ଦୁଇ ସପ୍ତାହ ପରେ ଦିଲ୍ଲୀ ପୁଲିସ ଚେତିଲା ! ନୁପୁର ଶର୍ମା, ନବୀନ ଜିନ୍ଦଲ, ଓୱେସୀଙ୍କ ନାମରେ ଏତଲା..


ପ୍ରସାଦ ରାଓ
ଜୁନ ୦୯
ନିକଟରେ ଇସଲାମ୍ ର୍ଧମର ପ୍ରବର୍ତ୍ତକ ସନ୍ଥ ମହମ୍ମଦ ଓ ଇସଲାମ୍ ଧର୍ମ ପ୍ରତି ଏକ ଟେଲିଭିଜନ ବିତର୍କ ଏବଂ ଟ୍ୱିଟରରେ ଆକ୍ଷେପାତ୍ମକ ମନ୍ତବ୍ୟ ରଖି ଥିବା ବିଜେପିର ବିବାଦୀୟ ନେତ୍ରୀ (ଦଳରୁ ନିଲମ୍ବିତ ଜାତୀୟ ମୁଖପାତ୍ର) ନୁପୁର ଶର୍ମା ଏବଂ ବଜେପିରୁ ବିତାଡ଼ିତ ଦିଲ୍ଲୀ ମିଡ଼ିଆ ସେଲ୍ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି । ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଦୁଇ ସପ୍ତାହ ପରେ ଏହି ପୁଲିସ କାର୍ଯ୍ୟାନୁଷ୍ଠାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିଲ୍ଲୀ ପୁଲିସ ଦୁଇଟି ଏତଲା ଦାଏର କରି ନୁପୁର ଓ ନବୀନଙ୍କ ସହ ଘୃଣା ସୃଷ୍ଟିକାରୀ ବୟାନ ଦେଇ ବିଭିନ୍ନ ଗୋଷ୍ଠୀ, ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ଭଂଗ କରୁଥିବା ଅଭିଯୋଗରେ ସାଂସଦ ଓସାଦୁଦ୍ଦିନ ଓୱେସି (ଏଆଇଏମଆଇଏମ ମୁଖ୍ୟ), ହିନ୍ଦୁବାଦୀ ନେତା ୟତି ନରସିଂହାନନ୍ଦ, ‘ଅନ୍ନପୂର୍ଣ୍ଣ ମା’ ପୂଜା ପାଣ୍ଡେଙ୍କ ସମେତ ବହୁ ବ୍ୟକ୍ତି ଏବଂ ସାମାଜିକ ଗଣମାଧ୍ୟମକୁ ସେଥିରେ ସଂପୃକ୍ତ କରିଥିବା ଜଣାପଡିଛି । ଦିଲ୍ଲୀ ପୁଲିସର ଏତଲାରେ ଜଣେ ସାମ୍ବାଦିକ, ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଓ ବିଭିନ୍ନ ଧାର୍ମିକ ସଂଗଠନର ସଦସ୍ୟଙ୍କ ନାମ ମଧ୍ୟ ରହିଛି । ସାମାଜିକ ଗଣମାଧ୍ୟମରେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ପୋଷ୍ଟ୍ କରିବା ଓ ତାହାକୁ ସେୟାର କରି ବହୁଳ ଭାବେ ପ୍ରସାରିତ କରିବା ମାଧ୍ୟମରେ ସାଂପ୍ରଦାୟିକ ଦଂଗା ପାଇଁ ଉସୁକାଇବା, ବିଭିନ୍ନ ଧାର୍ମିକ ପ୍ରତୀକଙ୍କୁ ଅପମାନିତ କରିବା ଏବଂ ସର୍ବସାଧାରଣରେ ହିଂସାର ବାତାବରଣ ସୃଷ୍ଟି କରିବା ପ୍ରଭୃତି ଅଭିଯୋଗରେ ଆଇପିସିର ୧୫୩, ୨୯୫ ଓ ୫୦୫ ଦଫାରେ ସେମାନଙ୍କ ବିରୋଧରେ ଏତଲା ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ଦୁଇ ସପ୍ତାହ ତଳେ ବିଜେପିର ଜାତୀୟ ପ୍ରବକ୍ତା ନୁପୁର ଶର୍ମା ଜ୍ଞାନବାପୀ ମସଜିଦରୁ ଶିବ ଲିଂଗ ଉଦ୍ଧାର ପ୍ରସଙ୍ଗକୁ ନେଇ ଏକ ଟେଲିିଭିଜନ ବିତର୍କ ଚାଲିଥିବା ବେଳେ ଇସଲାମ୍ ଧର୍ମର ପ୍ରବର୍ତ୍ତକ ସନ୍ଥ ମହମ୍ମଦ ଏବଂ ଇସଲାମ୍ ଧର୍ମ ବିରୋଧରେ ଅପମାନସୂଚକ ମନ୍ତବ୍ୟ ରଖିଥିବା ଅଭିଯୋଗ ହୋଇଥିଲା । ବିଜେପି ଦିଲ୍ଲୀ ମିଡ଼ିଆ ସେଲ୍ ମୁଖ୍ୟ (ଏବେ ଦଳରୁ ବିତାଡିତ) ନବୀନ କୁମାର ଜିନ୍ଦଲ ମଧ୍ୟ ତାଙ୍କ ଟ୍ୱିଟର୍ ପୃଷ୍ଠାରେ ଅନୁରୂପ ଏକ ଅପମାନସୂଚକ ମନ୍ତବ୍ୟ ପୋଷ୍ଟ କରିଥିଲେ । ନୁପୁରଙ୍କ ଟିପ୍ପଣୀ ଓ ନବୀନ ଜିନ୍ଦଲଙ୍କ ଟ୍ୱିଟ୍ ବିବାଦୀୟ ହେବା ସହ ଦେଶ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି କରିଥିଲା । ୧୬ଟି ଇସଲାମିକ୍ ରାଷ୍ଟ୍ର ଇସଲାମ୍ ଧର୍ମର ପ୍ରବର୍ତ୍ତକ ସନ୍ଥ ମହମ୍ମଦଙ୍କ ବିରୋଧରେ ନୁପୁର ଶର୍ମାଙ୍କ ଟିପ୍ପଣୀ ଓ ନବୀନ ଜିନ୍ଦଲଙ୍କ ଟ୍ୱିଟ୍ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଭାରତ ସରକାରଙ୍କୁ ଜବାବଦେୟୀ କରିଥିଲେ । ମୁସଲମାନ ବହୁଳ ରାଷ୍ଟ୍ର, ବିଶେଷକରି ଆରବ ରାଷ୍ଟ୍ରମାନେ ତୀବ୍ର ପ୍ରତିକ୍ରୀୟା ବ୍ୟକ୍ତ କରିବା ସହ ସେସବୁ ରାଷ୍ଟ୍ରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଇ ସନ୍ଥ ମହମ୍ମଦଙ୍କ ପ୍ରତି ନୁପୁର ଓ ନବୀନଙ୍କ ଅପମାନସୂଚକ ମନ୍ତବ୍ୟ ଏବଂ ଭାରତରେ ଦେଖି ଦେଇଥିବା ଇସଲାମ୍ ବିରୋଧୀ ମନୋଭାବ (ଇସଲାମ୍ ଫେବିଆ)ର କଡା ନିନ୍ଦା କରିଥିଲେ ଏବଂ ଭାରତ ସରକାର ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।
ଦେଶ ଭିତରେ ମଧ୍ୟ ସନ୍ଥ ମହମ୍ମଦଙ୍କ ପ୍ରତି ବିଜେପି ପ୍ରବକ୍ତାମାନଙ୍କ ଅପମାନସୂଚକ ଟିପ୍ପଣୀକୁ ନେଇ ବିରୋଧୀଙ୍କ ଆଡୁ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା । ସନ୍ଥ ମହମ୍ମଦଙ୍କ ବିରୋଧରେ ବିଜେପି ପ୍ରବକ୍ତା ଓ ମିଡ଼ିଆ ସେଲ୍ ମୁଖ୍ୟ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ଭାରତ ସରକାର ନୁହେଁ, ବିଜେପି ସଂପୃକ୍ତ ରାଷ୍ଟ୍ରମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ପ୍ରଥମେ ବିଜେପି ପ୍ରବକ୍ତାଙ୍କ ଟିପ୍ପଣୀକୁ କେନ୍ଦ୍ର ସରକାର ଅଣଦେଖା କରିଥିଲେ ମଧ୍ୟ ୧୬ଟି ମୁସଲମାନ ବହୁଳ ରାଷ୍ଟ୍ରଙ୍କ ପ୍ରତିକ୍ରିୟା ଦେଖିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ପକ୍ଷରୁ ଦଳର ଜାତୀୟ ମୁଖ୍ୟ ପ୍ରବକ୍ତା ନୁପୁର ଶର୍ମାଙ୍କୁ ଛଅ ବର୍ଷ ପାଇଁ ବିଜେପିରୁ ନିଲମ୍ବନ କରାଯାଇଛି । ଦିଲ୍ଲୀ ମିଡ଼ିଆ ସେଲ୍ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳ ବହିଷ୍କାର କରିଛି । ଏହାସତ୍ତ୍ୱେ ପରିସ୍ଥିତି ଥଣ୍ଡା ପଡି ନାହିଁ । ନୁପୁର ଓ ନବୀନଙ୍କୁ ଗିରଫ କରାଯାଉନାହିଁ କାହିଁକି (?) ବୋଲି ବିରୋଧୀ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାର ଓ ବିଜେପିକୁ କାଠଗଡାରେ ଠିଆ କରିଛନ୍ତି । ପରିଣତି ସ୍ୱରୂପ ଦିଲ୍ଲୀ ପୁଲିସ ଦୁଇ ସପ୍ତାହ ପରେ ଦୁଇଟି ଏତଲା ରୁଜୁ କରିଛି । ସେଥିରେ ନୁପୁର ଶର୍ମା, ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କୁ ସେଥିରେ ସାମିଲ କରିଛନ୍ତି ।
ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍ ଆଇଏଫଏସଓ (ଇଂଟେଲିଜେନ୍ସ ଫ୍ୟୁଜନ ଏଣ୍ଡ ଷ୍ଟ୍ରାଟେଜିକ ଅପରେସନ୍) ଶାଖା ପକ୍ଷରୁ ହୋଇଥିବା ଦୁଇଟି ଏତଲାରେ ନୁପୁର ଶର୍ମା, ନବୀନ ଜିନ୍ଦଲ, ଏଆଇଏମଆଇଏମ ମୁଖ୍ୟ ଓୱେସୀ, ପିସ୍ ପାର୍ଟି ମୁଖ୍ୟ ମୁଖପାତ୍ର ସବଦ ଚୌହାନ, ସାମ୍ବାଦିକା ସବ୍ବା ନକ୍ଭି, ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତା ପୂଜା ଶକୁନ ପାଣ୍ଡେ, ରାଜସ୍ଥାନର ମୌଲାନା ମୁଫତି ନଦୀମ, ଅବଦୁର ରହମାନ, ଅନୀଲ କୁମାର ମୀନା ଏବଂ ଗୁଲଜାର ଆନସାରୀଙ୍କ ନାମ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୂଜା ଶକୁନ ପାଣ୍ଡେ ନିଜକୁ ‘ଅନ୍ନପୂର୍ଣ୍ଣ ମା’ ଭାବେ ପରିଚିତ କରାଇଥାନ୍ତି । ଇସଲାମ ଧର୍ମାବଲମ୍ବୀଙ୍କ ଶୁକ୍ରବାର ପ୍ରାର୍ଥନାକୁ ନିଷିଦ୍ଧ କରିବାକୁ ଦାବି ଉଠାଇ ଏବଂ ସର୍ବସାଧାରଣରେ ଅସ୍ତ୍ରଶସ୍ତ୍ର ଧରି ଗଣହତ୍ୟା ନିମନ୍ତେ ଉସୁକାଇ ପୂଜା ଶକୁନ ପାଣ୍ଡେ ବିବାଦୀୟ ଥିଲେ । ପୁଲିସ ତାଙ୍କ ବିରୋଧରେ ହିଂସା ପାଇଁ ଉସୁକାଇବା ଅଭିଯୋଗ ଆଣିଛି । ନୁପୁର ଶର୍ମାଙ୍କ ବିରୋଧରେ ହୋଇଥିବା ଏତଲାରେ ଅନ୍ୟ ସାମାଜିକ ଗଣମାଧ୍ୟମକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏଆଇଏମଆଇଏମ ମୁଖ୍ୟ ଓୱେସୀ ସହ ହରିଦ୍ୱାରରେ ଘୃଣା ସୃଷ୍ଟିକାରୀ ବୟାନ ଦେଇ ଗିରଫ ହୋଇ ଏବେ ଜାମିନରେ ଥିବା ୟତି ନରସିଂହାନନ୍ଦଙ୍କ ନାମ ମଧ୍ୟ ଏତଲାରେ ଥିବା ପୁଲିସ କହିଛନ୍ତି । ଧର୍ମ ନିର୍ବିଶେଷରେ ବହୁ ବ୍ୟକ୍ତିଙ୍କ ବିରୋଧରେ ଏତଲା ହୋଇଥିବା ଡ଼ିସିପି (ଆଇଏଫଏସଓ) କେପିଏସ ମାଲହୋତ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ, ଦିଲ୍ଲୀ ପୁଲିସ କାହା ଅଭିଯୋଗକୁ ଭିତ୍ତି କରି ବା ନିଜ ଆଡୁ ସ୍ୱତଃ ଏହି ମାମଲା ରୁଜୁ କରିଛନ୍ତି ଜଣାପଡିନାହିଁ । ଇତିମଧ୍ୟରେ ନୁପୁର ଶର୍ମାଙ୍କୁ ହତ୍ୟା ଧମକ ମିଳିଥିବାରୁ ସରକାର ତାଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଥିବା ବେଳେ ଇସ୍ଲାମିକ ଆତଙ୍କବାଦୀ ସଂଗଠନ ‘ଅଲ୍ କାଏଦା’ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ସହରରେ ଆତ୍ମଘାତୀ ଆକ୍ରମଣ କରିବାର ଧମକ ଦେଇ ସରକାରଙ୍କୁ ଚିନ୍ତାରେ ପକାଇଛି । ପରିସ୍ଥିତିକୁ ଗମ୍ଭୀରତାକୁ ଦେଖି ଦିଲ୍ଲୀ ପୁଲିସ ନୁପୁର ଓ ନବୀନଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଅନୁମାନ କରାଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS