‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିର ତଦନ୍ତରେ ଶିଥିଳତା ପାଇଁ ଦାୟି କିଏ ? ବିଜେଡ଼ି ନା ବିଜେପି ??
ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୦୧
କେନ୍ଦ୍ରରେ ଶାସନରେ ଥିବା ବିଜେପି ଓଡ଼ିଶା ସରକାରଙ୍କ ମୁଣ୍ଡରେ ‘ଚିଟ ଫଣ୍ଡ୍’ ମହାଦୁର୍ନୀତିର ଖଣ୍ଡା ଝୁଲାଇ ରଖିଛି ଏବଂ ବିଭିନ୍ନ ସମୟରେ ସରକାରଙ୍କୁ ଡରାଇବା ପାଇଁ ତାହାକୁ ବ୍ୟବହାର କରୁଛି -ଏହା ଜଣାଶୁଣା କଥା । ତେବେ, ଦୀର୍ଘ ଦିନର ନୀରବତା ପରେ ବିଜେପି ସରକାର ଏହି ଖଣ୍ଡାକୁ ପୁନଃ ସକ୍ରିୟ କରିଥିବା ହିଁ ଆଜିର ଚର୍ଚ୍ଚାର ବିଷୟ ରହିଛି । ତିନି ଦିନ ହେଲା ରାଜ୍ୟରେ ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିକୁ ନେଇ ସକ୍ରିୟତା ଦେଖିବାକୁ ମିଳିଛି । ମହାଦୁର୍ନୀତିର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ‘ସିସୋର୍’ ଠାରୁ ନିଜର ଓ ନିଜ ପରିବାରର ଆକାଉଂଟ ମାଧ୍ୟମରେ ୨୫ ଲକ୍ଷ ଟଙ୍କା ନେଇଥିବା (ସିବିଆଇର ଅଭିଯୋଗ ଅନୁଯାୟୀ) ବିଜେଡ଼ିର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ପୁନର୍ବାର ଝଟକା ଲାଗିଛି । ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ) ଜୁଲାଇ ୩୦ ତାରିଖ ଦିନ ତାଙ୍କ ସମେତ ପରିବାରର ଆକାଉଂଟରୁ ୨୫ ଲକ୍ଷ ଟଙ୍କା ଜବତ କରି ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଆଜି ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଦଶ ବର୍ଷ ତଳର ଏହି ମହାଦୁର୍ନୀତି ଉପରେ ଆଲୋଚନା ପାଇଁ ଗୃହରେ ଏକ ମୁଲତବୀ ପ୍ରସ୍ତାବ ଆଣି ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାହାକୁ ଖାରଜ କରିଦେବାରୁ ଏହା ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିଯୋଗ କରିଛନ୍ତି ।
ବାଚସ୍ପତି କୌଣସି ଯୁକ୍ତିସଂଗତ କାରଣ ନ ଦର୍ଶାଇ ମୁଲତବୀ ପ୍ରସ୍ତାବ ଖାରଜ କରିଥିବା ବିଜେପି ବିଧାୟକମାନେ ଅଭିଯୋଗ କରିଥିବା ବେଳେ ମାମଲା ଅଦାଲତଙ୍କ ବିଚାରାଧୀନ ଥିବାରୁ ଏବଂ ସରକାରଙ୍କ ଦ୍ୱାରା ଗଠିତ ତଦନ୍ତ କମିସନ୍ ତାହାର କାର୍ଯ୍ୟ କରୁଥିବାରୁ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ଦେଇ ହେବା ନାହିଁ ବୋଲି ବାଚସ୍ପତି ଦର୍ଶାଇ ଥିବା ଜଣାପଡିଛି । ମୁଲତବୀ ପ୍ରସ୍ତାବ ଖାରଜ ହେବାକୁ ନେଇ ବିଜେପି ବିଧାନସଭାରେ ତୀବ୍ର ପ୍ରତିକ୍ରିୟା ରଖିଛି । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝିଙ୍କ ଅଭିଯୋଗ ହେଉଛି, ‘ଚିଟ୍୍ ଫଣ୍ଡ୍’ ମହାଦୁର୍ନୀତି ପ୍ରସଙ୍ଗ ଗୃହରେ ଆଲୋଚନା ହେବାକୁ ନଦେଇ ବାଚସ୍ପତି ଓ ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି । ଚଳିତ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ପାଇଁ ବିରୋଧୀ ବିଧାୟକମାନେ ଗଡରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଆଣିବା ଅଧିକାର ରଖନ୍ତି । ଆଜି ସେମାନେ ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତାବ ଆଣି ଥିଲେ । ତେବେ, ବିଧାନସଭା ବାଚସ୍ପତି ଯୁକ୍ତିସଂଗତ କାରଣ ନ ଦର୍ଶାଇ ତାହାକୁ ଖାରଜ କରିଛନ୍ତି । ସରକାର ଓ ବାଚସ୍ପତି ମିଶି ଗଣତନ୍ତ୍ରକୁ ହତ୍ୟା କରିବାର ଷଡଯନ୍ତ୍ର କରିଥିବା ଏଥିରୁ ସ୍ପଷ୍ଟ ।
ଅନ୍ୟପକ୍ଷରେ, ବାଚସ୍ପତି ଆରୁଖ ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତି ମାମଲା ଅଦାଲତଙ୍କ ବିଚାରାଧୀନ ଥିବା ଓ ତଦନ୍ତ ପାଇଁ ଗଠିତ କମିସନ୍ ମଧ୍ୟ ତାହାର କାର୍ଯ୍ୟ କରୁଥିବା ଦର୍ଶାଇବା ସହ ୨୦୧୪ରେ ତତ୍କାଳୀନ ବାଚସ୍ପତି ଦେଇଥିବା ରୁଲିଂ କଥା ମନେ ପକାଇ ଦେଇଛନ୍ତି । ସେହିସମୟରେ ଥିବା ବିଧାନସଭା ବାଚସ୍ପତି ଆଡଭୋକେଟ ଜେନେରାଲଙ୍କ ସହ ପରାମର୍ଶ କରିବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିବ ନାହିଁ ରୁଲିଂ ଦେଇଥିଲେ । ମୁଲତବୀ ପ୍ରସ୍ତାବ ଗୃହରେ ଖାରଜ ହେବା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ବିଧାୟକ ଦଳ ଏହାକୁ ‘ଗଣତନ୍ତ୍ରର ହତ୍ୟା’ ବୋଲି ଦର୍ଶାଇ ଥିବା ବେଳେ ଆଉ ଗୋଟିଏ ଆଂଗୁଠି ବିଜେପି ଆଡକୁ ମଧ୍ୟ ଯାଉଛି । କେନ୍ଦ୍ରରେ ତାଙ୍କରି ଦଳ ଶାସନରେ ଥାଇ ଓଡ଼ିଶାର ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିର ସିବିଆଇ ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଂଚି ପାରୁ ନାହିଁ କାହିଁକି (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ଇତିମଧ୍ୟରେ ରାଜ୍ୟରେ ବିଜେପି ବିଧାୟକ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇଛି । ୨୦୧୯ରେ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ହେବା ପରେ ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକ ବିଧାନସଭାରେ ଏହାର ନେତା ହୋଇଥିଲେ । ତେବେ, ଦୀର୍ଘ ଦିନ ଧରି ସେ କରୋନାରେ ସଂକ୍ରମିତ ହୋଇ ଦାୟିତ୍ୱ ସମ୍ଭାଳିବା ସ୍ଥିତିରେ ନଥିବାରୁ ଜୁଲାଇ ୨୯ ତାରିଖ ଦିନ ବିଜେପି ବିଧାୟକ ଦଳର ନେତୃତ୍ୱରେ ପରିବର୍ତ୍ତନ ହୋଇଛି ଏବଂ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବିଧାନସଭାରେ ବିରୋଧୀ ବିଧାୟକ ଦଳ ନେତା ନିଯୁକ୍ତ ହୋଇଛନ୍ତି । ଜୟ ନାରାୟଣ ବିରୋଧୀ ବିଧାୟକ ଦଳ ନେତା ହେବା ପରେ ବିଜେଡ଼ି ସରକାର ପ୍ରତି ସେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବେ ବୋଲି ଆଲୋଚନା ହୋଇ ଆସୁଛି । ଜୟ ନାରାୟଣ ମଧ୍ୟ ଦାୟିତ୍ୱ ନେବା ପରେ ‘ଜଂଗଲରେ ବାହାର ଶିକାର ପାଇଁ ଜାଲ ବିଛା ଯିବା’ ରଣନୀତି କଥା କହି ସରକାରଙ୍କୁ ଶିକାର କରିବାକୁ ପରୋକ୍ଷ ଚେତାବନୀ ଦେଇଛନ୍ତି । ଏହାଛଡା, ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିରେ ବିଜେଡ଼ିର ବହୁ ପ୍ରମୁଖ ନେତା ସଂପୃକ୍ତ ଥିବା ବିରୋଧୀଙ୍କ ଆଡୁ ଅଭିଯୋଗ ହୋଇଆସୁଛି । ପୂର୍ବତନ କଟକ ସଦର ବିଧାୟକ ବିଶ୍ୱାଳ ସେଥିରୁ ଅନ୍ୟତମ । ସେ ସିବିଆଇ ଜେରାର ସମ୍ମୁଖୀନ ହୋଇ ଜେଲ ଯାଇଥିଲେ । ଏବେ ଜାମିନରେ ଅଛନ୍ତି । ତାଙ୍କ ଭଳି ଦଳର ବହୁ ପ୍ରମୁଖ ନେତା ସିବିଆଇ ଦ୍ୱାରା ଜେରା ହୋଇଛନ୍ତି ବା ଜେରା ଅପେକ୍ଷାରେ ଅଛନ୍ତି ।
ଦେଶର ସର୍ବାଚ୍ଚ ନ୍ୟାୟାଳୟର ନିର୍ଦେଶରେ ସିବିଆଇ ଏହି ମହାଦୁର୍ନୀତିର ତଦନ୍ତ କରୁଛି । କେବଳ ବିଜେଡ଼ି ନୁହେଁ, ଅନ୍ୟ ଦଳର ପୂର୍ବତନ ସାଂସଦ ଓ ବିଧାୟକ ମଧ୍ୟ ସିବିଆଇ ଜେରାର ସାମ୍ନା କରିଛନ୍ତି । ସେଥିରୁ କିଛି ଗିରଫ ମଧ୍ୟ ହୋଇଥିଲେ । ପୂର୍ବତନ ବିଧାୟକ ବିଶ୍ୱାଳ ସିବିଆଇ ଜେରାର ସାମ୍ନା କରି ଗିରଫ ହେବାରୁ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେଡ଼ି ଟିକଟ ମିଳି ନଥିଲା । କିନ୍ତୁ, ଦଳ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । ସୌଭିକ ବିଶ୍ୱାଳ ଏବେ କଟକ ସଦର ବିଧାୟକ ଅଛନ୍ତି । ଶାସକ ଦଳର ବହୁ ନେତା ବା ସେମାନଙ୍କ ନିକଟତମ ବ୍ୟକ୍ତି ସିବିଆଇ ସ୍କାନରେ ଥିବା ବେଳେ ଆକସ୍ମିକ ଭାବେ ସିବିଆଇ ତଦନ୍ତ ଶିଥିଳ ହୋଇଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ, ନିର୍ବାଚନ ଋତୁ ଆସିଲେ କେନ୍ଦ୍ର ସରକାର ହଠାତ ସକ୍ରିୟ ହେଉଥିବା ଏବଂ ସିବିଆଇ ଓ ଇଡ଼ିକୁ ବ୍ୟବହାର କରି ଶାସକ ଦଳରେ ଭୟ ସୃଷ୍ଟି କରୁଥିବା ଗଲା କିଛି ବର୍ଷ ହେଲା ଦେଖିବାକୁ ମିଳୁଛି । ସିବିଆଇ ଓ ଇଡ଼ି ତଦନ୍ତକୁ ଏଡାଇବା ପାଇଁ ଶାସକ ବିଜେଡ଼ି ମଧ୍ୟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ଆଖିବୁଜା ସମର୍ଥନ ଦେଇ ଆସୁଛି ବୋଲି ବିରୋଧୀଙ୍କ ଅଭିଯୋଗ।
ରାଜ୍ୟରେ ହୋଇଥିବା ଶହ ଶହ କୋଟି ଟଙ୍କାର ଏହି ମହାଦୁର୍ନୀତିରେ ବହୁ ସଂଖ୍ୟାରେ ଗ୍ରମାଂଚଳ ଅଧିବାସୀ ଏବଂ ଗରୀବ ଓ ସ୍ୱଳ୍ପ ଆୟକାରୀ ଲୋକ ସର୍ବସ୍ୱାନ୍ତ ହୋଇଛନ୍ତି । ଅଧିକ ହାରରେ ସୁଧ ପାଇ ମୂଳଧନକୁ ଗହୁଗୁଣିତ କରିବା ପ୍ରଲୋଚନରେ ସେମାନେ ପୁଂଜୀ ବିନିଯୋଗ କରିଥିଲେ । ଠକମାନେ ସେମାନଙ୍କ ସର୍ବସ୍ୱ ଠକି ନେଇ ସେମାନଙ୍କୁ ସର୍ବସ୍ୱାନ୍ତ କରିଛନ୍ତି । ଅଦାଲତଙ୍କ ନିର୍ଦେଶରେ ସିବିଆଇ ଏହି ମହାଦୁର୍ନୀତିର ତଦନ୍ତ କରୁଥିବାରୁ ସେମାନଙ୍କ କଷ୍ଟାର୍ଜିତ ଧନ ଫେରି ପାଇବେ ବୋଲି ଅନେକ ଆଶା କରିଥିଲେ । କିନ୍ତୁ, ତଦନ୍ତର କଚ୍ଛପ ଗତି ସେମାନଙ୍କୁ ନିରାଶ କରିଛି । ଅଧିକାଂଶ ପୁଂଜୀ ନିବେଶକାରୀ ସେମାନଙ୍କ ପୁଂଜୀ ଫେରିବା ଆଶା ଛାଡି ସାରିଲେଣି । ଏଭଳି ସ୍ଥିତିରେ ରାଜ୍ୟର ବିଜେପି ବିଧାୟକମାନେ ଆଜି ହଠାତ ସଚେତନ ହେବା ଏବଂ ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିକୁ ନେଇ ବିଧାନସଭାରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଣିବା ପଛରେ ରାଜନୀତି ସ୍ପଷ୍ଟ ।
କେନ୍ଦ୍ର ସରକାର ମଝିରେ ମଝିରେ ସିବିଆଇ ଓ ଇଡ଼ିକୁ ସକ୍ରିୟ କରି ରାଜ୍ୟ ସରକାରଙ୍କୁ ଡରାଇଲା ଭଳି ରାଜ୍ୟ ବିଜେପି ବିଧାୟକ ଦଳର ନୂଆ ନେତୃତ୍ୱ ସରକାରଙ୍କୁ ଡ଼ରାଇବା ଆରମ୍ଭ କରିଥିବା ଏଥିରୁ ଅନୁମାନ କରି ହେଉଛି । ୨୦୨୪ରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ବିଜେପି ଜାତୀୟ ନେତୃତ୍ବ ମଧ୍ୟ ଓଡ଼ିଶାରେ ସିବିଆଇ ଓ ଇଡ଼ରି ଝଲକ ଦେଖାଇବା ଆରମ୍ଭ କରିଛନ୍ତି । ରାଜ୍ୟର ବିଜେପି ବିଧାୟକମାନେ ‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆଜି ବିଧାନସଭାରେ ପ୍ରସ୍ତାବ ଆଣିବା ବେଳେ ସିବିଆଇ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏବଂ ସିବିଆଇ ଏହି ମହାଦୁର୍ନୀତିର ତଦନ୍ତ କରୁଥିବା କଥା ସେମାନଙ୍କୁ ମନେ ପକାଇ ଦେବା ଉଚିତ ହେବ । ଦୀର୍ଘ ବର୍ଷ ହେଲା ସିବିଆଇ ଏହାର ତଦନ୍ତ କରୁଥିବା ବେଳେ ନିର୍ଣ୍ଣାୟକ ମୋଡରେ ପହଂଚି ନପାରିବା ପାଇଁ ଓଡ଼ିଶାର ବିଜେଡ଼ି ସରକାର ଦାୟି ନା କେନ୍ଦ୍ରର ବିଜେପି ସରକାର – ତାହା ରାଜ୍ୟର ବିଜେପି ବିଧାୟକମାନେ ପ୍ରଥମେ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ତଥାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS