ନିଜ ଗୋଡରେ କୁରାଢୀ ମାରୁଛି କଂଗ୍ରେସ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୩୦
ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କଂଗ୍ରେସ ଦଳର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ନିଜେ ଅଡୁଆରେ ପଡିବା ସହ ଦଳକୁ ଅଡୁଆରେ ପକାଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦେଶରେ ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଅଧୀରଙ୍କ ଦାୟିତ୍ୱହୀନତା ଯୋଗୁଁ ପୁନର୍ବାର କିଛି ପାଦ ପଛକୁ ଟାଣି ହୋଇଯାଇଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ କରି ଲୋକସଭାରେ ହଲ୍ଲାପଟାର ସାମ୍ନା କରିଛନ୍ତି । ଶାସକ ଦଳର ମନ୍ତ୍ରୀ ଓ ସାଂସଦମାନେ ଗଲା ଗୁରୁବାର ଦିନ ସୋନିଆଙ୍କୁ ଯେଭଳି ଭାବେ ଘେରିଲେ ଏବଂ ଆଂଗୁଠି ଦେଖାଇ ସ୍ଲୋଗାନବାଜୀ କରିବା ସହ ରାଷ୍ଟ୍ରପତିଙ୍କ ପ୍ରତି ଅଧୀରଙ୍କ ଅସୌଜନ୍ୟ ମନ୍ତବ୍ୟ ପାଇଁ ତାଙ୍କୁ କ୍ଷମା ମାଗିବାକୁ ବାଧ୍ୟ କଲେ ତାହା କଂଗ୍ରେସ ନେତୃତ୍ୱର ଗାରିମାକୁ କ୍ଷୁର୍ଣ୍ଣ କରିଥିବା ବେଳେ ଶୁକ୍ରବାର ଅଧୀର ରଂଜନ ନିଜେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆ ଦର ବୃଦ୍ଧି, ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା, ମୁଦ୍ରସ୍ଫୀତି, କର୍ମ ନିଯୁକ୍ତି ସୃଷ୍ଟି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିଫଳତା ପ୍ରଭୃତି ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରି ବିରୋଧୀ ଦଳମାନେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ଦୁଇ ସପ୍ତାହ ହେଲା ଅଚଳ ରଖି ଥିବା ବେଳେ ସଂସଦ ବାହାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ରାଷ୍ଟ୍ରପତିଙ୍କୁ ନେଇ ଏକ ହାଲୁକା ଟିପ୍ପଣୀ ବିରୋଧୀଙ୍କ ଦୁଇ ସପ୍ତାହର ଲଢେଇକୁ ପାଣିଚିଆ କରି ଦେଇଛି । ଚୌଧୁରୀ ନିଜେ କ୍ଷମା ମାଗିବା ସହ ଲୋକସଭାରେ ଦଳର ମୁଖ୍ୟଙ୍କୁ ହଲ୍ଲାପଟା କରାଯିବା ମଧ୍ୟ ଦଳର ଗାରିମା ନଷ୍ଟ କରିଛି । ଯେହେତୁ ରାଷ୍ଟ୍ରପତି ମୁର୍ମୁୁଙ୍କୁ କଟାକ୍ଷ କରି ଅଧୀର ରଂଜନ ଦାୟିତ୍ୱହୀନ ଟିପ୍ପଣୀ ଦେଇଥିଲେ ବିଜେପି ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରୁ ନାହାନ୍ତି । ଏହି ଜାତୀୟ ରାଜନୈତିକ ଦଳ ବିଜେପି ସାମ୍ନାରେ ନଇଁ ଯିବା ସେମାନେ ଚାହୁଁ ନଥିଲେ ସୁଦ୍ଧା ଜଣେ ଆଦିବାସୀ ଓ ମହିଳା ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଂଜନଙ୍କ ଟିପ୍ପଣୀକୁ ସମର୍ଥନ କରି ସେମାନେ ନିଜକୁ ଆଦିବାସୀ ଓ ମହିଳା ବିରୋଧୀ ଭାବେ ପରିଚିତ କରାଇବା ସପକ୍ଷରେ ନାହାନ୍ତି ।
ଅଧୀର ରଂଜନ ଚୌଧୁରୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଛନ୍ତି । ବିଭିନ୍ନ ସମୟରେ ଅନାବଶ୍ୟକ ମନ୍ତବ୍ୟ ରଖି ସେ ବିବାଦୀୟ ହୋଇଥା’ନ୍ତି । ଯେହେତୁ ସେ ପଶ୍ଚିମ ବଂଗରୁ ଆସିଛନ୍ତି ଏବଂ ବଂଗଳା ଭାଷୀ ହିନ୍ଦି ଭାଷା ଠିକ୍ କରି ଉଚ୍ଚାରଣ କରିପାରୁନଥିବା ଦର୍ଶାଇ ଭୁଲ ମାଗିଥା’ନ୍ତି ଏବଂ ସେତିକିରେ ନିଜକୁ ଦାୟିତ୍ୱମୁକ୍ତ କରି ନିଅନ୍ତି । କିନ୍ତୁ, ଏଥର ତାହା ସମ୍ଭବ ହୋଇ ନାହିଁ । ଜୁଲାଇ ୨୭ ତାରିଖ ଦିନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ଡ଼ାକି ଥିବା ବେଳେ ତାହାକୁ ବିରୋଧ କରୁଥିବା କଂଗ୍ରେସ ଦଳର ବରିଷ୍ଠ ନେତା ଓ ସାଂସଦମାନେ ରାଷ୍ଟ୍ରପତିଙ୍କ ନିକଟରେ ଇଡ଼ି ବିରୋଧରେ ଫେରାଦ ହେବା ପାଇଁ ସଂସଦ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ଥିଲେ । କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱର ଦବାଇବା ପାଇଁ ଇଡ଼ି ଭଳି କେନ୍ଦ୍ରୀୟ ତଦନ୍ତକରୀ ସଂସ୍ଥାଙ୍କ ଅପବ୍ୟବହାର ଏବଂ ଗଣତନ୍ତ୍ରର କଂଠରୋଧ କରୁଥିବା ସେମାନଙ୍କ ଅଭିଯୋଗ ଥିଲା ।
ତେବେ, ଶୋଭାଯାତ୍ରାକାରୀ କଂଗ୍ରେସ ନେତା ଓ ସାଂସଦଙ୍କୁ ଦିଲ୍ଲୀ ପୁଲିସ ରାଷ୍ଟ୍ରପତି ଭବନ ଯିବା ସୁଯୋଗ ନଦେଇ ବିଜୟ ଚୌକଠାରେ ରୋକି ଦେଇଥିଲେ ଏବଂ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ ଏକ ଆଂଚଳିକ ଭାଷାର ଚ୍ୟାନେଲକୁ ବାଇଟ୍ ଦେଇ ସେମାନେ ‘ରାଷ୍ଟ୍ରପତ୍ନୀ’ଙ୍କ ବାସଭବନ ଅଭିମୁଖେ ଯାଉଥିବା କହିଥିଲେ । ସଂପୃକ୍ତ ଚ୍ୟାନେଲର ସମ୍ବାଦଦାତା ଅଧୀରଙ୍କୁ ‘ରାଷ୍ଟ୍ରପତି’ ବଦଳରେ ‘ରାଷ୍ଟ୍ରପତ୍ନୀ’ ବୋଲି ସେ ଅପଶବ୍ଦ ପ୍ରୟୋଗ କରିଥିବା ନେଇ ଚେତାଇ ଦେବାରୁ ଅଧୀର ରଂଜନ ସେ ଜଣେ ବଂଗାଳୀ ହୋଇଥିବାରୁ ହିନ୍ଦି ଠିକ୍ ଭାବେ ଉଚ୍ଚାରଣ କରିପାରୁ ନାହାନ୍ତି ଦର୍ଶାଇ ଏଭଳି ଏକ ଅସୌଜନ୍ୟ ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗି ନେଇଥିଲେ । ତେବେ, ଏଥର ତାଙ୍କୁ କ୍ଷମା ମିଳି ନାହିଁ । ଶାସକ ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରିଛି । ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି କଂଗ୍ରେସ ନେତା ଚୌଧୁରୀ ରାଷ୍ଟ୍ରପତି ପଦର ଗାରିମାକୁ କ୍ଷୁର୍ଣ୍ଣ କରିବା ସହ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମୁର୍ମୁଙ୍କୁ ଅମର୍ଯ୍ୟାଦା କରିଛନ୍ତି ବୋଲି ଏଥିପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସଂସଦରେ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୁରୁବାର ଓ ଶୁକ୍ରବାର (ଜୁଲାଇ ୨୮ ଓ ୨୯) ସଂସଦ ଅଧିବଶେନରେ ବିଜେପି ମନ୍ତ୍ରୀ ଓ ସାଂସଦମାନେ ହଲ୍ଲାପଟା କରିବାରୁ ଅଚଳାବସ୍ଥା ସୃଷ୍ଟି ହେବା ସହ ସଂସଦର ଉଭୟ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସୋମବାର ଦିନ ସାଂସଦମାନେ ଗୃହକୁ ଆସିଲେ ଲୋକସଭା ଓ ରାଜ୍ୟସଭାରେ ଦେଶରେ ଦରଦାମ ବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଚର୍ଚ୍ଚା ହେବ ବୋଲି ସରକାରଙ୍କ ଆଡୁ ପ୍ରତିଶ୍ରୁତି ମିଳି ଥିବା ଜଣାପଡିଛି । ତେବେ, ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ଜାତୀୟ ପ୍ରସଙ୍ଗକୁ ନେଇ ସରକାର ସଂସଦରେ ଆଲୋଚନାର ସୁଯୋଗ ଦିଅନ୍ତୁ ବୋଲି ଦାବି କରି ଉଭୟ ଲୋକସଭା ଓ ରାଜ୍ୟସଭାରେ ହାଂଗାମା କରୁଥିବା ବିରୋଧୀ ସାଂସଦଙ୍କୁ ସାବାଡ଼ କରିବା ସକାଶେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ନିକଟରେ ୨୪ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିରଳା ୪ ଜଣ କଂଗ୍ରେସ ସାଂସଦଙ୍କୁ ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବିତ କରିଥିବା ବେଳେ ପରଦିନ ରାଜ୍ୟସଭା ଅଧ୍ୟକ୍ଷ ୨୦ ଜଣ ବିରୋଧୀ ଦଳ ସାଂସଦଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଥିବା ସାଂସଦମାନେ ଏହା ମୋଦୀ ସରକାରଙ୍କ ମନମୁଖୀ କାର୍ଯ୍ୟ ଦର୍ଶାଇ ସଂସଦ ଭବନ ପରିସରରେ ୫୦ ଘଂଟିଆ ରିଲେ ଧାରଣା ଚଳାଇ ଥିଲେ, ଯାହାକି ଶୁକ୍ରବାର (୨୯ ତାରିଖ) ଶେଷ ହୋଇଛି । ତେବେ, ସାଂସଦଙ୍କ ବିରୋଧରେ ଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ଯାଏଁ ସଂସଦର ଉଭୟ ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ । ସୋମବାର ଦିନ ସଂସଦ ଅଧିବେଶନ ବସିଲେ ଶାସକ ଓ ବିରୋଧୀଙ୍କ ଆଚରଣ କଣ ରହିବ ତାହା ଉପରେ ସଂସଦ ଚାଲିବା ନିର୍ଭର କରୁଛି ।
ବେଳେ ବେଳେ ହାଲୁକା ମନ୍ତବ୍ୟ ବା ଟିପ୍ପଣୀ ରାଜନେତାଙ୍କ ପରିପକ୍ୱତାର ପରିଚୟ ଦେଇଥାଏ । ତେବେ, ଅଧୀର ରଂଜନଙ୍କ ଅପରିଣାମଦର୍ଶୀ ଟିପ୍ପଣୀ କେତେ ମାରାତ୍ମକ ଥିଲା ତାହା ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ଓ ୟୁପିଏ ମୁହାଁମୁହିଁ ହୋଇଥିଲେ । ଏନଡ଼ିଏ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁୁଙ୍କୁ ପ୍ରାର୍ଥୀ କରି ଏନଡ଼ିଏ ସହ ବିରୋଧୀ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଜାଲରେ ପକାଇ ଥିଲା ଏବଂ ବହୁ ଅଧିକ ଭୋଟ ବ୍ୟବଧାନରେ ତାଙ୍କୁ ବିଜୟୀ କରାଇଥିଲା । ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ କଂଗ୍ରେସ ଦ୍ରୌପଦୀଙ୍କୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେବା କାରଣରୁ ସମାଲୋଚନାର ଶରବ୍ୟ ହୋଇଥିଲା । ଦେଶର ପଂଚଦଶତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ତାଙ୍କୁ ‘ରାଷ୍ଟ୍ରପତ୍ନୀ’ କହିବା ନିଶ୍ଚିତ ଭାବେ ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ଅନୁଷ୍ଠାନକୁ ଅପମାନିତ କଲା ଭଳି । ସର୍ବନିମ୍ନ ସୌଜନ୍ୟତାକୁ ଭୁଲି ଅଧୀର ରଂଜନ ଏଭଳି ହାଲୁକା ଟିପ୍ପଣୀ ଦେବା, ପରେ ନିଜ ଭୁଲ ସ୍ୱୀକାର କରି କ୍ଷମା ମାଗିବା ଏବଂ ‘ଭୁଲ ବଶତଃ ତାଙ୍କ ପାଟିରୁ ଅପଶବ୍ଦ ବାହାରି ଗଲା ବୋଲି ସଫେଇ ଦେବାକୁ ଉଦ୍ୟମ କରିବା କେତେ ଦାୟିତ୍ୱହୀନତାର ପରିଚୟ ଦେଉଛି ତାହା ଏବେ ସେ ବୁଝୁ ଥିବେ ।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅଧୀର ରଂଜନଙ୍କ ଏହି ମନ୍ତବ୍ୟ ପାଇଁ ସଂସଦରେ କ୍ଷମା ମାଗି ନେଇ ଥିଲେ ତାଙ୍କ ଗାରିମା ବଢିଥା’ନ୍ତା ଏବଂ ଦେଶବାସୀ ତାଙ୍କୁ ଜଣେ ପରିପକ୍ୱ ନେତା ଭାବେ ଗ୍ରହଣ କରିଥା’ନ୍ତେ । କିନ୍ତୁ, ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପାଇଁ ଅଧୀର ରଂଜନ କ୍ଷମା ମାଗି ସାରି ଥିବା ଦର୍ଶାଇ ସେ ବିଜେପି ମନ୍ତ୍ରୀ ଓ ସାଂସଦମାନଙ୍କ ଦାବିକୁ ଏଡାଇ ଦେବା ଦ୍ୱାରା ଜଣେ ରାଷ୍ଟ୍ରନେତା ଭାବେ ପରିଚୟ ସୃଷ୍ଟି କରିବାର ସୁଯୋଗ ହରାଇଛନ୍ତି । ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରର ଜଣେ ଉଗ୍ର ସମାଲୋଚକ । ନିକଟରେ କଂଗ୍ରେସ ଦଳର କେତେକ ବରିଷ୍ଠ ନେତା ତାଙ୍କ ୧୮ ବର୍ଷର ଝିଅ ବିରୋଧରେ ଗଣମାଧ୍ୟମରେ ଗୁରୁତର ଅଭିଯୋଗ ରଖି ତାଙ୍କୁ ଅଧିକ କ୍ଷୁବ୍ଧ କରିଛନ୍ତି । ଏନେଇ ସ୍ମୃତି ଇରାନୀ ସଂପୃକ୍ତ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିବା ସହ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।
ହାଇକୋର୍ଟ ବିଚାରପତି ଜଷ୍ଟିସ ମିନି ପୁଷ୍କରନ ଗତକାଲି (ଶୁକ୍ରବାର) ଇରାନୀଙ୍କ ସିଭିଲ୍ ଡ଼ିଫାମେସନ ମାମଲାର ଶୁଣାଣୀ କରି ସ୍ମୃତି ଓ ତାଙ୍କ ଝିଅ ବିରୋଧରେ ଗଣମାଧ୍ୟମରେ ଗୁରୁତର ଅଭିଯୋଗ ଆଣିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, କଂଗ୍ରେସର ଜାତୀୟ ମୁଖପାତ୍ର ପବନ ଖେରା ଓ ନେଟ୍ଟା ଡ଼ି’ସୋଜାଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇରାନୀ ଓ ତାଙ୍କ ଝିଅଙ୍କୁ ନେଇ ସେମାନେ ସାମାଜିକ ଗଣମାଧ୍ୟମରେ ଯାହା ସବୁ ଟ୍ୱିଟ୍ ଓ ପୋଷ୍ଟ୍ କରିଛନ୍ତି ୨୪ ଘଂଟା ମଧ୍ୟରେ ହଟାଇ ନେବାକୁ କୋର୍ଟ ମଧ୍ୟବର୍ତ୍ତିର୍କାଳୀନ ନିର୍ଦେଶ ଦେବା ସହ ୨୪ ଘଂଟା ମଧ୍ୟରେ ସେସବୁ ପ୍ରତ୍ୟାହାର କରାନଗଲେ ଟ୍ୱିଟର୍, ଫେସ୍ ବୁକ୍ ଓ ୟୁଟ୍ୟୁବ୍ ନିଜ ଆଡୁ ସେସବୁକୁ ହଟାଇବେ ବୋଲି କୋର୍ଟ କହିଛନ୍ତି । କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ବାହାରେ ଆପତ୍ତିଜନକ ମନ୍ତବ୍ୟ ରଖିବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଇରାନୀ ଓ ତାଙ୍କ ଝିଅକୁ ନେଇ ଉପରୋକ୍ତ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ କରି ରାଜନୈତିକ ମାହୋଲକୁ ଗରମ ରଖି ଥିଲେ । ଗୁରୁବାର ଦିନ ତାହା ସଂସଦରେ ପ୍ରତିଫଳିତ ହୋଇଛି ।
ଅଧୀର ରଂଜନଙ୍କୁ ନେଇ ଗୁରୁବାର ଦିନ ଲୋକସଭାରେ ଶାସକ ଦଳର ମନ୍ତ୍ରୀ ଓ ସାଂସଦଙ୍କ ହଟ୍ଟଗୋଳ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଥିବା କଂଗ୍ରେସ ଓ ବିରୋଧୀ ଦଳ ସାଂସଦମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଇରାନୀ ଉତ୍ତେଜିତ ଭାବେ ସୋନିଆଙ୍କୁ ଚ୍ୟାଲେଂଜ କରୁଥିଲେ ଏବଂ କ୍ଷମା ମାଗିବାକୁ ଦାବି କରୁଥିଲେ । ଗୃହ ମୁଲତବୀ ଥିବା ଅବସ୍ଥାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଇରାନୀ ଓ ଅନ୍ୟ ବିଜେପି ସାଂସଦମାନେ ସୋନିଆଙ୍କୁ ଘେରି ସ୍ଲୋଗାନବାଜୀ କରିଥିଲେ । ଲୋକସଭା ସାଂସଦ ଥିବା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରତିପକ୍ଷ ବିଜେପି ସାଂସଦ ରମା ଦେବୀଙ୍କ ସହ ଆଲୋଚନା କରିବାକୁ ଯିବା ବେଳେ କେନ୍ଦ୍ର ମନ୍ତ୍ରୀ ଇରାନୀ ଆଂଗୁଠି ଦେଖାଇବା ଓ ତାଙ୍କ ଆଡକୁ ମାଡି ଆସି ‘ମୁଁ କିଛି ସାହାଯ୍ୟ କରିବି?’ ବୋଲି ପ୍ରଶ୍ନ କରିବା ଏବଂ ସୋନିଆ ଗାନ୍ଧୀ ‘ମୁଁ ତୁମ ସହ କଥା ହେଉନି’ ବୋଲି ଉତ୍ତର ରଖିବା ଆଲୋଚନାର ବିଷୟବସ୍ତୁ ହୋଇଛି ।
ସେହି ସମୟରେ ଗୃହରେ ଉପସ୍ଥିତ ଥିବା ଟିଏମସି ସାଂସଦ ମହୁଆ ମୈତ୍ର, ଅପରୂପା ପୋଦାର ଓ ଏନସିପି ସାଂସଦ ସୁପ୍ରିୟା ସୁଲୋ ସୋନିଆଙ୍କୁ ବିଜେପି ସାଂସଦଙ୍କ ଘେରରୁ ମୁକୁଳାଇବା ସହ ବାହାରକୁ ଟାଣି ନେଇଥିଲେ । ଗୃହରେ ଉପସ୍ଥିତ ଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ମଧ୍ୟ ୨୯ ତାରିଖ ଅଧିର ରଂଜନଙ୍କୁ ନେଇ ବିଜେପି ଓ ସୋନିଆଙ୍କ ପ୍ରତି ବିଜେପି ସାଂସଦ ଓ ମନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ କଂଗ୍ରେସ ସାଂସଦ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇ ଲୋକସଭା ଓ ରାଜ୍ୟସଭା ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଛି । କଂଗ୍ରେସ ନେତା ଅଧିର ରଂଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ନେତାଙ୍କ ଅରୁଚିକର ମନ୍ତବ୍ୟ ପାଇଁ ଦଳର ସଭାପତି କ୍ଷମା ମାଗିବା ଦାବିରେ ବିଜେପି ମନ୍ତ୍ରୀ ଓ ସାଂସଦମାନେ ଅଟଳ ଥିବା ବେଳେ ବୁଧବାର ଦିନ ସୋନିଆ ଗାନ୍ଧୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦ୍ର ମନ୍ତ୍ରୀ ଇରାନୀ ଓ ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ସାଂସଦ ଅଡି ବସିଛନ୍ତି ।
୨୦୨୨-୨୩ରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଅଧିକ ଆକ୍ରମଣାତ୍ମକ ରାଜନୀତି ଆରମ୍ଭ କରି ଦେଇଥିବା ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି । ୨୦୧୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ କ୍ଷମତା ହରାଇ ଏବେ ମାତ୍ର ଦୁଇଟି ରାଜ୍ୟ (ରାଜସ୍ଥାନ ଓ ଛତିଶଗଡ଼)ରେ ସୀମିତ ରହିଛି । ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳମାନେ କଂଗ୍ରେସର ଏଭଳି ଅବକ୍ଷୟ ଦେଖି ଦଳଠାରୁ ଦୂରେ ରହିବାକୁ ପସନ୍ଦ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଆଂଚଳିକ ଦଳମାନେ କଂଗ୍ରେସ ଭୋଟବ୍ୟାଙ୍କକୁ ଅକ୍ତିଆର କରି ନିଜର ଶକ୍ତିବୃଦ୍ଧି ଦିଗରେ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ ନିଜର ସ୍ଥିତିକୁ ବଂଚାଇବା ପାଇଁ ସଂଘର୍ଷ କରୁଛି । ଏଭଳି ପରିସ୍ଥିତିରେ ଦଳର ନେତାମାନେ ଅଧିକ ଦାୟିତ୍ୱବାନ ହେବାର ଆବଶ୍ୟକତା ଥିବା ବେଳେ ଅଧୀର ରଂଜନଙ୍କ ଭଳି ନେତାମାନେ ନିଜ ଜିହ୍ୱାକୁ ନିୟନ୍ତ୍ରଣ କରିନପାରି ଦଳକୁ ଅଧିକ ଅବକ୍ଷୟ ଆଡକୁ ନେଉଥିବା ଚିନ୍ତାର କାରଣ ହୋଇଛି । କଂଗ୍ରେସର ଯୋଗଦାନ ବିନା ଦେଶରେ ଏକ ବିରୋଧୀ ମେଂଟ ଗଠନ ସମ୍ଭବ ନୁହେଁ । ଏହା ଜାଣି ସୁଦ୍ଧା ଅଣ ବିଜେପି ଶକ୍ତିମାନେ ସଂଗଠିତ ନୁହନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅଧିକ ଦାୟିତ୍ୱବାନ ହେବା ବଦଳରେ ନିଜେ ଗୋଡରେ ନିଜେ କୁରାଢୀ ମାରି ବିଜେପିର ଶକ୍ତି ବଢାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS