‘ମାଗଣା’ ବଂଟା ପ୍ରତିଶ୍ରୁତି – ଶାସକ ଓ ବିରୋଧୀ
ପ୍ରସାଦ ରାଓ
ଅଗଷ୍ଟ ୦୪
ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଜନତାକୁ ‘ମାଗଣା’ରେ ସବୁ କିଛି ଦେବାର ପ୍ରତିଶ୍ରୁତି ଦେଇ ମନ ଜିଣିବାର ପ୍ରୟାସ କରିଥା’ନ୍ତି । ତାହା ବାସ୍ତବିକ ହେଉ ବା ଅବାସ୍ତବ । ସେହି ଆଧାରରେ ରାଜନୈତିକ ଦଳଙ୍କ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ହୋଇଥାଏ ଏବଂ ତାହାକୁ ନେଇ ପ୍ରଚାର ମଧ୍ୟ ଜୋରଦାର ହୋଇଥାଏ । ଏସବୁ ପ୍ରତିଶ୍ରୁତିକୁ ଭୋଟର ପୂର୍ଣ୍ଣତଃ ବିଶ୍ୱାସ କରିପାରୁ ନଥିଲେ ମଧ୍ୟ ସେହି ସମୟରେ କିଛି ମାତ୍ରା ବିଶ୍ୱାସ କରି ପ୍ରଭାବିତ ହୋଇଥାଏ । ନିର୍ବାଚନ ଶେଷ ହେବା ପରେ କ୍ଷମତାକୁ ଆସି ଥିବା ଦଳ ନିର୍ବାଚନ ଇସ୍ତାହାରକୁ ଭୁଲି ଚିରାଚରିତ ଢଙ୍ଗରେ କାର୍ଯ୍ୟ କରିଥାଏ । ‘ମାଗଣା’ ପ୍ରତିଶ୍ରୁତି ସବୁ ଥଣ୍ଡାବାକ୍ସକୁ ଚାଲି ଯାଏ ।
ସ୍ୱାଧୀନତା ପରଠାରୁ ଦେଶରେ ଏହି ପ୍ରକ୍ରିୟା ଚାଲି ଆସିଛି । ଉଭୟ ଶାସକ ଦଳ ଓ ବିରୋଧୀ ନିର୍ବାଚନ ସମୟରେ ‘ମାଗଣା’ ସୁବିଧା ଓ ସେବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ଶାସକ ଦଳ ‘ଗରୀବ ଲୋକଙ୍କ କଲ୍ୟାଣ’ ନାମରେ ମାଗଣା ବଂଟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାର ଟିକସ ଅର୍ଥର ବ୍ୟାପକ ଅପଚୟ କରୁଥିବା ବେଳେ ବିରୋଧୀ ନିର୍ବାଚନ ଜିଣିବା ପାଇଁ ଅବିଚରିତ ଭାବେ ଅସଂଖ୍ୟ ମାଗଣା ବଂଟା ପ୍ରତିଶ୍ରୁତି ଦେଉଛନ୍ତି । ଦୈବାତ କୌଣସି ବିରୋଧୀ ରାଜନୈତିକ ଦଳ କ୍ଷମତାକୁ ଆସି ଯାଉଛି ତେବେ ମାଗଣା ବଂଟା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ଯାଇ ଯାହା ସବୁ ପଦକ୍ଷେପ ନେଉଛି ସେସବୁ ଦେଶର ଅର୍ଥନୀତିକୁ ଚାପଗ୍ରସ୍ତ କରୁଛି । ପରାଜୟ ହେଲେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଇସ୍ତାହାରକୁ ଭୁଲି ଯିବା ମଧ୍ୟ ଆମ ସଂସ୍କୃତି ହୋଇଯାଇଛି ।
ଏହି ‘ମାଗଣା’ ବଂଟା ସଂସ୍କୃତି କେବଳ ଜାତୀୟସ୍ତରରେ ନୁହେଁ, ରାଜ୍ୟମାନଙ୍କୁ ମଧ୍ୟ ବ୍ୟାପିଛି । ବିଭିନ୍ନ ପ୍ରକାର ନାମକରଣ କରାଯାଇ ମାଗଣା ବଂଟା ପ୍ରତିଶ୍ରୁତି ଦିଆଯାଉଛି । ଏହି ସଂସ୍କୃତିକୁ ରୋକିବା ପାଇଁ କୌଣସି ରାଜନୈତିକ ଦଳର ଆଗ୍ରହ ନାହିଁ । ତେଣୁ, ଏହା ଉପରେ ରୋକ୍ ଲଗାଇବା ପାଇଁ ସଂସଦରେ କୌଣସି ଆଲୋଚନା ବା ଆଇନର ବ୍ୟବସ୍ଥା ହୋଇପାରୁ ନାହିଁ । ଭାରତୀୟ ନିର୍ବାଚନ କମିଶନ୍ ମଧ୍ୟ ଥିବା ଆଇନ କାନୁନକୁ କଡାକଡି ଭାବେ କାର୍ଯ୍ୟକାରୀ କରିପାରୁ ନାହାନ୍ତି । କେନ୍ଦ୍ର ସମେତ ଦେଶର ଅନେକ ରାଜ୍ୟରେ କ୍ଷମତାରେ ଥିବା ବିଜେପି ଏବେ ‘ଫ୍ରିବି’ ବା ‘ମାଗଣା ବଂଟା’ ସଂସ୍କୃତିକୁ ବିରୋଧ କରୁଥିବା କହୁଥିବା ବେଳେ ବିଭିନ୍ନ ବାଟରେ ତାହାକୁ ପ୍ରୋତ୍ସାହିତ କରୁଥିବା ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି । ତେବେ, ବିରୋଧୀ ମୁଣ୍ଡରେ ଅଠା ବୋଳିବାକୁ ଯାଇ କହୁଛି, ବିରୋଧୀଙ୍କ ଏଭଳି ପ୍ରତିଶ୍ରୁତି ଯୋଗୁଁ ଦେଶର ଅର୍ଥନୀତି ଚାପଗ୍ରସ୍ତ ହେବା ସହ ବିପର୍ଯ୍ୟୟ ଆଡକୁ ଯାଉଛି । ମାଗଣା ବଂଟାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିବା ବୁଧବାର ଦିନ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ନେଇଥିବା ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କ୍ରୀଷ୍ଣା ମୁରାରୀ ଓ ଜଷ୍ଟିସ ହୀମା କୋହଲୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତକାଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ମାଗଣା ବଂଟା ପ୍ରତିଶ୍ରୁତିକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି । ରାଜନୈତିକ ଦଳଙ୍କ ଏଭଳି ‘ମାଗଣା ବଂଟା’ ପ୍ରତିଶ୍ରୁତି ଯୋଗୁଁ ଦେଶର ଟିକସଦାତାଙ୍କ ଅର୍ଥର ଘୋର ଅପଚୟ ହେଉଥିବା ଏବଂ ଅର୍ଥନୀତି ମଧ୍ୟ ଗଭୀର ଭାବେ ଚାପଗ୍ରସ୍ତ ହେଉଛି ବୋଲି ଖଣ୍ଡପୀଠ ଦର୍ଶାଇ କେତେମାତ୍ରାରେ ମାଗଣା ବଂଟା ସଂସ୍କୃତିକୁ ନିୟନ୍ତ୍ରଣ କରି ହେବ ତାହା ଅନୁଧ୍ୟାନ କରିବା ସକାଶେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ନିର୍ବାଚନ ସମୟରେ ମାଗଣାରେ ସବୁ ସୁବିଧା ଯୋଗାଇ ଦେବାକୁ ରାଜନୈତିକ ଦଳଙ୍କ ପ୍ରତିଶ୍ରୁତି ଟିକସଦାତା ଓ ଦେଶର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ ଯେଉଁ ବିଶେଷଜ୍ଞ ଗୋଷ୍ଠୀ ଗଠନ କଥା କହିଛନ୍ତି ସେଥିରେ ନୀତି ଆୟୋଗ, ଅର୍ଥ କମିସନ, ନିର୍ବାଚନ କମିସନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରତିନିଧିତ୍ୱ ରହିବ । ଏକ ସ୍ୱାଧୀନ ବିଶେଷଜ୍ଞ ଗୋଷ୍ଠୀ ଏଭଳି ଏକ ଜଟିଳ ପ୍ରସଙ୍ଗରେ ସଂପୃକ୍ତ ସମସ୍ତ ପକ୍ଷଙ୍କ ସମେତ ଜନସାଧାରଣଙ୍କ ସହ ସିଧାସଳଖ ଚର୍ଚ୍ଚା କରି ସେମାନଙ୍କ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବା ପରେ ଖଣ୍ଡପୀଠ ସରକାରଙ୍କ ନିକଟକୁ ତାହା ପଠାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇ ପାରିବେ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି । ବିଶେଷଜ୍ଞ ଗୋଷ୍ଠୀରେ କେଉଁମାନେ ରହିବେ ଏବଂ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଦେଉଥିବା ‘ମାଗଣା ବଂଟା’ ପ୍ରତିଶ୍ରୁତିଗୁଡ଼ିକୁ କିଭଳି ଭାବେ ସ୍କୃଟିନି କରାଯିବ ତାହା ଉପରେ ନିଜ ନିଜ ପ୍ରସ୍ତାବ ରଖିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ନିର୍ବାଚନ କମିସନଙ୍କ ଓକିଲ ଅମିତ ଶର୍ମା, ପିଟିସନକାରୀଙ୍କ ଓକିଲ ବିକାଶ ସିଂହ, ବିଜୟ ହଂସାରିୟା ଏବଂ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ।
ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଖଣ୍ଡପୀଠରେ ନିଜର ସ୍ୱାଧୀନ ମତ ରଖିବାକୁ ଯାଇ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଯେଉଁ ‘ମାଗଣା’ ବଂଟା ପ୍ରତିଶ୍ରୁତି ଦେଉଛନ୍ତି ସେସବୁ ସଂପୂର୍ଣ୍ଣ ଭାବେ ରାଜନୀତି ଓ ଅର୍ଥନୀତି ସହ ସଂପୃକ୍ତ ଥିବାରୁ ନିର୍ବାଚନ କମିସନଙ୍କୁ ସେଥିରୁ ଦୂରେଇ ରଖାଯାଇ ସଂସଦରେ ସବିଶେଷ ଆଲୋଚନା ମାଧ୍ୟମରେ ପ୍ରତିକାର ବ୍ୟବସ୍ଥା କରାଯିବା ଠିକ ହେବ । ତେବେ, ସିବଲ୍ ପ୍ରସ୍ତାବରେ ଖଣ୍ଡପୀଠ ସହମତ ହୋଇ ନାହାନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିବଲଙ୍କୁ ଓଲଟା ପ୍ରଶ୍ନ କରିଥିଲେ, ନିର୍ବାଚନ ସମୟରେ ‘ମାଗଣା ବଂଟା’ ପ୍ରତିଶ୍ରୁତିକୁ ନିଷିଦ୍ଧ କରିବାକୁ ବା ନିୟନ୍ତ୍ରଣ କରିବାକୁ ପାର୍ଲାମେଂଟରେ ଆଲୋଚନା ହୋଇପାରିବ ବୋଲି ସେ ନିଜେ ଗମ୍ଭୀରତାର ସହ ଭାବି ପାରୁଛନ୍ତି କି ? କୋଉଁ ରାଜନୈତିକ ଦଳ ଏଭଳି ଆଲୋଚନା ହେବା ଚାହିଁବ ? କାରଣ, ସବୁ ରାଜନୈତିକ ଦଳ ନିର୍ବାଚନ ଆଗରୁ ଏଭଳି ପ୍ରତିଶ୍ରୁତି ଦେବାକୁ ଚାହାଁନ୍ତି । ଏହା ଉପରେ ନିୟନ୍ତ୍ରଣ କେହି ଚାହାଁନ୍ତି ନାହିଁ । ତେଣୁ, ଖଣ୍ଡପୀଠ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବା ନିର୍ଣ୍ଣୟ ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହେଟ୍ଟା ଦେଶରେ ମାଗଣା ବଂଟା ସଂସ୍କୃତି ପାଇଁ ବିରେଧୀଙ୍କୁ ଦାୟି କରି କିଛି ସୁବିଧାବାଦୀ ବିରୋଧୀ ରାଜନୈତିକ ଦଳ ଅବିଚାରିତ ଭାବେ ଯେଭଳି ‘ମାଗଣା’ ବଂଟା କଥା ଘୋଷଣା କରୁଛନ୍ତି ତାହା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ କରୁଥବାରୁ ନିର୍ବାଚନ କମିସନ୍ ଏହି ପ୍ରସଙ୍ଗର ପୁନଃ ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଉ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ । ଅଗଷ୍ଟ ୧୧ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣୀ ହେବାକୁ ଧାର୍ଯ୍ୟ ହୋଇଛି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରତିକ୍ରିୟା ବ୍ୟକ୍ତ କରି କେନ୍ଦ୍ର ସରକାରଙ୍କୁ ସିଧାସଳଖ ନିଶାନା କରିଛନ୍ତି । ନିଜ ‘ବନ୍ଧୁ’ମାନଙ୍କୁ ସରକାରୀ ତହବିଲରୁ କୋଟି କୋଟି ଛାଡ କରିବାରେ ଦେଶରେ ଅର୍ଥନୈତିକ ସଂକଟ ସୃଷ୍ଟି ହେଉଛି, ସାଧାରଣ ଲୋକଙ୍କୁ ମାଗଣାରେ କିଛି ସୁବିଧା ଦେବାକୁ ଘୋଷଣା କରିବାରେ ନୁହେଁ ବୋଲି କେଜରୀୱାଲ କହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଜନସାଧାରଣଙ୍କୁ ମାଗଣାରେ କିଛି ସେବା ଯୋଗାଇ ଦେବାକୁ ଯେଉଁ ଘୋଷଣା କରୁଛନ୍ତି ତାହାକୁ ନିଷିଦ୍ଧ କରାଯିବା ଠିକ୍ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଗତକାଲି ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଆସିବା ପରେ କେଜରୀୱାଲ ହିନ୍ଦୀରେ ଏକାଧିକ ଟ୍ୱିଟ୍ କରି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ଏଠାରେ ଉଲ୍ଲେଖନୀୟ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାର ଛାତ୍ରଛାତ୍ରୀଙ୍କ ମାଗଣାରେ ଉନ୍ନତ ମାନର ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଇ ଦେଉଛନ୍ତି । ଜନସାଧାରଣ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ପାଉଛନ୍ତି । ପଂଜାବରେ ମଧ୍ୟ ‘ଆମ୍ ଆଦମୀ ପାର୍ଟି’ର ସରକାର ଆସିବା ପରେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ଦିଆଯାଉଛି । ଦିଲ୍ଲୀ ଭଳି ପଂଜାବରେ ଉନ୍ନତ ମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେଠାରେ ‘ଆପ୍’ ଶାସକ ବିଜେପିର ଅନ୍ୟତମ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି ଏବଂ ଦିଲ୍ଲୀ ଓ ପଂଜାବ ଭଳି ଗୁଜରାଟବାସୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତି ଦେଇଛି । ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ ବ୍ରବହାର କଲେ ସଂପୂର୍ଣ୍ଣ ବିଲ୍ ପୈଠ କରିବାକୁ ପଡିବ ବୋଲି ମଧ୍ୟ କେଜରୀୱାଲ ସୁରଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାଇ ଦେଇଛନ୍ତି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ ସମୟରେ ‘ଫ୍ରିବି’ ବା ମାଗଣା ବଂଟା ସଂସ୍କୃତି ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେଉଥିବା ଦର୍ଶାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ରାଜ୍ୟମାନେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାଙ୍କ ହଜାର ହଜାର କୋଟି ଟଙ୍କା ବକେୟା ରଖି ଥିବାରୁ ବିଦ୍ୟୁତ ଯୋଗଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ମଧ୍ୟ ସେ ଅନ୍ୟ ଏକ ସଭାରେ ଅଭିଯୋଗ କରିଥିଲେ । ତେଣୁ, ବିଜେପି ‘ଆପ୍’କୁ ଟାର୍ଗେଟ କରି ‘ଫ୍ରିବି’ ରାଜନୀତି କରୁଥିବା କେଜରୀୱାଲ ଅନୁମାନ କରୁଛନ୍ତି । ତେଣୁ, ନିର୍ବାଚନ ପୂର୍ବରୁ ଲୋକଙ୍କୁ ମାଗଣାରେ ବିଭିନ୍ନ ସେବା ଯୋଗାଇ ଦେବା ଘୋଷଣା ଉପରେ ନିଷେଧାଦେଶ ଲାଗିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । କେବଳ ‘ଆପ୍’ ନୁହେଁ, ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଶାସନ କରୁଥିବା ଆଂଚଳିକ ଦଳମାନେ ନିର୍ବାଚନ ପୂର୍ବରୁ ଏଭଳି ମାଗଣାରେ ସେବା ଓ ସୁବିଧାର ଘୋଷଣା କରି ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛନ୍ତି । ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜନୈତିକ ସମର୍ଥନ ମିଳିବା ଆଶା କ୍ଷୀଣ । ଏଭଳି କିଛି ରୋକ୍ ଲାଗିଲେ ଶାସକ ଦଳ ମଧ୍ୟ ମୁସ୍କିଲରେ ପଡିବ । ତେଣୁ, ସରକାର ‘ଫ୍ରିବି’ ଉପରେ ରୋକ୍ ଲଗାଇବା ପାଇଁ ଅଦାଲତକୁ ମାଧ୍ୟମ କରିଥିବା ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଓ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମ କୋର୍ଟ ଖଣ୍ଡପୀଠରେ କରିଥିବା ପ୍ରତିବେଦନରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS