ଓଲିଉଡ୍ ହରାଇଲା ଜଣେ ଦମଦାର ଖଳନାୟକ


ପ୍ରସାଦ ରାଓ
ଜୁନ ୨୪
ମନେ ପଡୁଛି ଅଶି ଦଶକ କଥା । ଓଡ଼ିଆ ସିନେମା ଓ ବିିଭିନ୍ନ ସାଂସ୍କୃତିକ ବିଭବକୁ ନେଇ ଖବରକାଗଜରେ ଲେଖାଲେଖି କରୁଥିବା ସମୟରେ ଭେଟ ହୋଇଥିଲା ସଦ୍ୟ ସଂଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ଶିକ୍ଷା ଗ୍ରହଣ ପାଇଁ ଆସି ଥିବା ଜଣେ ଛାତ୍ରଙ୍କ ସହ । ତାଙ୍କରି କିଛି ସହପାଠୀ ବା ଉପର ଶ୍ରେଣୀର ଛାତ୍ର ତାଙ୍କୁ ଆଣି ପରିଚିତ କରାଇ ଥିଲେ ମୋ ସହିତ । ସେହି ସମୟରେ ଓଡ଼ିଶା ଫିଲ୍ମରେ ରାଜ୍ କରୁଥା’ନ୍ତି ଅଭିନେତା ଉତ୍ତମ ମହାନ୍ତି । ଉତ୍ତମଙ୍କ ସହ ଏହି ଛାତ୍ର ଜଣକର ଚେହେରାର ଅନେକ ସାମଂଜସ୍ୟ ଥିବାରୁ ତାଙ୍କ ସାକ୍ଷାତକାର ଛାପିବାକୁ ଆଗ୍ରହ ହେଲା ଏବଂ ସେତେବେଳେ ନୂଆ ନୂଆ ମାର୍କେଟକୁ ଆସି ଥିବା ‘ସମ୍ବାଦ’ର ସିନେମା ପୃଷ୍ଠାରେ ଏହି ଛାତ୍ରଙ୍କ ଜୀବନର ପ୍ରଥମ ସାକ୍ଷାତକାର ଛାପି ଥିଲି । ତାହା ଥିଲା ‘ଆଉ ଜଣେ ଉତ୍ତମ..’ । ଏହି ସାକ୍ଷାତକାରକୁ ନେଇ ଉତ୍ତମ କେବେ ପ୍ରତିକ୍ରିୟା ବ୍ୟକ୍ତ କରି ନଥିଲେ । କିନ୍ତୁ, ସାକ୍ଷାତକାରର ଶୀର୍ଷକ ଓ ଲେଖା ରାଇମୋହନଙ୍କ ମନକୁ ଛୁଇଁ ଥିଲା । ସେ ଏତିକି ମାତ୍ର କହିଥିଲେ, ଉତ୍ତ ମହାନ୍ତି କେଉଁଠି, ମୁଁ କେଉଁଠି ? ଭାଇ ସେ ଖରାପ ଭାବୁ ଥିବେ । ଅଶି ଦଶକର ଏହି ପ୍ରଥମ ଓ ଶେଷ ସାକ୍ଷାତକାର ପରେ ରାଇମୋହନଙ୍କ ସହ ଦୀର୍ଘ ବର୍ଷ ଧରି ଦେଖା ହୋଇ ନଥିଲା । କାରଣ, ‘ସମ୍ବାଦ’ରେ କାର୍ଯ୍ୟ କରିବା ଭିତରେ ମୁଁ ରାଜଧାନୀରୁ ରାଉରକେଲା ଓ ସେଠାରୁ ବ୍ରହ୍ମପୁର ବଦଳୀ ହୋଇ ଚାଲି ଯାଇଥିଲି । ଓଲିଉଡ଼ ସହ ସଂପର୍କ ବି ତୁଟି ଯାଇଥିଲା । ରାଇମୋହନଙ୍କ ସହ ପୁଣି ଥରେ ଦେଖା ହୋଇଥିଲା ଅନେକ ବର୍ଷ ପରେ । ସେତେବେଳକୁ ସେ ଓଡ଼ିଶାର ଏକ ନମ୍ବର ସିନେ ଓ ଥିଏଟର ଅଭିନେତା । ଖଳନାୟକ ଭାବେ ସେ ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି । ଭେଟ ହେବାରୁ ସଂଭ୍ରମତାର ସହ ପୂର୍ବ କଥା ମନେ ପକାଇ ଆନନ୍ଦିତ ହୋଇଥିଲେ । ଫୋନ ନମ୍ବର ନେଇ ଥିଲେ ଯୋଗାଯୋଗରେ ରହିବା ପାଇଁ । ତେବେ, ତାହା ପରେ ଆମର ଆଉ ଯୋଗଯୋଗ ହୋଇ ନାହିଁ । ଥରେ ଅଧେ ଟେଲିଫୋନରେ କଥା ହୋଇଛୁ । ଆଜି ସେହି ରାଇମୋହନଙ୍କ ଦୁଃଖଦ ଆତ୍ମହତ୍ୟା ଖବର ପୁରୁଣା କଥା ମନେ ପକାଇ ଦେଇଛି । ୫୮ ବର୍ଷ ବୟସରେ ରାଇମୋହନ ପରିଡ଼ା ଓଡ଼ିଶାର ଫିଲ୍ମ ଓ ଥିଏଟର ଜଗତରେ ଜଣାଶୁଣା ତାରକା ଥାଇ ଆତ୍ମହତ୍ୟା କଲେ କାହିଁକି ? ଏହି ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କରୁଛି । ଆଜି ସକାଳେ ଭୁବନେଶ୍ୱର ପ୍ରାଚୀ ବିହାର ଅଂଚଳରେ ଥିବା ବାସଭବନରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହୁଥିଲେ ମଧ୍ୟ ଏହା ପଛରେ ଅନ୍ୟ କିଛି କାରଣ ଅଛି କି (?), ତାହାର ତଦନ୍ତ କରୁଛନ୍ତି । ରାଇମୋହନଙ୍କ ଘର କେଉଁଝର ଜିଲ୍ଲାରେ । ଶହେରୁ ଅଧିକ ଓଡ଼ିଆ ଓ ୧୫ଟି ବଂଗଳା ଫିଲ୍ମରେ ସେ ଅଭିନୟ କରି ତାଙ୍କ ଅଭିନୟ ଦକ୍ଷତାର ଛାପ ଛାଡି ଯାଇଛନ୍ତି । ଆଜି ଦିନରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ବ୍ୟତିରେକ ଆଉ କଣ ବା କହିବି !
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS