ଭୋଟ ହୋଇଥିବା ୧୬ ରାଜ୍ୟସଭା ଆସନରୁ ବିଜେପି ହାତେଇଲା ୮


ପ୍ରସାଦ ରାଓ
ଜୁନ ୧୧
ଦେଶର ୧୫ଟି ରାଜ୍ୟର ୫୭ଟି ଖାଲି ଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ୪୧ଟି ଆସନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାରିଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର (ଜୁନ ୧୦ ତାରିଖ) ଭୋଟ ହୋଇଥିଲା । ଏଥିରୁ ୮ଟି ଆସନରେ ବିଜେପିର ବିଜୟ ହୋଇଛି । କଂଗ୍ରେସ ୫ ଟି ଆସନରେ ବିଜୟୀ ହୋଇଥିବା ବେଳେ ବଳକା ୩ଟି ଆସନରୁ ଗୋଟିଏରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଥିବା ବେଳେ ଦୁଇଟି ଆସନ ମହାରାଷ୍ଟ୍ରର ଶାସକ ମହାବିକାଶ ଅଘାଡି (ଏମଭିଏ)କୁ ଯାଇଛି । ଶୁକ୍ରବାର ଭୋଟ ଗ୍ରହଣ ହୋଇଥିବା ୧୬ଟି ରାଜ୍ୟସଭା ଆସନରୁ ମହାରାଷ୍ଟ୍ରର ୩ଟି, ରାଜସ୍ଥାନର ଗୋଟିଏ, କର୍ଣ୍ଣାଟକର ୩ଟି ଓ ହରିୟାଣାର ଗୋଟିଏ ଆସନରେ ବିଜେପିର ବିଜୟ ହୋଇଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି । ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ଦଳ ଭୋଟ ହେଇଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ବିଜେପିର ବିଜୟ ହୋଇଛି । ସେହିଭଳି, କର୍ଣ୍ଣାଟକରେ କ୍ଷମତାରେ ଥିବା ବିଜେପି ଭୋଟ ହୋଇଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ୩ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ରାଜନୈତିକ ଦଳ ଜନତା ଦଳ (ଧର୍ମ ନିରପେକ୍ଷ) ବା ଜେଡ଼ିଏସ୍ ଗୋଟିଏ ହେଲେ ଆସନ ପାଇବାକୁ ସକ୍ଷମ ହୋଇ ନାହିଁ । ହରିୟାଣାର ଦୁଇଟି ଆସନ ମଧ୍ୟରୁ ଗୋଟିଏ ବିଜେପି ହାତେଇ ଥିବା ବେଳେ ଅନ୍ୟ ଆସନଟି ବିଜେପି ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ହାତକୁ ଯାଇଛି । ତେବେ, ମହାରାଷ୍ଟ୍ରରେ ଶିବ ସେନା ନେତୃତ୍ୱାଧୀନ ଏମଭିଏ (ଶିବ ସେନା, ଏନସିପି, କଂଗ୍ରେସ ମେଂଟ)କୁ ବିଜେପି ଆଡୁ ବଡ଼ ଝଟକା ଲାଗିଛି । ରାଜ୍ୟର ଖାଲି ଥିବା ଋଟି ରାଜ୍ୟସଭା ଆସନ ପାଇଁ ଭୋଟ ହୋଇଥିବା ବେଳେ ବିଜେପି ଏକାକୀ ୩ଟିରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରକୁ ଝଟକା ଦେଇଛି । ଏମଭିଏର ତିନି ଅଂଶୀଦାର ଗୋଟିଏ ଲେଖାଁଏ ଆସନରେ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରରେ ଗତକାଲି ରାଜ୍ୟସଭା ଭୋଟ ସରିବା ପରେ ବିଜେପି ଓ ଶିବ ସେନା ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପ ଚାଲିବାରୁ ଭୋଟ ଗଣତି ପ୍ରାୟ ଆଠ ଘଂଟା ବିଳମ୍ବିତ ହୋଇଥିଲା । ପରେ, ଭୋଟ ହୋଇଥିବା ୬ ଆସନରୁ ୩ଟିରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟେଲ, ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନୀଲ ବୋନେ୍ଦ ଓ ଧନଂଜୟ ମହାଦିକ (ସମସ୍ତେ ବିଜେପି)ଙ୍କ ବିଜୟ ହୋଇଥିବା ଘୋଷଣା କରାଯାଇଛି । ଅନ୍ୟ ତିନିଟି ଆସନରେ ଶିବ ସେନା ସାଂସଦ ସଂଜୟ ରାୱତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ (ଏନସିପି) ଓ ଇମ୍ରାନ ପ୍ରତାପଗଡି (କଂଗ୍ରେସ)ଙ୍କ ବିଜୟ ହୋଇଛି । ଭୋଟ ହୋଇଥିବା ରାଜସ୍ଥାନର ୪ଟି ରାଜ୍ୟସଭା ଆସନ ମଧ୍ୟରୁ ତିନିଟିରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସିଂହ ସୁର୍ଯେ୍ୟୱାଲ, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀଙ୍କ ବିଜୟ ହୋିଥିବା ବେଳେ ଚତୁର୍ଥ ଆସନରୁ ବିଜେପିର ଘନଶ୍ୟାମ ତିୱାରୀ ବିଜୟୀ ହୋଇଥିବା ଶୁକ୍ରବାର ରାତିରେ ଭାରତୀୟ ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି । ଜାତୀୟସ୍ତରର ଏକ ଗଣମାଧ୍ୟମର ମାଲିକ ତଥା ଶିଳ୍ପପତି ସୁବାସ ଚନ୍ଦ୍ରା ସ୍ୱାଧୀନ ପ୍ରାର୍ଥୀ ଥାଇ ବିଜେପି ସମର୍ଥନରେ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଭୋଟ ନପାଇ ପରାଜିତ ହୋଇଛନ୍ତି । ହରିୟାଣାରେ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନଙ୍କ ପରାଜୟ ଦଳ ପାଇଁ ଶକ୍ତ ଧକ୍କା ହୋଇଛି । ରାଜ୍ୟରେ ଭୋଟ ହୋଇଥିବା ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିକରେ ବିଜେପିର କ୍ରିଷନ ଲାଲ ପନୱାରଙ୍କ ବିଜୟ ହୋଇଥିବା ବେଳେ ଦ୍ୱିତୀୟ ଆସନରେ ବିଜେପି ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ଶିଳ୍ପପତି କାର୍ତ୍ତିକେୟ ଶର୍ମା ବିଜୟୀ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି । କର୍ଣ୍ଣାଟକରେ ଭୋଟ ହୋଇଥିବା ୪ ଆସନ ମଧ୍ୟରୁ ବିଜେପି ତିନିଟି ଆସନରେ ବିଜେପି ବିଜୟୀ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ, ଅଭିନେତାରୁ ରାଜନେତା ପାଲଟି ଥିବା ଜାଗେଶ ଏବଂ ବିଦାୟୀ ଏମଏଲସି ଲେହେର ସିଂହ ସିରୋୟା ବିଜେପିରୁ ବିଜୟୀ ଘୋଷିତ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଗୋଟିଏ ଆସନରୁ ବିଜୟୀ ହୋଇଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ୟୁପି, ମହାରାଷ୍ଟ୍ର, ତାମିଲନାଡୁ, ଓଡ଼ିଶା, ବିହାର, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ପଂଜାବ, ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ଼, ତେଲେଂଗାନା ଓ ଉତ୍ତରାଖଣ୍ଡରେ ଜୁନରୁ ଅଗଷ୍ଟ ମଧ୍ୟରେ ଖାଲି ହେଉଥିବା ୫୭ ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖରେ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଓ ହରିୟାଣା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚନ ସରିଛି । ୟୁପିରୁ ସର୍ବାଧିକ ୧୧ଟି ରାଜ୍ୟସଭା ଆସନ ଖାଲି ଥିବା ବେଳେ ମହାରାଷ୍ଟ୍ର ଓ ତାମିଲନାଡୁରେ ୬ଟି ଲେଖାଁଏ, ବିହାରରେ ୫ଟି, କର୍ଣ୍ଣାଟକ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରେ ୪ଟି ଲେଖାଏଁ ଆସନ, ମଧ୍ୟ ପ୍ରଦେଶ ଏବଂ ଓଡ଼ିଶାରେ ୩ଟି ଲେଖାଏଁ ଆସନ, ପଂଜାବ, ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ଼ ଓ ତେଲେଂଗାନାରେ ଦୁଇଟି ଲେଖାଁଏ ଆସନ ଓ ଉତ୍ତରାଖଣ୍ଡରେ ଗୋଟିଏ ଆସନ ଖାଲି ହେବାକୁ ଥିଲା । ଖାଲି ହେବାକୁ ଥିବା ଓଡ଼ିଶାର ୩ ରାଜ୍ୟସଭା ଆସନରେ ବିଜେଡ଼ି ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚନ ହୋଇଛନ୍ତି । ବିଜେଡ଼ି ରାଜ୍ୟସଭା ସାଂସଦ ଥିବା ସୁବାସ ସିଂହ ଗତ ଏପ୍ରିଲ ମାସରେ କଟକ ମହାନଗର ନିଗମ ମେୟର ନିର୍ବାଚିତ ହେବା ପରେ ସେହି ମାସ ୨୧ ତାରିଖ ଦିନ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଖାଲି ହୋଇଥିବା ଏହି ଆସନ ପାଇଁ ଜୁନ ୧୩ ତାରିଖ ନିର୍ବାଚନ ହେବ । ଏହି ଆସନ ପାଇଁ ବିଜେଡ଼ି ବ୍ୟତୀତ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବାରୁ ଚତୁର୍ଥ ଆସନ ମଧ୍ୟ ବିଜେଡ଼ି ଖାତାକୁ ଯିବା ନିଶ୍ଚିତ । ଜୁଲାଇ ୧୮ ତାରିଖରେ ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ଜୁନ ୧୦ ତାରିଖରେ ସରି ଥିବା ରାଜ୍ୟସଭା ନିର୍ବାଚନ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ପାଇଁ ବେଶ୍ ଗୁରୁତ୍ୱ ରଖୁ ଥିଲା । ନିର୍ବାଚନ ପରେ ଶାସକ ବିଜେପି ସଂସଦର ସର୍ବୋଚ୍ଚ ଗୃହରେ ତାହାର ଶକ୍ତି ବୃଦ୍ଧି କରିଛି । ତଥାପି, ବିଜେପିକୁ ତାହାର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଓଡ଼ିଶା ବିଜୁ ଜନତା ଦଳ (ବିଜେଡ଼ି) ଓ ଆନ୍ଧ୍ର ପ୍ରଦେଶରେ କ୍ଷମତାରେ ଥିବା ୱାଇଏସଆରସିପି ଉପରେ ନିର୍ଭର କରିବାକୁ ପଡିବ ବୋଲି ନିର୍ବାଚନ ଗଣିତ କହୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS