ବିହାରରେ ଜାତି-ଭିତ୍ତିକ ଜନଗଣନା ସପକ୍ଷରେ ନୀତୀଶ କୁମାର !


ପ୍ରସାଦ ରାଓ
ମେ’ ୨୩
ଓଡ଼ିଶା ସମତେ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଜାତି-ଭିତ୍ତିକ ଜନଗଣନା ପାଇଁ ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ତାହାକୁ ‘ବିଭାଜନ ସୃଷ୍ଟିକାରୀ’ କହି ଏଡାଇ ଆସୁଛନ୍ତି । ଓଡ଼ିଶା ନିଜ ଆଡୁ ରାଜ୍ୟରେ ଜାତି-ଭିତ୍ତିକ ଜନଗଣନା ପାଇଁ ଏକ କମିସନ୍ ଗଠନ କରିଥିଲେ ମଧ୍ୟ କାମ ସେମିତି କିଛି ଆଗେଇ ନାହିଁ । ତେବେ, ବିହାରରେ ବିଜେପି ସହ ସରକାରରେ ଥିବା ଜେଡ଼ିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତି-ଭତ୍ତିକ ଜନଗଣନା ପାଇଁ ଅନ୍ୟ ରାଜନୈତିକ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳଙ୍କ ମତାମତ ଜାଣିବା ସକାଶେ ମେ’ ୨୭ ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ରଖି ଥିବା ଆଜି ସୂଚନା ଦେଇଛନ୍ତି । ସବୁ ରାଜନୈତିକ ଦଳଙ୍କ ମତ ଜାଣିବା ପରେ ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ଏକ ପ୍ରସ୍ତାବ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବରୁ ଦେଶରେ ଜାତି-ଭିତ୍ତିକ ଜନଗଣନା ହେବା ସପକ୍ଷରେ ମତ ଦେଇ ଆସୁଛନ୍ତି । ତେବେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଜାତି-ଭିତ୍ତିକ ଜନଗଣନାକୁ ଏକ ‘ବିଭାଜନକାରୀ ଉଦ୍ୟମ’ କହି ଏଡାଇ ଆସୁଥିବା ବେଳେ ବିହାରରେ ଜେଡ଼ିୟୁ (ଜନତା ଦଳ-ୟୁନାଇଟେଡ଼) ବିଜେପି ସହ ମେଂଟରେ ସରକାରରେ ଥିବାରୁ ଜାତି-ଭିତ୍ତିକ ଜନଗଣନା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘୋଷଣା ବେଶ୍ ମହତ୍ୱ ରଖୁଛି । ମେ’ ୨୭ରେ ଜାତି-ଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ କରିବାକୁ କିଛି ରାଜନୈତିକ ଦଳଙ୍କ ସହ ଆଲୋଚନା ସରିଛି । ଆଉ କିଛି ରାଜନୈତିକ ଦଳଙ୍କ ସହ ଆଲୋଚନା ବାକି ଅଛି । ସେମାନଙ୍କ ମତାମତ ମିଳିବା ପରେ ସର୍ବଦଳୀୟ ବୈଠକ କରାଯାଇ ଗୃହିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ ଏବଂ ଜାତି-ଭିତ୍ତିକ ଜନଗଣନା କାର୍ଯ୍ୟ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଥିବା ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ) ଜାତି-ଭିତ୍ତିକ ଜନଗଣନା ପାଇଁ ଦୃଢ ଦାବି କରି ଆସୁଛି । ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ତେଜସ୍ୱୀ ପ୍ରତାପ ଯାଦବ (ଆରଜେଡ଼ି) ଗତ ବର୍ଷ ବିହାରର ବିଭିନ୍ନ ରାଜନୈତିକ ଦଳଙ୍କ ଏକ ପ୍ରତିନିଧି ଦଳକୁ ନେଇ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଥିଲେ ଏବଂ ରାଜ୍ୟରେ ଜାତି-ଭିତ୍ତିକ ଜନଗଣନା ସପକ୍ଷରେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଏହି ପ୍ରତିନିଧି ଦଳରେ ଜେଡ଼ିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଥିଲେ । ତେବେ, ବିଜେପି ଏହାକୁ ଏକ ‘ବିଭାଜନ ଉଦ୍ୟମ’ କହି ଏଡାଇ ଯାଉଥିବାରୁ ତେଜସ୍ୱୀ ବିଜେପିକୁ କଡା ସମାଲୋଚନା କରିଥିଲେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଜାତି-ଭିତ୍ତିକ ଜନଗଣନା ପ୍ରସ୍ତାବକୁ ସମର୍ଥନ କରୁନଥିବା ଦୃଷ୍ଟିରୁ ରାଜ୍ୟ ବିଜେପି ନେତୃତ୍ୱ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଘୋଷଣାରେ ସହମତ ନଥିବା ଆଜି ଦେଖିବାକୁ ମିଳିଛି । ରାଜ୍ୟ ବିଜେପି-ଜେଡ଼ିୟୁ ମେଂଟ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତାରକିଶୋର ପ୍ରସାଦ (ବିଜେପି) ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥିତ ଥାଇ ମଧ୍ୟ ଜାତି-ଭିତ୍ତିକ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ନିର୍ଦ୍ଧିଷ୍ଟ ଭାବେ କିଛି ମତାମତ ଦେବାକୁ ମନା କରିଥିଲେ । ‘ଆମେ ବିଭିନ୍ନ ଦିଗରୁ ଆଲୋଚନା କରିବୁ ଓ ବିଚାର କରିବା’ କହି ସେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ୧୯୩୧ ମସିହାରେ ଭାରତ ବ୍ରିଟିଶ ଶାସନାଧୀନ ଏବଂ ଓଡ଼ିଶା, ବିହାର ଓ ଝଡ଼ଖଣ୍ଡ ଏକକ ରାଜ୍ୟ ଥିବା ସମୟରେ ଜାତି-ଭିତ୍ତିରେ ଜନଗଣନା ହୋଇଥିଲା । ସ୍ୱାଧୀନ ଭାରତରେ ଜାତି-ଭିତ୍ତିକ ଜନଗଣନା ହୋଇ ନାହିଁ । ସମ୍ବିଧାନରେ ସମସ୍ତ ନାଗରିକଙ୍କ ସମାନ ଅଧିକାର ବ୍ୟବସ୍ଥା ଥିବାରୁ ଜାତି-ଭିତ୍ତିରେ ଜନଗଣନା କରାଯିବା ଅସଙ୍ଗତ ହେବ ବୋଲି ସ୍ୱାଧୀନତା ପରବର୍ତ୍ତୀ ସମୟରେ ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକରଙ୍କ ସମେତ ବହୁ ନେତା ମତ ରଖିବାରୁ ଜାତି-ଭିତ୍ତିରେ ଜନଗଣନାକୁ ଏଡାଇ ଦିଆଯାଇ ଏହାକୁ ସଂଖ୍ୟାଲଘୁ ଜାତି ଓ ଜନଜାତିଙ୍କ ସଂଖ୍ୟା ଗଣନାରେ ସୀମିତ ରଖା ଯାଇଥିଲା । ତେବେ, ଆଜି ଦିନରେ ବିରୋଧୀ ଦଳଙ୍କ ଯୁକ୍ତି ହେଉଛି ଜାତି-ଭିତ୍ତିରେ ଜନଗଣନା ହେଲେ ବାସ୍ତବରେ ଯେଉଁମାନେ ଅତି ପଛୁଆ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ହେବ ଏବଂ ସେମାନଙ୍କ ଉତ୍ଥାନ ପାଇଁ ନୂଆ ନୀତି ଓ ଯୋଜନା କାର୍ଯ୍ୟକାରୀ କରି ହେବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS