ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ: କଳାବସ୍ତ୍ର ପିନ୍ଧି ନେତୃତ୍ୱ ନେଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୫
ଦରଦାମ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସରକାର ଜିଏସଟି ବୃଦ୍ଧି କରିବା, ଦେଶରେ ବେକାର ସମସ୍ୟା ବଢିବା ଏବଂ କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱରକୁ ଚପାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୂରୁପଯୋଗ କରୁଥିବା ପ୍ରତିବାଦରେ ଆଜି ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ବଡ଼ ଧରଣର ପ୍ରଦର୍ଶନ ହୋଇଯାଇଛି । ପାର୍ଲାମେଂଟର ଭିତରେ ଓ ବାହାରେ କଂଗ୍ରେସ ପକ୍ଷରୁ ଏହି ପ୍ରଦର୍ଶନ ହୋଇଥିଲା । ସଂସଦର ଉଭୟ ଗୃହରେ ପ୍ରଦର୍ଶନ ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀ ତାହାର ନେତୃତ୍ୱ ନେଇଥିବା ବେଳେ କଂଗ୍ରେସ ମୁଖ୍ୟାଳୟ ବାହାରେ ହୋଇଥିବା ଜବରଦସ୍ତ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ବିକ୍ଷୋଭରେ ଭାଗ ନେଇଥିବା ସମସ୍ତ କଂଗ୍ରେସ ସାଂସଦ, ନେତା ଓ କର୍ମୀ ଦେଶରେ ଗଣତନ୍ତ୍ର ହତ୍ୟା ଚାଲି ଥିବା ଦର୍ଶାଇ କଳାବସ୍ତ୍ର ପରିଧାନ କରିଥିଲେ । ରାହୁଲ ପ୍ରଥମେ ମା’ଙ୍କ ସହ ସଂସଦରେ ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇଥିବା ବଳେ ପରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଚାଲି ଥିବା ପ୍ରଦର୍ଶନରେ ପ୍ରିୟଙ୍କାଙ୍କ ସହ ଯୋଗ ଦେଇଥିଲେ । ଦରଦାମ ବୃଦ୍ଧି ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପାର୍ଲାମଂଟର ଉଭୟ ଗୃହରେ କଂଗ୍ରେସ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୂରୁପଯୋଗ ଚାଲି ଥିବା ପ୍ରତିବାଦରେ ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ଅଧ୍ୟକ୍ଷ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । କଂଗ୍ରେସ ମୁଖ୍ୟାଳୟ ବାହାରେ ସମାନ୍ତରାଳ ଭାବେ ପ୍ରଦର୍ଶନ ଚାଲି ଥିବା ବେଳେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଲିସର ଅବରୋଧକୁ ଭୃକ୍ଷେପ ନକରି ବ୍ୟାରିକେଡ ଉପରେ ଚଢି ଯିବାରୁ ଦିଲ୍ଲୀ ପୁଲିସ ତାଙ୍କୁ ଟେକି ନେଇ ଅଟକ ଥିବା ଅନ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ବସରେ ବସାଇ ଦେଇଥିଲେ । ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛନ୍ତି । ଦରବୃଦ୍ଧି, ବେକାରୀ, ଜିଏସଟି ବୃଦ୍ଧି ଓ କେନ୍ଦ୍ରୀୟ ଏଜେନ୍ସୀଙ୍କ ଦୂରୁପଯୋଗ ପ୍ରତିବାଦରେ ଆଜି ସିଡ଼ବ୍ଲୁସି (କଂଗ୍ରେସ କାର୍ଯ୍ୟକାରୀ କମିଟି) ସଦସ୍ୟ ଓ ଦଳର ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ପାର୍ଲାମେଂଟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଶୋଭାଯାତ୍ରା କରିବା ଯୋଜନା ରଖିଥିଲେ । କଂଗ୍ରେସ ଶୋଭାଯାତ୍ରା ପୂର୍ବରୁ ଦିଲ୍ଲୀ ପ୍ରଶାସନ ସହରର ବିଭିନ୍ନ ଅଂଚଳରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ୧୪୪ ଧାରା ଜାରି କରାଯାଇ ବଡ ଧରଣର ଜନସମାଗମକୁ ନିଷିଦ୍ଧ କରାଯାଇଥିଲା । ଦିଲ୍ଲୀ ପୁଲିସ ଏହାକୁ ଭିତ୍ତି କରି ଦିଲ୍ଲୀ ସହରରେ ଶୋଭାଯାତ୍ରା କରିବାକୁ କଂଗ୍ରେସକୁ ଅନୁମତି ନଦେବାରୁ କଂଗ୍ରେସ ନେତାମାନେ ଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ପୁଲିସ ରାହୁଲ, ପ୍ରିୟଙ୍କା ଓ ଅନ୍ୟ କଂଗ୍ରେସ ନେତୃବର୍ଗଙ୍କଚ ଉଠାଇ ନେଇ ପୁଲିସ ଲାଇନରେ ଥିବା ଦିଲ୍ଲୀର କିଙ୍ଗସୱେ କ୍ୟାଂପ୍ ରେ ଅଟକ ରଖି ଥିଲେ । ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଶତାଧୀକ ବର୍ଷ ଲାଗି ଥିଲା । ଆଜି ଆଖି ସାମ୍ନାରେ ତାହାକୁ ଧ୍ୱଂସ କରି ଦିଆଯାଉଛି । ଏକଛତ୍ରବାଦର ଯିଏ ବିରୋଧ କରୁଛି ଜେଲ, ଗିରଫଦାରୀ ଓ ମାଡ ମାରିବା ମାଧ୍ୟମରେ ସେମାନଙ୍କୁ ଭୟଭିତ କରାଯାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦରବୃଦ୍ଧି, ବେକାରୀ ଓ ସମାଜରେ ଚଲି ଥିବା ହିଂସାକୁ ନେଇ କେହି ସ୍ୱର ଉଠାଇବା ସରକାର ଚାହୁଁ ନାହାନ୍ତି । ଅପରପକ୍ଷରେ, ବିଜେପି କଂଗ୍ରେସରେ ବଂଶଭିତ୍ତିକ ଶାସନ ଚାଲିଛି ବୋଲି ଅଭିଯୋଗ କରି କଂଗ୍ରେସରେ ଗଣତନ୍ତ୍ର ଅଛି କି (?) ବୋଲି ପ୍ରଶ୍ନ କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS