୧୯ ରାଜ୍ୟସଭା ସାଂସଦ ନିଲମ୍ବିତ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୬
ସପ୍ତାହେ ହେଲା ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଚାଲିଛି । ଫଳରେ, ଅଚଳବାସ୍ଥା ସୃଷ୍ଟି ହୋଇଛି । ସୋମବାର ଦିନ ଲୋକସଭାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୪ ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ଓମ୍ ବିରଳା ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରିଥିବା ବେଳେ ଆଜି ରାଜ୍ୟସଭାରେ ଗୋଟିଏ ସପ୍ତାହ ପାଇଁ ୧୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଦେଶରେ ମୁଦ୍ରାସ୍ଫିତି ବୃଦ୍ଧି ପାଉଥିବା ନେଇ ଗୃହରେ (ରାଜ୍ୟସଭା) ହଟ୍ଟଗୋଳ କରି ସେମାନେ ନିଲମ୍ବିତ ହୋଇଛନ୍ତି । ରାଜ୍ୟସଭାରେ ଗୋଟିଏ ଦଫାରେ ଏତେ ସଂଖ୍ୟାରେ ସାଂସଦ ନିଲମ୍ବିତ ହେବା ପ୍ରଥମ ବୋଲି କୁହାଯାଉଛି । ମଂଗଳବାର ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି (ଏଆଇଟିଏମସି)ର ୭ ଜଣ ସାଂସଦ ଅଛନ୍ତି । ସେମାନେ ହେଉଛନ୍ତି, ସୁସ୍ମିତା ଦେଓ, ଡ.ଶାନ୍ତନୁ ସେନ, ନଦିମଲ ହକ୍, ଅଭି ରଂଜନ ବିଶ୍ୱାସ, ମୌସମ ନୁର୍, ଡୋଲା ସେନ ଓ ଶାନ୍ତା ଛେତ୍ରୀ । ଏହାଛଡା, ବାମପନ୍ଥୀ ଦଳର ସାଂସଦ ଏ.ଏ.ରହିମ (ସିପିଆଇ ଏମ) , ମହମ୍ମଦ ଅବଦୁଲ୍ଲା, ଡ଼ିଏମକେର କାନିମୋଝି, ଏମ.ମହମ୍ମଦ ଅବଦୁଲ୍ଲା, କଲ୍ୟାଣସୁନ୍ଦର, ଏନ.ଆର.ଏଲାଙ୍ଗୋ ଓ ଏମ.ସନ୍ମୁଘମ ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି । ୨୦୧୯ ପରେ ଏତେ ସଂଖ୍ୟକ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଏହା ପ୍ରଥମ । ସୁମିତ୍ରା ମହାଜନ ୨୦୧୯ ଜାନୁୟାରୀରେ ଲୋକସଭା ବାଚସ୍ପତି ଥିବା ସମୟରେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ଟିଡ଼ିପି ଓ ଏଆଇଏଡ଼ିଏମକେର ୪୫ ଜଣ ସାଂସଦଙ୍କୁ ଏକାଠି ନିଲମ୍ବିତ କରିଥିଲେ । ସଂସଦର ମୌସୁମୀ ଅଧିବେଶନ ସପ୍ତାହେ ହେଲା ଚାଲିଛି ଏବଂ ବିରୋଧୀ ସଂସଦ ଅଧିବେଶନ ଆରମ୍ଭ ଦିନରୁ ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତି ବଢୁଥିବା ଭଳି ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିବାରୁ ଅଚଳାବସ୍ଥା ଲାଗି ରହିଛି । ଏଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ସରକାରୀ ଦଳ ବହୁ ପୂର୍ବରୁ ଆଶଙ୍କା କରୁଥିଲେ ଏବଂ ସଂସଦ ଅଧିବଶେନ ଆରମ୍ଭ ହେବା ପୂର୍ବରୁ ଆଡଭାଇଜରୀ ଜାରି କରି ସଂସଦ ପରିସରରେ ସ୍ଲୋଗାନବାଜୀ, ବିକ୍ଷୋଭ ଓ ପ୍ଲାକାର୍ଡ ପ୍ରଦର୍ଶନ ଉପରେ ରୋକ୍ ଲଗାଇ ଥିଲେ । ଗତକାଲି ଲୋକସଭାରେ ହଟ୍ଟଗୋଳ କରୁଥିବା କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ବିରଳା ଚୂଡାନ୍ତ ଚେତାବନୀ ଦେବା ପରେ ୪ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ । ଦେଶର ନୂତନ ରାଷ୍ଟ୍ରପତି ଭାବେ ମହାମାନ୍ୟ ଦ୍ରୌପଦୀ ମୁର୍ମୁ ଗତକାଲି ଶପଥ ନେଇଛନ୍ତି । ୧୫ତମ ରାଷ୍ଟ୍ରପତି ନିର୍ବାଚନର ପ୍ରାୟ ଗୋଟିଏ ସପ୍ତାହ ପରେ ସଂସଦରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS