ଉଦ୍ଧବ ‘ସେନା’ ଏନଡ଼ିଏ ମୁହାଁ !
ପ୍ରସାଦ ରାଓ
ଜୁଲାଇ ୧୨
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସାଂସଦମାନେ ଆସନ୍ତା ୧୮ ତାରିଖ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି ନିଷ୍ପତ୍ତିରେ ନେଇ ଥିବା ଆଜି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ଠାକରେ ଗୋଷ୍ଠୀ ବିରୋଧୀ ଦଳଙ୍କ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରତି ସମର୍ଥନ ଘୋଷଣା କରିଥିଲେ । ତେବେ, ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଉଦ୍ଧବ ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଗତକାଲି ଶିବସେନା ମୁଖ୍ୟ ଠାକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ସହ ଆଲୋଚନା କରିଥିଲେ । ଲୋକସଭା ଓ ରାଜ୍ୟସଭାରେ ଶିବସେନାର ୨୨ ଜଣ ସାଂସଦ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ଗତକାଲିର ବୈଠକରେ ଯୋଗ ଦେଇଥିଲେ । ଏନଡ଼ିଏ ପକ୍ଷରୁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଶିବସେନା ଏନଡ଼ିଏ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବା ଉଚିତ ହେବ ବୋଲି ଶିବସେନା ସାଂସଦମାନ ମତ ଦେଇଥିଲେ । ଦଳରେ ବିଭାଜନ ସତ୍ତ୍ୱେ ତାଙ୍କ ସହ ଥିବା ସାଂସଦମାନଙ୍କୁ ଗୁରୁତ୍ୱ ଦେଇ ଉଦ୍ଧବ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ସ୍ଥିର କରିଥିବା ଜଣାପଡିଛି । ତେବେ, ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବା ଅର୍ଥ ବିଜେପିକୁ ସମର୍ଥନ ଦେବା ନୁହେଁ ବୋଲି ଶିବସେନା ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ ଆଜି ସଫେଇ ଦେଇଛନ୍ତି ।
ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ଓ ଏନସିପି ସହ ସଂପର୍କ ଛିନ୍ନ କରି ‘ପ୍ରାକୃତିକ ସହଯୋଗୀ’ ବିଜେପି ସହ ପୁନଃ ମେଂଟ ପ୍ରତିଷ୍ଠା କରିବା ଦାବିରେ ଦଳରେ ଗଲା କିଛି ମାସ ହେଲା ଦାବି ହୋଇ ଆସୁଥିଲା । ତେବେ, ଶିବସେନା ମୁଖ୍ୟ ଠାକରେ ଏହାକୁ ଗୁରୁତ୍ୱ ନ ଦେଇ କଂଗ୍ରେସ, ଏନସିପି ସହ ରାଜନୈତିକ ମେଂଟ ଜାରି ରଖିବାରୁ ଦଳରେ ଗତ ଜୁନ ମାସରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଅନ୍ୟୁନ ୪୦ ଜଣ ବିଧାୟକ ଶିବସେନାରେ ବିଦ୍ରୋହର ସୂତ୍ରପାତ କରି ଉଦ୍ଧବ ଠାକରେ ସରକାରର (ମହାବିକାଶ ଅଘାଡି) ପତନ ଘଟାଇ ଥିଲେ । ଶିବସେନାରେ ବିଦ୍ରୋହ କାରଣରୁ ସରକାର ସଂଖ୍ୟାଲଘୁରେ ପରିଣତ ହେବାରୁ ଉଦ୍ଧବ ଠାକରେ ଜୁନ ୨୯ ତାରିଖ ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେଇଥିଲେ । ଜୁନ ୩୦ ତାରିଖ ଦିନ ବିଦ୍ରୋହୀ ଶିବସେନା ନେତା ସିନ୍ଧେ ବିଜେପି ସହଯୋଗରେ ରାଜ୍ୟରେ ନୂତନ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ଶିବସେନା ବିଧାୟକ ଦଳରେ ବିଭାଜନ ହୋଇ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସଂସଦୀୟ ଦଳରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି । ସିନ୍ଧେ ଗୋଷ୍ଠୀ ନିଜକୁ ବାସ୍ତବ ଶିବସେନା ବୋଲି ଦାବି କରୁଥିବା ବେଳେ ଉଦ୍ଧବ ଗୋଷ୍ଠୀ ଅସ୍ତିତ୍ୱ ବଜାୟ ରଖିବା ସଂଘର୍ଷରେ ବ୍ୟସ୍ତ । ଏବେ ଶିବସେନାର ଆଭ୍ୟନ୍ତରୀଣ ବିବାଦ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି ।
ଏଭଳି ସ୍ଥିତିରେ ଜୁଲାଇ ୧୮ ତାରିଖରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ବିଶେଷ ଗୁରୁତ୍ୱ ରଖୁଛି । ଉଦ୍ଧବ ଠାକରେ ଗତ ଅଢେଇ ବର୍ଷ ଧରି ଏନସିପି ଓ କଂଗ୍ରେସ ସହ ମେଂଟରେ ରାଜ୍ୟରେ ସରକାର ଚଳାଇ ଥିଲେ । ଉଦ୍ଧବଙ୍କ ବିଜେପି ବିରୋଧୀ ରାଜନୈତିକ ଆଭିମୁଖ୍ୟ ଯୋଗୁଁ ଗତ ଜୁନ ମାସ ଶେଷ ଭାଗରେ ତାଙ୍କ ସରକାରର ପତନ ଘଟିଛି ଏବଂ ଶିବସେନାରେ ଯେଉଁ ବିଦ୍ରୋହ ହେଲା ତାହା ବିଜେପି ପ୍ରୟୋଜିତ, ଏକଥା ଉଦ୍ଧବ ଭଲରେ ଜାଣନ୍ତି । ପୂର୍ବତନ ବିଜେପି ତଥା ବର୍ତ୍ତମାନର ତୃଣମୂଳ କଂଗ୍ରେସ ନେତା ଯଶସ୍ୱନ୍ତ ସିହ୍ନା ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବାରୁ ସ୍ୱାଭାବିକ ଭାବେ ଉଦ୍ଧବ ଗୋଷ୍ଠୀ ସିହ୍ନାଙ୍କ ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ଦେବା ନିଶ୍ଚିତ ଥିଲା । ରାଷ୍ଟ୍ରପତି ନିର୍ବାଚନରେ ଦୁଇ ଶିବସେନା ଗୋଷ୍ଠୀ ଶକ୍ତି ପରୀକ୍ଷାରେ ମାତି ପାରନ୍ତି ବୋଲି ମଧ୍ୟ କଳ୍ପନା ଜଳ୍ପନା ଚାଲି ଥିଲା । ତେବେ, ଶିବସେନା ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବାକୁ ସ୍ଥିର କରିଥିବା ଜଣାପଡିବା ପରେ ଉଦ୍ଧବ ମନ ବଦଳାଇଛନ୍ତି । ଏହା ଉଦ୍ଧବ ଗୋଷ୍ଠୀକୁ ପୁନର୍ବାର ତାହାର ପ୍ରକୃତିକ ସହଯୋଗୀ ବିଜେପି ସହ ସଂପର୍କ ସୁଧାରିବାରେ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS