ଚେନ୍ନାଇରୁ ଫେରିଲେ ବାବୁସାନ୍: କାହା ସାଥ୍ ଦେବେ ? ପତ୍ନୀ ବା ବାନ୍ଧବୀ ??
ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୨୭
ଚେନ୍ନାଇରୁ ଆଜି ଭୁବନେଶ୍ୱର ଫେରିଛନ୍ତି ଓଲିଉଡ୍ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନ୍ । ବିମାନ ବନ୍ଦରରେ ଉପସ୍ଥିତ ଥିବା କିଛି ନିଜ ଲୋକ ତାଙ୍କୁ ଘରକୁ ପାଛୋଟି ଆଣି ଥିଲେ । ସେ ପରିବାର ସଦସ୍ୟଙ୍କୁ ଭେଟିବା ପରେ ଗଣମାଧ୍ୟମରେ ଯାହା କିଛି ମନ୍ତବ୍ୟ ରଖିବେ ବୋଲି ବାବୁସାନ୍ ଗଣମାଧ୍ୟମକୁ କହିଥିବା ଜଣାପଡିଛି । ଦୁଇ ଦିନ ହେଲା ସେ ଶେଇ ନାହାନ୍ତି । ତେଣୁ, ଘରେ ପହଂଚିବା ପରେ ବିଶ୍ରାମ ନେଇଛନ୍ତି ବୋଲି ତାଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂପର୍କିୟମାନେ କହିଛନ୍ତି । ଚେନ୍ନାଇରେ ଦୁଇ ଦିନ ହେଲା ଅଟକି ରହି ଥିବା ବାବୁସାନ୍ ଘରକୁ ଫେରି ଆସି ପୂର୍ବପରି ପରିବାର ସହ ଜୀବନ ବିତାଇବାକୁ ଏବଂ ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ଭଲ ଫିଲ୍ମ ଉପହାର ହେବାକୁ ତାଙ୍କ ମା’ ଅପରାଜିତା ମହାନ୍ତି ଭିଡ଼ିଓ ଓ ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ତାଙ୍କୁ ନିବେଦନ କରିଥିଲେ ।
ବାବୁସାନଙ୍କ ସହ ଚେନ୍ନାଇ ଯାଇଥିବା ତାଙ୍କ ଅଭିନେତ୍ରୀ ବାନ୍ଧବୀ ପ୍ରକୃତି ମିଶ୍ର ମଂଗଳବାର ଦିନ ନିଜ ବାପା ମନ୍ମଥ ମିଶ୍ର ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଘରକୁ ଫେରିଥିବା ବେଳେ ବାବୁସାନ୍ କେଉଁଠି ଅଛନ୍ତି ଓ କେବେ ଫେରିବେ, ତାଙ୍କ ସମର୍ଥକଙ୍କ ପାଇଁ ବଡ଼ ପ୍ରଶ୍ନ ଥିଲା । ‘ଯାହା ହୋଇଗଲା ହୋଇଗଲା, ତୁମେ ଫେରି ଆସ’ ବୋଲି ତନ୍ମୟଙ୍କ ଶୁଭେଚ୍ଛୁମାନେ ଦୁଇ ଦିନ ହେଲା ଗଣମାଧ୍ୟମରେ ଆବେଦନ କରୁଥିଲେ । ଆଜି ସେ ଭୁବନେଶ୍ୱର ଫେରି ଆସିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ତେବେ, ବାବୁସାନ୍ ପୁଲିସ ନିକଟରେ କି ବୟାନ ଦେବେ, ସେନେଇ ସବୁ ମହଲରେ ଉତ୍ସୁକତା ରହିଛି । ବାବୁସାନଙ୍କ ବିରୋଧରେ ତାଙ୍କ ପତ୍ନୀ ତୃପ୍ତି ମହାନ୍ତ ସ୍ଥାନୀୟ ଖାରବେଳ ନଗର ଥାନାରେ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିଥିବା ବେଳେ ମା’ ବରିଷ୍ଠ ଓଲିଉଡ଼ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ପୁଲିସ ଥାନାକୁ ଯାଇ ବୋହୂ ସପକ୍ଷରେ ବୟାନ ଦେଇଥିଲେ । ତେବେ, ବାବୁସାନ୍ ବହୁତ ଭଲ, ବର୍ଷେରୁ ଅଧିକ ସମୟ ହେଲା କୁସଂଗରେ ପଡି ପରିବାରକୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅପରାଜିତା ଗଣମାଧ୍ୟମରେ କହିଥିଲେ ।
ବାବୁସାନ୍, ପତ୍ନୀ ତୃପ୍ତି ଶତପଥୀ ଓ ନିଜକୁ ବାବୁସାନଙ୍କ ଭଲ ବନ୍ଧୁ ବୋଲି ଦାବି କରୁଥିବା ଅଭିନେତ୍ରୀ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ଝଡ ସୃଷ୍ଟି ହୋଇଛି ତାହା କିଛି ଦିନ ହେଲା ଓଡ଼ିଶାର ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମର ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ରହିଛି । ପ୍ରମୁଖ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମର ‘ପ୍ରାଇମ ଟାଇମ୍’ ଓ ବିତର୍କରେ ଅନ୍ୟାନ୍ୟ ପ୍ରସଙ୍ଗକୁ ଗୌଣ କରି ବାବୁସାନ୍ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । କୌଣସି ଫିଲ୍ମରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ନୁହେଁ, ନିଜ ବିବାହିତା ପତ୍ନୀଙ୍କୁ ହତାଦାର କରି ଅଭିନେତ୍ରୀ ବାନ୍ଧବୀଙ୍କ ଅଧିକ ସମୟ ବିତାଉ ଥିବା ଏବଂ ନିଜ ପରିବାରକୁ ସଂପୂର୍ଣ୍ଣ ଭାବେ ହତାହାର କରୁଥିବା କାରଣରୁ ବାବୁସାନ୍ ଚର୍ଚ୍ଚାରେ ଅଛନ୍ତି । ଏହି କାରଣରୁ ତାଙ୍କ ପତ୍ନୀ ତୃପ୍ତି ନିକଟରେ ତାଙ୍କୁ ‘ଦମନ’ କରିବାକୁ ଯାଇ ପୁଲିସ ଥାନା ଓ ମାମଲାର ସମ୍ମୁଖୀନ ହୋଇଛନ୍ତି । ଅଭିନେତାଙ୍କ ବାନ୍ଧବୀ ପ୍ରକୃତି ମିଶ୍ର ବାବୁସାନଙ୍କ ପତ୍ନୀ ଓ ପରିବାର ବିରୋଧରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ମାମଲା ଦେଇଥିବା ବେଳେ ପତ୍ନୀ ତୃପ୍ତି ମଧ୍ୟ ବାବୁସାନ ଓ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଦୁଇଟି ଯାକ ମାମଲାର ତଦନ୍ତ କରୁଛି ।
ରୋଚକ କଥା ହେଉଛି, ବାବୁସାନଙ୍କ ମା’ ଅପରାଜିତା, ପତ୍ନୀ ତୃପ୍ତି ଓ ଅଭିନେତାଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଓ ପ୍ରତ୍ୟାଭିଯୋଗ ସମ୍ବଳିତ ଭିଡ଼ିଓ ଗଣମାଧ୍ୟମରେ ଲଗାତର ପରିବେଷଣ ହେଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମର ଆଂକରମାନେ ‘ବାବୁସାନ୍ ତୁମେ କେଉଁଠି ଅଛ’ ବା ‘ତୁମେ କେବେ ଫେରିବ’ ବୋଲି ପ୍ରଶ୍ନ କରି ଟିଆରପି ବଢାଇବାକୁ ଉଦ୍ୟମ କରିବା । ‘ଟେଲି ପ୍ରମ୍ପଟର’ ପରଦାରେ ଥିବା ଏହି ଦୁଇ ବାକ୍ୟକୁ ଆଂକରମାନେ ଗୁରୁତ୍ୱ ଦେଇ ପଢିବା ବେଳେ ସେମାନଙ୍କ କୃତ୍ରିମ ବ୍ୟାକୁଳତା ସ୍ପଷ୍ଟ ହେଉଛି । ମା’ ଅପରାଜିତାଙ୍କ ଆକୁଳ ଆବେଦନକୁ ମଧ୍ୟ ସେମାନେ ପଛରେ ପକାଇ ଦେଇଥିଲେ ।
ବାବୁସାନଙ୍କ ହେଉଛନ୍ତି ଅଶି ଦଶକର ପ୍ରମୁଖ ଓଲିଉଡ଼ ଫିଲ୍ମ ନାୟକ ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁତ୍ର । ୨୦୧୪ରେ ସେ ତାଙ୍କ ସ୍କୁଲ ଦିନର ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ପ୍ରେମ ବିବାହ କରିଥିଲେ । ପୁଅକୁ ଖୁସି ରଖିବା ପାଇଁ ବାପା, ମା’ ତାଙ୍କର କୋର୍ଟ ବିବାହକୁ ଅନୁମୋଦନ ଦେଇଥିଲେ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ହେଉଛି, ୨୦୨୦ ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନ ବେଶ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା । ବାବୁସାନ ନିଜ ପରିବାରକୁ ଅତି ଭଲ ପାଉଥିଲେ । ତେବେ, ୨୦୨୧ରେ କୋଭିଡ଼ ପରିସ୍ଥିତି ସମୟରେ ବାବୁସାନ୍ ବାଟବଣା ହୋଇ ଅନୈତିକ ସଂପର୍କରେ ଫସି ଗଲେ ଏବଂ ତାହା ଦ୍ୱାରା ସେମାନଙ୍କ ପରିବାର ଉଜାଡି ଗଲା । କେବଳ ପତ୍ନୀ ତୃପ୍ତି ନୁହନ୍ତି, ବାବୁସାନଙ୍କ ମା’ ଅପରାଜିତା ମଧ୍ୟ ଏକାଭଳି ଅଭିଯୋଗ କରିଛନ୍ତି । ପରିବାର ଉଜୁଡିବା ପାଇଁ ସେ ବାବୁସାନଙ୍କ ଅଭିନେତ୍ରୀ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଦାୟି କରିଛନ୍ତି ।
ବାପା ଉତ୍ତମ ମହାନ୍ତି ଗଣମାଧ୍ୟମରେ ଅଧିକ କିଛି କହିନଥିଲେ ମଧ୍ୟ ‘ଆପଣା ସୁନା ତ ଭେଣ୍ଡି’ କହି ପୁଅର ଦୋଷକୁ ସ୍ୱାକାର କରିଛନ୍ତି । ତୃପ୍ତି ଓ ଅପରାଜିତାଙ୍କ ଅଭିଯୋଗ ହେଉଛି, ବାବୁସାନ୍ ୨୦୨୧ କୋଭିଡ଼ ସମୟରେ ଆକସ୍ମିକ ଭାବେ ବଦଳି ଯାଇଥିଲେ । ଏକାଧିକ ଦିନ ଧରି ଘରକୁ ଫେରୁ ନଥିଲେ । ବାହାରେ ସମୟ ବିତାଉ ଥିଲେ । ପରିବାର ଲୋକଙ୍କ ପ୍ରତି ତାଙ୍କର ପୂର୍ବ ଭଳି ଭଲ ପାଇବା ଦେଖିବାକୁ ମିଳୁ ନଥିଲା । ବାପା, ମା’, ଭଉଣୀ ଓ ପତ୍ନୀ ବାରମ୍ବାର ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ୍ ଅଧିକ ସମୟ ବିତାଇବା ସହ ବର୍ଷେରୁ ଅଧିକ ସମୟ ହେଲା ପତ୍ନୀ, ପୁତ୍ର ସନ୍ତାନ ଓ ତୃପ୍ତି ଓ ପିତା, ମାତାଙ୍କୁ ଉପେକ୍ଷା କରି ଆସୁଥିଲେ । ଏଭଳି ଏକ ପରିସ୍ଥିତିରେ ଚଳିତ ମାସରେ ଚେନ୍ନାଇରେ ଥିବା ଓଡ଼ିଆ ସଂଗଠନ ପକ୍ଷରୁ ବାବୁସାନଙ୍କୁ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଥିଲା । ଜୁଲାଇ ୨୩ ତାରିଖ ଦିନ ସେ ଚେନ୍ନାଇ ଯିବା ସକାଶେ ଭୁବନେଶ୍ୱର ବିମାନ ବନ୍ଦର ଯାଉଥିବା ବେଳେ ତାଙ୍କ ସହ ବାନ୍ଧବୀ ପ୍ରକୃତି ଥିବା ଜାଣି ପତ୍ନୀ ତୃପ୍ତି କ୍ଷୁବ୍ଧ ହେବା ସହ ବାଟରେ କାରକୁ ଅଟକାଇ ଟିଣାଓଟରା କରିଥିଲେ ।
ଟଣାଓଟରା ସମୟରେ ତୃପ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରକୃତି ଥାନାରେ ଅଭିଯୋଗ କରିଛନ୍ତି ।
ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏନେଇ ତୃପ୍ତି ଓ ତୃପ୍ତିଙ୍କ ପିତା ଲଳିତ ଶତପଥୀଙ୍କ ବିରୋଧରେ ଏତଲା କରିବା ସହ କିଛି ଗୁଣ୍ଡାଙ୍କୁ ଧରି ସେମାନେ ଏହି ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି । ତୃପ୍ତି ପ୍ରକୃତିଙ୍କ ଚୁଟି ଧରି ଟାଣୁ ଥିବା ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହୋଇଛି । ଅନ୍ୟପକ୍ଷରେ, ତୃପ୍ତି ଖାରବେଳ ନଗର ଥାନାରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ବର୍ଷେରୁ ଅଧିକ ସମୟ ହେଲା ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ଥାନାରେ ପହଂଚି ବୋହୂଙ୍କ ସମର୍ଥନରେ ବୟାନ ଦେବା ମଧ୍ୟ ଚର୍ଚ୍ଚାକୁ ଆସିଛି ।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ର ହେଉଛନ୍ତି ଜଣେ ସଂଗୀତ ନିର୍ଦେଶକ । ଓଲିଉଡ଼ ସହ ତାଙ୍କ ସଂପର୍କ ଘନିଷ୍ଟ । ତେଣୁ, ଦୁଇ କଳାକାର ପରିବାର ମଧ୍ୟରେ ଚାଲି ଥିବା ଏହି ଛକାପଂଝା ଓ ପରସ୍ପର ବିରୋଧୀ ବୟାନ ଗଣମାଧ୍ୟମ ପାଇଁ ରୋଚକ ଖବର ହୋଇଛି । ୨୩ତାରିଖ ଦିନ ତୃପ୍ତିଙ୍କ ଦୃଢ ପ୍ରତିବାଦ ସତ୍ତ୍ୱେ ବାବୁସାନ୍ ବାନ୍ଧବୀ ପ୍ରକୃତିଙ୍କୁ ସାଂଗରେ ନେଇ ଚେନ୍ନାଇ ପଳାଇବା ତାଙ୍କ ପ୍ରକୃତି-ପ୍ରେମକୁ ସ୍ପଷ୍ଟ କରୁଥିବା ବେଳେ ସେଦିନ ଘଟି ଥିବା ଟଣାଓଟରା ଘଟଣା ବାବୁସାନଙ୍କ ପାଇଁ ଅଡୁଆ ହୋଇଛି । ଚେନ୍ନାଇରେ ଉକ୍ରଳ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅନୁଷ୍ଠାନ ବାବୁସାନଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ମଧ୍ୟ ବାବୁସାନ୍ ଚେନ୍ନାଇରେ ପହଂଚି ମଧ୍ୟ ଉକ୍ତ କାର୍ଯ୍ୟକ୍ରମକୁ ଯାଇ ନଥିଲେ । ମାନସିକ ଚାପ ଯୋଗୁଁ ସେ ଉକ୍ରଳ ସମାଜ କାର୍ଯ୍ୟକ୍ରମକୁ ଏଡାଇ ଯାଇଥିବା କୁହାଯାଉଛି ।
ବାବୁସାନଙ୍କ ପାଇଁ ଏହା ଏକମାତ୍ର କାର୍ଯ୍ୟକ୍ରମ ନଥିଲା । ଆଗାମୀ ପାର୍ବଣ ଋତୁରେ ରିଲିଜ୍ ହେବାକୁ ଥିବା ତାଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଦମନ’ର ପ୍ରଚାର, ପ୍ରସାର ପାଇଁ ଫିଲ୍ମର ପଯୋଜକ ଓ ଅନ୍ୟ ସହ କଳାକାରଙ୍କ ସହ ଚେନ୍ନାଇ ଯାଇଥିଲେ । ତେବେ, ଚେନ୍ନାଇ ଯିବା ପୂର୍ବରୁ ଭୁବନେଶ୍ୱରରେ ଘଟି ଥିବା ଅପ୍ରିତିକର ଘଟଣା ପାଇଁ ‘ଦମନ’ ଟିମ୍ ତାଙ୍କୁ ପ୍ରମୋସନାଲ୍ କାର୍ଯ୍ୟକ୍ରମରୁ ଦୂରେଇ ଦେଇଥିଲେ । ଇତିମଧ୍ୟରେ, ଚେନ୍ନାଇର ସଂପୃକ୍ତ ଓଡ଼ିଆ ସଂଗଠନ ସ୍ପଷ୍ଟ କରିଛି, ସେମାନେ ଉକ୍ରଳ ଦିବସ କାର୍ଯ୍ୟକ୍ରମ ପାଇଁ ବାବୁସାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ସିନା ପ୍ରକୃତିଙ୍କୁ ନିମନ୍ତ୍ରଣ କରିନଥିଲେ ।
ରାଜଧାନୀର ଦୁଇ ଷ୍ଟାର ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଥିବା ଏହି ବିବାଦ ଜୁଲାଇ ୨୩ ତାରିଖରୁ ଦାଣ୍ଡରେ ପଡି ହାଟରେ ଗଡୁଛି । ଇତିମଧ୍ୟରେ, ଅଭିନେତ୍ରୀ ପ୍ରକୃତି ମିଶ୍ର ପିତା, ମାତା ଓ ଭାଇ ଚେନ୍ନାଇ ଯାଇ ତାଙ୍କୁ ଭୁବନେଶ୍ୱର ଫେରାଇ ଆଣିଛନ୍ତି । ତେବେ, ବାବୁସାନ୍ ଫେରି ନଥିଲେ ବା କେଉଁଠି ଅଛନ୍ତି ଖବର ଦେଇ ନଥିଲେ । ଫଳରେ, ବାବୁସାନଙ୍କ ପରିବାର ଚିନ୍ତାରେ ଥିଲେ । ବାବୁସାନ୍ ଘରକୁ ଫେରି ପୂର୍ବ ଭଳି ପରିବାର ସହ ଦିନ କଟାଇବାକୁ ମା’ ଅପରାଜିତା ଭିଡ଼ିଓ କ୍ଲିପ ମାଧ୍ୟରେ ଆକୁଳ ନିବେଦନ କରୁଥିଲେ । ଯାହାକି ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଥିଲା । ତାଙ୍କ ଶୁଭେଚ୍ଛୁମାନେ ମଧ୍ୟ ‘ବାବୁସାନ୍ ଫେରି ଆସ’ ବୋଲି ପ୍ଲାକାର୍ଡ ଧରି ନିବେଦନ କରୁଥିବାର ଫୁଟେଜ୍ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।
ଭୁବନେଶ୍ୱର ଖରବେଳ ନଗର ଥାନା ପୁଲିସ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ତାଙ୍କ ମା’ କୃଷ୍ଣପ୍ରିୟା ମିଶ୍ରଙ୍କ ଏତଲାକୁ ଭିତ୍ତି କରି ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଆଇପିସିର ୩୪୧, ୨୯୪, ୩୨୩, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିଥିବା ବେଳେ ତୃପ୍ତିଙ୍କ ଏତଲା ଭିତ୍ତିରେ ବାବୁସାନଙ୍କ ବିରୋଧରେ ୪୯୮ (ଏ) ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ପ୍ରକୃତି ମଂଗଳବାର ଦିନ ଭୁବନେଶ୍ୱର ଫେରି ଥିଲେ ମଧ୍ୟ ପୁଲିସ ଦେଇଥିବା ନୋଟିସ ପ୍ରକାରେ ଥାନାରେ ହାଜର ନ ହେବାରୁ ଖାରବେଳ ନଗର ଥାନା ପୁଲିସ ତାଙ୍କ ପିତାଙ୍କ ବାସଭବନକୁ ଯାଇ ଜେରା କରିଛନ୍ତି । ବାବୁସାନଙ୍କୁ ମଧ୍ୟ ଥାନାରେ ହାଜର ହେବାକୁ ନୋଟିସ ହୋଇଛି । ଆଜି ସେ ଭୁବନେଶ୍ୱର ଫେରି ଥିବାରୁ ପତ୍ନୀ ଓ ପରିବାରର ପକ୍ଷ ନେବେ କି ବାନ୍ଧବୀଙ୍କ ପକ୍ଷରେ ରହିବେ – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଓଲିଉଡ଼ରେ ଏହା ପ୍ରଥମ ଘଟଣା ନୁହେଁ । ବରିଷ୍ଠ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାଂପତ୍ୟ କଳହକୁ ନେଇ ଗଊା କିଛି ମାସ ହେଲା ଗଣମାଧ୍ୟମରେ ରୋଚକ ଖବରମାନ ପ୍ରକଶ ପାଉଛି । ଅନୁଭବ ଓ ବର୍ଷା ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପରସ୍ପର ପ୍ରତି କାଦୁଅ ଫିଙ୍ଗି ଚର୍ଚ୍ଚାରେ ରହୁଛନ୍ତି । ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି । ଏବେ ଫ୍ୟାମିଲି କୋର୍ଟରେ ସମାଧାନ ଉଦ୍ୟମ ଚାଲିଛି । ଅନୁଭବଙ୍କ ଅଭିଯୋଗ ହେଉଛି, ବିବାହର ବହୁ ବର୍ଷ ବିତି ଯିବା ସତ୍ତ୍ୱେ ବର୍ଷାଙ୍କ ସହ ତାଙ୍କ ପତି-ପତ୍ନୀର ସଂପର୍କ (ଦ୍ୱିପାକ୍ଷୀକ ଶାରୀରିକ ସଂପର୍କ) ହୋଇ ନାହିଁ । ପତ୍ନୀ ବର୍ଷା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାଛଡା ଅନ୍ୟ ବହୁ ଅଭିଯୋଗ ଅନୁଭବ ବର୍ଷାଙ୍କ ବିରୋଧରେ ଆଣିଛନ୍ତି, ଯାହାକୁ କି ବର୍ଷା ଅସ୍ୱୀକାର କରିଛନ୍ତି । ଅନୁଭବଙ୍କ ଆଡୁ ହୋଇଥିବା ଛାଡପତ୍ର ଆବେଦନ ଅଦାଲତରେ ବିଚାରାଧୀନ ରହିଛି । ଦିଲ୍ଲୀର ଜଣେ ପ୍ରତିଷ୍ଠିତ ସାମ୍ବାଦିକାଙ୍କ ସହ ଅନୁଭବଙ୍କ ଅନ୍ତରଂଗ ମିଳାମିଶାର ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନୁଭବ-ବର୍ଷା ବିବାଦ ଗଲା କିଛି ମାସ ଧରି ଓଡ଼ିଆ ଗଣମାଧ୍ୟମରେ ପ୍ରମୁଖ୍ୟ ପ୍ରସଙ୍ଗ ଥିଲା । ତାହା ଟିକିଏ ନରମା ପଡି ଥିବା ବେଳେ ତୃପ୍ତି-ବାବୁସାନ୍-ପ୍ରକୃତିଙ୍କୁ ନେଇ ବିବାଦ ତାହାର ସ୍ଥାନ ନେଇଛି ।
ବାବୁସାନ୍ ଓ ପ୍ରକୃତି ମିଶ୍ର ସ୍ୱୀକାର କରୁଛନ୍ତି ସେମାନଙ୍କ ମଧ୍ୟରେ ଘନିଷ୍ଟତା ରହିଛି । ତେବେ, ସେମାନେ ଭଲ ବନ୍ଧୁ, ଅନ୍ୟ କିଛି ସଂପର୍କ ନାହିଁ । ଅନ୍ୟପକ୍ଷରେ, ବାବୁସାନଙ୍କ ମା’ ଅପରାଜିତା ଓ ପତ୍ନୀ ତୃପ୍ତି ଏହି ସଂପର୍କକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ବାବୁସାନ ନଜ ପରିବାରକୁ ବର୍ଷାଧିକ ସମୟ ହେଲା ଉପେକ୍ଷା କରିବା ପଛରେ ପ୍ରକୃତି ଥିବା ଓ ସେ ବାବୁସାନଙ୍କୁ ବ୍ଲାକମେଲ୍ କରୁଥିବା ତୃପ୍ତି ଓ ଅପରାଜିତା ଅଭିଯୋଗ କରିଥିବା ବେଳେ ‘ବ୍ଲାକମେଲ୍’ ଅଭିଯୋଗକୁ ବାବୁସାନ୍ ଏକ ଭିଡ଼ିଓ କ୍ଲିପ୍ ମାଧ୍ୟମରେ ଅଗ୍ରାହ୍ୟ କରିଛନ୍ତି । ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ କୋଭିଡ଼ ସମୟରେ ଗଢି ଉଠି ଥିବା ସଂପର୍କ ସେମାନଙ୍କ (ଅପରାଜିତା, ତୃପ୍ତିଙ୍କ) ସୁନାର ପରିବାରକୁ ଛାରଖାର କରି ଦେଇଛି ବୋଲି ପତ୍ନୀ ତୃପ୍ତି ଓ ମା’ ଅପରାଜିତା ଅଭିଯୋଗ କରୁଥିବା ବେଳେ ବାବୁସାନ ‘ବ୍ଲାକମେଲ୍’ ଅଭିଯୋଗକୁ ଅଗ୍ରାହ୍ୟ କରିବା ନିଜ ପରିବାରକୁ ମିଥ୍ୟାବାଦୀ ପ୍ରମାଣ କଲା ଭଳି ହୋଇଛି ।
ବାବୁସାନଙ୍କ ବାନ୍ଧବୀ ପ୍ରକୃତିଙ୍କ କହିବା କଥା ହେଉଛି, ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ କୌଣସି ସଂପର୍କ ନଥିବାରୁ ଇଣ୍ଡଷ୍ଟ୍ରୀରେ କଣ ଚାଲିଛି ସେ ଜାଣନ୍ତି ନାହିଁ । ତେଣୁ, ସେମାନଙ୍କ ଘନିଷ୍ଟତାକୁ ସେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ତୃପ୍ତି ସ୍ୱାମୀଙ୍କୁ ଯଦି କାମକୁ ନ ପଠାଇ ଘରେ ବାନ୍ଧି ରଖିବାକୁ ଚାହୁଛନ୍ତି ତେବେ ସ୍ୱାମୀଙ୍କ ବେକରେ ଗୋଟିଏ ଶିକୁଳି ପକାଇ ଘରେ ବାନ୍ଧି ରଖନ୍ତୁ ବୋଲି ପ୍ରକୃତି ଦେଇଥିବା ବୟାନ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ମନୋଭାବର ପରିଚୟ ଦେଉଛି । ପୂର୍ବରୁ ହଲିଉଡ଼ ଓ ବଲିଉଡ଼ରେ ଏଭଳି ସ୍ଖଳନ ଦେଖିବାକୁ ମିଳୁ ଥିଲା । ଏବେ, ଓଲିଉଡ଼ରେ ତାହା ଦେଖିବାକୁ ମିଳିଲାଣି । ସାଧାରଣତଃ ଯୁବ ସମାଜ ଫିଲ୍ମ ଅଭିନେତା, ଅଭିନେତ୍ରୀଙ୍କୁ (ସେ ଯେକୌଣସି ଭାଷାଭାଷି ଫ୍ଲିଲ୍ମ ଇଣ୍ଡଷ୍ଟ୍ରୀ ହୋଇଥାଉ ନା କାହିଁକି) ନିଜର ଆଦର୍ଶ ଭାବେ ଗ୍ରହଣ କରିଥା’ନ୍ତି ଓ ସେମାନଙ୍କୁ ଅନୁକରଣ କରିଥା’ନ୍ତି । ଆଜିର ଦିନରେ ଯେଭଳି ବିଲକ୍ଷଣମାନ ଦେଖା ଦେଲାଣି ଏହି ‘ଆଦର୍ଶମାନେ’ କେତେଦିନ ଆଉ ‘ଆଦର୍ଶ’ ହୋଇ ରହିବେ, ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS