ସଙ୍କଟରେ ସରକାର…


ପ୍ରସାଦ ରାଓ
ଜୁନ ୨୩
ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ଗଣିତ ଯାହା କେଉଁ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର କ୍ଷମତାଚ୍ୟୁତ ହେବେ ଏବଂ ନୂଆ ସରକାର କ୍ଷମତାକୁ ଆସିବେ, କହି ହେବ ନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କ୍ଷମତାଚ୍ୟୁତ କରିବାର କ୍ଷେତ୍ର ପ୍ରସ୍ତୁତି ସରିଛି । ତାହା ମଧ୍ୟ ଶିବସେନାକୁ ମାଧ୍ୟମ କରି । ଦିନେ ଯେଉଁ ଶିବସେନା ତାହାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ‘ହସ୍ତମୁଦି ମାହାଲ’ ଥିଲା ଆଜି ସେହି ଦଳ ଠାକରେ ପରିବାରକୁ କ୍ଷମତାଚ୍ୟୁତ କରି ନୂଆ ରାଜନୈତିକ ସମୀକରଣ ଆଡକୁ ମୁହାଁଇ ଥିବା ଦେଶବାସୀଙ୍କୁ ଆଚମ୍ବିତ କରିଛି । ବିଦ୍ରୋହୀଙ୍କ ନେତୃତ୍ୱ ନେଇଛନ୍ତି ଦଳର ପ୍ରଭାବଶାଳୀ ନେତା ତଥା ଉଦ୍ଧବ ସରକାରରେ ଥିବା ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଧେ । ରାଜ୍ୟ ବିଧାନସଭାରେ ଶିବସେନା ବିଧାୟକ ସଂଖ୍ୟା ୫୬ ଥିବା ବେଳେ ସେଥିରୁ ୪୦ ଜଣ ବିଦ୍ରୋହୀ ଶିବିରରେ ସାମିଲ ହୋଇଥିବା ସୂଚନା ଆସୁ ଥିବାରୁ ଉଦ୍ଧବ କ୍ଷମତାଚ୍ୟୁତ ହେବା ସୁନିଶ୍ଚିତ ହୋଇଛି । ବିଦ୍ରୋହୀ ଶିବସେନା ବିଧାୟକମାନେ ଏକନାଥ ସିନ୍ଧେଙ୍କୁ ନିଜ ନେତା ବାଛି ରାଜ୍ୟପାଳଙ୍କୁ ଚିଠି ଲେଖି ଥିବାରୁ ସିନ୍ଧେ ସରକାର ଗଠନ ପାଇଁ ଦାବିଦାର ହେବା ସ୍ୱାଭାବିକ । ତେବେ, ଏନସିପି ଓ କଂଗ୍ରେସ ସହ ଶିବସେନା ମେଂଟରେ ରହି ସରକାର ଚଳାଇବା କଥାକୁ ସିନ୍ଧେ ବିରୋଧ କରୁଥିବା କାରଣରୁ ସେ ବିଜେପିର ହାତ ଧରି ନୂଆ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ବୋଲି ଆଲୋଚନା ହେଉଛି ।
ବିଜେପି ଭଳି ମହରାଷ୍ଟ୍ରରେ ଶିବସେନା ହେଉଛି ଏକ ପ୍ରକୃତିକ ହିନ୍ଦୁତ୍ୱବାଦୀ ଦଳ । ବାଲା ସାହେବ ଠାକରେ ଥିଲେ ଜଣେ କଟ୍ଟର ହିନ୍ଦତ୍ୱବାଦୀ ରାଜନେତା । ହିନ୍ଦୁତ୍ୱ ପ୍ରସଙ୍ଗରେ ସେ କୌଣସି ପ୍ରକାର ସାଲିସ କରିବାକୁ ପ୍ରସ୍ତୁତ ନଥିଲେ କିମ୍ବା ମୁଖ୍ୟମନ୍ତ୍ରୀ ଭଳି ପଦପଦବୀ ଜାବୁଡି ଧରିବା କେବେ ଚାହିଁ ନଥିଲେ । ନିଜ ଜୀବନ କାଳରେ ସେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଢୁ ଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ ଦଳ କ୍ଷମତା ପାଇଁ ହିନ୍ଦୁତ୍ୱବାଦୀ ଚିନ୍ତାଧାରାକୁ ଛାଡି ଏନସିପି ଓ କଂଗ୍ରେସ ଭଳି ଧର୍ମ ନିରପେକ୍ଷତାବାଦୀଙ୍କ ସହ ହାତ ମିଳାଇବା, ‘ମହା ବିକାଶ ଅଘାଡି’ ଗଠନ କରି କ୍ଷମତା ରାଜନୀତିରେ ପ୍ରବେଶ କରିବା ଏବଂ ଦଳର ନେତା ଉଦ୍ଧବ ଠାକରେ ବିଜେପି ହାତ ଶରଦ ପାୱାର ଓ ସୋନିଆ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ହେବା (ଶିବସେନା ବିଦ୍ରୋହି ଯାହା ଅଭିଯୋଗ କରୁଛନ୍ତି) ବିଜେପି ପାଇଁ ଯେତିକି ଚକ୍ଷୁଶୂଳ ହୋଇଛି, ତାହାଠାରୁ ଅଧିକ ଚକ୍ଷୁଶୂଳ ହୋଇଛି ଏକନାଥ ସିନ୍ଧେଙ୍କ ଭଳି ସୁବିଧାବାଦୀ ତଥା କଟ୍ଟର ହିନ୍ଦତ୍ୱବାଦୀ ଶିବସେନା ନେତାଙ୍କ ପାଇଁ । ପ୍ରଥମ ଥର ପାଇଁ ଉଦ୍ଧବ ଠାକରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ଅଢେଇ ବର୍ଷ ହେଲା ମେଂଟ ସରକାର ଚଳାଇବା ଏବଂ ହିନ୍ଦତ୍ୱ ପ୍ରସଙ୍ଗରେ କୋହଳ ମନୋଭାବ ପ୍ରଦର୍ଶନ କରି ବିଜେପି ପ୍ରତି ବରାବର ଚ୍ୟାଲେଂଜ ସୃଷ୍ଟି କରିବା କଟ୍ଟର ହିନ୍ଦତ୍ୱବାଦୀ ଦଳଙ୍କ ପାଇଁ ଅସହ୍ୟ ହୋଇଛି । ତେଣୁ, ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରି ମହାରାଷ୍ଟ୍ରରେ ଏମଭିଏ ସରକାରର ପତନ ଘଟାଇବା ଏବଂ ବିଜେପି ନେତୃତ୍ୱରେ ନୂଆ ସରକାରକୁ କ୍ଷମତାକୁ ଆଣିବା ପାଇଁ ୨୦୧୯ ପରଠାରୁ ଯେଉଁ ପ୍ରୟାସ ଚାଲିଛି ବିଳମ୍ବରେ ହେଲେ ମଧ୍ୟ ସେଥିରେ ବିଜେପିକୁ ସଫଳତା ମିଳିଥିବା ଶାସକ ଶିବସେନାରେ ବିଦ୍ରୋହ ଘଟଣାରୁ ସ୍ପଷ୍ଟ ହେଉଛି ।
ଆଜି ଦିନରେ ମହାରାଷ୍ଟ୍ରରେ ଯାହା ସବୁ ରାଜନୈତିକ ଘଟଣାକ୍ରମ ଚାଲିଛି ସେସବୁ ପଛରେ ଶିବସେନାର ଆଭ୍ୟନ୍ତରୀଣ ବିବାଦ ମୂଳ କାରଣ, ବିଜେପିର ଏଥିରେ କୌଣସି ଭୂମିକା ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ନେତୃବର୍ଗ ସଫେଇ ଦେଉଥିଲେ ମଧ୍ୟ ତାହା ବିଶ୍ୱସନୀୟ ନୁହେଁ । ଅତୀତରେ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକରେ ସରକାରୀ ଦଳ ବିଧାୟକଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ କରି ସରକାରକୁ କ୍ଷମତାଚ୍ୟୁତ କରିବା ସକାଶେ ବିଜେପି ଯେଉଁ ‘ଅପରେସନ୍ ଲୋଟୋସ୍’ ଯୋଜନା କାର୍ଯ୍ୟକାରୀ କରିଥିଲା ମହାରାଷ୍ଟ୍ରରେ ମଧ୍ୟ ଅଢେଇ ବର୍ଷର ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକନାଥ ସିନ୍ଧେଙ୍କୁ ମୋହରା କରି ଏକା ଯୋଜନା କାର୍ଯ୍ୟକାରୀ କରିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଫରକ ଏତିକି ରହିଛି, ମଧ୍ୟ ପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ କମଳନାଥ ସରକାର ଏବଂ କର୍ଣ୍ଣାଟକରେ ଏଚଡ଼ି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁ)-କଂଗ୍ରେସ ମିଳିତ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ଅପରେସନ୍ ଲୋଟୋସ୍’ର ପ୍ରୟୋଗ ହୋଇଥିବା ବେଳେ ଏବେ କିନ୍ତୁ ହିନ୍ଦୁତ୍ୱବାଦୀ ଭାବେ ପରିଚିତ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସରକାରକୁ କ୍ଷମତାଚ୍ୟୁତ କରିବାରେ ଏହାର ପ୍ରୟୋଗ ହୋଇଛି । ଉଦ୍ଧବ ବିଜେପିରୁ ଦୂରେଇ ଏନସିପି ଓ କଂଗ୍ରେସର ସହଯୋଗରେ ମହାରାଷ୍ଟ୍ରରେ ସରକାର ଚଳାଇବାରୁ ଦଣ୍ଡିତ ହୋଇଛନ୍ତି । ଏହା ବହୁ ଆଗରୁ ହେବାର ଥିଲା, ବିଳମ୍ବରେ ହୋଇଛି ବୋଲି ଜାତୀୟ ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।
ସେମାନଙ୍କ ମତରେ, ଅଟଳ ବିହାରୀ ବାଜପେୟୀ ଓ ଲାଲ କୃଷ୍ଣ ଆଡଭାନୀଙ୍କ ଯୁଗର ବିଜେପି ଏବଂ ବର୍ତ୍ତମାନର ନରେନ୍ଦ୍ର ମୋଦୀ-ଅମିତ ଶାହା ଯୁଗର ବିଜେପି ମଧ୍ୟରେ ବେଶ୍ ଫରକ ରହିଛି । ଆଜିର ବିଜେପି ମାତ୍ରାଧିକ କ୍ରୁର ଓ ପ୍ରତିକ୍ରୀୟାଶୀଳ । କ୍ଷମତା ରାଜନୀତିରେ କୌଣସି ପ୍ରକାର ବିଶ୍ୱାସଘାତକୁ କ୍ରୁରତାର ସହ ଦମନ କରିବାରେ ଆଜିର ବିଜେପି ବିଶ୍ୱାସ କରେ । ତେଣୁ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ୨୦୧୯ରେ କରିଥିବା ବିଶ୍ୱାସଘାତର ପରିଣାମ ଆଜି ଭୋଗିବାକୁ ପଡୁଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ପୂର୍ବରୁ ଏବଂ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦୁଇ ପ୍ରାକୃତିକ ହିନ୍ଦୁତ୍ୱବାଦୀ ଦଳ (ବିଜେପି ଓ ଶିବସେନା) ଏକାଠି ନିର୍ବାଚନ ଲଢି ଆସୁ ଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା-ଆରପିଆଇ ସହ ଏନସିପି ଓ କଂଗ୍ରେସର ଲଢେଇ ହୋଇଥିଲା । ୨୮୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ସର୍ବାଧିକ ୧୦୬ ଆସନ ମିଳି ଥିବା ବେଳେ ଶିବସେନା ୫୬ ଆସନରେ ସୀମିତ ରହି ଥିଲା । ତେବେ, ସରକାର ଗଠନ ପାଇଁ ୧୪୫ ସଂଖ୍ୟାର ଆବଶ୍ୟକତା ଥିବାରୁ ବିଜେପି ଓ ଶିବସେନା ପାଇଁ ମିଳିତ ସରକାର ଗଠନରେ କିଛି ଅସୁବିଧା ନଥିଲା । ତେବେ, ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେପି- ଶିବସେନା ବିବାଦ ସଂପର୍କକୁ ତୀକ୍ତ କରିଥିଲା ।
ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (ବିଜେପି) ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ବ୍ୟାକୁଳ ଥିଲେ । ଉଦ୍ଧବ ପୁଅ ଆଦିତ୍ୟ ଠାକରେଙ୍କୁ ସାମ୍ନାରେ ରଖି ଗୋଟି ଚଳାଉ ଥିଲେ । ପରସ୍ଥିତି ଏଭଳି ବିବଦମାନ ହେଲା ଯେ ଦେବେନ୍ଦ୍ର ଫଡନାଭିସ ଏନସିପିର ଅନ୍ୟତମ ବରିଷ୍ଠ ନେତା ଅଜିତ ପାୱାରଙ୍କୁ ରାତି ଅଧିଆ ନିଜ ପକ୍ଷକୁ ଆଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଦେଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ଜଣାପଡିବା ସଂଗେ ସଂଗେ ଏନସିପି ମୁଖ୍ୟ ଶରଦ ପୱାର ସକ୍ରିୟ ହୋଇ ପୁତୁରା ଅଜିତ ପାୱାରଙ୍କୁ ମନାଇଲେ ଏବଂ ୪୮ ଘଂଟା ମଧ୍ୟରେ ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଫଡନାଭିସ-କୋଶିୟାରୀଙ୍କ ଏହି ଚାଲ୍ ବିଫଳ ହେବା ପରେ ଉଦ୍ଧବ ଏନସିପି ଓ କଂଗ୍ରେସ ସହ ମେଂଟ କରି ସରକାର ଗଠନ କଲେ ଏବଂ ନିଜେ ମିଳିତ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଶିବସେନା ୫୬ ଆସନ, ଏନସିପି ୫୪ ଓ କଂଗ୍ରେସ ୪୪ ଆସନରେ ବିଜୟୀ ହୋଇଥିବାରୁ ମିଳିତ ଭାବେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବାରେ ସଫଳ ହେଲେ ।
ସେହି ଦିନରୁ ଉଦ୍ଧବ ଠାକରେ ଓ ତାଙ୍କ ନେତୃତ୍ୱରେ ଚାଲିଥିବା ମହା ବିକାଶ ଅଘାଡି ସରକାର ବିଜେପିର ଟାର୍ଗେଟରେ ରହି ଆସିଛନ୍ତି । ଉଦ୍ଧବ ଠାକରେଙ୍କୁ ‘ବିଶ୍ୱାସଘାତକ’ କହି ବିଜେପି ଏମଭିଏ ସରକାରର ପତନ ଦିଗରେ ଉଦ୍ୟମ କରି ଆସିଛି । ଅଢେଇ ବର୍ଷରଏମଭିଏ ସରକାରରେ ଉଦ୍ଧବଙ୍କ ମନ୍ତ୍ରୀ ପରିଷଦର ଦୁଇ ଜଣ ବରିଷ୍ଠ ମନ୍ତ୍ରୀ (ଦୁହେଁ ଏନସିପିର) ବ୍ୟାପକ ଅର୍ଥନୈତିକ ଦୁର୍ନୀତି ଅଭିଯୋଗରେ ଫସିଛନ୍ତି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀଙ୍କ ଦ୍ୱାରା ଜେରାର ସମ୍ମୁଖୀନ ହୋଇ ଜେଲରେ ଥିବା ବେଳେ ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଜେରା ସରିଛି । ଯେକୌଣସି ସମୟରେ ସେ ଗିରଫ ହୋଇ ଜେଲ ଯିବା ଅପେକ୍ଷାରେ ଅଛନ୍ତି । ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସୀଙ୍କ ଦୁରୁପଯୋଗ କରୁଥିବା ଶାସକ ଶିବସେନା, ଏନସିପି ଓ କଂଗ୍ରେସ ନେତୃବର୍ଗ ଅଭିଯୋଗ କରି ଆସୁଛନ୍ତି । କେନ୍ଦ୍ରରେ ବିଜେପି କ୍ଷମତାରେ ଥିବାରୁ କେନ୍ଦ୍ରୀୟ ଏଜେନ୍ସୀଙ୍କ ଦୁରୁପଯୋଗ ହେଉଥିବା ଅନ୍ୟ ବିରୋଧୀ ରାଜନୈତିକ ଦଳ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଶିବସେନାର ପ୍ରଭାବଶାଳୀ ନେତା ଏକନାଥ ସିନ୍ଧେ ଓ ତାଙ୍କ ସହ ବିଦ୍ରୋହରେ ସାମିଲ ଥିବା ବିଧାୟକମାନେ ଇଡ଼ି ଓ ସିବିଆଇ ଭୟରେ ଉଦ୍ଧବଙ୍କ ବିରୋଧରେ ଏକାଠି ହୋଇ ଏମଭିଏ ସରକାରର ପତନର କାରଣ ହୋଇଥିବା ଉଦ୍ଧବ ସମର୍ଥକ ଗୋଷ୍ଠୀ ଅଭିଯୋଗ କରୁଥିବା ବେଳେ ଉଦ୍ଧବ ହିନ୍ଦୁତ୍ୱଠାରୁ ଦୂରେଇ ଯାଇ କଂଗ୍ରେସ ଓ ଏନସିପି ମିଳିତ ସରକାର ଚଳାଇ ଥିବା ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ବିଦ୍ରୋହୀ ବିଧାୟକମାନେ ଅଭିଯୋଗ କରିଛନ୍ତି ।
ବିଦ୍ରୋହୀଙ୍କୁ ମନାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ପ୍ରକାର ଉଦ୍ୟମ କରି ବିଫଳ ହେବା ପରେ ଆଜି ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ର ବିଧାନସଭା ଶିବସେନା ବିଧାୟକ ଦଳ ନେତା ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିିଛି । ବିଧାନସଭା ଉପ ବାଚସ୍ପତି ନରହରି ଜିରାୱାଲ ଆଜି ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଠାକରେ ପଠାଇ ଥିବା ଚିଠିକୁ ଗ୍ରହଣ କରାଯାଇ ତୁରନ୍ତ ତାହା କାର୍ଯ୍ୟକାରୀ କରାଯାଇଛି ବୋଲି ଜିରାୱାଲ କହିଛନ୍ତି । ବୁଧବାର ବିଦ୍ରୋହୀ ଶିବସେନା ନେତା ସିନ୍ଧେ ରାଜ୍ୟ ବିଧାନସଭା ଉପ ବାଚସ୍ପତିଙ୍କୁ ଚିଠି ଲେଖି ତାଙ୍କ ପଛରେ ୩୫ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସୂଚନା ଦେଇଥିଲେ । ମହାରାଷ୍ଟ୍ରରେ ଶିବସେନା ଏଭଳି ଏକ ସଂକଟ ଦେଇ ଗତି କରୁଥିବା ବେଳେ ମିଳିତ ସରକାରରେ ଥିବା କଂଗ୍ରେସ ଓ ଏନସିପିର ଭୂମିକା କଣ ହେବ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଇତିମଧ୍ୟରେ ଏନସିପି ନେତା ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ଆଲୋଚନା କରିଛନ୍ତି । କଂଗ୍ରେସର ବରିଷ୍ଠ ନେତୃବର୍ଗ ଏଭଳି ଅସମୟରେ ଦଳ ଉଦ୍ଧବଙ୍କ ସହ ଥିବା କହିଲେଣି ।
ତେବେ, ଶାସକ ଶିବସେନାର ଅଧିକାଂଶ ବିଧାୟକ ଉଦ୍ଧବଙ୍କ ଠାରୁ ଦୂରେଇ ଯାଇଥିବାରୁ ସରକାର ସଂଖ୍ୟାଲଘୁ ହୋଇସାରିଛି । ତେଣୁ, ଉଦ୍ଧବ ଠାକରେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଦ୍ରୋହୀ ଗୋଷ୍ଠୀ ଦାବି ରଖିଛନ୍ତି । ଆଜି ଅପରାହ୍ନ ସୁଦ୍ଧା ବିଜେପି ରାଜ୍ୟରେ ସରକାର ଗଠନ ପାଇଁ ଦାବିଦାର ହୋଇନି । ପ୍ରଥମେ ଗୁଜରାଟର ସୁରଟ ଓ ପରେ ଆସାମର ଗୌହାଟୀଠାରେ ଆତ୍ମଗୋପନ କରିଥିବା ଶିବସେନା ବିଧାୟକମାନେ ଦଳ ଏମଭିଏରୁ ସଂପର୍କ ଛିନ୍ନ କରୁ ବୋଲି ଯେଉଁ ଦାବି ରଖିଛନ୍ତି ଶିବସେନା ପ୍ରମୁଖଙ୍କ ଆଡୁ ତାହାର ଜବାବ ଦିଆଯାଇଛି । ବିଧାୟକମାନେ ଗୌହାଟୀରୁ ମୁମ୍ବାଇ ଫେରି ଆସି ମୁଖ୍ୟମନ୍ତ୍ରୀ ଠାକରେଙ୍କ ନିକଟରେ ସେହି ଦାବି ରଖିଲେ ମୁଖ୍ୟମନ୍ତ୍ରୀ ତାହା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଶିବସେନା ଜାତୀୟ ମୁଖପାତ୍ର ରାଜ୍ୟସଭା ସାଂସଦ ସଂଜୟ ରାୱତ କହିଛନ୍ତି । ଆଜି ତୃତୀୟ ଦିନ ମହାରାଷ୍ଟ୍ରରେ ଏଭଳି ନାଟକୀୟ ପରିସ୍ଥିତି ଜାରି ରହିଛି । ଏହାର ଶେଷ ପରିଣତି କଣ ହେବ, ତାହା ଉପରେ ସମଗ୍ର ଦେଶର ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS