ଚିନ୍ତନ ଶିବର ପରେ ମଧ୍ୟ କଂଗ୍ରେସରେ କିଛି ପରିବର୍ତ୍ତନ ଦିଶୁନି !
ପ୍ରସାଦ ରାଓ
ମେ’ ୨୦
ରାଜସ୍ଥାନର ଉଦୟପୁରରେ ମେ’ ୧୩ରୁ ୧୫ ଯାଏଁ ଅନୁଷ୍ଠିତ କଂଗ୍ରେସର ‘ନବ ସଂକଳ୍ପ ଚିନ୍ତନ ଶିବିର’ ଏକ ‘ସ୍ୱାଭାବିକ କାର୍ଯ୍ୟକ୍ରମ’ ଥିଲା କି ଦଳର ପୁନରୁଦ୍ଧାର ସକାଶେ ଏକ ବିଶେଷ ଚିନ୍ତନ ଶିବିର ଥିଲା (?), ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଚିନ୍ତନ ଶିବିର ଚାଲିଥିବା ସମୟରେ କଂଗ୍ରେସର ଜଣେ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଥିବା ବେଳେ ଶିବିର ସରିବାର ତୃତୀୟ ଦିନ ଦଳରୁ ଜଣେ ଯୁବ ନେତା ଇସ୍ତଫା ଦେଇଛନ୍ତି । ଦୁଇ ନେତା ସେମାନଙ୍କ ଦଳତ୍ୟାଗ ପାଇଁ କଂଗ୍ରେସ ନେତୃତ୍ୱର ଖାମଖିଆଲି ଆଚରଣକୁ ଦାୟି କରିଛନ୍ତି । ସେଥିରୁ ଜଣେ ବିଜେପିରେ ଯୋଗ ଦେଇଥିବା ବେଳେ ଅନ୍ୟ ନେତା ଜଣକ ନିଜର ପରବର୍ତ୍ତୀ ପଦକ୍ଷେପକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ଚଳିତ ମାସରେ କଂଗ୍ରେସ ଛାଡି ଥିବା ଏହି ଦୁଇ ନେତା ହେଉଛନ୍ତି, ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁନିଲ ଝାକର ଓ ଗୁଜରାଟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଥିବା ଯୁବ ନେତା ହାର୍ଦ୍ଦିକ ପଟେଲ । ସୁନିଲ ଝାକର ମେ’ ୧୪ ତାରିଖ ଦିନ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ହାର୍ଦ୍ଦିକ ପଟେଲ ୧୮ ତାରିଖ ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସୁନିଲ ଝାକର ଦଳ ଛାଡିବା ଦିନ ଥିଲା ଉଦୟପୁର କଂଗ୍ରେସ ଚିନ୍ତନ ଶିବିରର ଦ୍ୱିତୀୟ ଦିବସ । ‘ଫେସବୁକ୍ ଲାଇଭ୍’ ମାଧ୍ୟମରେ ସେ ଦଳରୁ ବିଦାୟ ନେଉଥିବା ଘୋଷଣା କରିବା ସହ ଉଦୟପୁର ଚିନ୍ତତ ଶିବିର ଦଳରେ ବିଶେଷ କିଛି ପରିବର୍ତ୍ତନ ଆଣିବା ଆଶା ନାହିଁ ବୋଲି ସମାଲୋଚନା କରିଥିଲେ । ଦୀର୍ଘ ପାଂଚ ଦଶକ ଧରି ସେ କଂଗ୍ରେସରେ ଥିଲେ ଏବଂ ଦଳ ପାଇଁ କାମ କରୁଥିଲେ । ଦଳ ଛାଡିବା ଅତ୍ୟନ୍ତ ଦୁଃଖଦାୟକ, ତେବେ ସେ ଦଳରେ ଅବହେଳାର ଶିକାର ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଝାକର କହିଥିଲେ ।
ଅପରପକ୍ଷରେ, ଗୁଜରାଟର ପ୍ରଭାବଶାଳୀ ପଟ୍ଟିଦାର ନେତା ତଥା ୨୦୧୯ରେ କଂଗ୍ରେସରେ ଯୋଗଦେବା ପରେ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିବା ହାର୍ଦ୍ଦିର୍କ ପଟେଲ ମେ’ ୧୮ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରି ତାଙ୍କ ପ୍ରତି କଂଗ୍ରେସ ନେତୃତ୍ୱ କରିଥିବା ଅବହେଳାର ମୁକ୍ତ ଆଲୋଚନା କରିଛନ୍ତି । ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳରେ ସାମିଲ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଠୋର ସମାଲୋଚନା କରିଛନ୍ତି । ପଂଜାବର ପୁରୁଖା ନେତା ଝାକର ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିବା ବେଳେ ଗୁଜରାଟୀ ନେତା ହାର୍ଦ୍ଦିକ ବିଜେପି କିମ୍ବା ‘ଆପ୍’ ମୁହାଁ ହେବା ଆଲୋଚନା ହେଉଛି । କିଛି କଂଗ୍ରେସ ନେତାଙ୍କ ଦାବି ହେଉଛି, ହାର୍ଦ୍ଦିକ ଗଲା କିଛି ଦିନ ହେଲା ବିଜେପି ସହ ସଂପର୍କରେ ଥିଲେ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ପଠାଇ ଥିବା ଇସ୍ତଫାପତ୍ରର ଭାଷା ସଧାରଣତଃ କଂଗ୍ରେସ ବିରୋଧରେ ବିଜେପି ବ୍ୟବହାର କରୁଥିବା ଭାଷା ସହ ସାମଞ୍ଜସ୍ୟ ରହିଛି । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ହାର୍ଦ୍ଦିକ କୌଣସି ଚାପରେ ପଡି ହେଉ ବା ଅନ୍ୟ କିଛି କାରଣରୁ ହେଉ ବିଜେପି ଆଡକୁ ଢଳିଛନ୍ତି ।
ସୁନିଲ ଝାକରଙ୍କ ପରି ହାର୍ଦ୍ଦିକ ପଟେଲ ମଧ୍ୟ ଖୁବଶୀଘ୍ର ବିଜେପିର ହାତ ଧରିବେ ବୋଲି ଗୁଜରାଟ ନେତାମାନେ (କଂଗ୍ରେସ) ଦୃଢ ଭାବେ ଦାବି କରୁଥିଲେ ମଧ୍ୟ ହାର୍ଦ୍ଦିକ ତାହାକୁ ଅଗ୍ରାହ୍ୟ କରିଛନ୍ତି । ସେ କେଉଁ ଦଳକୁ ଯିବେ ବା କଣ କରିବେ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ହାର୍ଦ୍ଦିକ ପଟେଲ କହିଛନ୍ତି । କଂଗ୍ରେସକୁ ପୁନରୁଜ୍ଜୀବିତ କରିବା ପାଇଁ ଉଦୟପୁର ଚିନ୍ତନ ଶିବିରରେ ତିନି ଦିନ ଧରି ରାଜନୈତିକ ମଂଥନ ହୋଇଥିବା ବେଳେ ଦଳର ଦୁଇ ଜଣ ପ୍ରଭାବଶାଳୀ ନେତା କଂଗ୍ରେସ ଛାଡି ବିଜେପି ମୁହାଁ ହେବା ଏବଂ ଦଳର ନେତୃତ୍ୱ ସେମାନଙ୍କୁ ମନାଇବା ଉଦ୍ୟମ କରିବା ବଦଳରେ ବିଜେପିକୁ ଦାୟି କରି ମୁଣ୍ଡରୁ ଅଠା ଛଡାଇବାକୁ ଉଦ୍ୟମ କରିବା ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜେ ହାର୍ଦ୍ଦିକଙ୍କୁ କଂଗ୍ରେସରେ ସାମିଲ କରି ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଥିଲେ ସୁଦ୍ଧା ତାଙ୍କୁ ସୁରକ୍ଷା ଦେଇପାରି ନାହାନ୍ତି । ରାଜ୍ୟ କଂଗ୍ରେସରେ ହାର୍ଦ୍ଦିକ କୋଣଠେସା ହୋଇ ରହିବା ପରେ ରାହୁଲଙ୍କୁ ତାଙ୍କ ଦୁଃଖ ଜଣାଇ ଥିଲେ । କିନ୍ତୁ, ରାହୁଲ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଗୁଜରାଟ ଗସ୍ତ ସମୟରେ ଏକାକୀ ଭେଟିବା ସୁଯୋଗ ମଧ୍ୟ ନ ଦେବାରୁ ସେ ଦଳତ୍ୟାଗ କରିବାକୁ ବାଧ୍ୟ ହୋଇଥିବା ହାର୍ଦ୍ଦିକ ତାଙ୍କ ଇସ୍ତଫାପତ୍ରରେ ଅଭିଯୋଗ କରିଛନ୍ତି ।
୨୦୧୪ ନିର୍ବାଚରେ କଂଗ୍ରେସ ସରକାରର ପତନ ଓ ଦେଶରେ ବିଜେପି ଶାସନ ପ୍ରତିଷ୍ଠା ପରଠାରୁ ଦଳ ବିପର୍ଯ୍ୟୟ ମୁହାଁ ହୋଇଛି । ବହୁ ଯୁବ ଓ ଅଭିଜ୍ଞ ନେତା କଂଗ୍ରେସ ଛାଡି ବିଜେପିକୁ ପଳାଇ ଥିବା ବେଳେ କିଛି ପୁରୁଖା ନେତା ଦଳରେ ରହି ଗାନ୍ଧୀ ପରିବାରର ନେତୃତ୍ୱ ବିରୋଧରେ ଖୋଲାଖୋଲି ମତ ରଖୁଛନ୍ତି । କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ଦଳର ବିପର୍ଯ୍ୟୟ ପାଇଁ ସୋନିଆଙ୍କୁ ଦାୟି ନ କଲେ ମଧ୍ୟ ରାହୁଲଙ୍କ ଦୁର୍ବଳ ନେତୃତ୍ୱକୁ ଦାୟି କରୁଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବା ସହ ସାଂଗଠନିକସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରି ଦଳକୁ ପୁନର୍ବାର ଜନତାର ବିଶ୍ୱାସଭାଜନ କରାଇବାର ଆବଶ୍ୟକତା ରହିଛି । ତୃଣମୂଳସ୍ତରରେ ଦଳକୁ ସୁଦୃଢ କରିବାକୁ ହେଲେ ନେତୃତ୍ୱ ପ୍ରତି ଯେଭଳି ବିଶ୍ୱାସ ଭାବ ସୃଷ୍ଟି ହେବା ଆବଶ୍ୟକ ତାହା ଚିନ୍ତନ ଶିବରରେ ଆଲୋଚିତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ ନିଜକୁ ସେଦିଗରେ ପ୍ରସ୍ତୁତ କରି ନଥିବା ଝାକର ଓ ହାର୍ଦ୍ଦିକଙ୍କ ଇସ୍ତଫା ଘଟଣା ସ୍ପଷ୍ଟ କରୁଛି ।
ଉଦୟପୁର ଚିନ୍ତନ ଶିବରର ପ୍ରାରମ୍ଭ ଦିବସରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶିବିରାର୍ଥୀ କଂଗ୍ରେସ ନେତାଙ୍କୁ ଉଦବୋଧନ ଦେଇ କଂଗ୍ରେସ ଏକ ‘ଅସାଧାରଣ’ ଓ ‘ଅସ୍ୱାଭାବିକ’ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ସ୍ୱୀକାର କରିଥିଲେ । ଦଳକୁ ପୁନର୍ବାର ଜନସାଧାରଣଙ୍କ ଆସ୍ଥାଭାଜନ କରିବା ପାଇଁ ‘ଅସାଧାରଣ’ ପଦକ୍ଷେପ ନେବା ସପକ୍ଷରେ ମତ ରଖି ଥିଲେ । ସେହିଭଳି, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଶେଷ ଦିବସରେ କଂଗ୍ରେସ ନେତୃବର୍ଗଙ୍କୁ ଉଦ୍ବୋଧନ ଦେଇ ଦଳ ସାଧାରଣ ଜନତାଠାରୁ ଦୂରେଇ ଯାଇଥିବା ଚେତାଇ ଦେବା ସହ ପୁନର୍ବାର ଦଳକୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ କୌଣସି ଗଳାବାଟ ନଥିବାରୁ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ସୋନିଆ ଓ ରାହୁଲଙ୍କ ଉଦ୍ବେଗ ପ୍ରତ୍ୟେକ କଂଗ୍ରେସ ପ୍ରେମୀଙ୍କୁ ଚିନ୍ତାରେ ପକାଇବା ସ୍ୱାଭାବିକ । ତେବେ, କଂଗ୍ରେସ ନେତୃତ୍ୱ ସୁନିଲ ଝାକର ଓ ହାର୍ଦ୍ଦିକ ପଟେଲଙ୍କୁ ମନାଇ ଦଳରେ ରଖିବା ଦିଗରେ ଯେଭଳି ଉଦାସୀନତା ଦେଖାଇଲେ ତାହା ଶୀର୍ଷ ନେତାଙ୍କ ‘କଥନି’ ଓ ‘କରନି’ ମଧ୍ୟରେ ଥିବା ପ୍ରଭେଦକୁ ଉଜାଗର କରିଛି ।
ଦେଶବାସୀଙ୍କୁ ପୁନର୍ବାର କଂଗ୍ରେସ ସହ ଯୋଡିବାକୁ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବର ୨ ତାରିଖରୁ ‘ଭାରତ ଯୋଡୋ’ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ଆଜିର ଡ଼ିଜିଟାଲ ଯୁଗରେ ଏହା ଏକ ପୁରୁଣାକାଳିଆ କସରତ ବୋଲି ରାଜନେଅତିକ ବିଶ୍ଲେଷକମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ, ସାମାଜିକ ଗଣମାଧ୍ୟମ ଅଜି ଦିନରେ ସଂପର୍କର ବିରାଟ ସେତୁ ହୋଇଥିବା ବେଳେ ଦୌଡଧାପଡ, ରାସ୍ତାକଡରେ ସଭାର ଆୟୋଜନ, ପଦଯାତ୍ରା ପ୍ରଭୃତି ବିଶେଷ ଆବଶ୍ୟକତା ରଖୁ ନାହିଁ । ପୂର୍ବରୁ ମୁଖ୍ୟସ୍ରୋତ ଗଣମାଧ୍ୟମ ରାଜନୀତିର ଧାରା ବଦଳାଇବାରେ ପ୍ରମୁଖ ଭୂମିକା ନେଉ ଥିଲା । ଆଜି ସାମାଜିକ ଗଣମାଧ୍ୟମ ସେହି ସ୍ଥାନ ନେଇଛି । ଦେଶବାସୀ, ବିଶେଷକରି ଯୁବପୀଢି ଫେସବୁକ୍, ଇନଷ୍ଟ୍ରାଗ୍ରାମ, ଟ୍ୱିଟର୍, ହ୍ୱାଟସଆପ୍ ଭଳି ବହୁଳ ପ୍ରସାରିତ ସାମାଜିକ ଗଣମାଧ୍ୟମର ବ୍ୟାପକ ବ୍ୟବହାର କରୁଥିବା ବେଳେ ବିଜେପି ୨୦୧୪ ସାଧାରଣ ନିର୍ବାଚନରୁ ଏହାର ଭରପୁର ବ୍ୟବହାର କରି ଆସୁଛି ।
୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପି ସେହି ସମୟରେ ପ୍ରଧାନମନ୍ତ୍ରୀ ଥିବା ଡକ୍ଟର ମନମୋହନ ସିଂହଙ୍କ ସରକାର (୨୦୦୪ରୁ ୨୦୧୪)ର ଦୁର୍ନୀତି, ଦୁର୍ବଳତା ଓ ମେଂଟ ରାଜନୀତିର ବାଧ୍ୟବାଧକତାକୁ ଲୋକଲୋଚନକୁ ଆଣି କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସାମାଜିକ ଗଣମାଧ୍ୟମର ଭରପୁର ବ୍ୟବହାର କରିଥିଲା । ଦେଶକୁ ଏକ ସ୍ଥିର ଓ ବିକାଶମୁଖୀ ସରକାର ଦେବାର ପ୍ରଲୋଭନ ଦେଖାଇ କଂଗ୍ରେସ ବିରୋଧୀ ଜନମତକୁ ନିଜ ସପକ୍ଷରେ ନେଇଥିଲା । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରଚାର ମାଧ୍ୟମକୁ ଏତେଦୂର ଶକ୍ତିଶାଳୀ କଲେଣି ଯେ ୨୦୧୯ରେ ସରକାର ବିରୋଧୀ ଅସନ୍ତୋଷ ରହିଥିଲେ ମଧ୍ୟ ବିଜେପି ୨୦୧୪ ଅପେକ୍ଷା ଅଧିକ ଆସନରେ ବିଜୟୀ ହୋଇ ନିରଂକୁଶ ଶାସନ ଚଳାଇଛି । ଅନ୍ୟପକ୍ଷରେ, କଂଗ୍ରେସର ଅସ୍ତତ୍ୱକୁ ମାତ୍ର ଦୁଇଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ରେ ସୀମିତ ହୋଇଯାଇଛି । ଦେଶର ଅଧିକାଂଶ ମୁଖ୍ୟସ୍ରୋତ ଗଣମାଧ୍ୟମ ଆଜି ଦିନରେ ବିଜେପି-ଆରଏଏସ୍ କବ୍ଚାରେ । ଦେଶରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି, ମୁଦ୍ରାସ୍ଫୀତି, ଅନିୟନ୍ତ୍ରିତ ଦରଦାମ ପ୍ରଭୃତି ଆଜି ଆଉ ଗଣମାଧ୍ୟମରେ ‘ପ୍ରାଇମ୍ ଟାଇମ୍’ ବିତର୍କର ପ୍ରସଙ୍ଗ ରହି ନାହିଁ । ତାହାର ସ୍ଥାନ ନେଇଛି ମନ୍ଦିର-ମସଜିଦ୍ ବିବାଦ ।
ବିଜେପି, ଆରଏସଏସ୍ ମୁଖପାତ୍ରମାନେ ‘ପ୍ରାଇମ୍ ଟାଇମ୍’ ବିତର୍କରେ ଦେଶର ବାସ୍ତବିକ ସମସ୍ୟା ସବୁକୁ ଏଡାଇବାକୁ ପରିସଂଖ୍ୟାନର ସାହାର ନେଉଛନ୍ତି, ଯାହାକି ବାସ୍ତବ ସ୍ଥିତିର ସଂପୂର୍ଣ୍ଣ ବିପରିତ । ସରକାରଙ୍କୁ ସୁରକ୍ଷା ଦେବା ସକାଶେ ପରିସଂଖ୍ୟାନର ବ୍ୟବହାର ହେଉଥିବା ବେଳେ ବିରୋଧୀଙ୍କ ସ୍ୱରକୁ ଦବାଇବା ପାଇଁ ଟିଭି ଉପସ୍ଥାପକ (ଆଂକର)ମାନେ ପୂର୍ଣ୍ଣ ପ୍ରସ୍ତୁତିରେ ରହୁଥିବା ଦେଖିବାକୁ ମିଳୁଛି । ବିତର୍କର ବିଷୟ ବସ୍ତୁ ଏବଂ କିଭଳି ଢଙ୍ଗରେ ତାହାର ଉପସ୍ଥାପନା ହେବ, ତାହା ପୂର୍ବ ନିର୍ଦ୍ଧାରିତ ଓ ସରକାରୀ ପ୍ରୟୋଜିତ – ତାହା ସ୍ପଷ୍ଟ ବାରି ହେଉଛି । ଆଠ ବର୍ଷର ମୋଦୀ ଶାସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ‘ଅସ୍ଥିର ଓ ଅଜ୍ଞ ନେତା’ (ପପୁ) ଭାବେ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପନ କରିବାରେ ଉଭୟ ସରକାର ଓ ସରକାର ସମର୍ଥିକ ବୈଦ୍ୟୁତିକ ଗଣମାଧ୍ୟମ ବେଶ ସଫଳ ହୋଇଛନ୍ତି । ଯାହାକି କଂଗ୍ରେସ ପାଇଁ ବଡ଼ ସମସ୍ୟା ହୋଇଛି । ଏହାର କାରଣ ହେଉଛି, ଗଣମାଧ୍ୟମକୁ ନିୟନ୍ତ୍ରଣରେ ରଖି ପ୍ରଚାର ବ୍ୟକ୍ତି ବା ଦଳ ସପକ୍ଷରେ ନେବାକୁ ଯେଭଳି ଆର୍ଥିକ ଓ ବୈଷୟିକ ସ୍ୱଚ୍ଛଳତା ଆବଶ୍ୟକ, ତାହା କଂଗ୍ରେସ ପାଖରେ ନାହିଁ ।
କଂଗ୍ରେସ ନେତାମାନେ ନିର୍ବାଚନ ଆସିଲେ ହିଁ ଘରୁ ଗୋଡ କାଢୁଛନ୍ତି । ଲୋକଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି । ଅନ୍ୟ ସମୟରେ ନିଜ ଭିତରେ କାଦୁଅ ଫିଙ୍ଗାରେ ମାତୁଛନ୍ତି । ଫଳରେ, ଜନସାଧାରଣଙ୍କ ସହ ଦଳର ଆଉ ଆତ୍ମିକ ସଂପର୍କ ନାହିଁ । ଅପରପକ୍ଷରେ, ଦକ୍ଷିଣପନ୍ଥୀଙ୍କ ଦ୍ୱାରା ଲଗାତର ଗାନ୍ଧୀ ପରିବାର ବିରୋଧୀ (ଅପ)ପ୍ରଚାର ଭୋଟରଙ୍କ ଚେତନାକୁ ମାଡି ବସିଛି । ୨୦୧୪ ପରଠାରୁ ବିଭିନ୍ନ ନିର୍ବାଚନରେ ଦଳ ପରାଜୟର ମୁହଁ ଦେଖୁଛି । ଗାନ୍ଧୀ ପରିବାର କଂଗ୍ରେସର ଶୀର୍ଷ ନେତୃତ୍ୱରୁ ବିଦାୟ ନେଲେ ହିଁ ଦଳର ପୁନରୁତ୍ଥାନ ସମ୍ଭବ, ଏଭଳି ଏକ ଧାରଣା ସୃଷ୍ଟି କରାଯାଇଥିବା ବେଳେ ତାହାକୁ ବଦଳାଇବା ପାଇଁ ଯେଉଁ ନିଷ୍ଠା ଓ ଅର୍ଥବଳ ଆବଶ୍ୟକ, ତାହା କଂଗ୍ରେସରେ ଅଭାବ ରହିଛି । ଦଳର ଅଧିକାଂଶ ପୁରୁଖା ନେତା ଗାନ୍ଧୀ ପରିବାରର ଛତ୍ରଛାୟାରେ ଆଶ୍ରିତ ରହି ନିଜକୁ ସୁରକ୍ଷିତ ମଣୁଛନ୍ତି । ପୁରୁଣା ଢାଂଚାରେ ହିଁ ଦଳ ଚାଲୁ, ତାହା ସେମାନେ ଚାହୁଁଛନ୍ତି । ଅନ୍ୟପକ୍ଷରେ ଆଉ କିଛି ନେତା ଦଳର ବିପର୍ଯ୍ୟୟକୁ ଦେଖି ଅସୁରକ୍ଷା ଭିତରେ ରହି ଗାନ୍ଧୀ ପରିବାର ବିରୋଧରେ ସ୍ୱର ଉଠାଉଛନ୍ତି । ଏଭଳି ସ୍ଥତିରେ ସଂଗଠନ ଭୁଶୁଡିବା ସହ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କଂଗ୍ରେସ ନେତା ଓ କର୍ମୀମାନେ ଅନ୍ୟ ଦଳ ମୁହାଁ ହେଉଛନ୍ତି । ସେମାନଙ୍କ ମନରେ ବିଶ୍ୱସ ଭାବ ଜାଗ୍ରତ କରି ଦଳ ଭିତରେ ବାନ୍ଧି ରଖିବା ପାଇଁ କଂଗ୍ରେସ ନେତୃତ୍ୱ ଯେଭଳି ପ୍ରୟାସ କରିବା କଥା କରୁ ନାହିଁ ।
ବିଜେପି ଓ କଂଗ୍ରେସ ଦେଶର ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ହୋଇଥିବା ବେଳେ ଓଡ଼ିଶା, ପଶ୍ଚିମ ବଂଗ, ମହାରାଷ୍ଟ୍ର, ତେଲେଂଗାନା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ପଂଜାବ, ଝାଡଖଣ୍ଡ ପ୍ରଭୃତି ରାଜ୍ୟରେ ବିଭିନ୍ନ ଆଂଚଳିକ ଦଳର ନେତୃତ୍ୱରେ ଶାସନ ଚାଲିଛି । ଏହି ଆଂଚଳିକ ଦଳମାନେ ଉଭୟ ବିଜେପି ଓ କଂଗ୍ରେସ ସହ ଲଢି ନିଜର ଅସ୍ତତ୍ୱ ଜାହିର କରୁଛନ୍ତି । କିଛି ଆଂଚଳିକ ଦଳ ବିଜେପିକୁ ପ୍ରସଙ୍ଗ ଭିତ୍ ତିରେ ସମର୍ଥନ ଦେଉଥିବା ବେଳେ କିଛି ଦଳ କଂଗ୍ରେସକୁ । ତେବେ, ଏଭଳି ଅନେକ ପ୍ରସଙ୍ଗ ରହିଛି ଯେଉଁଥିରେ କି ଅଧିକାଂଶ ଆଂଚଳିକ ଦଳ ଶାସକ ବିଜେପି ଓ କଂଗ୍ରେସଠାରୁ ଦୂରରେ ରହି ଜାତୀୟସ୍ତରରେ ଏକ ବିକଳ୍ପ ବିରୋଧୀ ମେଂଟ କଥା ଚିନ୍ତା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଏକ ବିରୋଧୀ ମେଂଟ ଗଠନର ପ୍ରୟାସ ଚାଲି ଥିବା ବେଳେ କଂଗ୍ରେସ ବିନା ଏହା ସମ୍ଭବ ନୁହେଁ ବୋଲି ରାହୁଲ ଗାନ୍ଧୀ ଉଦୟପୁର ଚିନ୍ତନ ଶିବିରରେ ଯେଉଁ ମତ ରଖିଛନ୍ତି ସେଥିରେ କାହାରି ଦ୍ୱିମତ ହେବାର ନାହିଁ ।
ତେବେ, କଂଗ୍ରେସ ସେମାନଙ୍କ ବିଶ୍ୱାସ ଜିତିବା ବଦଳରେ ସେମାନଙ୍କ ପ୍ରତି ଶତୃ ଭଳି ବ୍ୟବହାର କରିବା ଦ୍ୱାରା କଂଗ୍ରେସର କ୍ଷତି ହେବା ସହ ବିଜେପିର ଶକ୍ତିବୃଦ୍ଧି ଘଟୁଛି । ଉଦୟପୁର ଚିନ୍ତନ ଶିବିରରେ ଦଳ ସମଭାବାପନ୍ନ ରାଜନୈତିକ ଦଳଙ୍କ ସହ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିବା ବେଳେ ପଶ୍ଚିମ ବଂଗରେ ଟିଏମସି ଏବଂ ଦିଲ୍ଲୀ ଓ ପଂଜାବରେ ‘ଆମ୍ ଆଦମୀ ପାର୍ଟି’ (ଆପ୍) କଂଗ୍ରେସ ଭୋଟବ୍ୟାଙ୍କରେ କଣା କରି ନିଜର ସ୍ଥିତି ସୁଦୃଢ କରି ଥିବାରୁ ଦଳ କ୍ଷୁବ୍ଧ । ତେବେ, ଆଂଚଳିକ ଦଳଙ୍କ ସହଯୋଗ ବିନା କଂଗ୍ରେସ ୨୦୨୪ ନିର୍ବାଚନରେ ବିଜେପିକୁ ପରାହତ କରିବା ଯେ ଅସମ୍ଭବ ତାହା ସମସ୍ତେ ଜାଣନ୍ତି । ତେଣୁ, କଂଗ୍ରେସ ‘ବଡ ଭାଇ ପଣିଆ’ ଛାଡିବା ସହ ଦେଶରେ ଏକ ବିକଳ୍ପ ବିରୋଧୀ ମେଂଟ ଗଠନର ନେତୃତ୍ୱ ନେବା ଆବଶ୍ୟକ । ବିଜେପି ବିରୋଧରେ ଲଢି ଆସୁଥିବା ସବୁ ରାଜନୈତିକ ଦଳଙ୍କୁ ସେଥିରେ ସାମିଲ କଲେ ହିଁ ବିଜେପି ସହ ମୁକାବିଲା ସମ୍ଭବ ହେବ । ରାହୁଲ ଯେତେଶୀଘ୍ର ଏହା ବୁଝି ଯିବେ ସେତେଶୀଘ୍ର କଂଗ୍ରେସର ଉତ୍ଥାନ ସମ୍ଭବ ହେବ । ନହେଲେ, ୨୦୨୪ ମଧ୍ୟ ବିଜେପି ଖାତାକୁ ଯିବ, ଏଥିରେ କେହି ଦ୍ୱିମତ ହେବାର ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS