ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆଜିଠାରୁ ନାମାଂକନପତ୍ର ଦାଖଲ ଆରମ୍ଭ
ପ୍ରସାଦ ରାଓ
ମେ’ ୨୪
ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖ ଦିନ ଭୋଟ ହେବ । ଏଥିସକାଶେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନରୁ ଅଗଷ୍ଟ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଥିବାରୁ ଭାରତୀୟ ନିର୍ବାଚନ ଆୟୁକ୍ତ ଜୁନ ୧୦ ତାରିଖରେ ନିର୍ବାଚନ କରାଉଛନ୍ତି । ଏଥିରେ ଓଡ଼ିଶାର ତିନିଟି ଆସନ ରହିଛି । ଜୁନ ୧୦ରେ ଭୋଟ ହେବାକୁ ଥିବା ବେଳେ ଆଜିଠାରୁ ନାମାଂକନପତ୍ର ଦାଖଲ ଆରମ୍ଭ ହୋଇଥିବାରୁ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି । ମେ’ ୩୧ ନାମାଂକନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ ଥିବା ବେଳେ ଓଡ଼ିଶାରେ ଶାସକ ବିଜେଡ଼ି ଏପର୍ଯ୍ୟନ୍ତ ତିନିଟି ରାଜ୍ୟସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ୧୪୬ (୧୪୭) ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଶାସକ ବିଜେଡ଼ି ବିଧାୟକ ସଂଖ୍ୟା ୧୧୩ (୧୧୪) ରହିଛି । ବିଧାନସଭାରେ ବିଜେପିର ୨୨ ଓ କଂଗ୍ରେସର ମାତ୍ର ଜଣ ୯ ଜଣ ବିଧାୟକ ଥିବାରୁ ରାଜ୍ୟସଭା ନିର୍ବାଚନ ଗଣିତ ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାକୁ ଆସୁ ନାହାନ୍ତି । ବିଜେଡ଼ି ଏକାକୀ ତିନିଟି ଯାକ ରାଜ୍ୟସଭା ଆସନରୁ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ସୁନିଶ୍ଚିତ । କେବଳ ଔପଚାରିକତା ଦୃଷ୍ଟିରୁ ଜୁନ ୧୦ରେ ଭୋଟ ହୋଇପାରେ ।
ତିନିଟି ଯାକ ରାଜ୍ୟସଭା ଆସନ ବିଜେଡ଼ି ଖାତାକୁ ଆସିବା ନିଶ୍ଚିତ ଜାଣି ବିଜେଡ଼ିରେ ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ରହିଛି । ଦଳର ଅନେକ ବରିଷ୍ଠ ନେତା ରାଜ୍ୟସଭାକୁ ଯିବା ଦୌଡରେ ଅଛନ୍ତି । ତେବେ, ତିନି ଆସନରୁ କେଉଁମାନେ ପ୍ରାର୍ଥୀ ହେବେ, ତାହାର ଚୂଡାନ୍ତ ନିଷ୍ପତ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବାକୁ ଥିବାରୁ ନାମାଂକନପତ୍ର ଦାଖଲ ଆଜି ଆରମ୍ଭ ହୋଇଥିଲେ ମଧ୍ୟ ଦଳର କୌଣସି ନେତାଙ୍କ ନାମ (ଆଜି ସନ୍ଧ୍ୟା ସୁଦ୍ଧା) ସାମ୍ନାକୁ ଆସି ନାହିଁ । ଗତ ପୌର ଓ ପଂଚାୟତ ନିର୍ବାଚନରେ ବିଜେଡ଼ି ନେତୃତ୍ୱ ମହିଳା ପ୍ରାର୍ଥୀତ୍ୱକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ତେଣୁ, ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ମଧ୍ୟ ସେଭଳି କିଛି ନିଷ୍ପତ୍ତି ନେଇ ପାରନ୍ତି ଏବଂ ଖାଲି ହେବାକୁ ଥିବା ତିନି ରାଜ୍ୟସଭା ଆସନରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ବରିଷ୍ଠ ବିଜେଡ଼ି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବୀ (ଚିକିଟି) ଏକ ବିବୃତି ଦେଇ ରାଜନୈତିକ ବାତାବରଣକୁ ଗରମ କରିଛନ୍ତି ।
ଆସନ୍ତା ଜୁନରୁ ଅଗଷ୍ଟ ମଧ୍ୟରେ ଅବସର ନେବାକୁ ଥିବା ତିନି ରାଜ୍ୟସଭା ସାଂସଦ (ସମେସ୍ତ ବିଜେଡ଼ି) ହେଉଛନ୍ତି – ଏନ.ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ଯୁବ ସାଂସଦ ସସ୍ମିତ ପାତ୍ର । ଏହାଛଡା, ନିକଟରେ କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ସୁବାସ ସିଂହ ଗତ ଏପ୍ରିଲ ୨୧ ତାରିଖ ଦିନ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୧୬ ପର୍ଯ୍ୟନ୍ତ ଥିଲା । ସିଂହଙ୍କ ଇସ୍ତଫା ଫଳରେ ଆଉ ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଛି । ଏହି ଆସନ ପାଇଁ ଜୁନ ୧୩ ତାରିଖରେ ଅଲଗା ନିର୍ବାଚନ ହେବ ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତ ଇତିମଧ୍ୟରେ ଘୋଷଣା କରି ସାରିଛନ୍ତି । ଏହି ଏକକ ଆସନ ଜିତିବା ପାଇଁ ବିଜେଡ଼ି ନିକଟରେ ଯଥେଷ୍ଟ ସଂଖ୍ୟା ଥିବାରୁ ଚତୁର୍ଥ ଆସନ ମଧ୍ୟ ବିଜେଡିକୁ ଆସିବା ନିଶ୍ଚିତ ।
ଜୁନରୁ ଅଗଷ୍ଟ ମଧ୍ୟରେ ଓଡ଼ିଶାର ତିନି ସାଂସଦଙ୍କ ସମେତ ୧୫ଟି ରାଜ୍ୟର ୫୭ ଜଣ ରାଜ୍ୟସଭା ସାଂସଦ ଅବସର ନେଉଛନ୍ତି । ସବୁ ଆସନ ପାଇଁ ଜୁନ ୧୦ରେ ଭୋଟ ହେବ । ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଂକନପତ୍ର ଦାଖଲ ଆରମ୍ଭ ହୋଇଛି । ଜୁନ ୧ ତାରିଖ ପ୍ରାର୍ଥୀପତ୍ର ଯାଂଚ ଓ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁନ ୧୦ରେ ଭୋଟ ହେବାକୁ ଥିବା ୫୭ ରାଜ୍ୟସଭା ଆସନ ମଧ୍ୟରେ ସର୍ବାଧିକ ୧୧ଟି ଆସନ ୟୁପିର ଥିବା ବେଳେ ମହାରାଷ୍ଟ୍ର ଓ ତାମିଲନାଡୁର ୬ଟି ଲେଖାଏଁ ଆସନ, ବିହାରରେ ୫ଟି ଆସନ, ରାଜସ୍ଥାନ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଏବଂ ଓଡ଼ିଶାର ୩ଟି ଆସନ ରହିଛି । ଏହାଛଡା, ଆନ୍ଧ୍ର ପ୍ରଦେଶ, ତେଲେଂଗାନା, ମଧ୍ୟ ପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ପଂଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଓ ହରିଆନାରେ ଜୁନ ୧୦ ତାରିଖରେ ଭୋଟ ହେବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS