୨୦୦୨ ଦଙ୍ଗା ପଛରେ ଥିଲା କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଷଡଯନ୍ତ୍ର ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୬
୨୦୦୨ ଗୁଜରାଟ ଦଙ୍ଗା ପଛରେ ଥିଲା ଦିବଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଷଡଯନ୍ତ୍ର ! ଗୁଜରାଟ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜି ଏଭଳି ଏକ ଅଭିଯୋଗ ସ୍ଥାନୀୟ ଅଦାଲତରେ ଆଣି ସାମାଜିକ କର୍ମୀ ତିସ୍ତା ଶିତଲୱାଡେଙ୍କ ଜାମିନ ଆବେଦନକୁ ବିରୋଧ କରିବା ପରେ ରାଜନୀତି ସରଗରମ ହୋଇଛି । ଏସଆଇଟିର ଅଭିଯୋଗ ଅନୁଯାୟୀ, ୨୦୦୨ରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ଦଳ ମୁମ୍ବାଇର ସାମାଜିକ କର୍ମୀ ତିସ୍ତା ଶିତଲୱାଡେଙ୍କ ସହଯୋଗରେ ଏଭଳି ଏକ ଷଡଯନ୍ତ୍ର କରିଥିଲା, ଯାହାକି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ସଂଚାଳନ କରୁଥିଲେ । ଜଣେ ସାକ୍ଷୀଙ୍କ ବୟାନ ଭିତ୍ତିରେ ଏସଆଇଟି ଏହି ଅଭିଯୋଗ କରିଥିବା କୋର୍ଟରେ ଦର୍ଶାଇଛି । ଆସନ୍ତା ସୋମବାର ଦିନ ଅଦାଲତ ଏହା ଉପରେ ଶୁଣାଣୀ କରିବେ । ଗୁଜରାଟ ପୁଲିସର ଏସଆଇଟି ପକ୍ଷରୁ ହୋଇଥିବା ଏଭଳି ଏକ ଗୁରୁତର ଅଭିଯୋଗକୁ କଂଗ୍ରେସ ଦଳ ଓ ଦିଗଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରିବାର ଦୃଢ ଭାବେ ଖଣ୍ଡନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଘଟିଥିବା ଏହି ସାଂପ୍ରଦାୟିକ ଦଂଗାର ଦାୟିତ୍ୱ ମୁଣ୍ଡାଇବାକୁ ଚାହୁଁ ନଥିବାରୁ ଯୋଜନାବଦ୍ଧ ଭାବେ କଂଗ୍ରେସ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ୨୦୨୦ ପର୍ଯ୍ୟନ୍ତ କଂଗ୍ରେସ ନେତା ଅହମ୍ମଦ ପଟେଲ ଜୀବୀତ ଥିଲେ ଓ ରାଜ୍ୟସା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ଯଦି ଏତେ ବଡ ଷଡଯନ୍ତ୍ରରେ ସଂପୃକ୍ତ ଥିଲେ ୨୦୨୦ ପର୍ଯ୍ୟନ୍ତ ସରକାର ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ରହି ଥିଲେ କାହିଁକି (?) ବୋଲି ପଟେଲଙ୍କ କନ୍ୟା ମୁମତାଜ ପଟେଲ ପ୍ରଶ୍ନ କରିଛନ୍ତି । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ସୁପ୍ରିମ କୋର୍ଟ ନିକଟରେ ଏକ ମାମଲାକୁ ଖାରଜ କରିବା ସହ ମାମଲାକାରୀଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେବାରୁ ତାହାକୁ ଆଧାର କରି ପୁଲିସ ସାମାଜିକ କର୍ମୀ ତିସ୍ତା ଶିତଲୱାଡେ, ପୂର୍ବତନ ଆଇପିଏସ୍ ଅଧିକାରୀ ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍ ସଂଜୀବ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଗୁଜରାଟ ଦଂଗା ସହ କିଛି ବିଜେପି ନେତାଙ୍କୁ ଜଡିତ କରିବା ସକାଶେ ଜାଲ ପ୍ରମାଣ ଉପସ୍ଥାପନ କରି ସେମାନେ ଅଦାଲତରେ ମାମଲା କରୁଥିଲେ ବୋଲି ସେମାନଙ୍କ ବିରୋଧରେ ଏତଲା ହୋଇଛି । ଜେଲରେ ଥିବା ସାମାଜିକ କର୍ମୀ ଶିତଲୱାଡେ ଜାମିନ ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିବା ବେଳେ ତାହାର ଶୁଣାଣୀ ସମୟରେ ଗୁଜରାଟ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଅଦାଲତରେ ଏଭଳି ଏକ ଗୁରୁତର ଅଭିଯୋଗ ଉପସ୍ଥାପନ କରିଛି । ଦିବଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲ କଂଗ୍ରେସ ମୁଖ୍ୟ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଘନିଷ୍ଟ ସହଯୋଗୀ ଓ ରାଜନୈତିକ ପରାମର୍ଶଦାତା ଥିଲେ । ଗୁଜରାଟରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୦ରେ ରାଜ୍ୟସଭା ସାଂସଦ ଥାଇ ତାଙ୍କ ଦେହାନ୍ତ ଘଟିଛି । ଗୁଜରାଟ ପୁଲିସର ଏସଆଇଟି ପକ୍ଷରୁ ଅଦାଲତକୁ କୁହାଯାଇଛି, ବରିଷ୍ଠ କଂଗ୍ରେସ ନେତା ପଟେଲଙ୍କ ଇଂଗିତରେ ୨୦୦୨ରେ ଗୁଜରାଟ ଦଙ୍ଗା ଷଡଯନ୍ତ୍ର ହୋଇଥିଲା ଏବଂ ଦଂଗା ପରେ ସାମାଜିକ କର୍ମୀ ତିସ୍ତା ଶିତଲୱାଡେଙ୍କୁ ୩୦ ଲକ୍ଷ ଟଙ୍କା ମିଳିଛି । ଜଣେ ସାକ୍ଷୀଙ୍କ ବୟାନ ଭିତ୍ତିରେ ପୁଲିସ ଏହି ଅଭିଯୋଗ କରିଥିବା କୁହାଯାଇଛି । ସେହି ସମୟରେ କେନ୍ଦ୍ରରେ ୟୁପିଏ ସରକାର କ୍ଷମତାରେ ଥିଲେ । ତିସ୍ତା ରିତିମତ ଭାବେ ୟୁପିଏର ବରିଷ୍ଠ ନେତାଙ୍କୁ ଭୋଟି ଗୁଜରାଟରେ କ୍ଷମତାରେ ଥିବା ବିଜେପି ସରକାରର ବରିଷ୍ଠ ନେତାମାନଙ୍କ ନାମ ୨୦୦୨ ଦଙ୍ଗା ସହ ଯୋଡିବାକୁ ପ୍ରବର୍ତ୍ତାଇ ଥିଲେ । ସେ (ତିସ୍ତା) ରାଜସଭା ଯିବାକୁ ମଧ୍ୟ ଆଗ୍ରହୀ ଥିଲେ ବୋଲି ଗୁଜରାଟ ପୁଲିସ ଅଭିଯୋଗ କରିଥିବା ବେଳେ ଅହମ୍ମଦ ପଟେଲଙ୍କ ଝିଅ ମୁମତାଜ ଅଭିଯୋଗକୁ ଖଣ୍ଡନ କରି ଆଜି ମଧ୍ୟ ତାଙ୍କ ବାପା (ଅହମ୍ମଦ ପଟେଲ)ଙ୍କ ନାମର ଓଜନ ଥିବାରୁ ସରକାର ବିରୋଧୀଙ୍କୁ ଡରାଇବା ପାଇଁ ସେହି ନାମକୁ ବ୍ୟବହାର କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି । ଯଦି ତିସ୍ତା ରାଜ୍ୟସଭା ଟିକଟ ପାଇଁ ଆଗ୍ରହୀ ଥିଲେ ୟୁପିଏ ସରକାରରେ ତାଙ୍କୁ ସେହି ପୁରସ୍କାର ମିଳିନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କ ବାପା ଯଦି ଏତେ ବଡ ଷଡଯନ୍ତ୍ରରେ ସଂପୃକ୍ତ ଥିଲେ ସରକାର ୨୦୨୦ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କାହିଁକି (?) ବୋଲି ମୁମତାଜ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ, ଏହା କଂଗ୍ରେସ ଓ ତାହାର ନେତା ସୋନିଆ ଗାନ୍ଧୀଙ୍କ ଷଡଯନ୍ତ୍ର ଥିଲା, ଅହମ୍ମଦ ପଟେଲ କେବ ସାମ୍ନାରେ ଥିଲେ ବୋଲି ବିଜେପି ଜାତୀୟ ମୁଖପାତ୍ର ସଂବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିବା ସୂଚନା ମିଳିଛି । ନିକଟରେ ସୁପ୍ରିମ କୋର୍ଟ ୨୦୦୨ ଗୁଜରାଟ ଦଂଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରି ଶିତଲୱାଡେ ଓ ଅନ୍ୟ ମାମଲାକାରୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ପରେ ତାଙ୍କୁ (ତିସ୍ତା) ଗିରଫ କରାଯାଇଛି । ଜାତିସଂଘ ମାନବାଧୀକାର କମିସନ ସମେତ ବିଭିନ୍ନ ମହଲରେ ତିସ୍ତାଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଥିବା ବେଳେ ସରକାର ଏହାକୁ ଦେଶର ସ୍ୱାଧୀନ ବିଚାର ବ୍ୟବସ୍ଥାରେ ହସ୍ତକ୍ଷେପ କହି ତାହାକୁ ନିନ୍ଦା କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS