାମଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ୧୯୯୯ରେ ପାଟିଆଲାର ଏକ ସେସନ୍ସ କୋର୍ଟ ପ୍ରମାଣ ଅଭାବରୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ସିନ୍ଧୁଙ୍କୁ ଖଲାସ କରି ଥିଲେ । ତେବେ, ମୃତ ଗୁରୁନାମଙ୍କ ପରିବାର ସେସନ୍ସ କୋର୍ଟଙ୍କ ଆଦେଶକୁ ଚ୍ୟାଲେଂଜ କରି ପଂଜାବ-ହରିୟାନା ହାଇକୋର୍ଟରେ ଆବେଦନ କରିବାରୁ ୨୦୦୬ରେ ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡ ଆଦେଶ ଶୁଣାଇ ଥିଲେ । ସିଦ୍ଧୁ ଆଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ୨୦୧୮ରେ ସୁପ୍ରିମ କୋର୍ଟରେ ଆବେଦନ କରିବାରୁ ସୁପ୍ରିମ କୋର୍ଟ ମାମଲାର ବିଚାର କରି ମାତ୍ର ଗୋଟିଏ ମୁଥରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାର ପ୍ରମାଣ ନଥିବା ଦର୍ଶାଇ ପଂଜାବ-ହରିୟାନା ହାଇକୋର୍ଟଙ୍କ ଦଣ୍ଡାଦେଶକୁ ଖାରଜ କରିଥିଲେ । ତେବେ, ଜଣେ ୬୫ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କୁ ମାଡ ମାରିବା ଘଟଣାରେ ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିଲା । ଘଟଣା ସମୟରେ ସଂପୃକ୍ତ ସ୍ଥାନରେ ସିଦ୍ଧୁଙ୍କ ସହ ବନ୍ଧୁ ରୂପିନ୍ଦର ଉପସ୍ଥିତ ଥିବା ନେଇ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ ସୁପ୍ରିମ କୋର୍ଟ ରୂପିନ୍ଦରଙ୍କୁ ଖଲାସ କରି ଦେଇଥିଲେ । ମୃତ ଗୁରୁନାମ ସିଂହଙ୍କ ପରିବାର ଗୁରୁନାମଙ୍କ ମୃତ୍ୟୁ ଏକ ଗୁରୁତର ଘଟଣା ଦର୍ଶାଇ ସୁପ୍ରିମ କୋର୍ଟରେ ରାୟର ସମୀକ୍ଷା ପାଇଁ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ରିଭ୍ୟୁ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ମାମଲାର ଶୁଣାଣୀ କରିଥିଲେ । ଆଜି ସୁପ୍ରମି କୋର୍ଟଙ୍କ ରାୟ ଆସିଛି । ସିଦ୍ଧୁଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ସେ ୨୦୦୬ ରାୟ ପରେ ମାତ୍ର ଗୋଟିଏ ଦିନ ଜେଲରେ କାଟି ଥିବାରୁ ଆଉ ୩୬୪ ଦିନ ଜେଲରେ ରହିବେ ବୋଲି ସୂଚନା ମିଳିଛି । ରାୟର ପୁନଃ ସମୀକ୍ଷା ପାଇଁ ସିଦ୍ଧୁ ଆଜି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହା ଗ୍ରହଣ କଲେ ନାହିଁ । ତେଣୁ, ସିଦ୍ଧୁ ଆତ୍ମସମର୍ପଣ କରି ୩୬୪ ଦିନ ପାଇଁ ଜେଲ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS