‘ହେରାଲ୍ଡ ହାଉସ୍’ରେ ଇଡ଼ି ଚଢାଉ, କଂଗ୍ରେସ କ୍ଷୁବ୍ଧ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୨
‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ନିକଟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିଥିଲା । ଆଜି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀରେ ଥିବା ଏହି ସମ୍ବାଦପତ୍ରର କାର୍ଯ୍ୟାଳୟ ଓ ସମ୍ବାଦପତ୍ରକୁ ପରିଚାଳନା କରୁଥିବା ଆସୋସିଟେଡ଼ ଜର୍ଣ୍ଣାଲ୍ସ ଲିମିଟେଡ଼(ଏଜେଏଲ୍) ସହ ସଂପୃକ୍ତ ବିଭିନ୍ନ କାର୍ଯ୍ୟାଳୟରେ ଚଢାଉ କରିଥିବା ସୂଚନା ମିଳିଛି । ଅନ୍ୟୁନ ୧୨ଟି ସ୍ଥାନରେ ଇଡ଼ିର ଚଢାଉ ଚାଲିଛି । ଯାଂଚ କରିବା ସରିବା ପରେ ଇଡ଼ି ଏହି ମାମଲା ସହିତ ସଂପୃକ୍ତ ସଂପତ୍ତି ସବୁକୁ ଜବତ କରିପାରେ ବୋଲି ଆଶଙ୍କା କରାଯାଉଛି । ନୂଆଦିଲ୍ଲୀର ବାହାଦୂର ଶାହା ଜାଫର ମାର୍ଗରେ ‘ହେରାଲ୍ଡ ହାଉସ୍’ ରହିଛି । ଏହି ଚଢାଉକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଦଳମାନେ ସରକାରଙ୍କୁ ମୁଦ୍ରାସ୍ଫୀତି, ବେରୋଜଗାରି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରୁଥିବା ବେଳେ ସରକାର ସେସବୁ ପ୍ରଶ୍ନର ଉତ୍ତର ଦେଇ ନପାରି ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନଙ୍କୁ ଅପମାନିତ କରିବାକୁ ଉଦ୍ୟମ କରୁଛନ୍ତି । କେବଳ କଂଗ୍ରେସ ନୁହେଁ, ଅନ୍ୟ ବହୁ ବିରୋଧୀ ଦଳର ନେତା ମଧ୍ୟ ଶାସକ ଦଳ ଦ୍ୱାରା ଏଭଳି ଅପମାନିତ ହେଉଛନ୍ତି । ତେବେ, ଦେଶର ସର୍ବପୂରାତନ ଦଳ କଂଗ୍ରେସ ସରକାରଙ୍କ ଏଳି ଆକ୍ରମଣକୁ ଡରୁ ନାହିଁ ବା ସରକାରଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବ ନାହିଁ ବୋଲି କଂଗ୍ରେସର ଜାତୀୟ ମୁଖପାତ୍ର ସୟଦ ନସୀର ହୁସେନ ଏକ ବିବୃତିରେ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଜୟରାମ ରମେଶ ମଧ୍ୟ ଟ୍ୱିଟ୍ କରି ‘ହେରାଲ୍ଡ ହାଉସ୍’ ଚଢାଉକୁ ଦେଶର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଡୁ ଚାଲି ଥିବା ଆକ୍ରମଣର ଅଂଶବିଶେଷ ବୋଲି କହିଛନ୍ତି । ସରକାରଙ୍କ ବିରୋଧରେ ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନଙ୍କ ସ୍ୱରକୁ ଦବାଇ ଦେବା ପାଇଁ ମୋଦୀ ସରକାର ଏଭଳି ପ୍ରତିଶୋଧମୂଳକ ରାଜନୀତିର ଆଶ୍ରୟ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଇଡ଼ି ଗତ ମାସରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତିନି ଦିନ, ତିନି ପର୍ଯ୍ୟାୟରେ ୧୨ ଘଂଟା ଜେରା କରିଥିଲା । ତାଙ୍କୁ ଶହେଟି ପ୍ରଶ୍ନ କରାଯାଇଥିଲା । ତାହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡ଼ି ୫ ଦିନ ଧରି ଜେରା କରିଥିଲା ଏବଂ ପାଖାପାଖି ୧୫୦ଟି ପ୍ରଶ୍ନ କରିଥିଲା । ‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ର ଦେଶ ସ୍ୱାଧୀନ ହେବା ପୂର୍ବରୁ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ଏବଂ ବ୍ରିଟିଶ ଶାସନ ବିରୋଧରେ ସ୍ୱାଧୀନତା ସଂଗ୍ରାମ ଚଳାଇ ଥିବା କଂଗ୍ରେସର ତାହା ମୁଖପତ୍ର ଥିଲା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ସମ୍ବାଦପତ୍ର ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଏହାର ପରିଚାଳନା କରୁଥିବା ‘ଏଜେଏଲ୍’କୁ ଗାନ୍ଧୀ ପରିବାର ସଂପୃକ୍ତ ଥିବା ‘ୟଂଗ୍ ଇଣ୍ଡିଆ’ ନାମକ ସଂସ୍ଥା ହାତକୁ ନେଇଯାଇଛି । ‘ନ୍ୟାସନାଲ ହେରାଲ୍ଡ’ ସହ ସଂପୃକ୍ତ କୋଟି କୋଟି ଟଙ୍କାର ସଂପତ୍ତିକୁ ହାତେଇବା ପାଇଁ ‘ୟଂଗ୍ ଇଣ୍ଡିଆ’ ‘ଏଜେଏଲ୍’କୁ ଅକ୍ତିଆର କରିଛି ଏବଂ ଏଥିରେ ବେନିୟମ ଅର୍ଥନୈତିକ କାରବାର ହୋଇଛି ବୋଲି ଅଭିଯୋଗ ଉପରେ ଇଡ଼ି ତଦନ୍ତ କରୁଛି । ଏହି ହସ୍ତାନ୍ତର ମାଧ୍ୟମରେ ‘ଏଜେଏଲ୍’ର ୮୦୦ କୋଟିରୁ ଅଧିକ ଟଙ୍କାର ସଂପତ୍ତିକୁ ‘ୟଂଗ୍ ଇଣ୍ଡିଆ’ ହାତେଇ ଥିବା ଇଡ଼ି କହୁଥିବା ବେଳେ ଏହା ‘ୟଂଗ୍ ଇଣ୍ଡିଆ’ର ପ୍ରମୁଖ ସେୟାର ହୋଲଡର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପତ୍ତି ଭାବେ ଆୟକର ବିଭାଗ ବିଚାର କରି ତାହା ଉପରେ ସେମାନେ ଆୟକର ଦେବା ଆବଶ୍ୟକ ବୋଲି କହୁଛି । ଅପରପକ୍ଷରେ, ‘ୟଂଗ୍ ଇଣ୍ଡିଆ’ ଏକ ଅଣ-ଲାଭକାରୀ କଂପାନୀ ଏବଂ ଏଜେଏଲ୍ ସହ କଂପାନୀର କୌଣସି ପ୍ରକାର ଅର୍ଥ ଲେଣଦେଣ ହୋଇ ନାହିଁ । ତେଣୁ, ମନିଲଣ୍ଡରିଂର ପ୍ରଶ୍ନ ଉଠୁ ନାହିଁ ବୋଲି କଂଗ୍ରେସ ଦଳ କହୁଛି । ଇଡ଼ି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ସଭପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା କରି ସେମାନଙ୍କୁ ଜେରା କରିବା ପାଇଁ ନିଜ କାର୍ଯ୍ୟାଳୟକୁ ଡକାଇବାରୁ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ତାହାର ତୀବ୍ର ବିରୋଧ କରାଯାଇଥିଲା । ସେନିଆ ଓ ରାହୁଲ ଇଡ଼ି କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହେବା ଦିନ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ କରିବା ସହ ଗିରଫ ହୋଇଥିଲେ । କେନ୍ଦ୍ର ସରକାର ରାଜନୈତିକ ବିରୋଧୀଙ୍କୁ ହାରାଶ କରିବା ପାଇଁ ସିବିଆଇ ଓ ଇଡ଼ି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୂରୁପଯୋଗ କରୁଥିବା କଂଗ୍ରେସ ସମେତ ଦେଶର ଅଧିକାଂଶ ବିରୋଧୀ ଦଳ ଅଭିଯୋଗ କରି ଆସୁଥିବା ବେଳେ ଉଭୟ ତଦନ୍ତକାରୀ ସଂସ୍ଥା ପର୍ଯ୍ୟାପ୍ତ ପ୍ରମାଣ ହାତେଇବା ପରେ ହିଁ ଏଭଳି ଚଢାଉ କରୁଛନ୍ତି ବୋଲି ବିଜେପି ଓ କେନ୍ଦ୍ର ସରକାର କହି ଆସୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS