ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି, ମାଳଦ୍ୱୀପ ପଳାଇଲେ ରାଷ୍ଟ୍ରପତି
ପ୍ରସାଦ ରାଓ
କଲମ୍ବୋ
ଜୁଲାଇ ୧୩
ଶ୍ରୀଲଙ୍କାର ସାଂପ୍ରତିକ ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଦାୟି କରି ଦେଶବାସୀ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବୁଧବାର ଦିନ ମାଳଦ୍ୱୀପ (ମାଲଭିଦେଶ) ପଳାଇଛନ୍ତି । ମାଳଦ୍ୱୀପ ଯିବା ପୂର୍ବରୁ ରାଷ୍ଟ୍ରପତି ରାଜପକ୍ଷେ ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଥିବା ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ଆପା ଆବେବର୍ଦ୍ଦନେ ଆଜି ସୂଚନା ଦେଇଛନ୍ତି । ଶ୍ରୀଲଙ୍କାରେ ଉପୁଜିଥିବା ଅର୍ଥନୈତିକ ସଂକଟ ପାଇଁ ଦେଶବାସୀ ରାଜପକ୍ଷେ ପରିବାରକୁ ଦାୟି କରିବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ମାସେରୁ ଅଧିକ ସମୟରେ ଜନ ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି, ଶ୍ରୀଲଙ୍କାବାସୀ ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ଦଖଲକୁ ନେଇ ସାରିଛନ୍ତି । ଜନଆକ୍ରୋଶର ତୀବ୍ରତାକୁ ଦେଖି ରାଷ୍ଟ୍ରପତି ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇ ଥିଲେ ଏବଂ ବୁଧବାର ଦିନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଦେଶରେ ନୂଆ ସରକାର ଗଠନ ନିମନ୍ତେ ରାସ୍ତା ସଫା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ, ଗୋଟାବାୟା ଆଜି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରିବର୍ତ୍ତେ ଦେଶ ଛାଡି ପଳାଇ ଥିବା ଏବଂ ପ୍ରଧାନମନ୍ତ୍ରୀ ରନିଲ ୱକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ଜଣାପଡିଛି । ଶ୍ରୀଲଙ୍କାରେ ଆଜି ଜରୁରୀ ପରିସ୍ଥିତି ଜାରି ହୋଇଛି । ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂଘେ ଅପରାହ୍ନରେ ଟେଲିଭିଜନ ମାଧ୍ୟମରେ ସାମରିକ ବାହିନୀ ଓ ପୁଲିସକୁ ଆଇନ ଶୃଙ୍ଖଳା ସୁଧାରିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ଆପା ଆବେବର୍ଦ୍ଦନେ କହିଛନ୍ତି, ମାଳଦ୍ୱୀପ ପଳାଇ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିଛନ୍ତି ଏବଂ ଆଜି ହିଁ ତାଙ୍କ ଇସ୍ତଫାପତ୍ର ସଂସଦରେ ପହଂଚି ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗୋଟାବାୟା ରାଷ୍ଟପତି ପଦରେ ଥିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର କ୍ଷମତାର ଅଧିକାରୀ ରହିବେ । ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ତେଣୁ, ଗିରଫ ହେବା ସମ୍ଭାବନାକୁ ଏଡାଇବା ପାଇଁ ସେ ରାଷ୍ଟ୍ରପତି ଥାଇ ଦେଶ ଛାଡି ପଳାଇବାକୁ ଚାହିଁଛନ୍ତି । ୭୩ ବର୍ଷ ବୟସ୍କ ରାଷ୍ଟ୍ରପତି ଗୋଟାବାୟା ଆଜି ପତ୍ନୀ ଓ ଦୁଇ ନିରାପତ୍ତା ଅଧିକାରୀଙ୍କ ସହ କଲମ୍ବୋର ମୁଖ୍ୟ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସାମରିକ ବିମାନ ଯୋଗେ ମାଳଦ୍ୱୀପ ପଳାଇ ଥିବା ସୂଚନା ମିଳିଛି । ତେବେ, ରାଜଧାନୀ ମାଲେରେ ରାଜପକ୍ଷେ ପହଂଚିବା ନେଇ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ କିଛି କହିବାକୁ ମନା କରିଛନ୍ତି । ଆଜି ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂଘେଙ୍କ କାର୍ଯ୍ୟାଳୟରେ ଓ ପାର୍ଲିଆମେଂଟରେ ଧସେଇ ପଶି ଥିବା ଜଣାପଡିଛି । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ନିରାପତ୍ତା ବାହିନୀ ଲୁହବୁହା ବାଷ୍ପର ପ୍ରୟୋଗ କରିଛନ୍ତି । ଦେଶର ପଶ୍ଚିମାଂଚଳ ସମେତ ରାଜଧାନୀ କଲମ୍ବୋରେ ଅନିର୍ଦ୍ଧିଷ୍ଟକାଳ ପାଇଁ କଫ୍ୟୁ ଜାରି କରାଯାଇଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମାଳଦ୍ୱୀପ ପଳାଇବାରେ ଭାରତ ସହାୟତା କରିଛି ବୋଲି ଅଭିଯୋଗ ହେଉଥିବା ବେଳେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷେ ଗତକାଲି ରାତିରେ ପ୍ରତିରକ୍ଷା ବାହିନୀକୁ ଏକ ସାମରିକ ବିମାନ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ସେ ଦେଶର ରାଷ୍ଟ୍ରପତି ଥିବାରୁ ଏବେ ମଧ୍ୟ ପ୍ରତିରକ୍ଷା ବାହିନୀର ସୁପ୍ରିମ କମାଣ୍ଡର ଅଛନ୍ତି । ତେଣୁ, ପ୍ରତିରକ୍ଷା ବିଭାଗ ତାଙ୍କୁ ଦେଶ ଛାଡିବା ପାଇଁ ଏକ ସାମରିକ ବିମାନ ଯୋଗାଇ ଦେବାକୁ ବାଧ୍ୟ ବୋଲି ରାଷ୍ଟ୍ରପତି କହିଥିଲେ ବୋଲି ଶ୍ରୀଲଙ୍କା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ମାଲେରେ ପହଂଚିବା ପରେ ରାଷ୍ଟ୍ରପତି ଗୋଟାବାୟା, ତାଙ୍କ ପତ୍ନୀ ଓ ଦୁଇ ଦେହରକ୍ଷୀଙ୍କୁ କଡା ପୁଲିସ ନିରାପତ୍ତା ମଧ୍ୟରେ ଅଜ୍ଞାତ ସ୍ଥାନକୁ ନିଆଯାଇଥିବା ମାଲଭିଦେଶ ବିମାନ ବନ୍ଦରରୁ ଖବର ମିଳିଛି । ଗୋଟାବାୟାଙ୍କ ସହ ତାଙ୍କ ସାନ ଭାଇ ତଥା ଶ୍ରୀଲଙ୍କା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ମଧ୍ୟ ମାଳଦ୍ୱୀପ ପଳାଇ ଥିବା କୁହାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS