ଯଶୱନ୍ତଙ୍କୁ ‘ଆପ୍’ର ସମର୍ଥନ, ତଥାପି ଦ୍ରୌପଦୀ ବହୁ ଆଗରେ…
ପ୍ରସାଦ ରାଓ
ଜୁଲାଇ ୧୬
ଜୁଲାଇ ୧୮ ତାରିଖ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ‘ଆମ୍ ଆଦମୀ ପାର୍ଟି’ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶାସକ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦଳର ସମସ୍ତ ସମ୍ମାନ ରହିଥିଲେ ମଧ୍ୟ ଦଳ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ସିହ୍ନାଙ୍କୁ ସମର୍ଥନ ଦେବାକୁ ନିର୍ଣ୍ଣୟ ନେଇଛି ବୋଲି ‘ଆପ୍’ ସାଂସଦ ସଂଜୟ ସିଂହ ଆଜି ଦିଲ୍ଲୀରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ କହିଛନ୍ତି । ୨୦୧୪ ପୂର୍ବରୁ ଯଶୱନ୍ତ ସିହ୍ନା ହେଉଛନ୍ତି ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ । ପୂର୍ବରୁ ସେ ବିଜେପିରେ ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରରେ ଅର୍ଥ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ।
୨୦୧୪ ମଧ୍ୟଭାଗରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ମତପାର୍ଥକ୍ୟ କାରଣରୁ ସିହ୍ନା ବିଜେପି ତ୍ୟାଗ କରି ନିଜର ଏକ ସାମାଜିକ ସଂଗଠନ ଗଠନ କରିଥିଲେ । ସିହ୍ନା ବର୍ଷେ ତଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗଦେଇ ବରିଷ୍ଠ ପରାମର୍ଶଦାତା ପଦବୀରେ ଥିଲେ । ତେବେ, ତାଙ୍କୁ ଜୁଲାଇ ୧୮ ତାରିଖ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯିବାରୁ ସିହ୍ନା ଟିଏମସିରୁ ଇସ୍ତଫା ଦେଇ ନିର୍ବାଚନ ମଇଦାନରେ ଅଛନ୍ତି । ବିଡ଼ମ୍ବନାର ବିଷୟ ହେଉଛି, ସିହ୍ନା ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନ ତାରିଖ ପାଖେଇ ଆସିବା ସଂଗେ ସଂଗେ ତାଙ୍କୁ ପ୍ରାର୍ଥୀ କରି ଥିବା ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରୁ ଜଣକ ପରେ ଜଣେ ବିଭିନ୍ନ କାରଣରୁ ମତ ପରିବର୍ତ୍ତନ କରି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ସୁଶ୍ରୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିବାରୁ ସିହ୍ନାଙ୍କ ସମର୍ଥନ ଭିତ୍ତି କମି କମି ଚାଲିଛି ।
ଅପରପକ୍ଷରେ, ବିଜେପି ବା ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁୁଙ୍କ ସମର୍ଥନ ଭିତ୍ତି ବଢି ତାଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଉଭୟ ସାଂସଦ ଓ ବିଭିନ୍ନ ରାଜ୍ୟର ବିଧାୟକମାନେ ଭୋଟ ଦେବେ । ସେମିତି ସଂସଦ ଓ ବିଭିନ୍ନ ରାଜ୍ୟ ବିଧାନସଭାରେ ବିଜେପିର ନିଜସ୍ୱ ସମର୍ଥନ ଭିତ୍ତି ରହିଛି । ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ସୁଶ୍ରୀ ମୁର୍ମୁ ଓଡ଼ିଶାର ଝିଅ ଏବଂ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡ଼ି) ବହୁ ଆଗରୁ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ଘୋଷଣା କରିସାରିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବାକୁ ବିରୋଧୀ କଂଗ୍ରେସ ଓ ସ୍ୱାଧୀନ ବିଧାୟକମାନଙ୍କୁ ପ୍ରବର୍ତ୍ତାଇବା ସୁଯୋଗକୁ ହାତଛଡା କରି ନାହାନ୍ତି । ରାଜ୍ୟର କଂଗ୍ରେସ ବିଧାୟକମାନେ ‘ମାଟି’ ଓ ‘ପାର୍ଟି’ ମଧ୍ୟରୁ ‘ପାର୍ଟି’କୁ ବାଛି ଥିବା କହିଥିବା ବେଳେ ସ୍ୱାଧୀନ ବିଧାୟକମାନେ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବା ସମ୍ଭାବନା ଅଧିକ ରହିଛି ।
କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ପ୍ରଦେଶର ଶାସକ ୱାଇଏସଆରସିପି ମଧ୍ୟ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କ ପ୍ରତି ଖୋଲାଖୋଲି ସମର୍ଥନ ଘୋଷଣା କରି ସାରିଛି । ଆଦିବାସୀ ନେତ୍ରୀ ତଥା ଆଦିବାସୀ ସଂପ୍ରଦାୟର ‘ଆଇକନ୍’ କୁହାଯାଉଥିବା ସୁଶ୍ରୀ ଦ୍ରୌପଦୀ ମୁର୍ମୁ ଦୀର୍ଘ ପାଂଚ ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ନିକଟରେ ସେ ରାଂଚି ଯାଇ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନ ଓ ତାଙ୍କ ମୁଖ୍ୟମନ୍ତ୍ରୀ ପୁତ୍ର ହେମନ୍ତ ସୋରେନଙ୍କୁ ଭୋଟି ଆଲୋଚନା କରିବା ସହ ସମର୍ଥନ ମାଗି ଥିଲେ । ଝାଡ଼ଖଣ୍ଡରେ ଜେଏମଏମ୍ କଂଗ୍ରେସ ସମର୍ଥନରେ ସରକାର ଚଳାଇ ଥିଲେ ମଧ୍ୟ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ସୁଶ୍ରୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିବା ପଛରେ ‘ଆଦିବାସୀ ଓ ମହିଳା କାର୍ଡ’ ରହିଛି ନା ‘ଇଡ଼ି କାର୍ଡ’ (?) – ତାହା ତର୍ଜମାର ବିଷୟ ହୋଇଛି ।
ଏକାଭଳି, ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା-ଏନସିପି ଓ କଂଗ୍ରେସର ମେଂଟ ସରକାର ରହି ଥିବା ବେଳେ ଶିବସେନା ମୁଖ୍ୟ ଠାକରେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ସିହ୍ନାଙ୍କ ପ୍ରତି ସମର୍ଥନ ଘୋଷଣା କରି ଥିଲେ । ଗତ ଜୁନ ମାସରେ ଶିବସେନାରେ ବିଦ୍ରୋହ ଘଟି ମାସ ଶେଷରେ ଅଢେଇ ବର୍ଷର ଉଦ୍ଧବ ସରକାରର ପତନ ଘଟିଲା ଏବଂ ବିଜେପି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ରାଜ୍ୟରେ ମିଳିତ ସରକାର ପ୍ରତିଷ୍ଠା କରିବା ପରେ ଜୁଲାଇ ମାସରେ ଶିବସେନା ତାହାର ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି । ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କ ସହ ରହି ଥିବା ବଳକା ଶିବସେନା ବିଧାୟକ ଓ ସାଂସଦମାନଙ୍କ ଚାପରେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ସୁଶ୍ରୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ‘ମୁର୍ମୁଙ୍କ ପ୍ରର୍ଥୀତ୍ୱ ପ୍ରତି ସମର୍ଥନର ଅର୍ଥ ବିଜେପି ପ୍ରତି ସମର୍ଥନ ନୁହେଁ’ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦୃଢୋକ୍ତି କେବଳ ଏକ ‘ଫମ୍ପା ଘୋଷଣା’ ବ୍ୟତୀତ ଆଉ କିଛି ନୁହେଁ, ତାହା ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଥିବା ରାଜନୈତିକ ବିଶ୍ଲେଷକମାନେ ଭଲରେ ଜାଣନ୍ତି ।
ଏହାଛଡା, ପଂଜାବର ଅକାଳୀ ଦଳ, ବିହାରର ଶାସକ ଜେଡ଼ିୟୁ, କର୍ଣ୍ଣାଟକର ଦେବେଗୌଡାଙ୍କ ଜନତା ଦଳ (ଧର୍ମନିରପେକ୍ଷ) ମଧ୍ୟ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିଛି । ଏସବୁ ଦେଖିଲେ, ଜୁଲାଇ ୧୮ରେ ହେଉଥିବା ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ସଂପୂର୍ଣ୍ଣ ଏକପାଖିଆ ହେବା ସୁନିଶ୍ଚିତ । ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ସିହ୍ନା ରାଜନୈତିକ ବାସ୍ତବତାକୁ ଭଲରେ ଜାଣନ୍ତି । ତେଣୁ, ବିରୋଧୀ ବିଧାୟକ ଓ ସାଂସଦମାନଙ୍କ ସମର୍ଥନ ଲୋଢିବା ସକାଶେ ସେ ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତସୂଚୀକୁ ବାତିଲ କରୁଥିବା ଦେଖିବାକୁ ମିଳୁଛି । ସିହ୍ନା ଆଜି ମହାରାଷ୍ଟ୍ର ଯାଇ ବିରୋଧୀ ଦଳ ସାଂସଦ, ବିଧାୟକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖି ଥିଲେ । ତେବେ, ତାହା ବାତିଲ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଦେଶର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ସରୁଥିବାରୁ ତାହା ପୂର୍ବରୁ ୧୮ ତାରିଖ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ହେଉଛି ।
ବିରୋଧୀ ଦଳମାନେ ଏନଡ଼ିଏ ତାହାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ସିହ୍ନାଙ୍କ ନାମ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ବିଜେପି ଏହାର ସୁଯୋଗ ନେଇ ସୁଶ୍ରୀ ମୁର୍ମୁୁଙ୍କ ଭଳି ଜଣେ ସରଳ ଆଦିବାସୀ ନେତ୍ରୀଙ୍କୁ ପ୍ରାର୍ଥୀ କରି ଦେଶବ୍ୟାପୀ ସମର୍ଥନ ହାସଲ କରିବା ସହ ବିରୋଧୀଙ୍କୁ ମାତ୍ ଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ବିରୋଧୀ ଏକତା ପାଇଁ ବଡ ଆହ୍ୱାନ ଥିଲା । ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳ ଏନଡ଼ିଏ ପ୍ରାର୍ଥୀଙ୍କ ନାମ ଘୋଷଣା ପୂର୍ବରୁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଯେଉଁ ଭୁଲ କରିଛନ୍ତି ତାହା ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଘୋଷଣାରେ କରିବେ ନାହିଁ । ଏନଡ଼ିଏ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ହିଁ ମିଳିତ ବିରୋଧୀ ଦଳ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ନିର୍ଣ୍ଣୟ ନେଇଥିବା ଜଣାପଡିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS