କେତେ ଦିନ ପାଇଁ ଏ ବ୍ୟବସ୍ଥା ?
ପ୍ରସାଦ ରାଓ
ମେ’ ୨୨
ଦେଶରେ ସମସ୍ତ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ର ବା ରାଜ୍ୟ ସରକାର କେହି ଶୁଣିବା ଅବସ୍ଥାରେ ନଥିଲେ । କୋଭିଡ଼ ପରିସ୍ଥିତିରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିବା ସତ୍ତ୍ୱେ ସରକାର ଦେଶରେ ପେଟ୍ରୋଲ, ଡ଼ିଜେଲର ମୂଲ୍ୟ କମାଇ ନଥିଲେ । ସେହି ସମୟରେ କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା, ଦେଶରେ ରାଜପଥର ବିକାଶ ହେଉଛି, କୋଭିଡ଼ ପରିସ୍ଥିତିରେ ଦେଶରେ ୮୦ ଲକ୍ଷ ଗରୀବ ପରିବାରଙ୍କୁ ମାଗଣାରେ ରେସନ୍ ଯୋଗାଣ ହେଉଛି ଏବଂ ଦେଶବାସୀଙ୍କୁ ମାଗଣାରେ କୋଭିଡ଼ ଟିକା ଦିଆଯାଇଛି । ପେଟ୍ରୋଲ, ଡ଼ିଜେଲରୁ କେନ୍ଦ୍ର ସରକାର ଯେଉଁ ରାଜସ୍ୱ ଆଦାୟ କରୁଛନ୍ତି ସେଥିରେ ଏସବୁ ଜନହୀତକର କାର୍ଯ୍ୟ ହେଉଛି । ତେବେ, ୨୦୨୨ ବର୍ଷ ପ୍ରାରମ୍ଭରେ ୟୁପି, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏବଂ ପେଟ୍ରୋଲ, ଡ଼ିଜେଲର ମୂଲ୍ୟବୃଦ୍ଧିରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇ ଏହି ସବୁ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ସରକାର ବିରୋଧୀ ଭୋଟ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୪ ତାରିଖରୁ ଦୀପାବଳୀ ଭେଟି କହି ପେଟ୍ରୋଲ, ଡ଼ିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ । ତାହାକୁ ଦେଖି ରାଜ୍ୟମାନେ ମଧ୍ୟ ଚାପରେ ଏହି ଦୁଇଟି ପେଟ୍ରୋଲିୟମ ଉତ୍ପାଦ ଉପରେ ଆଦାୟ କରୁଥିବା ଭାଟ୍ (ମୂଲ୍ୟଯୁକ୍ତ ଟିକସ)କୁ କିଛି ମାତ୍ରାରେ କମାଇ ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କଲେ । ତେବେ, ୨୦୨୨ ମାର୍ଚ୍ଚ ୭ରେ ଭୋଟ ସରି ୧୦ ତାରିଖ ଫଳାଫଳ ପ୍ରକାଶ ପାଇବା ପରେ କିଛି ଦିନ ନିରବ ରହି ତୈଳ କଂପାନୀମାନେ ମାର୍ଚ୍ଚ ୨୨ରୁ ପୁଣି ଥରେ ପେଟ୍ରୋଲ, ଡ଼ିଜେଲ, ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରି ଚାଲିଲେ । ୨୦୨୨ ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟ ୧୪ ଥର ବୃଦ୍ଧି ହୋଇଛି ଓ ଲିଟର ପିଛା ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇଛି । ଏହାଦ୍ୱାରା, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ମୁଦ୍ରସ୍ଫୀତି ହାର ମଧ୍ୟ ଚିନ୍ତାଜନକ ଭାବେ ବଢିଛି ।
କେନ୍ଦ୍ର ସରକାର ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟାନ୍ୟ ଖାଉଟୀ ଦ୍ରବ୍ୟର କଳ୍ପନାତୀତ ମୂଲ୍ୟବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧଜନିତ ପରିସ୍ଥିତି, ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହଠାତ୍ ବଢିବା ଏବଂ ଯେଗାଣ ବିଭ୍ରାଟକୁ ଦାୟି କରି ଆସୁଥିବା ବେଳେ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଦରଦାମ ନିୟନ୍ତ୍ରଣ ପାଇଁ ପେଟ୍ରୋଲ, ଡିଜେଲ ଉପରେ ମୁଲ୍ୟଯୁକ୍ତ ଟିକସ (ଭାଟ୍) କମ୍ କରିବାକୁ ଆହ୍ୱାନ ଦେଲେ । କିଛି ଅଣ-ବିଜେପି ଶାସିତ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଆହ୍ୱାନକୁ ନାପସନ୍ଦ କରିବା ସହ କଟୁ ସମାଲୋଚନା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ସମସ୍ତଙ୍କୁ ଚକିତ କଲା ଭଳି ଶନିବାର (ମେ’ ୨୧ ତାରିଖ) ଦିନ ପେଟ୍ରୋଲରେ ଲିଟର ପିଛା ୮ ଟଙ୍କା ଓ ଡ଼ିଜେଲରେ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି, ଯାହାକି ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଫଳରେ, ପେଟ୍ରୋଲର ଲିଟର ପିଛା ମୂଲ୍ୟ ୯ ଟଙ୍କା ୫୦ ପଇସା ଓ ଡ଼ିଜେଲର ଲିଟର ପିଛା ମୂଲ୍ୟ ୭ ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । ତେବେ, ନିକଟରେ ଘରୋଇ ଭାବେ ବ୍ୟବହାର ହେଉଥିବା ରନ୍ଧନ ଗ୍ୟାସର ମୂଲ୍ୟରେ ପୁନର୍ବାର ବୃଦ୍ଧି ଘୋଷଣା କରାଯାଇ ସିଲିଣ୍ଡର ପିଛା ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ କରାଯାଇଥିବା ବେଳେ ଅଚାନକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଶନିବାର ଦିନ ସିଲିଣ୍ଡର ପିଛା ମୂଲ୍ୟରେ ୨୦୦ ଟଙ୍କାର ରିହାତି ଘୋଷଣା କରିବା ଏବଂ ବର୍ଷକ ଭିତରେ ୧୨ଟି ସିଲିଣ୍ଡର ରିହାତି ଦରରେ ମିଳିବ ବୋଲି ସୂଚାଇ ଦେବା ପଛରେ ନିର୍ବାଚନ ରାଜନୀତିର ଗନ୍ଧ ବାରି ହେଉଛି । ଆସନ୍ତା ନଭେମ୍ବର ଆଡକୁ ଗୁଜରାଟ ଓ ହିମାଂଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ବର୍ତ୍ତମାନ ଦେଶବ୍ୟାପୀ ଦରଦାମ ତାତି ଅସହ୍ୟ ଥିବାରୁ ଏବଂ ମୁଦ୍ରାସ୍ଫୀତି ବଢୁ ଥିବାରୁ ସରକାର ଭୋଟକୁ ନେଇ ଚିନ୍ତାରେ ଅଛନ୍ତି ଏବଂ ସାମୟିକ ଭାବେ ଦରଦାମ କମାଇ ଭୋଟରଙ୍କୁ ଶାନ୍ତ କରିବାକୁ ଏଭଳି ଏକ ଉତ୍ପାଦ ଶୁଳ୍କ କାଟ୍ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେଉଛି ।
କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବର ମାସରେ ପେଟ୍ରୋଲରେ ଲିଟର ପିଛା ୫ ଟଙ୍କା ଓ ଡ଼ିଜେଲରେ ଲିଟର ପିଛା ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରି ରାଜ୍ୟ ସରକାରଗୁଡିକୁ ଭାଟ୍ (ମୂଲ୍ୟଯୁକ୍ତ ଟିକସ) କମାଇବାକୁ ପ୍ରବର୍ତ୍ତାଇ ଥିଲେ । କେନ୍ଦ୍ର ସରକାରଙ୍କ ଆହ୍ୱାନକୁ ସମ୍ମାନ ଦେଇ ଭାଟ୍ କମାଇବାକୁ ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଓଡ଼ିଶା ସରକାର ମଧ୍ୟ ତୁରନ୍ତ ଭାଟ୍ କମାଇ ଥିଲେ । ଫଳରେ, ରାଜ୍ୟରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ମୂଲ୍ୟ ୧୦୨ ଟଙ୍କା ପର୍ଯ୍ୟନ୍ତ ଖସି ଆସି ଥିଲା । ୨୦୨୨ ମାର୍ଚ୍ଚ ୨୨ ପରେ ତୈଳ କଂପାନୀମାନେ ପୂନର୍ବାର ଦୈନିକ ପେଟ୍ରୋଲ, ଡ଼ିଜେଲ ମୂଲ୍ୟ ସଂଶୋଧନ କରି ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୧୩ ଟଙ୍କା ଉପରେ ପହଂଚାଇ ଦେଇଥିଲେ । ମେ’ ୨୧ ତାରିଖ ଦିନ କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ସ୍ୱାଭାବିକ ଭାବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଭାଟ୍ ହ୍ରାସ ପାଇ ତାହା ମୋଟ ଲିଟର ପିଛା ମୂଲ୍ୟରେ ପ୍ରତିଫଳିତ ହୋଇଛି । ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୨୩ ପଇସା ଓ ଡ଼ିଜେଲ ଲିଟର ପିଛା ୧ ଟଙ୍କା ୩୬ ପଇସା ଭାଟ୍ ହ୍ରାସ ପାଇବା ଦ୍ୱାରା ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୧୯ ପଇସା ଓ ଡ଼ିଜେଲ ଲିଟର ୯୪ ଓଙ୍କା ୭୬ ପଇସା ଥିଲା । ଶନିବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଉପରେ ୨୭ ଟଙ୍କା ୯୦ ପଇସା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ୨୩ ଟଙ୍କା ୯୦ ପଇସା ରାଜ୍ୟ ସରକାରଙ୍କ ମୂଲ୍ୟଯୁକ୍ତ ଟିକସ (ଭାଟ୍) ଆଦାୟ ହେଉଥିଲା । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ଫଳରେ ଓଡ଼ିଶାରେ ପେଟ୍ରୋଲର ଲିଟର ପିଛା ମୂଲ୍ୟରେ ଭାଟ୍ ୨ ଟଙ୍କା ୨୩ ପଇସା କମିବା ନିଶ୍ଚିତ ଥିଲା । ସେହିଭଳି, ଡ଼ିଜେଲରେ ଲିଟର ପିଛା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୧ ଟଙ୍କା ୮୦ ପଇସା ଓ ମୂଲ୍ୟଯୁକ୍ତ ଟିକସ (ଭାଟ୍) ୧୯ ଟଙ୍କା ୩୪ ପଇସା ଆଦାୟ ହେଉଥିଲା । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାରଙ୍କ ମୂଲ୍ୟଯୁକ୍ତ ଟିକସ (ଭାଟ୍) ହ୍ରାସ ଦ୍ୱାରା ଭୁବନେଶ୍ୱରରେ ଡ଼ିଜେଲର ଲିଟର ପିଛା ମୂଲ୍ୟ ୭ ଟଙ୍କା ୩୬ ପଇସା କମିବା ନେଇ ପେଟ୍ରୋଲିୟମ ଡ଼ିଲର ସଂଘ ସୂଚନା ଦେଇଥିଲେ ।
ଅପରପକ୍ଷରେ, କେରଳରେ ପେଟ୍ରୋଲ ଲିଟରରେ ୨ ଟଙ୍କା ୪୧ ପଇସା ଓ ଡ଼ିଜେଲ ଲିଟରରେ ୧ ଟଙ୍କା ୩୬ ପଇସା ଏବଂ ରାଜସ୍ଥାନରେ ପେଟ୍ରୋଲ ଲିଟରରେ ୨ଟଙ୍କା ୪୮ ପଇସା ଓ ଡ଼ିଜେଲରେ ୧ ଟଙ୍କା ୧୬ ପଇସା ମୂଲ୍ୟଯୁକ୍ତ ଟିକସ କମିଥିବା ରବିବାର ଦାବି କରାଯାଇଥିଲା । ତେବେ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁଁ ସ୍ୱାଭାବିକ ପ୍ରକ୍ରିୟାରେ ମୂଲ୍ୟଯୁକ୍ତ ଟିକସ କମିଛି, ଏଥିରେ ରାଜ୍ୟ ସରକାରଙ୍କ କିଛି ବାହାଦୂରି ନାହିଁ ବୋଲି ଆଲୋଚନା ହେବା ପରେ ଆଜି ମହାରାଷ୍ଟ୍ର, କେରଳ ଓ ରାଜସ୍ଥାନ ସରକାର ଅତିରିକ୍ତ ଭାବେ ମୂଲ୍ୟଯୁକ୍ତ ଟିକସ ହ୍ରାସ ଘୋଷଣା କରିଥିବା ଜଣାପଡିଛି । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ପେଟ୍ରୋଲରେ ୨ ଟଙ୍କା ୦୮ ପଇସା ଓ ଡ଼ିଜେଲରେ ୧ ଟଙ୍କା ୪୪ ପଇସା ଅତିରିକ୍ତ ଭାଟ୍ ହ୍ରାସ ଘୋଷଣା କରିଥିବା ବେଳେ କେରଳ ସରକାର ପେଟ୍ରୋଲରେ ଲିଟର ପିଛା ୨ ଟଙ୍କା ୪୧ ପଇସା ଓ ଡ଼ିଜେଲରେ ୧ ଟଙ୍କା ୩୬ ପଇସା ଅତିରିକ୍ତ ଟିକସ କମାଇଥିବା ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲୋଟ ସରକାର କହିଛନ୍ତି, କେନ୍ଦ୍ର ସରକାର ଶନିବାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିବା ଫଳରେ ରାଜ୍ୟରେ ପେଟ୍ରୋଲ ଲିଟରରେ ୨ଟଙ୍କା ୪୧ ପଇସା ଓ ଡ଼ିଜେଲ ଲିଟରରେ ୧ ଟଙ୍କା ୩୬ ପଇସା ମୂଲ୍ୟଯୁକ୍ତ ଟିକସ ହ୍ରାସ ପାଇଛି । ତେବେ, ରାଜ୍ୟ ସରକାର ମଧ୍ୟ ନିଜ ଆଡୁ ପେଟ୍ରୋଲରେ ଲିଟର ପିଛା ୨ ଟଙ୍କା ୪୮ ପଇସା ଓ ଡ଼ିଜେଲରେ ଲିଟର ପିଛା ୧ ଟଙ୍କା ୧୬ ପଇସା କମାଇବେ । କେନ୍ଦ୍ର ସରକାରଙ୍କ ଶନିବାର ଘୋଷଣା ପରେ ଓଡ଼ିଶାରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦ ଟଙ୍କା ୨୩ ପଇସା ଓ ଡ଼ିଜେଲ ମୂଲ୍ୟ ଲିଟର ପିଛା ୭ ଟଙ୍କା ୩୭ ପଇସା ହ୍ରାସ ପାଇଛି । ଓଡ଼ିଶା ସରକାର ନିଜ ପକ୍ଷରୁ ଅତିରିକ୍ତ ଭାଟ୍ ହ୍ରାସ କଥା ବିଚାର କରୁଥିବା ସୂଚନା ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶବ୍ୟାପୀ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ ।
ପେଟ୍ରୋଲ, ଡ଼ିଜେଲର ମୂଲ୍ୟ ହ୍ରାସ ଫଳରେ ସାଧାରଣ ଉପଭୋକ୍ତା ବିଶେଷ ଉପକୃତ ହୋଇଥିବା ବେଳେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ କମିବା ଖସିବା ସମ୍ଭାବନା ସୃଷ୍ଟି ହୋଇଛି । ତେବେ, ଏହି ଖୁସି କେତେ ଦିନ ରହିବ ? ଫେବୃୟାରୀ-ମାର୍ଚ୍ଚରେ ହୋଇଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତୈଳ ଦର ହ୍ରାସ ସହ ପାଂଚ ମାସ ସ୍ଥିର ରହି ଥିଲା । ଗୁଜରାଟ ଓ ହିମାଂଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ନଭେମ୍ବର ମଧ୍ୟରେ ହେବ । ଭୋଟ ସରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ତୈଳ ଦରକୁ ନିୟନ୍ତ୍ରଣରେ ରଖିବେ । ପରେ, ତୈଳ କଂପାନୀଗୁଡିକ ପୁଣି ଥରେ ଲଗାମଛଡା ହୋଇଯିବେ ନାହିଁ ତ ? ଆଜି ଦିନରେ ଏହା ବଡ଼ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS