ଓଡ଼ିଶା ବିଧାନସଭାରେ ଦ୍ରୌପଦୀ ଝଡ଼ !
ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୧୪
ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ବିବାଦୀୟ ଟିପ୍ପଣୀ ଆଜି ଓଡ଼ିଶା ବିଧାନସଭାରେ ମଧ୍ୟ ଝଡ଼ ସୃଷ୍ଟି କରିଛି । ସୁଶ୍ରୀ ମୁର୍ମୁ ଜଣେ ଭଲ ମଣିଷ, କିନ୍ତୁ ଦେଶରେ ଏକ ଭୁଲ ବିଚାରଧାରାର ପ୍ରତିନିଧିତ୍ୱ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ ବୋଲି କଂଗ୍ରେସ ନେତା ଅଜୟ କୁମାର ନିକଟରେ ଦେଇଥିବା ଟିପ୍ପଣୀ ବିଭିନ୍ନ ମହଲରେ ସମାଲୋଚିତ ହୋଇଛି । ବିଶେଷକରି, ବିଜେପି ଏହାର ଦୃଢ ସମାଲୋଚନା କରି ଅଜୟ କୁମାରଙ୍କ ଟିପ୍ପଣୀ ବ୍ୟକ୍ତିଗତ ନୁହେଁ, କଂଗ୍ରେସ ଓ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିଚାରଧାରାକୁ ପ୍ରତିଫଳିତ କରୁଛି ବୋଲି ଅଭିଯୋଗ କରିବା ସହ ଏଥିପାଇଁ କଂଗ୍ରେସ ନେତୃତ୍ୱ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି କରୁଛି । ଗତକାଲିଠାରୁ ଅଜୟ କୁମାରଙ୍କ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଥିବା ବେଳେ ଆଜି ଓଡ଼ିଶା ବିଧାନସଭାରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି । ରାଜ୍ୟ ବିଧାନସଭାରେ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ବିଧାୟକମାନେ ଅଜୟ କୁମାରଙ୍କ ଟିପ୍ପଣୀକୁ ବିରୋଧ କରି କଂଗ୍ରେସ ନେତୃତ୍ୱ ସେଥିପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ । ବିଜେପି ବିଧାୟକମାନେ ଗୃହରେ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେବା ସହ ଗୃହର ମଧ୍ୟଭାଗକୁ ଚାଲି ଆସି ପ୍ରବଳ ହଟ୍ଟଗୋଳ କରିବାରୁ କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ମାଡ଼ି ଯାଇ ତାହାର ବିରୋଧ କରିଥିଲେ । ଓଡ଼ିଶା ବିଧାନସଭା ସହ ସଂପର୍କ ନଥିବା ଏକ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ରାଜ୍ୟ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରୁଥିବା କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଥିବା ବେଳେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଜଣେ ଆଦିବାସୀ ନେତ୍ରୀ ଏବଂ ତାଙ୍କ ସଂପର୍କରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଟିପ୍ପଣୀ ‘ମାନହାନୀସୂଚକ’ ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଥିଲେ । କଂଗ୍ରେସ ନେତୃତ୍ୱ ଏଥିପାଇଁ କ୍ଷମା ମାଗିବାକୁ ଓ ଗୃହରେ ଏସଂପର୍କରେ ଏକ ‘ସେନସର୍ ମୋସନ୍’ ପାରିତ କରାଯିବାକୁ ସେମାନେ ଦାବି କରିଥିଲେ । ଅଜୟ କୁମାରଙ୍କ ଟିପ୍ପଣୀକୁ ନେଇ ବିଧାନସଭାରେ ବିଜେପି ଓ କଂଗ୍ରେସ ବିଧାୟକମାନେ ମୁହାଁମୁହିଁ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହି ଥିଲା । ବିଜେପି ବିଧାୟକମାନେ ଏହି ପ୍ରସଙ୍ଗକୁ ବିଧାନସଭା ଅଧିବେଶନର ଶୂନ୍ୟକାଳରେ ଉଠାଇ ପାରିବେ, ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିବାକୁ ଦିଅନ୍ତୁ ବୋଲି ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିବେଦନ କରିଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ତାହା ନ ଶୁଣି ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ପୂର୍ବାହ୍ନ ସାଢେ ୧୧ଟା ସମୟରେ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖି ଥିଲେ । ପରେ, ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ତେ ଏକାଠି ହୋଇଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ । କଂଗ୍ରେସ ନେତା ଅଜୟ କୁମାର ହେଉଛନ୍ତି ଝାଡ଼ଖଣ୍ଡର ଜଣେ ପୂର୍ବତନ ଲୋକସଭା ସାଂସଦ । ବୁଧବାର ଦିନ ସେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ସୁଶ୍ରୀ ମୁର୍ମୁଙ୍କୁ ନେଇ ଦେଇଥିବା ଟିପ୍ପଣୀ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ (ବିଜେପି) ମୋହନ ମାଝୀ ବିଧାନସଭାରେ ମନ୍ତବ୍ୟ ରଖିବା ସହ କଂଗ୍ରେସ ନେତୃତ୍ୱ ଏଥିପାଇଁ କ୍ଷମା ମାଗିବାକୁ ଏବଂ ରାଜ୍ୟ ବିଧାନସଭାରେ ଦଳ ବିରୋଧରେ ଏକ ‘ସେନସର୍ ମୋସନ୍’ ପାରିତ କରାଯିବାକୁ ଦାବି ଉପସ୍ଥାପନ କରିଥିଲେ । ଅପରପକ୍ଷରେ, ବିଜେପି ବିଧାୟକମାନେ ଶସ୍ତା ପ୍ରଚାର ପାଇଁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପାଲଟା ଅଭିଯୋଗ କରିଛନ୍ତି । ବାଚସ୍ପତି ଗୃହ ମୁଲତବୀ ରଖିବା ପରେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ କଂଗ୍ରେସ ବିରୋଧୀ ପ୍ଲାକାଡ଼ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ଦେଇଥିଲେ । ସେମାନେ ଏକ ରାଲିରେ କଂଗ୍ରେସକୁ ‘ମହିଳା ବିରୋଧୀ’, ‘ଆଦିବାସୀ ବିରୋଧୀ’ ଏବଂ ‘ଓଡ଼ିଆ ବିରୋଧୀ’ ବୋଲି ମଧ୍ୟ ଆକ୍ଷେପ କରିଛନ୍ତି । ଏଠାରେ ଉଲ୍ଳେଖନୀୟ ଯେ, ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡ଼ି) ପୂର୍ବରୁ ସମର୍ଥନ ଘୋଷଣା କରି ସାରିଛି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପରେ ସେ ହେବାକୁ ଯାଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS