ପୈଗମ୍ବରଙ୍କ ପ୍ରତି ଅସମ୍ମାନ: ନୁପୁର ଶର୍ମା, ନବୀନ ଜିନ୍ଦଲଙ୍କ ଗିରଫ ଦାବିରେ ଦେଶବ୍ୟାପୀ ମୁସଲମାନ ସଂପ୍ରଦାୟର ବିକ୍ଷୋଭ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁନ ୧୦
ପୈଗମ୍ବର ମହମ୍ମଦଙ୍କ ପ୍ରତି ବିଜେପି ପ୍ରବକ୍ତାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଚାଲି ଥିବା ବିବାଦ ଥମିବା ନାଁ ଧରୁନି । ଟିଭି ବିତର୍କରେ ପୈଗମ୍ବର ମହମ୍ମଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ବିଜେପିର ଜାତୀୟ ପ୍ରବକ୍ତା ନୁପୁର ଶର୍ମାଙ୍କୁ ବିଳମ୍ବରେ ହେଲେ ମଧ୍ୟ ଦଳ ଛଅ ବର୍ଷ ପାଇଁ ନିଲମ୍ବନ କରିଛି । ନକାରାତ୍ମକ ଟ୍ୱିଟ୍ କରିଥିବା ଦିଲ୍ଲୀ ବିଜେପି ମିଡ଼ିଆ ସେଲ୍ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି । ତେବେ, ସେମାନଙ୍କୁ ସରକାର ଗିରଫ କରିବାରେ ସରକାର କାହିଁକି କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇ ଆଜି ଦିଲ୍ଲୀ ଓ ୟୁପି ସମେତ ଦେଶର ବିଭିନ୍ନ ଅଂଚଳରେ ଇସଲାମ ଧର୍ମାବଲମ୍ବୀଙ୍କ ପକ୍ଷରୁ ବଡ଼ ଧରଣର ପ୍ରଦର୍ଶନ ହୋଇଛି । ଶହ ଶହ ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସମେତ କେତେକ ସ୍ଥାନରେ ହିଂସା ହୋଇଥିବା ଖବର ଆସିଛି । ତେବେ, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହିଛନ୍ତି ।
ଆଜି ଶତାଧିକ ଇସଲାମ ଧର୍ମାବଲମ୍ବୀ ଦିଲ୍ଲୀର ଜାମା ମସଜିଦରେ ଶୁକ୍ରବାର ନମାଜ ସାରିବା ପରେ ମସଜିଦ ବାହାରେ ବଡ଼ ଧରଣର ପ୍ରଦର୍ଶନ କରିଛନ୍ତି । ପଶ୍ଚିମ ୟୁପିର ସାହାରନପୁରରେ ମଧ୍ୟ ଏହି ସଂପ୍ରଦାୟ ପକ୍ଷରୁ ବିକ୍ଷୋଭ କରାଯାଇଛି । ଦେଶର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଶହ ଶହ ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ପୈଗମ୍ବର ମହମ୍ମଦଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଖୋଲାରେ ବୁଲୁଥିବା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ସରକାର ତୁରନ୍ତ ଗିରଫ କରିବା ଦାବିରେ ଏହି ପ୍ରଦର୍ଶନ ଚାଲିଛି । କୌଣସ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇ ନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ବୋଲି ଦିଲ୍ଲୀ ଓ ୟୁପି ପୁଲିସ ଆଜି କହିଥିବା ବେଳେ ଦେଶର ଅନ୍ୟତ୍ର ପଥର ମାଡ ଭଳି ଘଟଣା ଘଟି ଥିବା ଖବର ଆସିଛି । ଗତ ସପ୍ତାହରେ ଏହି ପ୍ରସଙ୍ଗକୁ ନେଇ ଲକ୍ଷ୍ନୌ, କାନପୁର ଓ ଫିରୋଜାବାଦରେ ବଡ଼ ଧରଣର ହିଂସା ହୋଇଥିଲା ଓ ହିଂସାରେ ଅନ୍ୟୁନ ୪୦ ଜଣ ଆହତ ହୋଇଥିଲେ । ଏସବୁ ସହରରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।
ଦିଲ୍ଲୀର ଜାମା ମସଜିଦ ହେଉଛି ଦେଶର ଅନ୍ୟତମ ବୃହତ୍ତମ ଇସଲାମୀୟ ଉପାସନା ପୀଠ । ଶତାଧିକ ସଂଖ୍ୟକ ଇସଲାମ ଧର୍ମାବଲମ୍ବୀ ଆଜି ଜାମା ମସଜିଦରେ ଶୁକ୍ରବାର ନମାଜ ପାଠ ସାରି ମସଜିଦ ବାହାରେ ପ୍ରାୟ ଏକ ଘଂଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଲିସ ସେମାନଙ୍କୁ ଘଉଡାଇ ଦେଇଛି । ଏହି ପ୍ରଦର୍ଶନ ସହ ମସଜିଦ ପ୍ରଶାସନର କୌଣସି ସଂପର୍କ ନାହିଁ । କେଉଁମାନେ ମସଜିଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କଲେ ତାହା ମସଜିଦ ପ୍ରଶାସନ ଜାଣେ ନାହିଁ । ପ୍ରଦର୍ଶନକାରୀ ଏଆଇଏମଆଇଏମ୍ ସମର୍ଥକ ହୋଇଥାଇ ପାରନ୍ତି ବୋଲି ଜାମା ମସଜିଦର ସାହି ଇମାମ କହିଛନ୍ତି । ‘ସେମାନେ ପ୍ରଦର୍ଶନ କରିବାରେ ଆମର କୌଣସି ଆପତ୍ତି ନାହିଁ । ତେବେ, ଆମେ ପ୍ରଦର୍ଶନକୁ ସମର୍ଥନ କରୁ ନାହୁଁ’ ବୋଲି ସେ ଗଣମାଧ୍ୟମକୁ କହିଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖନୀୟ ଯେ, ବିଜେପିର ଜାତୀୟ ପ୍ରବକ୍ତା (ବର୍ତ୍ତମାନ ନିଲମ୍ବିତ) ଜ୍ଞାନବାପୀ ମସଜିଦରୁ ଶିବ ଲିଙ୍ଗ ମିଳିଥିବା ନେଇ ଏକ ଟିଭି ବିତର୍କରେ ପୈଗମ୍ବର ମହମ୍ମଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିବା ଅଭିଯୋଗରେ ଛଅ ବର୍ଷ ପାଇଁ ଦଳରୁ ନିଲମ୍ବନ ହୋଇଛନ୍ତି । ସେହିଭଳି, ପୈଗମ୍ବର ମହମ୍ମଦଙ୍କ ସଂପର୍କରେ ନକାରାତ୍ମକ ଟ୍ୱିଟ୍ କରିଥିବା ଅଭିଯୋଗରେ ଦିଲ୍ଲୀ ବିଜେପି ମିଡ଼ିଆ ସେଲ୍ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପୈଗମ୍ବର ମହମ୍ମଦଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟକୁ ନେଇ ଦେଶ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ୧୬ଟି ଇସଲାମୀୟ ରାଷ୍ଟ୍ରର ଭାରତ ସରକାରଙ୍କୁ କଡା ସମାଲୋଚନା କରିବା ସହ ନିଜ ନିଜ ରାଷ୍ଟ୍ରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ ଜଣାଇ ଥିଲେ । ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ କରିବାକୁ ସେମାନେ ରାଷ୍ଟ୍ରଦୂତଙ୍କ ଜରିଆରେ ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ପୈଗମ୍ବର ମହମ୍ମଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଏବଂ ଭାରତରେ ଗଲା କିଛି ବର୍ଷ ହେଲା ଦେଖା ଦେଇଥିବା ଇସଲାମ ବିରୋଧୀ ମନୋଭାବକୁ ସେମାନେ ସମାଲୋଚନା କରିବା ସହ ଭାରତ ସରକାର ଏଥିପାଇଁ କ୍ଷମା ମାଗିବାକୁ ଆହ୍ୱାନ ଦେଇଥିଲେ ।
ଆରବ ରାଷ୍ଟ୍ରଙ୍କ କ୍ରୋଧକୁ ଦେଖି ତାହା ଶାନ୍ତ କରିବା ସକାଶେ ବିଜେପି ବିଳମ୍ବରେ ହେଲେ ମଧ୍ୟ ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସିନା କେନ୍ଦ୍ର ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରି ନିରବ ରହିବା ଇସଲାମ ଧର୍ମାବଲମ୍ବୀଙ୍କୁ କ୍ରୋଧିତ କରିଛି । ପୈଗମ୍ବରଙ୍କୁ ନେଇ ଇସଲାମୀୟ ରାଷ୍ଟ୍ରଙ୍କ କ୍ରୋଧ ମଧ୍ୟ ପ୍ରଶମିତ ହୋଇ ନାହିଁ । ବିଭିନ୍ନ ବାଟରେ ସେମାନେ ଭାରତକୁ ସମାଲୋଚନା କରିବା ସହ ଭାରତ ବିରୋଧୀ ବିରୋଧୀ କାର୍ଯ୍ୟାନୁଷ୍ଠାନ କରୁ ଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗତକାଲି ଘୃଣାପୂର୍ଣ୍ଣ ମନ୍ତବ୍ୟ ଓ ଭାଷଣ ଦେଉଥିବା ଅଭିଯୋଗରେ ଦୁଇଟି ଆପରାଧୀକ ମାମଲା ରୁଜୁ କରିଛନ୍ତି । ୩୨ ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୁଲିସର ଆଇଏଫଏସଓ ଶାଖା ପକ୍ଷରୁ ଏତଲା ରୁଜୁ ହୋଇଥିବା ବେଳେ ଏଥିରେ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି, ବିଜେପିରୁ ନିଲମ୍ବିତ ପ୍ରବକ୍ତା ନୁପୁର ଶର୍ମା, ବିତାଡ଼ିତ ଦିଲ୍ଲୀ ମିଡ଼ିଆ ସେଲ୍ ମୁଖ୍ୟ ନବୀନ ଜିନ୍ଦଲ, ଏଆଇଏମଆଇଏମ୍ ମୁଖ୍ୟ ଅସାଉଦ୍ଦିନ ଓୱୋସୀ, ହିନ୍ଦତ୍ୱବାଦୀ ଘୃଣା ବେପାରୀ ୟତି ନରସିଂହାନନ୍ଦ, ସଦାବ ଚୌହାନ, ସାମ୍ବାଦିକା ସବା ନକ୍ଭି, ମୌଲାମା ମୁଫତି ନଦୀମ, ଗୁଲଜର ଆନସାରୀ, ଅନୀଲ କୁମାର ମୀନା, ଅବଦୁର ରହମନ ପ୍ରମୁଖ ।
ଏଆଇଏମଆଇଏମ୍ ମୁଖ୍ୟ ଓୱେସୀ ତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଓ ଷଡଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ଅଭିଯୋଗରେ ମାମଲା ରୁଜୁ କରିଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ବିଜେପି ଓ ଅନ୍ୟ ରାଜନୈତିକ ଦଳଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଦିଲ୍ଲୀ ପୁଲିସ ଏଭଳି କରିଛି ବୋଲି ଅଭିଯୋଗ କରିଛନ୍ତି । ଓୱେସୀଙ୍କ ବିରୋଧରେ ପୁଲିସର ମାମଲା ରୁଜୁକୁ ନେଇ ତାଙ୍କ ସମର୍ଥକମାନେ କ୍ଷୁବ୍ଧ । କେଉଁ କାରଣରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ତାହା ସ୍ପଷ୍ଟ ନୁହେଁ ବୋଲି ଓୱେସୀ ପ୍ରତିକ୍ରିୟା ରଖିଥିବା ବେଳେ ଆଜି ଦିଲ୍ଲୀ ଓ ୟୁପି ସମେତ ଦେଶର ବିଭିନ୍ନ ଅଂଚଳରେ ଶୁକ୍ରବାର ନମାଜ ପାଠ ପରେ ହୋଇଥିବା ପ୍ରଦର୍ଶନ ଏବଂ ନୁପୁର ଓ ନବୀନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଇସଲାମ ଧର୍ମାବଲମ୍ବୀଙ୍କ ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛି । ଏହି ପ୍ରଦର୍ଶନ ପଛରେ କେଉଁମାନଙ୍କ ହାତ ରହିଛି (?), ତାହା ସ୍ପଷ୍ଟ ନୁହେଁ । ତେବେ, ଦେଶରେ ଗଲା କିଛି ବର୍ଷ ହେଲା ଯେଉଁ ସାଂପ୍ରଦାୟିକ ଧ୍ରୁବୀକରଣ ରାଜନୀତି ଚାଲିଛି ତାହା ଏବେ ବିଷ୍ଫୋରକ ରୂପ ନେଇଥିବା ଆଜିର ପ୍ରଦର୍ଶନରୁ ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS