ଆସ୍ଥା ଭୋଟରେ ସିନ୍ଧେ-ବିଜେପି ମେଂଟ ସରକାରଙ୍କ ବିଜୟ


ପ୍ରସାଦ ରାଓ
ଜୁଲାଇ ୦୪
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା-ବିଜେପି ମେଂଟ ସରକାର ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଗତକାଲି ବିଧାନସଭା ବାଚସ୍ପତି ନିର୍ବାଚନରେ ମେଂଟର ପ୍ରଥମ ବିଜୟ ହୋଇଥିଲା । ମେଂଟର ବାଚସ୍ପତି ପ୍ରାର୍ଥୀ ତଥା ବିଜେପିର କୋଲାବା ବିଧାୟକ ରାହୁଲ ନର୍ବେକର ୨୮୭ ବିଶିଷ୍ଟ ବିଧାନସଭାରେ ୧୬୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ମହାରାଷ୍ଟ୍ର ବିକାଶ ଅଘାଡି (ଏମଭିଏ) ପ୍ରାର୍ଥୀ ଥିବା ଶିବସେନାର ରାଜନ ସାଲଭି ୧୦୭ ଭୋଟ ପାଇଥିଲେ । ୩ ତାରିଖ ବାଚସ୍ପତି ନିର୍ବାଚନରେ ଶିବସେନା-ବିଜେପି ମେଂଟ ସରକାରର ବିଜୟ ହେବା ପରେ ଆଜି ହୋଇଥିବା ଆସ୍ଥା ଭୋଟରେ ସିନ୍ଧେ ସରକାରଙ୍କ ବିଜୟ ସୁନିଶ୍ଚିତ ଥିଲା । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ୧୬୪ ଜଣ ବିଧାୟକ ସିନ୍ଧେ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ୯୯ଜଣ ବିଧାୟକ ବିରୋଧରେ ଭୋଟ ଦେଇଛନ୍ତି ।
ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଜଣେ ବିଧାୟକ ଇତିମଧ୍ୟରେ ପକ୍ଷ ପରିବର୍ତ୍ତନ କରି ସିନ୍ଧେ ଗୋଷ୍ଠୀରେ ଯୋଗ ଦେଇଥିବା ବେଳେ ଅନ୍ୟ ଜଣେ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି । ନର୍ବେକର ହେଉଛନ୍ତି ମହାରାଷ୍ଟ୍ର ବିଧାନସଭାର ସର୍ବକନିଷ୍ଠ (୪୫ ବର୍ଷ ବୟସ) ବାଚସ୍ପତି । ଗତକାଲି ସେ ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇ ଦାୟିତ୍ୱ ନେବା ପରେ ବିଳମ୍ବିତ ରାତ୍ରୀରେ ତାଙ୍କ ଖେଳ ଆରମ୍ଭ କରିଥିଲେ । ଉଦ୍ଧବଙ୍କ ଦ୍ୱାରା ନିଯୁକ୍ତ ଶିବସେନା ବିଧାୟକ ଦଳ ନେତା ଅଜୟ ଚୌଧୁରୀଙ୍କୁ ବିଦା କରିବା ସହ ବିଧାୟକ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । ସେହିଭଳି ସିନ୍ଧେ ଗୋଷ୍ଠୀର ଭରତ ଗୋଗୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ଦିଆଯିବା ସହ ଉଦ୍ଧବ ଗୋଷ୍ଠୀର ବିଧାୟକ ସୁନିଲ ପ୍ରଭୁଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇ ଦିଆଯାଇଥିଲା । ଫଳରେ, ଆଜି ଆସ୍ଥା ଭୋଟ ସମୟରେ ଶିବସେନା ସିନ୍ଧେ ଗୋଷ୍ଠୀ ପକ୍ଷରୁ ଜାରି ହ୍ୱିପ୍ ମାନିବା ପାଇଁ ଶିବସେନା ବିଧାୟକମାନେ ବାଧ୍ୟ ଥିଲେ ।
ଆଜି ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରାଜ୍ୟ ବିଧାନସଭାରେ ଅଭିଭାଷଣ ଦେଇ ସେ ଶିବସେନାର ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ସହୀଦ ହେବାକୁ ପ୍ରସ୍ତୁତ ବୋଲି କୋହଭରା କଂଠରେ କହିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ପ୍ରତି ଯେଭଳି ବ୍ୟବହାର କରାଯାଇଥିଲା ସେଥିରେ ସେ ଦୁଃଖି ଥିଲେ । ବର୍ତ୍ତମାନ ଉଦ୍ଧବ ଠାକରେ ଗୋଷ୍ଠୀ ଅନୁଭବ କରୁଥିବେ କାହିଁକି ଦଳରେ ବିଦ୍ରୋହ ହେଲା ଏବଂ ସେମାନେ ମୂଳ କାରଣ ଖୋଜି ବାହାର କରନ୍ତୁ ବୋଲି ସିନ୍ଧେ ଆହ୍ୱାନ ଦେଇଥିଲେ । ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ୨୩ ଜଣ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ ବା ଭୋଟିଂରୁ ବିରତ ରହିଥିଲେ । ଭୋଟିଂ ବେଳେ ଗୃହରେ ଅନୁପସ୍ଥିତ ଥିବା ବିଧାୟକଙ୍କ ମଧ୍ୟରେ ଏଆଇଏମଆଇଏମର ଦୁଇ ଜଣ ବିଧାୟକ ଆବୁ ଆଜମି ଓ ରଇସ୍ ଶେଖ ଅନ୍ତର୍ଭୁକ୍ତ । ଗତକାଲି ବିଧାନସଭା ବାଚସ୍ପତି ନିର୍ବାଚନରେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ । ଆଜି ଆସ୍ଥା ଭୋଟ ବେଳେ ଅଶୋକ ଚଭନ, ବିଜୟ ୱାଡେତିୱାର, ଧୀରଜ ଦେଶମୁଖ, ପ୍ରଣିତି ସିନ୍ଧେ ପ୍ରମୁଖ ୧୧ ଜଣ କଂଗ୍ରେସ ବିଧାୟକ ଗୃହରେ ଅନୁପସ୍ଥିତି ଥିଲେ । ଅଶୋକ ଚଭନ ଓ ବିଜୟ ୱାଡେତିୱାର ବିଳମ୍ବରେ ଗୃହରେ ପହଂଚିବାରୁ ଭୋଟିଂ ସମୟରେ ଗୃହରେ ପ୍ରବେଶ କରିବାକୁ ସକ୍ଷମ ହୋଇ ନଥିଲେ । ଏନସିପି ବିଧାୟକ ଅନୀଲ ଦେଶମୁଖ ଓ ନୱାବ ମଲ୍ଲିକ ମନିଲଂଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସୀଙ୍କ ଦ୍ୱାରା ଗିରଫ ହୋଇ ଗିରଫ ହୋଇ ଜେଲରେ ଥିବାରୁ ଆଜି ସରକାରଙ୍କ ପ୍ରତି ଆସ୍ଥା ଭୋଟରେ ଅନୁପସ୍ଥିତ ଥିଲେ । ତେବେ, ଆଉ କିଛି ଏନସିପି ବିଧାୟକ ଭୋଟ ଦାନରୁ ଅନୁପସ୍ଥିତ ଥିଲେ ।
ରାଜ୍ୟରେ ଉଦ୍ଧବ ସରକାରଙ୍କ ପତନ ଘଟାଇ ସରକାର ପରିବର୍ତ୍ତନ କରିବାରେ କେନ୍ଦ୍ରୀୟ ଏଜେନ୍ସୀ ‘ଇଡ଼ି’ ବା ପ୍ରବର୍ତ୍ତନ ନିର୍ଦେଶାଳୟର ଅପବ୍ୟବହାର କରାଯାଇଛି ବୋଲି ବିଧାନସଭାରେ ଆସ୍ଥା ଭୋଟ ଉପରେ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନାମ ଧରି ‘ଇଡ଼ି’.. ‘ଇଡ଼ି’ ପାଟି କରିବାରୁ ‘ଠିକ୍ କଥା, ଏହା ଆମର ଇଡ଼ି ସରକାର ବୋଲି ଉପ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଗୃହରେ କହିଥିବା ଜଣାପଡିଛି । ଜୁନ ମାସରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାର ବିରୋଧରେ ବଡ଼ ଧରଣର ବିଦ୍ରୋହର ସୂତ୍ରପାତ ହୋଇଥିଲା । ସିନ୍ଧେ ନିଜ ସମର୍ଥକ ଶିବସେନା ବିଧାୟକଙ୍କୁ ଧରି ପ୍ରଥମେ ସୁରଟ୍ ଓ ପରେ ଗୌହାଟୀ ପଳାଇ ତାରକା ହୋଟେଲରେ ଅବସ୍ଥାନ କରିବା ସହ ସେଠାରୁ ଉଦ୍ଧବ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଗୋଟି ଚଳାଇ ଥିଲେ । ଧରେ ଧୀରେ ଏକନାଥଙ୍କ ପ୍ରତି ସମର୍ଥନ ବଢି ବିଦ୍ରୋହୀ ବିଧାୟକ (ଶିବସେନା ଓ ସ୍ୱାଧୀନ)ଙ୍କ ସଂଖ୍ୟା ୫୦ରେ ପହଂଚି ଥିଲା । ଉଦ୍ଧବ ଠାକରେ ସରକାର ସଂଖ୍ୟା ଗରିଷ୍ଠତା ହରାଇ ମଧ୍ୟ କ୍ଷମତାରୁ ନ ହଟିବାରୁ ଜୁନ ୨୯ ତାରିଖ ଦିନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀ ନୋଟିସ ଜାରି କରି ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦେଶ ଦେବା ସହ ୩୦ ତାରିଖ ସରକାର ଆସ୍ଥା ଭୋଟ ଲୋଡିବାକୁ ନିର୍ଦେଶ ଦେଇଥିଲେ ।
ଉଦ୍ଧବ ଗୋଷ୍ଠୀ ରାଜ୍ୟପାଳଙ୍କ ନିର୍ଦେଶକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆସ୍ଥା ଭୋଟ ଟଳିବା ସମ୍ଭବ ନ ହେବାରୁ ୨୯ ତାରିଖ ବିଳମ୍ବିତ ରାତ୍ରୀରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ୩୦ ତାରିଖ ଅପରାହ୍ନରେ ବିଦ୍ରୋହୀ ଶିବସେନା ନେତା ସିନ୍ଧେ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିବାରୁ ସେହି ଦିନ ରାତି ସାଢେ ୭ଟାରେ ରାଜ୍ୟପାଳ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଓ ଫଡ଼ନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଥିଲେ । ଉଦ୍ଧବ ସରକାରଙ୍କ ପତନ ପରେ ମହା ବିକାଶ ଅଘାଡି (ଏମଭିଏ) କାଏମ ରହିଥିଲେ ମଧ୍ୟ ଏମଭିଏର ଅଂଶୀଦାର ଏନସିପି ଓ କଂଗ୍ରେସରେ ମଧ୍ୟ ଫାଟ ଦେଖା ଦେଇଥିବା ସୂଚନା ମିଳୁଛି । ଏହାଦ୍ୱାରା ଉଦ୍ଧବ ଠାକରେ ଅଧିକ ଦୁର୍ବଳ ହେବା ସହ ଶିବସେନାକୁ ସଂପୂର୍ଣ୍ଣ ଭାବେ ଗ୍ରାସ କରିବା ପାଇଁ ସିନ୍ଧେ-ଫଡ଼ନାଭିସଙ୍କ ମିଳିତ ଯୋଜନା ଆଗକୁ ମହାରାଷ୍ଟ୍ର ରାଜନୀତିକୁ ଅଧିକ ରୋଚକ କରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS