ତାଙ୍କ ପ୍ରକୃତି ନାମ ‘ଦ୍ରୌପଦୀ’ ନଥିଲା, ଥିଲା ‘ପୁଟି’- କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୫
ଆଜି ଦେଶର ପଂଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ତାଙ୍କ ପ୍ରକୃତ ନାମ ‘ଦ୍ରୌପଦୀ’ ନୁହେଁ, ସାନ୍ତାଳି ଭାଷାରେ ‘ପୁଟି’ ରଖା ଯାଇଥିଲା ବୋଲି କହିଛନ୍ତି । ନାମଟି ସେ ପଢୁ ଥବା ସ୍କୁଲର ଶିକ୍ଷକଙ୍କୁ ପସନ୍ଦ ଆସି ନଥିଲା । ତେଣୁ ଶିକ୍ଷକ ଜଣକ ତାଙ୍କ ନାମ ବଦଳାଇ ‘ଦ୍ରୌପଦୀ’ ରଖି ଥିଲେ । ଦ୍ରୌପଦୀ ହେଉଛନ୍ତି ‘ମହାଭାରତ’ର ଏକ ପ୍ରମୁଖ ଚରିତ୍ର । ସ୍କୁଲ ଶିକ୍ଷକ ତାଙ୍କ ଭଲ ପାଇଁ ଏହି ନାମ ପରିବର୍ତ୍ତନ କରିଥିଲେ ।
ଶିକ୍ଷକ ଜଣକ ତାଙ୍କ ମୟୁରଭଂଜ ଜିଲ୍ଲାର ନୁହନ୍ତି । ଷାଠିଏ ଦଶକରେ ବାଲେଶ୍ୱର କିମ୍ବା କଟକ ଜିଲ୍ଲାରୁ ଶିକ୍ଷକମାନେ ଯାଇ ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲାରେ ଶିକ୍ଷାଦାନ କରୁଥିଲେ । ସେହି ଶିକ୍ଷକଙ୍କ ମଧ୍ୟରୁ ଜଣେ ତାଙ୍କ ନାମ ‘ପୁଟି’ରୁ ‘ଦ୍ରୌପଦୀ’କୁ ବଦଳାଇ ଥିଲେ । ତାଙ୍କ ନାମ ବହୁବାର ବଦଳିଛି ଏବଂ ‘ଦ୍ରୌପଦୀ’, ‘ଦୋରପଦୀ’ ଭଳି ଅନେକ ବଦଳ ଦେଖିଛନ୍ତି ବୋଲି ରାଷ୍ଟ୍ରପତ ମୁର୍ମୁ କହିଛନ୍ତି । ସେ କହିଛନ୍ତି, ସାନ୍ତାଳି ସଂସ୍କୃତିରେ କାହାରି ନାମ କେବେ ମରେ ନାହିଁ । ଝିଅଟିଏ ଜନ୍ମ ନେଲେ ଜେଜେମାଆ ଓ ପୁଅ ଜନ୍ମ ହେଲେ ଜେଜେବୋପାଙ୍କ ନାମରେ ନାମକରଣ କରାଯିବା ପ୍ରଥା ଚଳି ଆସିଛି ବୋଲି ଏକ ଓଡ଼ିଆ ଭିଡ଼ିଓ ମାଗାଜିନକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ।
ସୁଶ୍ରୀ ମୁର୍ମୁ ପାର୍ଲାମେଂଟର ସେଂଟ୍ରାଲ ହଲରେ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ପୂର୍ବାହ୍ନରେ ତାଙ୍କୁ ଶପଥ ପାଠ କରାଇ ଥିଲେ । ଧଳା ଶାଢି ପିନ୍ଧି ଥିବା ରାଷ୍ଟ୍ରପତି ସୁଶ୍ରୀ ମୁର୍ମୁ ହିନ୍ଦି ଭାଷାରେ ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥା ସଂରକ୍ଷଣ, ପରିପାଳନ, ସୁରକ୍ଷିତ ରଖିବାର ଶପଥ ନେଇ ଥିଲେ । ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ନୂତନ ରାଷ୍ଟ୍ରପତି ସୁଶ୍ରୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ଆସି ପାର୍ଲାମେଂଟ ଭବନରେ ପହଂଚିବା ପରେ ଦୁହିଁଙ୍କୁ ଭବ୍ୟ ସଂବର୍ଦ୍ଧନା ଦିଆଯିବା ସହ ଏହି ଶପଥ ପାଠ ଉତ୍ସବ ହୋଇଥିଲା । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳମତ ନିର୍ବିଶେଷରେ ଦେଶର ବହୁ ପ୍ରମୁଖ ରାଜନେତା ଯୋଗ ଦେଇଥିଲେ । ନୂତନ ରାଷ୍ଟ୍ରପତିଙ୍କୁ ୨୧ଟି ତୋପ ସଲାମୀ ଦିଆଯାଇ ସ୍ୱାଗତ କରାଯାଇଥିଲା ।
ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ମୁର୍ମୁ ପାର୍ଲାମେଂଟରେ ଉଦ୍ବୋଧନ ଦେଇ କହିଛନ୍ତି, ଭାରତରେ ଗରୀବ ଲୋକମାନେ କେବଳ ସ୍ୱପ୍ନ ଦେଖନ୍ତି ନାହିଁ, ସେମାନଙ୍କ ଆଶା, ଆକାଂକ୍ଷା ମଧ୍ୟ ପୂରଣ ହୋଇଥାଏ । ଏହା ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କଥାରୁ ସ୍ପଷ୍ଟ ହେଉଛି । ବର୍ଷ ବର୍ଷ ଧରି ଦେଶରେ ଯେଉଁମାନେ ଅବହେଳାର ଶିକାର ହୋଇ ଆସିଛନ୍ତି ଏବଂ ବିକାଶଧାରାରୁ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଏହି ନିର୍ବାଚନ ସନ୍ତୋଷର କାରଣ ହୋଇଛି । ସେମାନେ ‘ମୋ’ ଭିତରେ ନିଜକୁ ଦେଖି ପାରୁଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି । ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଦେଶର ପ୍ରତ୍ୟେକ ଗରୀବ ଜନତାର ସଫଳତା । ଭାରତରେ ଗରୀବ ଲୋକମାନେ କେବଳ ସ୍ୱପ୍ନ ଦେଖନ୍ତି ନାହିଁ, ତାହାକୁ ବାସ୍ତବିକତାରେ ମଧ୍ୟ ପରିଣତ କରିପାରନ୍ତି – ତାହା ତାଙ୍କ ସଫଳତାରୁ ପ୍ରମାଣିତ ହେଉଛି । ଦେଶର ଏକ ଅଖ୍ୟାତ ଆଦିବାସୀ ପଲ୍ଲୀରେ ଜନ୍ମ ନେଇଥିବା ଗରୀବ ଆଦିବାସୀ ଝିଅଟିଏ ରାଷ୍ଟ୍ରପତି ପଦ ଭଳି ଏକ ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହେବା ହେଉଛି ଭାରତୀୟ ଗଣତନ୍ତ୍ରରେ ଯାଦୁ ବୋଲି ସେ କହିଛନ୍ତି ।
ସୁଶ୍ରୀ ମୁର୍ମୁ ରାଷ୍ଟ୍ରପତି ଭାବେ ଆଜି ତାଙ୍କ ପ୍ରଥମ ଟ୍ୱିଟ୍ ରେ ଦେଶବାସୀଙ୍କୁ ‘ଜୋହାର, ନମସ୍କାର’ ବୋଲି ଅଭିନନ୍ଦନ ଜଣାଇ ଥିଲେ ଏବଂ ଭାରତୀୟ ଜନତାର ଶୁଭେଚ୍ଛା ଓ ଅଭିନନ୍ଦନ ରାଷ୍ଟ୍ରପତି ତାଙ୍କୁ ଦେଶ ପ୍ରତି କର୍ତ୍ତବ୍ୟ ପାଳନରେ ଶକ୍ତି ଯୋଗାଇ ଦେବ ବୋଲି କହିଛନ୍ତି । ‘ଜୋହାର’ ହେଉଛି ଆଦିବାସୀ ସଂପ୍ରଦାୟରେ ପରସ୍ପରକୁ ଅଭିନନ୍ଦନ ଜଣାଇବାର ପରଂପରା । ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ଉପ ରାଷ୍ଟ୍ରପତି ଭେଂକାୟା ନାଇଡୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲୋକସଭା ବାଚସ୍ପତି ଓମ୍ ବିରଳା ଏବଂ ସବୁ ଦଳର ସାଂସଦମାନେ ଯୋଗ ଦେଇଥିଲେ । ସୁଶ୍ରୀ ମୁର୍ମୁ ସକାଳେ ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ହୋଇଥିଲେ । ୨୦୦୦ରୁ ୨୦୦୯ ଓଡ଼ିଶାରେ ବିଜେଡ଼ି-ବିଜେପି ମେଂଟ ସରକାର ଥିବା ବେଳେ ଦୁଇ ଥର ବିଦାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ଦ୍ରୌପଦୀଙ୍କ ଜନ୍ମ ମୟୁରଭଂଜ ଜିଲ୍ଲା ରାଇରଂଗପୁରରେ ଏକ ଅଖ୍ୟାତ ଆଦିବାସୀ ପଲ୍ଲୀରେ । କାଉନସିଲର ଭାବେ ସେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS