ସିଜେଆଇଙ୍କ ମନ୍ତବ୍ୟ ‘ବ୍ୟକ୍ତିଗତ’- କହିଲେ ଆଇନ ମନ୍ତ୍ରୀ ରିଜ୍ଜୁ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୪
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଶନିବାର ଦିନ ଝାଡ଼ଖଣ୍ଡର ରାଂଚିଠାରେ ଜଷ୍ଟିସ ସତ୍ୟବ୍ରତ ସିହ୍ନା ଲେକ୍ଚରରେ ଉଦ୍ଘାଟନୀ ଭାଷଣ ଦେଇ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମକୁ ଯେଉଁ ସମାଲୋଚନା କରିଛନ୍ତି ତାହା ତାଙ୍କର ‘ବ୍ୟକ୍ତିଗତ’ ମନ୍ତବ୍ୟ, ଏଥିରେ ସରକାରଙ୍କ କିଛି କହିବାର ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଗତକାଲି ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ବିଶ୍ୱର ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ନ୍ୟାୟିକ ବ୍ୟବସ୍ଥା ସର୍ବାଧିକ ସ୍ୱାଧୀନତା ଉପଭୋଗ କରୁଛି ଏବଂ ଦେଶରେ ବିଚାରପତି ଓ ବିଚାର ବ୍ୟବସ୍ଥା ସଂପୂର୍ଣ୍ଣ ସୁରକ୍ଷିତ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଦେଶରେ ବୈଦ୍ୟୁତିକ ଗଣମାଧ୍ୟମ ଟିଭି ବିତର୍କ ନାମରେ କଂଗାରୁ କୋର୍ଟ ଚଳାଇ ଥିବା ଏବଂ ସାମାଜିକ ଗଣମାଧ୍ୟମଗୁଡିକର ଉତ୍ତରଦାୟିତ୍ୱ ରହୁ ନଥିବା ନେଇ ରାଂଚିଠାରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ‘ବ୍ୟକ୍ତିଗତ’ ମନ୍ତବ୍ୟ । ଭାରତ ଓ ସମଗ୍ର ବିଶ୍ୱର ସାଂପ୍ରତିକ ପରିସ୍ଥିତିକୁ ଆଖିରେ ରଖି ବୈଦ୍ୟୁତକ ଓ ଛାପା ଗଣମାଧ୍ୟମକୁ ନେଇ ପ୍ରଧାନ ବିଚାରପତି ଯେଉଁ ବିଚାର ବ୍ୟକ୍ତ କରିଛନ୍ତି ତାହା ଉପରେ ସର୍ବସାଧାରଣରେ ଆଲୋଚନା ହେବା ଯଦି କେହି ଚାହୁଁଥାନ୍ତି ତେବେ ତାହା ଉପରେ ସେ ତୁରନ୍ତ କିଛି ପ୍ରତିକ୍ରିୟା ରଖିବାକୁ ଚାହୁଁ ନାହାନ୍ତି ବୋଲି ଆଇନ ମନ୍ତ୍ରୀ ରିଜ୍ଜୁ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଶନିବାର ଦିନ ରାଂଚିଠାରେ କହିଥିଲେ, ଦେଶରେ ଛାପା ଗଣମାଧ୍ୟମ କିଛିମାତ୍ରାରେ ଦାୟିତ୍ୱସଂପନ୍ନ ଭାବେ କାର୍ଯ୍ୟ କରୁଥିବା ବେଳେ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଗୁଡିକର ମୋଟେ ଉତ୍ତରଦାୟିତ୍ୱ ରହୁ ନାହିଁ । ଟିଭି ବିତର୍କ ନାମରେ ବୈଦ୍ୟୁତିକ ଗଣମାଧ୍ୟମରେ କଂଗାରୁ କୋର୍ଟ ଚାଲୁଛି ଏବଂ ସାମାଜିକ ଗଣମାଧ୍ୟମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ମଧ୍ୟ କଟୁ ସମାଲୋଚନା କରାଯାଉଛି । ବିଚାରପତିମାନେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ ନକରିବା ଅର୍ଥ ସେମାନଙ୍କୁ ଦୁର୍ବଳତା ବା ଅସହାୟତା ନୁହେଁ ବୋଲି ସେ କହିଥିଲେ । ବିଶେଷକରି, ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କୁ ନେଇ ଗତ ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ଚଳିତ ମାସ ପ୍ରାରମ୍ଭରେ ଯେଉଁ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ଦୁଇ ବିଚାରପତିଙ୍କୁ ସାମାଜିକ ଗଣମାଧ୍ୟମରେ କଟୁ ସମାଲୋଚନା କରାଯିବା ଘଟଣାରେ ପ୍ରଧାନ ବିଚାରପତି ଗତକାଲି ଏଭଳି ପ୍ରତିକ୍ରିୟା ରଖିଥିବା ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS