ସୋନିଆଙ୍କୁ ଦ୍ୱିତୀୟ ଦଫା ଜେରା, ରାଜପଥରେ ଧାରଣା ଦେଇ ରାହୁଲ ଗାନ୍ଧୀ ଅଟକ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୬
‘ନ୍ୟାସନାଲ ହେରାଲ୍ଡ’ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନର୍ଦେଶାଳୟ ପକ୍ଷରୁ ଦ୍ୱତୀୟ ଦଫା ଜେରା ଚାଲି ଥିବା ବେଳେ ଦରଦାମ ବୃଦ୍ଧି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ପର୍ଲାମେଂଟ ନିକଟ ରାଜପଥରେ ଧାରଣା ଦେଇଥିବା କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଥିବା ଜଣାପଡିଛି । ପାର୍ଲାମେଂଟ ନିକଟ ରାଜପଥ ହେଉଛି ହାଇ-ସିକ୍ୟୁରିଟି ଅଂଚଳ ଏବଂ ସଂପୃକ୍ତ ଅଂଚଳରେ ବିଭିନ୍ନ ସରକାରୀ ଦପ୍ତର ରହିଛି । ବ୍ୟାପକ ପୁଲିସ ବ୍ୟବସ୍ଥା ମଧ୍ୟରେ ରାହୁଲ ରାଜପଥରେ ଧାରଣାରେ ବସି ଥିଲେ । ଦରଦାମ ବୃଦ୍ଧି, ଜିଏସଟିରୁ ଆରମ୍ଭ କରି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଙ୍କୁ ବ୍ୟବହାର କରି ସରକାର ବିରୋଧୀ ଦଳ ନେତାମାନଙ୍କୁ ଟାର୍ଗେଟ କରୁଥିବା ପ୍ରତିବାଦରେ ରାହୁଲ ରାଜପଥରେ ଧାରଣା ଦେଇଥିଲେ । କଂଗ୍ରେସ ପକ୍ଷରୁ ଧାରଣାରେ ବସି ଥିବା ରାହୁଲ ଗାନ୍ଧୀଙ୍କ ଫଟୋ ସହ ସମାନ ଢଙ୍ଗରେ ଏକ ଧାରଣାରେ ବସି ଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ଏକ କଳା-ଧଳା ଫଟୋ ସେୟାର କରାଯାଇଛି ଏବଂ ସେଥିରେ ‘ଇତିହାସର ପୁନରୁବୃତ୍ତି ଘଟିଛି’ ବୋଲି ଟ୍ୱିଟ କରାଯାଇଛି । ରାହୁଲଙ୍କ ସହ ଧାରଣାରେ ବସି ଥିବା ଅନ୍ୟ କଂଗ୍ରେସ ନେତାଙ୍କୁ ପୁଲିସ ଉଠାଇ ନେଇଥିଲେ ମଧ୍ୟ ରାହୁଲ ଏକାକୀ ଧାରଣାରେ ବସି ଥିଲେ । ‘ମୁଁ ସ୍ୱଇଚ୍ଛାରେ ଗିରଫ ହେବାକୁ ଯାଉନି, ଦେଶରେ ଦରଦାମ ବୃଦ୍ଧି ଓ ବୋକରୀ ସମସ୍ୟା ଭଳି ସାଧାରଣ ଜନତା ସାମ୍ନା କରୁଥିବା ଗୁରୁତର ସମସ୍ୟାଗୁଡିକର ପ୍ରତିବାଦରେ ସ୍ୱର ଉତ୍ତୋଳନ କରୁଛି’ ରାହୁଲ ଏକ ଜାତୀୟ ଗଣମାଧ୍ୟମକୁ କହିବା ସହ ଏକୁଟିଆ ବସି ଥିବା ରାହୁଲ ପକେଟରୁ ମୋବାଇଲ ବାହାର କରି ସେଠାରେ ଉପସ୍ଥିତ ପୁଲିସ ପୁଲିସ କର୍ମଚାରୀଙ୍କ ଫଟୋ ଉଠାଉ ଥିବା ଦେଖିବାକୁ ମିଳି ଥିଲା । ପ୍ରାୟ ଘଂଟାଏ କାଳ ରାଜପଥରେ ଏଭଳି ପ୍ରତିବାଦ ଚାଲିବା ପରେ ପୁଲିସ ତାଙ୍କୁ ଉଠାଇ ନେଇ ଅଟକ ଥିବା ଅନ୍ୟ ସାଂସଦଙ୍କ ସହ ବସରେ ବସାଇ ଦେଇଥିଲେ । ରାହୁଲଙ୍କୁ ପୁଲିସ ଉଠାଇ ନେବା ବେଳେ ‘ଦେଶ ଏବେ ପୁଲିସ ରାଜ୍ୟରେ ପରିଣତ ହୋଇଛି ଏବଂ ମୋଦୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ହେଉଛନ୍ତି ଜଣେ ରାଜା’ ବୋଲି ସେ କହୁଥିବା ଶୁଣିବାକୁ ମିଳି ଥିଲା । ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ଇଡ଼ି କାର୍ଯ୍ୟାଳୟକୁ ଡକାଯାଇଛି । ସୋନିଆ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯିବା ପରେ ପ୍ରିୟଙ୍କା ମା’ଙ୍କ ସହ ରହି ଥିଲେ ଏବଂ ରାହୁଲ ପାର୍ଲାମେଂଟ ନିକଟରେ ଚାଲିଥିବା ପ୍ରତିବାଦ ସଭାକୁ ଆସି ଧାରଣାରେ ଭାଗ ବସି ଥିଲେ । ଗତକାଲି ସଂସଦରେ ହଟ୍ଟଗୋଳ କରି ୪ ଜଣ କଂଗ୍ରେସ ଚଳିତ ସାଂସଦ ମୌସୁମୀ ଅଧିବେଶନ ଶେଷ ହେବା ଯାଏଁ ନିଲମ୍ବିତ ହୋଇଛନ୍ତି । ସଂସଦରେ ବିରୋଧୀ କଂଗ୍ରେସ ସାଂସଦଙ୍କ ସ୍ୱରକୁ ନୀରବ କରି ଦେବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ତାହାର ପ୍ରତିବାଦରେ ଆଜି ପାର୍ଲାମେଂଟ ନିକଟ ରାଜପଥରେ ଧାରଣା ଦିଆଯାଇଥିଲା । ବାସ୍ତବରେ କଂଗ୍ରେସ ସାଂସଦମାନେ ରାଷ୍ଟ୍ରପତି ଭବନକୁ ଶୋଭାଯାତ୍ରରେ ଯିବାର ଯୋଜନା କରିଥିଲେ ମଧ୍ୟ ପୁଲିସ ବିଜୟ ଚୌକ କ୍ରସିଂରେ ସେମାନଙ୍କୁ ରୋକି ଦେଇଥିଲେ । ‘ଆମେ ପୁଲିସକୁ ଜଣାଇ ଶୋଭାଯାତ୍ରା କରୁଥିଲୁ । ତେବେ, ବିରୋଧୀଙ୍କୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ କରି ଦେବା ଏବଂ ସେମାନଙ୍କୁ ସ୍ୱରକୁ ଦବାଇ ଦେବା ପାଇଁ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ଷଡଯନ୍ତ୍ର । ତଥାପି, ଆମେ ଭୟଭିତ ନୋହୁଁ, ଆମ ସଂଗ୍ରାମ ଜାରି ରହିବ’ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS