ଦଳୀୟ ‘ହୁଇପ୍’ ଅବମାନନା କରି ଆଦିତ୍ୟ ଠାକରେ ସଂକଟରେ !


ପ୍ରସାଦ ରାଓ
ଜୁଲାଇ ୦୪
କାଲି ଯାଏଁ ଯିଏ ମହାରାଷ୍ଟ୍ରର ଦବଂଗ ରାଜନୈତିକ ଦଳ ଶିବସେନାର ଏକକ ଭାଗ୍ୟ ବିଧାତା ଥିଲେ ଆଜି ସେ ଦଳ ଭିତରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛନ୍ତି । ଶିବସେନା ମୁଖ୍ୟ ଥାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ସଂଖ୍ୟା ହରାଇ ଜୁନ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୩୦ ତାରିଖ ରାଜ୍ୟରେ ନୂଆ ସରକାର ଗଠନ ହେଲା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ । ଶିବସେନାରେ ବିଦ୍ରୋହ ଓ ଉଦ୍ଧବ ସରକାରଙ୍କ ପତନର ମୁଖ୍ୟ ସୂତ୍ରଧର ଥିବା ବିଜେପି ଏବେ, ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପୂର୍ବତନ ମୁଖ୍ୟମନ୍ତ୍ରୀ (ବିଜେପି) ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ସହ ନୂଆ ରାଜନୈତିକ ଖେଳ ଆରମ୍ଭ କରିଛି । ସିନ୍ଧେ-ଫଡ଼ନାଭିସ ମିଳିତ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ ବିଜୟୀ ହୋଇଛନ୍ତି । ଉଦ୍ଧବ ଠାକରେ ଜୁନ ୨୯ରେ ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟ ବିଧାନ ପରିଷଦ ସଭ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ, ବିଧାୟକ ଥିବା ତାଙ୍କ ପୁତ୍ର ଆଦିତ୍ୟ ଠାକରେ ଆଜି ଶିବସେନାର ନୂତନ ମୁଖ୍ୟ ସଚେତକଙ୍କ ‘ହୁଇପ୍’କୁ ଅବମାନନା କରି ସରକାରଙ୍କ ବିରୋଧରେ ଭୋଟ ଦେଇଥିବା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ସମ୍ଭାବନା ସୃଷ୍ଟି ହୋଇଛି । ରାହୁଲ ନର୍ବେକର ଗତକାଲି (ଜୁଲାଇ ୩) ରାଜ୍ୟ ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଗୋଷ୍ଠୀର ଭରତ ଗୋଗୱାଲେଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ଦେଇଥିଲେ ଏବଂ ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ଦଳର ମୁଖ୍ୟ ସଚେତକ ଗୋଗୱାଲେ ଆଜି ଶିବସେନା ବିଧାୟକଙ୍କ ଉପରେ ‘ହୁଇପ୍’ ଜାରି କରିଥିଲେ । ଆଦିତ୍ୟ ଏହି ‘ହୁଇପ୍’କୁ ଅବମାନନା କରି ସରକାର ବିରୋଧରେ ଭୋଟ ଦେଇଛନ୍ତି । ତେବେ, ଗତ ଜୁନ ମାସରେ ଶିବସେନାରେ ବିଦ୍ରୋହର ସୂତ୍ରପାତ କରି ବିଧାୟକ ଦଳରେ ବିଭାଜନ କରିଥିବା ଶିବସେନା ନେତା ଏକନାଥ ସିନ୍ଧେ ଓ ଅନ୍ୟ ୧୫ ଜଣ ଶିବସେନା ବିଧାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରାଯିବାକୁ ପୂର୍ବରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ବିଚାରାଧୀନ ରହିଛି । ଜୁଲାଇ ୧୧ ତାରିଖରେ ଏହା ଉପରେ ଶୁଣାଣୀ କରିବାକୁ ସୁପ୍ରିମ କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ବେଳେ ଜୁନ ୩୦ ତାରିଖରେ ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହୋଇ ସାରିଛି । ଜୁଲାଇ ୩ ତାରିଖ ଦିନ ବିଜେପି ବିଧାୟକ ରାହୁଲ ନର୍ବେକର ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ବିଦ୍ରୋହୀ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା ବିଧାୟକ ଦଳ ନେତା ପଦ ପୁନଃବାହାଲ କରିଛନ୍ତି । ବାଚସ୍ପତି ପକ୍ଷରୁ ବିଧାୟକ ଗୋଗୱାଲେଙ୍କୁ ଦଳର ନୂତନ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯିବା ପରେ ଗୋଗୱାଲେ ଆଜି ହୋଇଥିବା ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ଶିବସେନା ବିଧାୟକଙ୍କ ଉପରେ ‘ହୁଇପ୍’ ଜାରି କରିଥିଲେ । ଦଳୀୟ ହୁଇପ୍ ଅବମାନନା କଲେ ବିଧାନସଭା ସଭ୍ୟ ପଦ ରଦ୍ଦ ହେବା ପ୍ରାବଧାନ ଥିବାରୁ ଆଦିତ୍ୟ ଠାକରେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ରହିଛି । ତେବେ, ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ କୋର୍ଟରେ ନୂତନ ମୁଖ୍ୟ ସଚେତକଙ୍କ ନିଯୁକ୍ତିକୁ ମଧ୍ୟ ଚ୍ୟାଲେଂଜ କରାଯାଇଛି । ମୂଳ ଆବେଦନ ଉପରେ ଜୁଲାଇ ୧୧ରେ ଶୁଣାଣୀ ହେବାକୁ ଥିବା ବେଳେ ନୂତନ ବାଚସ୍ପତିଙ୍କ ଦ୍ୱାରା ନିଯୁକ୍ତ ନୂତନ ମୁଖ୍ୟ ସଚେତକ ‘ହୁଇପ୍’ ଜାରି କରିବାର ଆଇନଗତ ବୈଧତା ନାହିଁ ବୋଲି ଉଦ୍ଧବ ଗୋଷ୍ଠୀ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ଉପରେ ମଧ୍ୟ ସୁପ୍ରିମ କୋର୍ଟ ଶୁଣାଣୀ କରିବା ସମ୍ଭାବନା ରହିଛି । ତେଣୁ, ଶିବସେନା ବିଧାୟକ ଆଦିତ୍ୟ ଠାକରେଙ୍କ ବିରୋଧରେ ‘ହୁଇପ୍’କୁ ଅବମାନନା ଅଭିଯୋଗରେ ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା କମ୍ ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଅନ୍ୟ ୧୫ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିଧାୟକ ପଦ ରଦ୍ଦ ପାଇଁ ପୂର୍ବରୁ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ ହୋଇଛି ତାହା ଉପରେ ଜୁଲାଇ ୧୧ ତାରିଖରେ ସୁପ୍ରିମ କୋର୍ଟ ଦେବାକୁ ଥିବା ରାୟ ଉପରେ ମହାରାଷ୍ଟ୍ରରେ ସିନ୍ଧେ-ଫଡ଼ନାଭିସ ସରକାରଙ୍କ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS