ମହାରାଷ୍ଟ୍ରରେ ସାନି ନିର୍ବାଚନ ପାଇଁ ଉଦ୍ଧବଙ୍କ ଆହ୍ୱାନ


ପ୍ରସାଦ ରାଓ
ଜୁଲାଇ ୦୮
ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଦ୍ରୋହ କାରଣରୁ ଚଳିତ ମାସ ପ୍ରାରମ୍ଭରେ ଏମଭିଏ (ମହା ବିକାଶ ଅଘାଡି) ସରକାରର ପତନ ଘଟି ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଜେପି ସମର୍ଥନରେ ସରକାର ପ୍ରତିଷ୍ଠା ହେବା ପରେ ଶିବସେନାର ଅସ୍ତିତ୍ୱକୁ ନେଇ ଚାପରେ ଥିବା ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସାନି ନିର୍ବାଚନ କରାଯିବାକୁ ଆଜି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଠାକରେ ଆଜି ପ୍ରଥମ ଥର ପାଇଁ ମୁମ୍ବାଇରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେପି ସମର୍ଥୀତ ସିନ୍ଧେ ସରକାରକୁ ଚ୍ୟାଲେଂଜ କରିଛନ୍ତି । ରାଜ୍ୟରେ ସାନି ନିର୍ବାଚନ କରାଯାଉ, ଯଦି ତାଙ୍କ ନେତୃତ୍ୱରେ ରାଜ୍ୟରେ ଅଢେଇ ବର୍ଷ ଧରି ଚାଲି ଥିବା ସରକାର କିଛି ଭୁଲ କରିଥିଲା ତେବେ ରାଜ୍ୟବାସୀ ସେମାନଙ୍କୁ ଘରକୁ ପଠାଇ ଦେବେ ବୋଲି ଉଦ୍ଧବ ଚ୍ୟାଲେଂଜ କରିବା ସହ ବିଦ୍ରୋହୀଙ୍କୁ ଶିବସେନାର ନିର୍ବାଚନ ଚିହ୍ନ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି । ବିଜେପିକୁ ଶୁଣାଇଲା ଭଳି ଠାକରେ କହିଛନ୍ତି, ଆଜି ସେମାନେ ଯାହା କଲେ ଅଢେଇ ବର୍ଷ ତଳେ ତାହା କରିଥିଲେ ସମ୍ମାନଜନକ ଭାବେ କ୍ଷମତା ହସ୍ତାନ୍ତର ହୋଇଥାନ୍ତା । ତାଙ୍କ ସରକାରର ପତନ ଘଟାଇବା ପାଇଁ ବିଜେପିକୁ ଏତେ କିଛି କରିବାକୁ ପଡି ନଥା’ନ୍ତା । ଶିବସେନା ହାତରୁ ଧନୁ-ତୀର ଚିହ୍ନ କେହି ଛଡାଇ ନେଇ ପାରିବ ନାହିଁ । ଲୋକମାନେ କେବଳ ଦଳର ଏହି ନିର୍ବାଚନୀ ଚିହ୍ନକୁ ନୁହେଁ, ତାହା ପାଇଥିବା ବ୍ୟକ୍ତିକୁ ମଧ୍ୟ ଦେଖିବେ ବୋଲି ଠାକରେ କହିବା ସହ ଗଲା ଅଢେଇ ବର୍ଷ ହେଲା ବିଜେପି ତାଙ୍କୁ ଓ ତାଙ୍କ ପରିବାରକୁ ଅପମାନିତ କରୁଥିବା ବେଳେ ‘ତୁମେମାନେ ନୀରବ ରହିବା ସହ ସେମାନଙ୍କ (ବିଜେପି) ସହ ଭିତିରି ସଂପର୍କରେ ଥିଲ’ ବୋଲି ବିଦ୍ରୋହୀ ଶିବସେନା ଗୋଷ୍ଠୀ ଉଦେ୍ଦଶ୍ୟରେ ଠାକରେ କହିଥିଲେ । ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଟାର୍ଗେଟ୍ କରିଥିଲେ ମଧ୍ୟ ତାଙ୍କ ନାମ ଉଲ୍ଲେଖ କରି ନଥିଲେ । ସେ କହିଥିଲେ, ଆଜି ମଧ୍ୟ ତାଙ୍କ ସହ ୧୫-୧୬ ଜଣ ଦଳୀୟ ବିଧାୟକ ଥିବାରୁ ସେ ଗର୍ବିତ । କୌଣସି ପ୍ରକାର ଧମକକୁ ନ ଡରି ସେମାନେ ଅଛନ୍ତି । ଦେଶ ‘ସତ୍ୟମେବ ଜୟତେ’କୁ ନେଇ ତିଷ୍ଠି ରହିଛି, ‘ଅସତ୍ୟମେବ ଜୟତେ’କୁ ନେଇ ନୁହେଁ ବୋଲି ଠାକରେ କହିଛନ୍ତି । ଶିବସେନା ମୁଖ୍ୟ ଠାକରେ କହିଛନ୍ତି, ଆସନ୍ତା ସୋମବାର ଦିନ କେବଳ ଶିବସେନାର ଭବିଷ୍ୟତ ନୁହେଁ, ଦେଶରେ ଗଣତନ୍ତ୍ରର ଭବିଷ୍ୟତ ମଧ୍ୟ ସୁପ୍ରିମ କୋର୍ଟରେ ନିର୍ଣ୍ଣୟ ହେବ । ଉଲ୍ଲେଖନୀୟ ଯେ, ଶିବସେନାରେ ବିଦ୍ରୋହ ପାଇଁ ଦାୟୀ ୧୬ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପୂର୍ବରୁ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ପରେ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀ ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ନେତା ଏକନାଥ ସିନ୍ଧେଙ୍କୁ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା କଥାକୁ ମଧ୍ୟ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯାଇଛି । ୧୧ ତାରିଖ ଦିନ ସୁପ୍ରିମ କୋର୍ଟରେ ଏହି ଦୁଇଟି ପ୍ରସଙ୍ଗ ଉପରେ ଶୁଣାଣୀ ହେବାକୁ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS